
ପଥର ମୁହିଁ ଯୁଗ ଯୁଗରୁ
ନୀରବେ ରହିଛି ଚାହିଁ,
କିଏସେ ନେବ ଜୀବନ ଦେବ
ବସିବି ଦେବତା ହୋଇ l
ବିଭିନ୍ନ ରଙ୍ଗେ ମୋ ଦେହକୁ
ସଜାଇବ ଦେବ କହି,
ମୋହର ଆଶା ପୂରଣ ହେବ
ଯେପରି ଉଛୁଳା ନଈ l
ପ୍ରତ୍ୟେକ କବି ମୋ ନାମରେ
ଲେଖୁଥିବେ ଗୁଣ ଗାଇ,
ଦୂର ଦୂରରୁ ଭକ୍ତ ଆସିବେ
ଭୋଗ ଆଉ ଅର୍ଥ ନେଇ l
ସବୁରି ମଥା ମୋ ପାଖେ ଆସି
ପଡିବେ ପାଦରେ ଶୋଇ,
ନିର୍ବିକାରରେ ତା' ଡାକରାରେ
ଆଶୀର୍ବାଦ ଦେବି ଥୋଇ l
ପୂଜା ପାଇବି ଫୁଲ ଫଳରେ
ନୀରବରେ ବସି ରହି
ହୃଦୟେ ବସା ବାନ୍ଧି ତାଙ୍କର
ଭରସା ତ ଦେବି ମୁହିଁ l
ଚଳଚଞ୍ଚଳ ମୋ ଦେହ ନାହିଁ
କହେ ନାହିଁ ଟିକେ କଥା
ତଥାପି ମୋତେ ପୂଜା ମିଳବ
ଶୁଣେ ନାହିଁ କାହା ବ୍ୟଥା l
ଦୁଃଖ ଯନ୍ତ୍ରଣା ମଣିଷ ପାଇ
ମୋ ପାଖେ ଆସିବ ଧାଇଁ,
ଜାଣେନା ସେହି ମୁଁ ତ ପଥର
ମୋ ପାଖେ କିଛି ନାହିଁ l
ମୋର ମନ୍ଦିର ଗଢ଼ାଇ ଦେବେ
ପ୍ରତ୍ୟକ୍ଷ ଦେବତା କହି,
ମୁଁ ତ ରହିବି ଅଭିଷେକରେ
ମନ୍ଦିରେ ସାଇତା ହୋଇ l
ପ୍ରବାହ ସାହିତ୍ୟ ସଂସଦ, କଣ୍ଟାବଣ
ନୀଳକଣ୍ଠପୁର, ବଡପଡା, କେନ୍ଦ୍ରାପଡା
VOL.IX, ISSUE.IX, SEPTEMBER-2025
Published By Banamallira Mahak