Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ରମ୍ୟରଚନା - ମସ୍ତ ରାହୁଲ - ଜୟନ୍ତ ମହାପାତ୍ର


“ଢୋ-ଥପ୍-ବୋଉଲୋ-ଓ ସିଟ୍”, ସୁକୁଟି ସାହୁ ଉଠୁ ଉଠୁ, ଚଟକିନା ଚାରିଆଡ଼କୁ ଟିକେ ନଜର ବୁଲେଇ ଆଣିଲା । ମୋବାଇଲର ଭୋଳରେ କେତେବେଳେ ସେ ରାସ୍ତା କଡ଼କୁ ଭଟକି ଆସିଥିଲା, ତାହାର ତାକୁ ନିଘା ନଥିଲା । “କିଏ ଦେଖିଦେଲା କି?” ସନ୍ଦେହର ପ୍ରଶ୍ନଟା ଉଙ୍କି ମାରିଲା ବେଳକୁ “ନା ଲାଗୁନି” କହି ମନ ବୁଝାଇ ନେଲା । ଅଯଥା ଲୋକହସା ହେବାଠୁ ବର୍ତ୍ତିଯିବାର ସନ୍ତୁଷ୍ଟି ଥିଲାବେଳେ ବୁଢ଼ା ଆଙ୍ଗୁଠିରୁ ରକ୍ତର ଧାରଟା ବାହାରି ନେଲପେଣ୍ଟଟା ବିଗିଡ଼ି ଯାଇଥିବାରୁ ମୁଣ୍ଡଟା ତା’ର ପୁରା ଖରାପ ହୋଇଗଲା । “ଚାଲିବା ରାସ୍ତାରେ ଏମିତି କିଏ ଟେଲିଫୋନ ଖୁଣ୍ଟି ଲଗାଏ ? ଯିଏ ଲଗେଇଛି ତାକୁ ଲୋକହତ୍ୟାର ଷଡ଼ଯନ୍ତ୍ରରେ ମୋବାଇଲ ନେଟୱର୍କ ନଥିବା ଗୋଟେ ଯାଗାକୁ କଳାପାଣିରେ ପଠେଇଦବା କଥା”, କହି ନିଜ ଦୋଷକୁ ଅଗୋଚର କରି ମେଡ଼ିଆ ଟ୍ରାଏଲ୍ ଭଳି ଶାସ୍ତି ବିଧାନ ମଧ୍ୟ ଘୋଷଣା କରିଦେଲା ।

କିଟୁର ପ୍ରେମକୁ ଏ ସମାଜ ବୁଝି ନପାରି ପାଗଳାମୀ କହି ତାକୁ ହୀନସ୍ଥା କରିଥିଲା ସିନା, କିନ୍ତୁ ମଲ୍ଲୀକା ତା’ର ପ୍ରେମକୁ ଠିକ ଭାବରେ ବୁଝିପାରି ତାକୁ ଆପଣେଇ ଥିଲା । ଏ ମସ୍ତ ମୁଭିଟାର ନାଁ ଟା ଯିଏ ‘ମସ୍ତ’ ଦେଇଥିଲା, ସେ ନିଶ୍ଚେ ଗୋଟେ ମହାପୁରୁଷ ହୋଇଥିବ । ଅପହଁଞ୍ଚ ଦୂରରେ ଥିବା ଜଣେ ସେଲିବ୍ରେଟିକୁ ଭଲ ପାଇବା, ଅବାନ୍ତର ମନେ ହେଲେବି ତାଙ୍କୁ ପାଇବା ପାଇଁ ଚେଷ୍ଟା କରିବା, ସବୁକିଛି ଭୁଲି ତାଙ୍କ ପାଇଁ ଦୁନିଆର ସହ ଲଢି ଯିବା ଏବଂ ସର୍ବ ଶେଷରେ ତାଙ୍କୁ ପ୍ରାପ୍ତ କରିବା, ଏକ ବଳିଷ୍ଠ ରୋମାନଟିକ୍ କାହାଣୀର ଚମତ୍କାର ଉଦାହରଣ । ବାରମ୍ବାର ଦେଖିଲା ଭଳି ସିନେମା ଟିଏ । ସୁକୁଟି ୧୦୦ ଥର ଦେଖିବାର ଲକ୍ଷ୍ୟ ଠାରୁ ଜମା ୨୫ ଦୂରରେ । ମୋବାଇଲରେ ଆଉ ଗୋଟେ ସୋପାନର ଅଗ୍ରଗତିର ପ୍ରଚେଷ୍ଟା ବେଳେ ହିଁ ସେ ରାସ୍ତାରୁ ଭଟକି ଝୁଣ୍ଟି ପଡିଥିଲା । କିନ୍ତୁ ସିନେମାର ନାୟକ କିଟୁର କଷ୍ଟ ଆଗରେ ଏଇ ଛୋଟ ଦୁର୍ଘଟଣାର ପରିଣାମ ସୁକୁଟିକୁ ନଗନ୍ୟ ମନେହେଇଥିଲା ।

ଯେମିତି କିଟୁର ମଲ୍ଲୀକା, ସେମିତି ସୁକୁଟିର ରାହୁଲ । ‘ରାହୁଲ ଗାନ୍ଧୀ’, ନାମତୋ ସୁନା ହୋଗା । କିଟୁ ଭଳି ମୁଭିଷ୍ଟାର ଆଉ କ୍ରିକେଟର ମାନଙ୍କ ପାଇଁ ତ ସମସ୍ତେ ପାଗଳ। କିନ୍ତୁ ସୁକୁଟିର ପସନ୍ଦ ନିଆରା । ତାକୁ ଅଭିନେତା ନୁହେଁ ନେତା ଦରକାର । ତା ମତରେ “ରୂପ, ଗୁଣ, ଧନ, ଜ୍ଞାନରେ ରାହୁଲ ଗାନ୍ଧୀଙ୍କୁ ଟକର ଦେଲା ଭଳି ବ୍ୟକ୍ତି, ଆଜିକା ତାରିଖରେ ଆଉ ଅନ୍ୟ କେହି ନେତା ନାହିଁ । ବିରଳ ସେ ବ୍ୟକ୍ତିତ୍ଵ । ଅସାର ସେ ପ୍ରତିଭା । ସେ ଅଦିତୀୟ ।” ସେଥିପାଇଁ ତାଙ୍କୁ କରି ବସିଥିଲା ନିଜ ସ୍ୱପ୍ନର ନାୟକ ।

“ବାପା ତୋର ସେଠି ମୋଦି ମୋଦି ଜପୁ ଥାନ୍ତୁ ଆଉ ତୁ ଏଠି ଘରର କାନ୍ଥ, ବାଡ଼, କବାଟରେ ରାହୁଲ ଗାନ୍ଧୀ ଫୋଟ ଲଗେଇ ଅନେଇ ବସିଥା ।” ବୋଉର କଟାକ୍ଷର ଦୃଢ଼ ପ୍ରତିବାଦ କରିଥିଲା ସୁକୁଟି ସେଦିନ । ଚଢ଼ା ଗଳାରେ ଶୁଣାଇ ଦେଇଥିଲା, “ବୋଉ, ଏଇଟା ଗଣତନ୍ତ୍ର । ବାପା-ଝିଅ ହେଲେବି ଆମକୁ ଅଲଗା ଅଲଗା ବିଚାରଧାରାରେ ବିଶ୍ବାସ ରଖିବାକୁ ସ୍ୱାତନ୍ତ୍ରତା ଅଛି । ରେଳପଥ ପରି ଏକା ସାଙ୍ଗେ ରହି ମଧ୍ୟ ନିଜର ସ୍ୱତନ୍ତ୍ର ବିଚାରଧାରାକୁ ବଜାଇ ରଖିପାରିବୁ ।” ଏଭଳି ଏକ ମହତ୍ ଚିନ୍ତାଧାରାକୁ ହଜମ କରିବାକୁ ଅକ୍ଷମ ଥିଲା ବୋଧେ । ଯାଉ ଯାଉ ଆଉ ପଦେ ଶୁଣାଇ ଦେଇଗଲା, “ବାପର ଭାଷଣ କଣ କମ୍ ଥିଲା ଯେ ଏବେ ଝିଅବି ଆରମ୍ଭ କରିଦେଲା ?”

“ସୁକୁଟି ଇଆଡ଼େ ଆସିଲୁ”, ବାପାଙ୍କ ଡାକରାଟା ସୁକୁଟିର ଭାବଧାରାକୁ ଅଧାରୁ ଭାଙ୍ଗି ଦେଲା । “ହଁ ଆସୁଛି”, କହି ସେ ଭିତର ଘରକୁ ଗଲା । ତାକୁ ଦେଖି “ପିଜି ପାଇଁ କଣ ଚିନ୍ତା କଲୁ”, ବୋଲି ବାପା ପଚାରିଲେ । “ଜେ.ଏନ.ୟୁ.ରେ ପଲିଟିକାଲ ସାଇଁସରେ ପିଜି କରିବି ବୋଲି ଭାବୁଛି”, ବୋଲି ସୁକୁଟି ଉତ୍ତର ଦେଲା ।

“କଣ ହେଲା ? ଜେ.ଏନ.ୟୁ. ଯିବୁ ? ତୋର ରାହୁଲ ଗାନ୍ଧୀର ପାଗଳାମୀ ସହୁଛି ମାନେ ନୁହେଁ ଯେ ସେ ଦେଶ ବିରୋଧୀ ଗୋଠକୁ ତୋତେ ଯିବାକୁ ଅନୁମତି ଦେଇଦେବି ?” କହି ବାପା ରାଗରେ ପୂରା ଗରମ ।

“ବାପା ମୁଁ ଦିଲ୍ଲୀ ଯିବାକୁ ଚାହୁଁଛି” ବୋଲି ସୁକୁଟି ଶାନ୍ତ ସ୍ଵରରେ ନିଜ ଇଛାକୁ ଜଣାଇଲା । “କଣ ସେ ପପୁକୁ ମିଶିବା ପାଇଁ ?” ବୋଲି ବାପା ଯୋ କଟାକ୍ଷ କଲେ ତାହା ତା ପାଇଁ ଅସହ୍ୟ ଥିଲା । “୪୮ ବର୍ଷ ବୟସରେ ତୁମେ ଦର ବୁଢ଼ା ହେଲା ବେଳକୁ ରାହୁଲ ଗାନ୍ଧୀ ଆଜି ବି ୟୁଥ୍ ଆଇକନ୍ । ସେଇଟା ତାଙ୍କର ବିଶେଷତ୍ୱ । ଗୁଣ ଚିହ୍ନେ ଗୁଣିଆ । ପପୁ ବୋଲି ଡାକି ନିଜ ହୀନମନ୍ୟତାକୁ ପ୍ରକାଶ କରିବା କଥା ନୁହଁ, ତେଣୁ ବାପା ପ୍ଲିଜ, ଯାହା କହିବ ମୋତେ କହିବ । ରାହୁଲ ଗାନ୍ଧୀ ବିଷୟରେ କିଛି କହିଲେ, ମୁଁ ଜମା ଶୁଣିବିନି ।” କହି ସୁକୁଟି ବାପାଙ୍କ କଥାକୁ ପ୍ରତିବାଦ କରିଥିଲା । “ସରି, ହେଲା, ଆଉ କହିବିନି” କହି ବାପା ଟିକେ ହସି ଦେଲେ ।

ମାହୋଲ ଟା ଟିକେ ଥଣ୍ଡା ପଡ଼ିବା ପରେ ବାପା ପୁଣି ଥରେ ଆରମ୍ଭ କଲେ, “ମାର୍କେଟିଂରେ ଏମବିଏ କଲେ କେମିତି ହୁଅନ୍ତା ?” ସୁକୁଟି ଟିକେ ଚିନ୍ତା କରି ଦୃଢ଼ ଭାବରେ ଉତ୍ତର ଦେଲା, “ବାପା ତୁମେ ଠିକ ଭାବେ ଜାଣ ଯେ ମୋତେ ରାଜନୀତି କରିବାର ଅଛି, କୁଠି ବସି ସାବୁନ କି ସାମ୍ପୁ ବିକିବାର ନାହିଁ ।” ପ୍ରତିଜବାବରେ ବାପା କହିଲେ, “ରାଜନୀତି ମାନେ କଣ ? ଏଠି ଯାହା କୁହ, ଯାହା କର ସବୁ ମାର୍କେଟିଂ। ଥରେ ଭାବି ଦେଖ । ସୋସିଆଲ୍ ମିଡିଆ ମାର୍କେଟିଂରେ ସ୍ପେସାଲାଇଯେସନ କଲେ, ଆଜି ରାମ୍ୟା ଯାହା କରୁଛି କାଲି ତୁ କରି ପାରିବୁ ।”

“ରାହୁଲ ଗାନ୍ଧୀ ଅତି ସରଳ ଲୋକ। ନିର୍ମଳ ମନା । ସତ୍ୟର ପୂଜାରୀ । ସେଥିପାଇଁ ସେ ସବୁବେଳେ ଅନ୍ୟର ଆଖିରେ ଆଖି ମିଶେଇ କଥା ହୁଅନ୍ତି । ନିଜ ବିରୋଧୀ ମାନଙ୍କୁ ମଧ୍ୟ ଯାଦୁର ଝପି ଦେଇ ପାରନ୍ତି । ତାଛଡ଼ା ଜଣେ ବଳିଷ୍ଠ ନେତାଙ୍କ ଭଳି ଗପ ଓ କାହାଣୀ ମାଧ୍ୟମରେ ଯୁଗାନ୍ତକାରୀ ଚିନ୍ତାଧାରାକୁ ସହଜ ଓ ସରଳ ଭାବେ ବ୍ୱକ୍ତ କରି ସମାଜକୁ ପ୍ରରଣା ଦିଅନ୍ତି । କିନ୍ତୁ ସଂଘିସେନା ରାହୁଲଙ୍କ ଯୁଗାନ୍ତକାରୀ ବକ୍ତବ୍ୱକୁ କଦର୍ଥ କରି ତାଙ୍କୁ ହାସ୍ୟାସ୍ପଦର ପାତ୍ର କରି ଦେଇଛନ୍ତି ।” ଏସବୁ ଚିନ୍ତା କଲା ପରେ ସୁକୁଟିର ହେତୁ ପସିଲା । ରାଜନୀତିରେ ସବୁ ମାର୍କେଟିଂ ବୋଲି ତାକୁ ବୁଝା ପଡ଼ିଗଲା । କଙ୍ଗ୍ରେସ ସୋସିଆଲ୍ ମିଡ଼ିଆର ହେଡ୍ ହେଲେ, ନା କେବଳ ରାହୁଲ ଗାନ୍ଧୀଙ୍କ ସହ ଦେଖା ହବାର ସୁଯୋଗ ମିଳିବ, ସଠିକ ମାର୍କେଟିଂ କୌଶଳର ପ୍ରୟୋଗ ଦ୍ୱାରା ରାହୁଲଙ୍କ ଭାବମୂର୍ତ୍ତିକୁ ମଧ୍ୟ ବଢ଼ାବା ପାଇଁ ବାଟ ବି ମିଳିଯିବ ।

ଜଣେ ସେଲିବ୍ରେଟିଙ୍କୁ ଭଲ ପାଇଛି । ଏବେ ତାଙ୍କୁ ପାଇବାର ପ୍ରଚେଷ୍ଟା ଓ ତାଙ୍କ ପାଇଁ ଦୁନିଆ ସହ ଲଢିବାର ସମୟ । ଆଉ ସମୟ ନଷ୍ଟ ନକରି, “ହଁ ବାପା, ମୁଁ ଏମବିଏ କରିବି” କହି ସୁକୁଟି ତା’ର ସ୍ଵୀକୃତି ଦେଲା ।

Jayanta Mohapatra,
Royal Lagoon, Bhubaneswar

Post a Comment

0 Comments