ଶରତକାଳୀନ ପ୍ରକୃତି ଶୋଭା - କଳ୍ପନା ରାଉତ

0

ବର୍ଷାଋତୁ ଶେଷ ଶରତ ପ୍ରବେଶ
ମରତ ଲାଗେ ମନୋହର,
ଶରତକାଳୀନ ପ୍ରକୃତିର ଶୋଭା
ଅତ୍ୟନ୍ତ ମନମୁଗ୍ଧକର
” ନିର୍ମଳ” ଆକାଶରେ ଶୁଭ୍ର ବାଦଲ,
ମାତା ଆଗମନୀ ସଙ୍ଗୀତ ଶୁଣାଏ
ନଦୀ ପଠାରେ କାଶ ଫୁଲ ।।୧

ଧବଳ ବଉଦ ସହ ବକପଙ୍କ୍ତି
ଉଡ୍ଡିୟମାନ ଦୃଶ୍ୟାୟିତ,
ଦର୍ଶନରେ କବି ଭାବୁକର ମନ
ଆନନ୍ଦେ ହୁଏ ଆହ୍ଲାଦିତ,
” ନିଷ୍ପ୍ରାଣ ” ବନାନୀରେ ନୂତନ ପ୍ରାଣ,
ସଞ୍ଚାରିତ ହୋଇ ପ୍ରକୃତି ସୌନ୍ଦର୍ଯ୍ୟ
ବଢାଇ ଥାଏ ଶତଗୁଣ ।।୨

ବିହଙ୍ଗଗଣ ଙ୍କ କଳଧ୍ବନି କରେ
ଦିଗ୍ବଳୟକୁ ମୁଖରିତ,
ଜଳ ଦର୍ପଣରେ ଶୁଭ୍ର ମେଘ ଛବି
ମନକୁ କରେ ଆନ୍ଦୋଳିତ,
“ସରସୀ” ସ୍ବଚ୍ଛ ନୀଳ ଜଳ ବକ୍ଷରେ,
ସବିତା ସଙ୍ଗିନୀ ଶତଦଳ ଖେଳେ
ଦୀନକର କର ସ୍ପର୍ଶରେ ।।୩

ଶୁଭ୍ର କାଶତଣ୍ଡୀ ମରୁତହିଲ୍ଲୋଳେ
ଦୋଳାୟିତା ନଦୀପଠାରେ,
ହରିତାୟମାନ ଶୋଭା ବିମଣ୍ଡିତ
ଧାନ୍ୟ ଯେ କେଦାରେ କେଦାରେ,
” ବଧୁଲି” କୁସୁମର ଲୋହିତ ଆଭା,
କାନନେ କାନନେ ଅପରାଜିତାର
ମନହାରିଣୀ ବର୍ଣ୍ଣ ବିଭା ।।୪

ଭ୍ରମର ମାନଙ୍କ ଶଙ୍ଖ ନିନାଦରେ
ପ୍ରଜାପତିର ପଟୁଆର,
ଜ୍ଯୋସ୍ନା ବିଧଉତ ରଜନୀରେ ପୁଣି
ମାଦକ ମାଳତୀ ଫୁଲର,
” ମନୋଜ୍ଞ” ଶାରଦୀୟ ପୁଷ୍ପ ସମ୍ଭାର,
ଅପରାଜିତା,ଅଗସ୍ତି, ପଦ୍ମ କଇଁ
ଗଙ୍ଗଶିଉଳୀ ଓ ଟଗର ।।୫

ସନ୍ଧ୍ୟା ଆଗମନେ ଚନ୍ଦ୍ର ଉଦୟନ
ବସୁନ୍ଧରା ଚନ୍ଦ୍ରାଲୋକିତ,
କାନନେ କୁସୁମ ହୁଏ ପୁଲକିତ
ମକରନ୍ଦ ଯେ ଶିହରିତ,
” ମାଳତୀ ” ଶେଫାଳି ପୁଷ୍ପର ବାସନା
ମୃଦୁ ମରୁତରେ ବାସ୍ନାୟିତ କରେ
ଆଘ୍ରାଣେ ଚିତ୍ତ ଆନମନା ।।୬

ନୀଳ ସରୋବରେ ଢେଉ ସାଥେ ମିଶି
ନାଚେ ଅସଂଖ୍ୟ ନୀଳକଇଁ,
ଜ୍ୟୋତ୍ସ୍ନା ଅଭିଳାଷେ ଶରଦ ଚନ୍ଦ୍ରକୁ
ଅପଲକରେ ରହେ ଚାହିଁ,
” କମଳ” ଅବଚେତନ ହେଲା ପରେ,
ଜାଗିଉଠେ ପ୍ରଫୁଲ୍ଲ ଚିତ୍ତେ କୁମୁଦ
ଚନ୍ଦ୍ରକୁ ଦେଖି ନଭ କୋଳେ ।।୭

ସନ୍ଧ୍ୟାର ଆଗମେ ଶରତ ଆକାଶେ
ଛାୟାପଥ ଶୋଭା ପସରା,
ନଭମଣ୍ଡଳରେ ପ୍ରଦୀପ ସଦୃଶ
ଦର୍ଶିତ ଅଗଣିତ ତାରା
” ନକ୍ଷତ୍ର” ରୋଷଣୀ ଯେ ଛାୟାପଥର,
କବି ମନେ ଜାଗିଉଠେ ଉନ୍ମାଦନା
ଉନ୍ମେଷ ତାର କବିତ୍ବର ।।୮

ଶରତ କାଳୀନ ପର୍ବ ଜନ୍ମାଷ୍ଟମୀ
ଗଣେଶ ବିଶ୍ବକର୍ମା ପୂଜା,
ଖୁଦୁରୁକୁଣୀ,ସୁନିଆଁ,ଜହ୍ନିଓଷା ଦ୍ଵିତୀୟା ଓଷା,ଦୁର୍ଗାପୂଜା
” କୁମାର ” ପୂର୍ଣ୍ଣିମା କାର୍ତ୍ତିକେୟ ଜନ୍ମ,
ସ୍ବଚ୍ଛ ଶୋଭନୀୟ ଶରତ ପ୍ରକୃତି
ମଞ୍ଜୁଳମୟ ମନୋରମ ।।୯

ବ୍ରହ୍ମପୁରା, ବାଙ୍କୀ, କଟକ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ