ପାହାନ୍ତି ସ୍ୱପ୍ନ - ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ

0
ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଚକାପଦା, ବେଗୁନିଆ, ଖୋରଧା

କେଡେ ଭାଗ୍ୟ ମୋର ପାହାନ୍ତା ପହରେ
ସପନେ ଆସିଲା ଜଗା,
ମହକିଲା ଘର ଚନ୍ଦନ ଅଗୁରୁ
ବସିବାକୁ ଦେଲି ଜାଗା ।।

ବଢାଇ ଦେଲା ମୋ ହାତକୁ ପତର
ପଢିଲି ଆନନ୍ଦ ମନେ
ଲେଖାଥିଲା ତହିଁ ଯିବି ମୁଁ ରଥକୁ
କହିଦେଲା ମୋର କାନେ ।।


ଚାହିଁ ବସିଥିବ ନନ୍ଦିଘୋଷ ରଥେ
ମୋହରି ଯିବା ବାଟକୁ
ନ ଦେଖିବା ଯାଏ ମୁଁ ତାର ରୂପକୁ
ଯିବନି ରଥ ଆଗକୁ ।।

ପଢୁ ପଢୁ ଚିଠି ଆଖିରୁ ମୋହର
ଆନନ୍ଦେ ଝରିଲା ଅଶ୍ରୁ
ମନଦୃଢ କଲି ଯିବି ମୁଁ ନିଶ୍ଚୟ
ଏଥର ଗୁଣ୍ଡିଚା ଆସୁ ।।


ସପନରେ ଯାଇ ଗୁଣ୍ଡିଚା ଯାତରେ
ଦେଖିଲି ଜନ ଗହଳି
ହଲାଇ ଟାହିଆ ଆସୁଛି କାଳିଆ
ଦେଖି ତାକୁ ଧନ୍ୟ ହେଲି ।।

ଧନ୍ୟପ୍ରଭୁ ବୋଲି ଉଚ୍ଚେ ଡାକ ଦେଲି
ଦେଖି ସେ କଳା ବାମନ
ରାତି ପାହିଗଲା ସପନ ଭାଙ୍ଗିଲା
ତା' ରୂପ ଝୁରୁଛି ମନ ।।

Post a Comment

0Comments
Post a Comment (0)