ଆଜି ବି ତୋ' ଅପେକ୍ଷାରେ ମା - ଦେବବ୍ରତ ବାରିକ

0

ସେଦିନ ଥାଏ ଶନିବାର ସକାଳ ପ୍ରାୟ ୬ ଟା ସମୟ । ମୁଁ ଶୋଇଥାଏ । ବୋଉ ମୋତେ ଉଠେଇଲା ସକାଳ ଦଶଟାରେ ସ୍କୁଲ ଥିଲା, ମୁଁ ଉଠିଲି । ସେଦିନ ଜାଣି ନଥିଲି ବୋଉର କଣ ହେଇଥିଲା ବୋଲି । କେଜାଣି କାହିଁକି ତା ଆଖିରୁ ଲୁହ ବାହାରି ଯାଉଥିଲା, ସତେ ଯେମିତି ଆଜି ବୋଉକୁ କିଏ କିଛି କହିଛି ବୋଧେ । ବୋଉ ବ୍ରସ ଦେଲା ଆଉ ଦାନ୍ତ ଘଷିବାକୁ କହିଲା । ହେଲେ ମୁଁ ବୁଝି ପାରୁନଥିଲି ତା ମୁହଁଟା କଣ ପାଇଁ ଶୁଖିଲା ଶୁଖିଲା ଲାଗୁଥିଲା । ମୁଁ ଦାନ୍ତ ଘଷି ଫେରିଲି ଡ୍ରେସ୍ ପିନ୍ଧେଇ ଦେଲା, ମୁଣ୍ଡ କୁଣ୍ଡେଇ ଦେଲା, ମୁଁ ପଚାରିଲି - ବୋଉ କଣ ହେଇଛି ତୋର ? ଆଜି ତୋ ମୁହଁ ଏତେ ଶୁଖିଲା ଦିଶୁଛି କଣ ପାଇଁ ? ହେଲେ ସେ କିଛି କହୁ ନଥାଏ । ମୁଁ ଅସ୍ତବ୍ୟସ୍ତ ହୋଇଗଲି ବୋଉର ଆଜି କଣ ହେଇଛି ! ସେ ଏମିତି କାନ୍ଦୁଛି କଣ ପାଇଁ !! ସବୁଦିନ ମତେ ଦୁଆର ଆଗରେ ଛାଡି ଦେଇ ଚାଲି ଆସେ, ହେଲେ ସେଦିନ ସେ ସ୍କୁଲ ଯାଏ ଗଲା ମତେ ଛାଡିବା ପାଇଁ । ମୁଁ ସେମିତି ତା ମୁଁହକୁ ଚାହିଁଥାଏ । ଆଉ ଯେତେ ପଚାରିଲେ ସେ କିଛି କହୁ ନଥାଏ । ପୁରା ନୀରବ ଥିଲା । ତା ଆଖି ରୁ ଧାର ଧାର ଲୁହ ବୋହି ଯାଉଥିଲା । ସ୍କୁଲ ପାଖାପାଖି ହେଲା । ତା କାନ୍ଦ ବନ୍ଦ ହେଉନଥାଏ । ସ୍କୁଲ କିଛି ଦୂର ଥିଲା, ସେ ମୋ ମୁଁହକୁ ଚାହିଁ ବହୁତ ଜୋରରେ କାନ୍ଦିବାକୁ ଲାଗିଲା । ମତେ ଗେଲ କରିଦେଲା, ଆଉ ମୋ ମୁଣ୍ଡକୁ ଆଉଁସି ଆଉଁସି କହିଲା, ମୋ ଧନ ପରା ମନ ଦେଇ ପାଠ ପଢ଼ିବୁ କେବେ କାନ୍ଦିବୁନି । ଏତିକି କହି ସେ ଚାଲି ଆସିଲା । ବୋଉର ସେଇ ଦୁଇପଦ କଥା ଖୁବ ହୃଦୟ ବିଦାରକ ଥିଲା ।


ମୋତେ ଟିକେ ବି ଇଚ୍ଛା ନଥାଏ ସ୍କୁଲ ଯିବାକୁ । ଆଉ କଣ କରିଥାନ୍ତି, ମାଡ ଭୟରେ ଗଲି । ପାର୍ଥନା ସରିଲା । କ୍ଲାସ ଆରମ୍ଭ ହେଲା, ହେଲେ  ମୋର ପଢ଼ାରେ ଜମାରୁ ମନ ନଥାଏ । ବୋଉର ସେ ଛଳ ଛଳ ଆଖି ମୋ ମନରେ ନାଚି ଯାଉଥାଏ ।

କ୍ଲାସ ସରିଲା । ଛୁଟି ଘଣ୍ଟି ଯେମିତି ବାଜିଲା, ବ୍ୟାଗ୍ ଧରି ଦୌଡ଼ିଲି ସିଧା ଘରକୁ । ଘରେ ଆସି ପହଁଚିଲି ଘରେ ବୋଉ ନଥିଲା । ବାଡ଼ି ଆଡ଼େ ଗଲି । ଡାକିଲି, ହେଲେ ବୋଉନାହିଁ । ଜୋରରେ ଡାକିଲି । କେହି କିଛି କହୁ ନଥିଲେ । ପଡିଶା ଘରକୁ ଗଲି, ସେଠାରେ ମଧ୍ୟ ବୋଉ ନଥିଲା । ନିରାଶ ହୋଇ ଘରକୁ ଫେରିଲି । ହେଲେ ଏ କଣ ମୁଁ ଦେଖୁଛି ! ଦେଖିଲି ବୋଉ ପଙ୍ଖା ରେ ଝୁଲୁଛି । ତା ବେକରେ ଗୋଟେ ଦଉଡି ଲାଗିଛି । ତା'କୁ ଡାକିଲି, ସେ ଶୁଣୁନଥାଏ । ପଡିଶା ଘରକୁ ଯାଇ ସମସ୍ତଙ୍କୁ ଡାକିଲି । ପଡିଶା ଘର ବଡ଼ବାପା, ବଡ଼ବୋଉ, କକା, ଭାଉଜ ଏବଂ ଅନ୍ୟମାନେ ଦୌଡ଼ି ଆସିଲେ । ବୋଉକୁ ଓହ୍ଲେଇଲେ, ତା' ବେକରେ ଥିବା ଦୌଡ଼ି ଖୋଲିଲେ । ସମସ୍ତେ କାନ୍ଦୁଥାନ୍ତି । ମୁଁ ତ ଛୋଟ ପିଲା କିଛି ଜାଣି ନଥାଏ । ସମସ୍ତେ କହୁଥାନ୍ତି, କାଲି ରାତିରେ କୁଆଡେ ବୋଉ ବାପାଙ୍କର ବହୁତ ଝଗଡା ହୋଇଥିଲା । ଆଜି ସକାଳ ଠାରୁ ବାପା ମଧ୍ୟ ଘରେ ନାହାଁନ୍ତି । ବୋଉ କୁଆଡେ ଦଉଡି ଦେଇ ମରି ଯାଇଛି । ମୁଁ କିଛି ଖାଲି ବୋଉକୁ ଜୋରରେ ହଲେଇ ହଲେଇ କାନ୍ଦୁଥାଏ । ମୋ ପାଖରେ ଦୁଇ ତିନି ଜଣ ଖୁଡୀ, ବଡ଼ମା ଓ ସମ୍ପକୀୟ ହେବେ, ଖୁବ୍ ଧୀରେ ଧୀରେ କଥା ହେଉଥାନ୍ତି । ମୋ ବୋଉ ଦେହ ଖରାପ କହି ଚାରି ଦିନ ତଳେ ହସପିଟାଲରେ ଚିକିତ୍ସାଧୀନ ଥିଲା । ସେ କୁଆଡ଼େ ସେଠାରୁ ଅନେକ ଟଙ୍କା ଆଣିଥିଲା । ସେ ଟଙ୍କାରେ ଘର କରିବ ବୋଲି । ସେଇ ଟଙ୍କା ପାଇଁ ବାପା ବୋଉ ଦୁହିଁଙ୍କ କଳି । ବାପା ସବୁବେଳେ ବୋଉକୁ, "ତୋ ବାପଘରୁ ଟଙ୍କା ଆଣ" ବୋଲି କହି ବାଡା ବାଡି କରନ୍ତି । ୟା ତା ଘରେ ବାସିକାମ କରି ଯେଉଁ ଟଙ୍କା ଆଣେ ବାପା ସେସବୁ ଟଙ୍କା ବୋଉ ପାଖରୁ ନେଇଯାଆନ୍ତି । ସବୁ ଟଙ୍କାରେ ମଦ ପିଇ ବାଡିଆ ବାଡି କରନ୍ତି । ବୋଉ ମୋତେ ସ୍କୁଲରେ ଛାଡି ଆସିବା ପରେ, ବାପା ମଦ ନିଶାରେ ବୋଉ ସହ ବହୁତ ଜୋରରେ କଳିଗୋଳ କଲେ, ଆଉ ବୋଉ କୁ ବହୁତ ବାଡେଇଲେ । ବୋଉ ସେସବୁ ସହି ନ ପାରି…। ହେଲେ ଟଙ୍କା କୁଆଡେ ଗଲା କି ବାପା କୁଆଡ଼େ ଗଲେ...  କେହି କିଛି କହି ପାରୁ ନ ଥାନ୍ତି । ଏ ମଦ ଯେ ଆମ ଘର ଉଜାଡି ଦେଲା । ସେହି କଥା ସମସ୍ତେ କୁହା କୁହି ହେଉଥାନ୍ତି । ମୋ ଆଖିରେ କାନ୍ଦିବାକୁ ନା ଲୁହ ଥାଏ ନା ମତେ ବୁଝେଇବାକୁ କେହି ଥାନ୍ତି ? ମୁଁ ଯେତେ ମୋ ବୋଉକୁ ଡାକୁଥାଏ, ମୋ ବୋଉ ଆଉ କିଛି କହୁ ନଥାଏ ।

ଆନନ୍ଦପୁର, କେନ୍ଦୁଝର
ଦୂରଭାଷ - ୯୩୪୮୭୭୯୩୯୪


Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ