Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବିଚିତ୍ରବର୍ଣ୍ଣା - ନିଶିକାନ୍ତ କହଲସିଂହ

== ଏକ ==

ପାପ ତାପ ମୋର
ବଇଶାଖି ବାଆ
ତୁମକୁ ଦେଇଛି ସବୁ
କେତେ ପାପୀଙ୍କର
ପାପ ନେଇ ତୁମେ
କେମିତି ରହିଛ ପ୍ରଭୁ,
ହୋଇକି ଚନ୍ଦନ ବେଶ
ମୋ' ଅଳିଆ ମନ
ଗୋଳିଆ ନରେନ୍ଦ୍ରେ
ଚାପ ନାବ ପରେ ବସ ।।

== ଦୁଇ ==


ଜ୍ୟେଷ୍ଠ ଡହକ
ପରି ମୋ ଦୁଃଖ
ତୁମକୁ ଦେଇଛି ଟେକି
ମୋ' ପରି ସଭିଏଁ
ଟେକି ଦେଉଥିବେ
ଦୁନିଆର ଯେତେ ଦୁଃଖୀ
ଆସ ଦୁଃଖୀଧନ ଆସ
ମୋ ମନ ସ୍ନାହାନ -
ମଣ୍ଡପରେ ଥରେ
ହାତୀ ବେଶ ହୋଇ ବସ ।।


== ତିନି ==

ଆତ୍ମା ମୋହର
ଦିଗହଜା ରଥ
ଏ ଜୀବନ ବଡଦାଣ୍ଡେ
କୁଆଡେ ଯାଏ ସେ
କେଉଁଠି କାଳେ ସେ
ରହେନା ନିମିଶେ ଦଣ୍ଡେ,
କଳା ବାମନ ହେ ଆସ
ଏଇ ଆଷାଢ଼ରେ
ସୁନାବେଶ ହୋଇ
ଆତ୍ମା ନନ୍ଦିଘୋଷେ ବସ ।।

== ଚାରି ==


ମୋ' ଲୁହ ଅସରା
ଶିରାବଣ ଧାରା
ଝରୁଛି ଜନମ ଦିନୁ
ସେ ପୁଣି ଥମିବ
ଏ ଜୀବନେ ମୋର
ପାଶୋରି ଦେଇଛି ମନୁ,
ଏଇ ଶିରାବଣ ମାସ
ଚିତଉ ପାଳିରେ
ଆସ ଚିନ୍ତାମଣି
ହୋଇ ଚିତାଲାଗି ବେଶ ।।


== ପାଞ୍ଚ ==

ଅହଙ୍କାର ମୋର
କାଳୀୟ ନାଗ ତ
ବିଶ୍ୱାସ ପଦ୍ମବନ
ବିଶ୍ୱାସ ବନ
ଜଳୁଛି କାଳୀୟ-
ନିଃଶ୍ୱାସେ ଘନଘନ,
ଭୋଦୁଅ ତାତିର ବିଷ
ନାଶି ହେ ମାଧବ
ଦେଖାଅ ହେ ତଵ
କାଳୀୟ ଦଳନ ବେଶ ।।

== ଛଅ ==


ପ୍ରେମ ବୋଲି ଯେଉଁ
ଦୁଇଟି ଅକ୍ଷର
ସେତ ମନ୍ଦାକିନୀ ଧାରା
ଭୁଲିଛି ମୁଁ ପ୍ରେମ
ଜଳିଛି ହେ ଶ୍ୟାମ
ଏ ଭବେ ଜୀବନ ସାରା,
ଦେଖନ୍ତିକି ପ୍ରେମ ରାସ
ଆସ ମୋର ସାଇଁ
ଅଶିଣରେ ହୋଇ
ରାଈ-ଦାମୋଦର ବେଶ ।।


== ସାତ ==

ସଂସାର ମୋ' ପାଇଁ
ନରକପୁରୀ ହେ
ମୁଁ ସେ ନରକର କୀଟ
ନରକପୁରୀରୁ
ବଇକୁଣ୍ଠ ପୁର
ଜାଣେନା ମୁଁ କେତେବାଟ,
ମହା କାର୍ତ୍ତିକରେ ଆସ,
ବଇକୁଣ୍ଠ କର
ଧରଣୀକୁ ହୋଇ
ଲକ୍ଷ୍ମୀନାରାୟଣ ବେଶ ।।

== ଆଠ ==


କୃଷ୍ଣ ଚତୁର୍ଦ୍ଦଶୀ
ଶୁକ୍ଳ ପ୍ରତିପଦା
ଅମାବାସ୍ୟା ମାର୍ଗଶୀର
ନାଲିନାଗପୁରୀ
ସୂତା ଶାଢ଼ି ପିନ୍ଧି
ଶ୍ରୀକାପଡା ନାଇ ଶୀର,
ପୁତ୍ର ରୂପ ନେଇ ଆସ
ଏ ମଣିଷ ସ୍ମରୁ
ପିତୃ ପୁରୁଷଙ୍କୁ
ଦେଖି ତୁମ ଶ୍ରାଦ୍ଧ ବେଶ ।।


== ନଅ ==

ମାୟା ମଞ୍ଚର
ମଣିଷ ଟିଏମୁଁ
ରାଜା ମଣେ ମିଛିମିଛି
ବୁଝାଇବାକୁ ହେ
ତୁମ ବିନା ଏଇ
ଦୁନିଆରେ ନାହିଁ କିଛି ।
ଦେଖାନ୍ତ କି ଜଗଦୀଶ
ପୁଷ ପୁନେଇଁ ରେ
ସୁବର୍ଣ୍ଣ ମୁକୁଟ-
ମଣ୍ଡିତ ରାଜା ବେଶ ।।

== ଦଶ ==


ସଂସାର ଗଣ୍ଡକୀ-
ଅଥଳ ଜଳରେ
ମାୟା ନକ୍ର ହେଲା କାଳ,
ଗଜ ନୁହେଁ ଖାଲି
ଗଜ ମୁରୁଖ ମୁଁ
ମୋହକୁ କରିଛି ମାଳ,
କରିବାକୁ ନକ୍ରନାଶ
ମାତ୍ର ହୁଅ ଥରେ
ମଣିମା ମାଘରେ
ଗଜ ଉଦ୍ଧାରଣ ବେଶ ।।


== ଏଗାର ==

ସାଇତିଛି ଶୋକ-
ବୋଇତାଣୀ ବାସ
ମୋ ଦୁଃଖର ମାଧବାଳୀ
ଲୁହର ଚନ୍ଦନ
ଅବିର ରଖିଛି
ଶ୍ରୀ ଅଙ୍ଗେ ଦେବାକୁ ବୋଳି,
ଏଇ ଫଗୁଣରେ ଆସ
ଏ ପାପୀ ହୃଦୟ
ରତ୍ନବେଦୀ ପରେ
ଦେଖାଅ ଚାଚେରୀ ବେଶ ।।

== ବାର ==


ରାମ ରାଇଜରେ
ରାବଣ ପରି ମୁଁ
ବଡ଼ିମା ଦେଖାଏ ସିନା
ମୁଁ ପତିତ ତୁମେ
ପତିତପାବନ
କିବା ସୁଖ ତୁମ ବିନା,
ହୋଇ ରଘୁନାଥ ବେଶ
ଚଇତ୍ର ଶୁକଳ
ନବମୀ ତିଥିରେ
ବିଚିତ୍ରବର୍ଣ୍ଣା ହେ ଆସ ।।







ନିଶିକାନ୍ତ କହଲସିଂହ
ଲୋକିପୁର, ଗଡମାଣତୀର, ବେଗୁନିଆ, ଖୋରଧା

Post a Comment

0 Comments