ଶେଷ ଶଦ୍ଦ - ରବିନାରାୟଣ ମହାପାତ୍ର

0

କିଏ କହେ ମୁଁ 
ଅନା ବନା ଭାବନାରେ 
ଖୋଜେ ଖାଲି ଚିତ୍ରରେଖା
ଅଙ୍କିବାକୁ ଛବିଟିଏ 
ଅଳସୀ ଢଙ୍ଗରେ,
କେବେ ସିଏ ଦେଖାଦିଏ
କେବେ ପୁଣି ଲୁଚିଯାଏ
ଅସ୍ତରଙ୍ଗ ନିର୍ବାପିତ 
ଶୂନ୍ୟ ତରଙ୍ଗରେ,
ସେଥିପାଇଁ ମୁଁ ଆଉ
ଭିଜିବାକୁ ଚାହେନାହିଁ
କବିତାର ରଙ୍ଗରେ... !!

କବିତା ତ ପ୍ରେମର ରାଗିଣୀ 
ବୟସର ବସନ୍ତରେ
ମିଳନର ସ୍ୱର୍ଗ 
ଅବା ବିଚ୍ଛେଦର ଦାଗ
କାନଭାସ୍ ର ଧାରେ ଲୁହ 
କଜଳ ଆଖିରେ,
ଗାଁ କନିଆଁର ମୁରୁକି ହସ 
ନିଛାଟିଆ ନଈକୂଳ
ପୋଲଙ୍ଗ ବଣରେ... !!
ସେଥିପାଇଁ ମୁଁ ଆଉ
ଭିଜିବାକୁ ଚାହେନାହିଁ
କବିତାର ରଙ୍ଗରେ... !! 

କବିତା ବି
ଉନ୍ମାଦତ କୋଣାର୍କର ଭଗ୍ନଶିଳା
ଶୃଙ୍ଗାରର ନିର୍ବାକ ପ୍ରତିମା
ପାନ୍ଥଶାଳାର କଳଙ୍କିତ ଛବି
ଯଉବନ ତରଙ୍ଗର 
ଚହଲା ପାଣିରେ... !!
ସେଥିପାଇଁ ମୁଁ ଆଉ
ଭିଜିବାକୁ ଚାହେନାହିଁ
କବିତାର ରଙ୍ଗରେ... !! 

କବିତା ତ ମଉଳା ସ୍ୱପ୍ନର 
ସେ ପାରି ଦୃଶ୍ୟ 
ବିରହିଣୀ ପ୍ରିୟାର 
ଉଦାସ ମନରେ 
ଅବା କୁମାରୀ ଚନ୍ଦ୍ରଭାଗାର
ଅଲୋଡ଼ା ଶବ
ସତୀତ୍ୱର ଅଗ୍ନି ପରୀକ୍ଷାରେ... !! 
ସେଥିପାଇଁ ମୁଁ ଆଉ
ଭିଜିବାକୁ ଚାହେନାହିଁ
କବିତାର ରଙ୍ଗରେ... !!

କବିତାବି ହେଇପାରେ
ଲୁହର ବିନ୍ଦୁଟେ
ଜୀବନ ରଙ୍ଗମଞ୍ଚରେ 
ଅବା ବିଗତ ଦିନର ପାଦଚିହ୍ନ 
ଅଙ୍କାବଙ୍କା ସ୍ମୃତିର ରାସ୍ତାରେ
ବୁଢ଼ା ନାଉରୀର ଦୁଃଖଦ କାହାଣୀ
ଶୁଖିଲା ନଈରେ.... !!
ସେଥିପାଇଁ ମୁଁ ଆଉ
ଭିଜିବାକୁ ଚାହେନାହିଁ 
କବିତାର ରଙ୍ଗରେ... !! 

କବିତାବି ହେଇପାରେ
ଭାଙ୍ଗି ଯାଇଥିବା ଲେଖନୀ ମୁନର
ଶେଷ ଶବ୍ଦ ଅବା 
ଶେଷ ନିଃଶ୍ୱାସ
ଟୋପାଏ ନିର୍ମାଲ୍ୟ ପାଣିରେ 
ରାମ ନାମ ସତ୍ୟ ହେ ଶବ୍ଦଟିଏ 
ଶବ ଧାରେ ଧାରେ... !!
ସେଥିପାଇଁ ମୁଁ ଆଉ
ଭିଜିବାକୁ ଚାହେନାହିଁ 
କବିତାର ରଙ୍ଗରେ... !! 
କବିତାର ରଙ୍ଗରେ... !!!

ରାମେଶ୍ୱର, ଖୋରଧା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ