
ଅଧିକ ଓ ଉତ୍ତମ ଫସଲ ପାଇଁ ଯେମିତି ଉତ୍କୃଷ୍ଟ ବିହନ ଓ ଉପଯୋଗୀ ଖତ, ସାର ଆବଶ୍ୟକ ସେହିପରି ସଂସ୍କାରୀ ଓ ସମାଜ ଉପଯୋଗୀ ନାଗରିକ ଗଠନ ପାଇଁ ଦାୟିତ୍ୱବାନ ମାଆଟିଏ ନିହାତି ଆବଶ୍ୟକ । ଗୋଟିଏ ଶିଶୁପାଇଁ ପ୍ରଥମ ଗୁରୁ ସହ ସର୍ବାଙ୍ଗୀନ ଉନ୍ନତିର ସାଥିଟିଏ ତା'ର ମାଆ ହିଁ ହୋଇଥାନ୍ତି । ଏଣୁ ଗୋଟିଏ ମାଆଙ୍କର ପ୍ରଥମ ଭୂମିକା ହେଲା ନିଜ ଶିଶୁଠାରେ ଥିବା ପ୍ରତିଭାକୁ ଚିହ୍ନଟ କରିବା ଓ ସେହି ପ୍ରତିଭାର ବିକାଶ ପାଇଁ ଆବଶ୍ୟକ ପରିବେଶ ଓ ସୁଯୋଗଟିଏ ପ୍ରଦାନ କରିବା ।
ସାଧରଣତଃ ଗୋଟିଏ ଶିଶୁ ତା' ପରିବାରରୁ ସବୁକିଛି ଶିଖିଥାଏ । ପୁଣି ସେଠାରେ ଅଧିକରୁ ଅଧିକ ସମୟ ତା ମାଆ ସହିତ ବିତାଇଥାଏ । ପ୍ରଥମେ ଶିଶୁକୁ ପୁଷ୍ଟିସାର ଖାଦ୍ୟ, ତା'ପରେ ଉତ୍ତମ ଶିକ୍ଷା ଓ ଶୃଙ୍ଖଳା, ବଳିଷ୍ଠ ବ୍ୟବହାର ତା' ମାଆ ହିଁ ଯୋଗାଇଥାଆନ୍ତି । ଶିଶୁଟି ପରବର୍ତ୍ତୀ ସମୟରେ ଯେ କୌଣସି କ୍ଷେତ୍ରରେ କାର୍ଯ୍ୟକଲେ ସେ ନିଜ ବାପା ମାଆ ଦେଇଥିବା ସଂସ୍କାର ଓ ଶିକ୍ଷାକୁ ପ୍ରତିପାଦନ କରିଥାଏ । ନିଜର ଶିଶୁ ଯେପରି (ସାଧାରଣ, ପ୍ରତିଭାବାନ, ଦିବ୍ୟାଙ୍ଗ) ହେଲେ ମଧ୍ୟ ଗୋଟିଏ ମାଆ ତା'କୁ ସର୍ବୋତ୍ତମ ବୋଲି ଗ୍ରହଣ କରିବା ଉଚିତ । ତାକୁ ଅନ୍ୟ ଶିଶୁ ସହପାଠୀଙ୍କ ସହ ତୁଳନା ନ କରି ବିଭିନ୍ନ କ୍ଷେତ୍ରରେ ଉତ୍ସାହିତ କଲେ ତା' ର ଅଭିବୃଦ୍ଧି ଘଟିପାରିବ । ସେ ଆତ୍ମବିଶ୍ୱାସୀ ହୋଇ ଶ୍ରେଷ୍ଠତା ପ୍ରତିପାଦନ କରିପାରିବ । ସେ ନିଜକୁ ସକ୍ଷମ ଭାବି ପାରିବ ।
ବର୍ତ୍ତମାନ ସମୟରେ ଦିନଚର୍ଯ୍ୟା, ଖାଦ୍ୟ ଗ୍ରହଣ ଶୈଳୀ, ସାମାଜିକ ଚଳଣି, ଏପରିକି ସବୁ କ୍ଷେତ୍ରରେ ଶିଶୁ ମାଆକୁ ଅନୁକରଣ କରିଥାଏ । ତେଣୁ ମାଆଟିଏ ଯେତେ ପୂର୍ଣାଙ୍ଗ ଓ ତ୍ରୁଟିଶୂନ୍ୟ ହେବେ ଶିଶୁକୁ ସେତେ ଆଦର୍ଶ ଓ ଶୃଙ୍ଖଳିତ କରିପାରିବେ । ଯେପରି ଉତ୍କୃଷ୍ଟ ଚାରାଟିଏ ପରବର୍ତ୍ତୀ ସମୟରେ ପରିବେଶକୁ ଦେଇଥିବା ଅବଦାନ ଅକଥନୀୟ ଓ ଅତୁଳନୀୟ ସେହିପରି ଉତ୍ତମଶିଶୁ ସମାଜପାଇଁ ବରଦାନ । ସମାଜକୁ ଉତ୍ତମ ଶିଶୁ ପ୍ରଦାନର ମାଧ୍ୟମ ହେଲେ ମାଆ । ନିଜ ଶିଶୁକୁ ଶାରୀରିକ, ମାନସିକ ବିକାଶ ସହ ତା'ର ଆଚରଣ ଓ ବ୍ୟବହାରରେ ଅଭିବୃଦ୍ଧି ଘଟାଇ ଉନ୍ନତ ଓ ବିକଶିତ ସମାଜ ତିଆରି କରିବାରେ ମାଆଙ୍କର ଭୂମିକା ଅବର୍ଣ୍ଣନୀୟ ।
ଜଣେ ପୂର୍ଣାଙ୍ଗ ମାଆ ଉତ୍ତମ ନାଗରିକ ପାଇଁ ମାଆ, ଗୁରୁ ଓ ସର୍ବଦା ଭଲ ବନ୍ଧୁଟିଏ ।
CRCC, କରବାଲୁଆ କ୍ଲଷ୍ଟର, ଚିକିଟୀ NAC, ଗଞ୍ଜାମ
ଫୋନ୍ ନଂ - 7978365313