ଘରଚଟିଆ କହେ - ପ୍ରଶାନ୍ତ କୁମାର ସାହୁ

0

ପୂରୁବେ ଉଷା ଚହଟିଲା
ଘର ଚଟିଆ ରାବ କଲା ।
ଉଠରେ ଉଠ ଧନମଣି
ବିଭୁ ବନ୍ଦିଲେ ଉଷାରାଣୀ ।
ଅରୁଣ ଉଦୟ କାରଣ
କରମ ଧରମ ଧାରଣ ।
ଯେ କର୍ମୁ ବିମୁଖ ହୋଇବ 
ଅଧର୍ମେ ନିଶ୍ଚେ ନାଶ ଯିବ ।
ଅଳସ ପଣଟି ଅଧର୍ମ
କର୍ମ ଯତନେ ହୁଏ ଧର୍ମ ।
କର ସୂରୁଜ ଆଦ୍ୟ ଗୁରୁ
ସର୍ବ ଆଧାର ମହାମେରୁ ।
ଆକାଶ ବାୟୁ ଅଗ୍ନି ଖାଦ୍ୟ
ମାଟି ସହିତ ପଞ୍ଚଭୂତ ।
ଶଯ୍ୟା ତେଜିଣ ଆବାହନ
କରନ୍ତି ସଦା ସାଧୁଜନ ।
ତ୍ରିଗୁଣେ ସତ୍ତ୍ଵ ରଜ ତମ
ପିଣ୍ଡଟି ହୋଇଛି ସକ୍ଷମ ।
ଷଡ଼ରିପୁ ଯେ ମୋହ ମଦ
ମାତ୍ସର୍ଯ୍ୟ କାମ ଲୋଭ କ୍ରୋଧ ।
ଷଡ଼ରିପୁ ଯେ ମନ୍ଦଗୁଣ
ସାଧିବ ମନ ଦେଇ ଶୁଣ ।
ପରୋପକାର ଦୟା କ୍ଷମା
ଗୁଣେ ଶାନ୍ତି ସତ୍ୟ ଉତ୍ତମା ।
ଶୁଣ ହେ ମୋର ଗଣ୍ଠିଧନ
ତତ୍ତ୍ଵ ଏ ଜୀବନ ଦର୍ଶନ ।
ଋଷିଏ କରିଲେ ସାଧନ
ଦୃଶ୍ୟ ଅଦୃଶ୍ୟ ବ୍ରହ୍ମଜ୍ଞାନ ।
ଏକ ଜୀବନ ସର୍ବ ଜୀବେ
ସର୍ବ ଜୀବନ ଏକ ଜୀବେ ।
ଅଟଳ ସତ୍ୟ ଯେ ଦର୍ପଣ 
ଦୃଶ୍ୟ ଭାବର ଶ୍ରେଷ୍ଠ ପଣ ।
ଉଠ ନକର ହେଳା ଆଉ
ଅତଳସ୍ପର୍ଶେ ମନ ରହୁ ।

ଛତ୍ରଗଡ, ବାଲୁଗାଁ, ଖୋରଧା
ଦୂରଭାଷ - ୯୯୩୭୩୦୦୪୧୨

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ