ତୋ ଗାଁ ମୋ ଗାଁ - ସୁଧାକର ସେଠୀ

0

ତୋ ଗାଁ ମୋ ଗାଁ ଭିତରେ
ଫରକ ଏତିକି, ତୋ ଗାଁ
ମୁଳରୁ ସହର ସହର ବାସେ
ପାଖରେ ରାଜପଥ
ଭୂଁ ଭାଁ ପେଁ ପାଁ'ର ଶବଦ
କଳଧୂଆଁର ମୁରୁକୁଟିଆ ବାସ୍ନା
କେତେ ଗୁଡିଏ ବିକଟାଳ ଶଦ୍ଦକାରୀ
ଅବାଞ୍ଛିତ ଶିଳ୍ପର ଭିଡାଭିଡି
ତଥାପି ତୋ ଗାଁ
ପାଖରେ ଥିବା ପାହାଡ,
ଝରଣା ଓ ସବୁଜିମାର ବଳୟ
ମୋତେ ସମ୍ମୋହିତ କରେ
ନିଜକୁ ହଜାଇବାକୁ ଯୋଗାଏ
ବେଶ ଖୋରାକ ।।

ମୋ ଗାଁ ତ ନିପଟ ମଫସଲ
କାଦୁଅ ପଚପଚ ସଡକ,
ପାଖରେ ନଈ, ଧାନବିଲ
ଉଚ୍ଚାଉଚ୍ଚା ତାଳ, ଜାମୁ, ଆମ୍ବ,
ଅର୍ଜୁନ, ନିମ୍ବ ସହ
ସେତେବେଳର ଘଞ୍ଚ ଜଙ୍ଗଲ
ଖଜିରା, ମହୁଲିଆ, ଚଲଣା, ଖରାଖାଇ,
ଗାଇଦାଣ୍ଡି ପାଖ ଉଚ୍ଚ ପଦାର
ବୁଦୁଵୁଦିଆ ଜଙ୍ଗଲରେ ଵେତ, ଵଇଁଚ,
ଆଙ୍କ, କଣ୍ଟେଇ, କାନକୂଳିର ସମାହାର ।।

ନିଦାଘ, ଶୀତ, ଵସନ୍ତ, ବର୍ଷାରେ
ପରିଚୟ ଖୋଜୁଥିବା ଗାଁ ଟି
ଗାଇ ଗୋଠରେ ବଇଁଶୀର ସ୍ଵନ
ମାପିଦିଏ ତା'ର ପରିଧି
ହିଡ ମୁଣ୍ଡରେ ପଖାଳ କଂସା ସାଥେ
ପବେ ତେନ୍ତୁଳି ଅବା ଫଡେ ଆମ୍ବୁଲ
ରଚିଯାଏ ଇତିହାସ
ଡି ହି, ଡି ହି ଶବଦ ବଳୟରେ
ସମ୍ମୋହିତ ହୁଏ ସାରାଜଗତ,
ନିଦାଘର ତପତ ମରୁରେ
ପ୍ରକୃତି ରାଣୀ ଦିଏ ମୁରୁକି
ସୁନାଫସଲରେ ଧୋଇଦିଏ ବର୍ଷକର ଦୁଃଖ ।।

ତୋ ଗାଁ'ଠାରୁ, ତତେ କୁଆଡେ
ବେଶ ଭଲଲାଗେ, ମୋ' ଗାଁ
ଭାରି ନିଜର ନିଜର ଲାଗେ,
ଜାବୁଡି ଧରୁ ତୋ ଦୁଇହାତରେ
ତା' କୋଳରେ ସବୁଦିନ ପାଇଁ
ହଜିଯିବାକୁ ହୁଏ ତତେ ଇଛା
ମୋ ପିଲାଦିନକୁ ତୁ ଖୋଜିବୁଲୁ
ଏଠି ମାଟି, ପାଣି ପବନରେ
ସଙ୍ଗାତ ବସୁ, ମୋ ସ୍କୁଲଯିବା ରାସ୍ତାର
ସାଥି ବରଗଛ, ପାଖ ଖେଳପଡିଆ,
ସାରା ଦିପ୍ରହର କଟୁଥିବା
ଆମ୍ବତୋଟା ସାଥେ ।।

ନୂଆଁଣିଆ ଚାଳଘର ମାଟିକାନ୍ଥରେ
ଝୋଟି ଆଙ୍କୁ ଆଙ୍କୁ ଦେଖିଯାଉ
ସାରା ରାଇଜର ସ୍ଵପ୍ନ
ବ୍ୟାସ, ବାଲ୍ମୀକି, କାଳିଦାସ, ଭର୍ତ୍ତୁହରିଙ୍କ
ଅଧାଗଢା ସାମ୍ରାଜ୍ୟରେ କରୁ ପ୍ରବେଶ
ପାଶ୍ଚାତ୍ୟ କବି ୱାର୍ଡ୍ସଓର୍ଥ, ଏମିଲି,
କିଟସ୍, ସେକ୍ସପିୟରଙ୍କ ରଙ୍ଗରେ ହେଉ ରଙ୍ଗେଇ ।।

ନୀରବରେ ଉପଭୋଗ
କରୁଥାଏ ସେ ମଧୁରତା
ଭୂଲିଯାଉ ତୁ ନିଜକୁ,
ପାଇ ଯାଉ ସତରେ କୋଟିନିଧି
ଗାଁ ଗୋହିରୀର ବାଉଁଶ ପୋଲ ପାର
ହେଉହେଉ ହାତେ ଦେଉ ମୃଦୁ ଆଘାତ
ଖତେଇ ହେଉ, ମୁହଁ ଦେଉ ମୋଡି
କଡମଡ କରି ଖାଇଯାଉ କଞ୍ଚାସୁଆଦିଆ ଆମ୍ବ
ଭୂଲିଯାଉ ବୟସର ତାଡନା
ମାଆ ବାପଙ୍କ ଆଢୁଆଳରେ
ମନଖୋଲି ଝୁଙ୍କେ ଯାଉ ନାଚି ଶରଧାରେ
ବନସି ଧରି ବସିଯାଉ ଧରିବାକୁ ମାଛ ।।

ବରଗଛ ଓହଳ ଦୋଳିରେ
କାତ ମାରୁମାରୁ, ଖିଅଧରୁ ସେଇ
ପୁରୁଣା ରଜଦୋଳି ଗୀତ
ନିଜକୁ ପାରେନା ରୋକି
ଛାତିରେ ପଶେ ଦଲକାର ପବନ
ଝରିପଡେ ଦୁଇଟୋପା ଲୁହ
ଅତୀତକୁ ବାରମ୍ବାର ମୋଡି ମକଚି
ଆଣିଦେଉ ଥୋଇ ।।

ଅସ୍ପଷ୍ଟ ହେଲେବି, କାନପାରି ଥାଉ
ଠିକ ଆମ ପିଲାଦିନ ପରି
ସେ ନୀରବତା ଭିତରେ ଖୋଜି ବୁଲୁଥାଉ
ଡିବିଡିବି ନାଗରାର ହେଉ ଅବା
ପାଖ ଗାଁ'ର ନାଟ ତାମସା ବା ଭିଡିଓର ଶବଦ
ଭିଡିନେଉ ଯୋରକରି
ନିଜକୁ ନିଜେ ହଜାଇବାକୁ,
ଯତନରେ ଖୋଜିବାକୁ ମୋ ପିଲାଦିନ ।।

ଜମ୍ବେଶ୍ଵରପୁର, ବାଲେଶ୍ଵର
ଦୂରଭାଷ - ୯୩୩୭୬୮୧୫୨୪

VOL.IX,  ISSUE.V,  MAY-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)