ରୂପସୀ ଚିଲିକା (ଭାଗ - ୬) - ଧୃବ ଚରଣ ବେହେରା

0
କି ସୁନ୍ଦର ଆହା ଦିଶୁଛି ଧରଣୀ
ପ୍ରକୃତି ଗାଉଛି ଗୀତ
ଭାଲେରୀ ଶିଖରେ ରବି ନଇଁଗଲେ
ଗୋଧୂଳି ଲାଗଇ ମିତ ।୧।

ସୁନାର କିରଣେ ଚିଲିକା ସୁନ୍ଦରୀ
ପଖାଳଇ ଯେବେ ତନୁ
ଝଲସଇ ତାର ସମ୍ପୂର୍ଣ୍ଣ ଯୌବନ
ଭୁଲିହୁଏ ନାହିଁ ମନୁ ।୨।

ତରଙ୍ଗର ଶୀର୍ଷ ଲାଗୁଥାଏ ସତେ
ରମଣୀ ଜାନୁର ଶୋଭା
ସମୀରର ସ୍ପର୍ଶେ ଖେଳି ଝୁଲୁଥାଏ
ରୂପ ତାର ମନଲୋଭା ।୩।

ନିତି ପାଲଟଇ ନିଶିର ବସନ
ରଜନୀ ପାହିଲା ପରେ
ପୂର୍ବ ଦିଗବଳୟେ ଦେଖି ଦିନମଣି
କଣେଇଁ ହସଇ ଧିରେ ।୪।

ଅପୂର୍ବ ମୋହିନୀ ଚାରୂ, ଚିତ୍ର ,ରାଣୀ
ଅପରୂପା ସ୍ଵର୍ଣ୍ଣଚମ୍ପା
ଜଳପର୍ଣ୍ଣା ଗୋରୀ ମନର ମାଧୁରୀ
ଉତ୍କଳ ବର୍ଣ୍ଣାଳୀ ଝୁମ୍ପା ।୫।

ମରାଳର ମାଳ କରି ରତ୍ନ ହାର
ଦୂରୁ ଦିଶେ ଶୁଭ୍ର କେଶୀ
ଅବନୀ ରୂପକ ଆକାଶ ଦେହରେ
ଲାଗୁ ତୁ ପୂର୍ଣ୍ଣମୀ ଶଶି ।୬।

ବିଛାଇ ଦେଇଛି ସୁନ୍ଦରତା ଜ୍ୟୋତ୍ସ୍ନା
ମନର ମାନବ ପାଇଁ
ପ୍ରେମିକାର ପଣେ ପାନ୍ଥଶାଳା ସାଜି
ରହିଥାଏ ସଦା ଚାହିଁ ।୭।

କାହା ହୃଦୟର ସାଜେ ପାଟରାଣୀ
କହାର ମନ ମୟୁରୀ
କବିର କଲମେ ଲକ୍ଷେ ହୀରା ସମ
ତୁ ଏସିଆ ସ୍ଵପ୍ନପୁରୀ ।୮।


ଧ୍ରୁବ ଚରଣ ବେହେରା

Post a Comment

0Comments
Post a Comment (0)