ଆକାଶରେ ସୂର୍ଯ୍ୟ ହଜିଗଲା - ବିନୟ ମହାପାତ୍ର

0

ଏକଦା, ବନସ୍ତରେ ସୂର୍ଯ୍ୟ ହଜିଗଲା,
ଅଗନା ଅଗନି ବନସ୍ଥ,
ଶିତଳ ଝରଣାର କୁଳୁ କୁଳୁ ନାଦ,
କେଉଁ ଦୂର ପ୍ରାନ୍ତରରେ,
ମୁରଲୀର କରୁଣ ଝଙ୍କାର ।
ମୁଁ କିନ୍ତୁ ସୂର୍ଯ୍ୟକୁ ଖୋଜୁଥିଲି,
ଅନ୍ଧାରରେ
ଅଗନା ଅଗନି ବନସ୍ତରେ ।

ବିନା ସୂର୍ଯ୍ୟର ଆକାଶ,
ମହା ଶୂନ୍ୟର ନିବିଡ ଅନ୍ଧାର,
ଆକାଶରେ କଳା କଳା
ବାଦଲର ମେଳା ।
ହା ହା କାର ଚାରି ଦିଗେ
ଜହ୍ନର ଆଖିରୁ ଝରୁଛି
ମୁକୁତାର ବିନ୍ଦୁ ।
ମୋତେ ଟିକେ ଆଲୋକ ଦିଅ
ପ୍ରେମୀ ଯୋଡିର ବ୍ୟାକୁଳିତ ମନ,
ବୁନ୍ଦାଏ ଜୋଛନା ପାଇଁ
ସୂର୍ଯ୍ୟର ପ୍ରେମ ରଶ୍ମି ମାଗେ,
ବଇଁଶିର ଝଙ୍କାରରେ
ମିଳନର ପ୍ରେମୋଲ୍ଲାସ ନୁହେଁ,
ବିରହର କରୁଣ କ୍ରନ୍ଦନ,
ମୁଁ କିନ୍ତୁ ଖୋଜୁଥିଲି ସୂର୍ଯ୍ୟଙ୍କୁ
ଅଗନା ଅଗନି ବନସ୍ତରେ ।ଷଡଶ୍ଚକ୍ର ଷଡରୁତୁ ଚକ୍ର
କାମ କାମନାର ଅନନ୍ତ ଅନ୍ଧାରେ,
ସୂର୍ଯ୍ୟର ରଶ୍ମି ଖୋଜିବାରେ
ମୋର ଏଇ ବ୍ୟାକୁଳିତ ମନ,
ହେଲେ ବାଟବଣା ହୋଇଯାଏ,
ଅନ୍ଧାରରେ ଆଶାର ଜ୍ୟୋତି ଖୋଜୁଥାଏ ।
କିଏ ସେ କହି ଦେବ
କେଉଁଠି ହଜିଗଲା ସୂର୍ଯ୍ୟ ?
'ଧାର ଆଧାର'ର ସୁତ୍ର
ସତେ ଏତେ ଜଟିଳ କାହିଁକି ?
ଥକି ହାରି ବସିଗଲି ମହାଦୃମ ତଳେ,
ବୋଧ ଆସିଯିବ କାଳେ,
ବୋଧିଦୃମ କୋଳେ ।
ପଦ୍ମ ମହାପଦ୍ମ କେହି ତ କହିବ,
ମୋ ଧ୍ୟାନରେ ସୂର୍ଯ୍ୟ ମିଳିଯିବ,
ଏବଂ ଏ ବନସ୍ତ ପୁଣି ଆଲୋକ ପୁଞ୍ଜରେ
ଆଲୋକିତ ହେବ ।

ବିନୟ ମହାପାତ୍ର
ପଟିଆ, ଭୂବନେଶ୍ୱର, ଓଡିଶା

Post a Comment

0Comments
Post a Comment (0)