ଏ ଦେଶ ଅଲିଭା ଜ୍ୟୋତି - କୌଶିକ କୁମାର ହୋତା

0

ପାହାନ୍ତା ପହରେ ଗାଢ଼ ନିଦଟାରେ
ସପନ ଦେଖିଲା କୁନା,
ଧଡ଼ପଡ଼ ହୋଇ ଉଠିଲା ଶେଯରୁ
ହୋଇ ସେ ଯେ ଆନମନା ।
ଆତୁର ହୋଇ ସେ ବୋଉକୁ ଡାକିଲା,
ଗୋଟାପଣେ ଥରୁଥିଲା,
ବୋଉ ପଣତରେ ମୁହଁକୁ ଲୁଚାଇ
ବିଛଣାରେ ବସିଗଲା ।
ପଚାରିଲେ ବୋଉ 'ବାଉଳି ହେଉଛୁ
କି ହେଲା ତୋହର କହ',
ପଣତ କାନିରେ ପୋଛିଦେଉଥିଲେ
କାନ୍ଦୁରା ଆଖିର ଲୁହ ।
କହିଲା "କରାଳ ରୂପ ମୁଁ ଦେଖିଲି
ଯେ ରୂପ ଦେଖିନି କେବେ
ଧଡ଼ପଡ଼ ହୋଇ ଉଠିଲା ପରେ ମୁଁ
କାହିଁ ଚାଲିଗଲା ଏବେ" ।
ବୋଉ କହିଲେ "ତୁ ଦେଖିଲୁ ସପନ
ନିଦରେ ବାଉଳି ହୋଇ
ଶୋଇ-ଶୋଇ ଯେଉଁ ସପନ ଦେଖୁଛୁ
ସପନେ ଗଣା ନୁହଇ ।
ସେ ସପନ ଖାଲି ମନରେ ତୋହର
ତିଆରି କରେ ଆଶଙ୍କା,
କୁହେଳି ସପନେ ଡରୁଛୁ କିମ୍ପାଇ
ଦୂରେଇ ଦେଏ ତୋ ଶଙ୍କା ।
ମନର ଆଶଙ୍କା ଜମାଟ ବାନ୍ଧିକି
ସପନେ ହେଉଛି ଉଭା,
ସେ ସପନ କିନ୍ତୁ ନୁହେଁ କେବେ ସତ
ମନୁ ତାକୁ ପୋଛିଦେବା ।
ସପନ ତାହାକୁ କହନ୍ତି ଯା' ତୋତେ
ଦିଏ ନାହିଁ ନିଦେ ଶୋଇ,
ଘାରିଦିଏ ନିଶା, ଦେଖାଏ ଯେ ଦିଶା
ସଦା ଜାଗ୍ରତ କରାଇ ।
ପିଲାଦିନେ ସଦା ଏମିତି ସପନ
ଦେଖୁଥିଲା ଜଣେ ପିଲା,
ବଡ଼ ବିଜ୍ଞାନୀ ସେ, ବିଜ୍ଞାନ ଜଗତେ
ଶେଷେ ଦିନେ ଉଭା ହେଲା ।
ସେଇ ମହାମନା ଅବଦୁଲ କଲାମ
ଥିଲେ ଆମ ରାଷ୍ଟ୍ରପତି,
ବାସ୍ତବ ସପନ ଦେଖି ବନିଗଲେ
ଏ'ଦେଶ ଅଲିଭା ଜ୍ୟୋତି" ।

କେନ୍ଦ୍ରୀୟ ବିଦ୍ୟାଳୟ, ରାଇରଙ୍ଗପୁର, ମୟୂରଭଞ୍ଜ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ