ଅବୁଝା ହସୁଛି - ମାନସ ରଞ୍ଜନ ପଟ୍ଟନାୟକ

0

ଅବୁଝା ହସୁଛି ଦେଖଗୋ ସଂଗାତ
     ହସ ତା ଭାରି ସୁନ୍ଦର।
ସେ ହସିଦେଲେ ମୋ ମନ ଆକାଶେ
     ଉଠଇ ଦେଖ ଜୁଆର।୧!

ତା ହସରେ ପରା ଝରିପଡୁଅଛି
     ହୀରା ଲୀଳା ମୋତି ହାର
ଅବୁଝା ହସିଲେ ଜହ୍ନ ଲୁଚିଯାଏ
     କଇଁ ମାରେ ଆଖିଠାର। ୨!

ରାଗି ରାଗି ହସେ ହସି ହସି ରାଗେ
     କି ସୁନ୍ଦର ତା ଅଧର
ଭାରି ସେ ଗେଲ୍ଲେଇ ଅଳପ ଫୁଲ୍ଲେଇ
     ହସିଲେ ଉଡେ ଭଁଅର! ୩!

ହଳଦି ଚମ୍ପାର ଦେହର ମହକେ
     ରାତି ଖୋଜେ ଅଭିସାର
ଅବୁଝା ହସରେ ଆନମନା ହୋଇ
      ମାରନାହିଁ ଫୁଲଶର! ୪!

ଚଗଲି ଅଳସୀ କାଖରେ କଳସୀ
     ଓଦା ବସନ ଶରୀର
ଅବୁଝା ଅଟଇ ଲାଜେଇ ପାଖୁଡ଼ା
     ପାଉ ସେ ସୁନ୍ଦର ବର! ୫!

ହସି ହସି ଯିବ ସେଠାରେ ରହିବ
     ପୁରିଉଠୁ ତା ସଂସାର
ଏହି ଅଳୀ ମୁହିଁ କରେ ଶ୍ରୀପୟରେ
     ତୁମେ ସାହା ହେ ଈଶ୍ବର! ୬!

ଆଇନା ଆଗରେ ଅବୁଝା ହସିବ
      ସଙ୍ଗେ ସାଥୀ ଥିବ ତା'ର
ମୁଁ ଭାବୁଛି ବସି ହସକୁ ତାହାର
       ବଜ୍ର ହେଉ ତା ସିନ୍ଦୁର! ୭!

ଆଲୋ ହସୁକୁରି ହସି ହସାଇବୁ
      ଦୁଲୁକିବ ଶାଶୁଘର
ସଦା ସୁହାଗିନୀ ସାଜି ହସୁଥାଆ
      ସଦା ହସୁ ସେ  ଠାକୁର! ୮!

ମାନସ ରଞ୍ଜନ ପଟ୍ଟନାୟକ
ସଂପାଦକ - ମାଟିର ମହକ
ନିମବସନ୍ତ, ହରିରାଜପୁର, ଜଟଣୀ, ପୁରୀ
ଦୂରଭାଷ -୯୦୪୦୭୫୧୪୯୦

Post a Comment

0Comments
Post a Comment (0)