
ଦିନ ଥିଲା ଥିଲି ସଭିଙ୍କ ଉଚ୍ଚରେ
ପାଉଥିଲି କେତେ ସମ୍ମାନ
ଆଜି ଏ ଦିନରେ କେତେ ମୁଁ ନୀଚ୍ଚରେ
ଲାଗେ ସତେ କି ଭାଗ୍ୟହୀନ।
ମୋର ଶବ୍ଦ ସ୍ୱର ଭାଷା ବିଭବରେ
ସାଜିଥିଲି ଯେ କୁବେର
ଅଜ୍ଞାନ ହାତରେ ଖେଳନା ସାଜିଛି
ଲାଗୁଛି ହୀନ ଫକୀର।
କିଏ ମୋତେ ଫିଙ୍ଗେ ଢଗଢମାଳିରେ
କେ ଫିଙ୍ଗେ କାନ୍ଦଣା ଧାରେ
ନୀରସ କବିଟା ଦିବାସ୍ୱପ୍ନ ଲେଖେ
ପ୍ରେମର କୁଭାଷା କରେ।
ବର୍ଣ୍ଣାଶୁଦ୍ଧି ଆଉ ଯତିପାତ ଲୋକେ
ମୋ ଠାରୁ ନେଲେଣି କାଢି
କବିତା ପ୍ରବନ୍ଧ ଜଣା ପଡୁନାହିଁ
(ସତେ)ପୁରୁଷ ପିନ୍ଧୁଛି ଚୁଡି।
ଅକ୍ଷର ଶବଦ ଗଣନା ହେଉନି
(ଭାବେ) ମୁଁ କ'ଣ ଗଣିତ ପିଲା?
ସାହିତ୍ୟିକ ହୋଇ ଗଣିତ ଲୋଡୁନି
ଜ୍ୟାମିତି ଘର ମୋ ଖୋଲା।
ଗୁଣାତ୍ମକ ଲେଖା ମୋ ଠାରେ ମିଳୁନି
ପିନ୍ଧି ଚିତ୍ରାଳୟ ଅଳଙ୍କାର
ଯାତ୍ରା ପେଣ୍ଡାଲ୍ ର ମଡେଲ୍ ମୁଁ ପରା
ପାଲା ଶାସ୍ତ୍ର କ'ଣ ଭଲ?
ମୁଣ୍ଡ ଗେଞିଛି ମୁଁ ଛିଣ୍ଡା କାଗଜରେ
ଅର୍ଥଶୂନ୍ୟ ପ୍ରାନ୍ତରରେ
ଯତ୍ନହୀନ ଭାବେ ମୋତେ ସଜାଉଛ
ଅସ୍ୱଚ୍ଛ ପଦାର୍ଥ ପରେ।
ଚିନ୍ତା କଳ୍ପନା ତ ଭଲ ଖୋଜୁନାହିଁ
ଚୋରି ଅନୁକରଣ ଅସ୍ତ୍ର
ଦିବ୍ୟାଙ୍ଗ ପରାୟେ ଏଣେତେଣେ ବୁଲେ
ମୁଁ ମର୍ଯ୍ୟାଦା ବିହୀନ ବସ୍ତ୍ର।
ଜନ୍ମ ମୋର ଥିଲା ପର ହିତପାଇଁ
ସେଥିପାଇଁ ମୁଁ ସାହିତ୍ୟ
ଆଜି ଲାଗୁଅଛି ହିଂସା,ଈର୍ଷା,ଘୃଣା
ରଚି କରେ ମୁଁ ଅହିତ।
ମୋର ସୂତ ଥିଲେ ଉପେନ୍ଦ୍ର, ମେହେର,
ଗୋପବନ୍ଧୁ, କାଳିଦାସ
ଭାଷା ଶୈଳୀ ମଧ୍ୟେ ମଧୁ ଖଞ୍ଜିଦେଲେ
ପ୍ରତିଭା ଗୋଦାବରୀଶ।
ଆଜିର ଲେଖକ କବିର ହୃଦୟ
ଗର୍ବ, ଅହଙ୍କାରେ ପୁରା
ନିଜକୁ ନ ବୁଝି ବାହାବା ପାଇଁସେ
ଚଳାଏ ହିଂସାର ଧାରା।
ଫକୀର ମୋହନଙ୍କ ସାହିତ୍ୟର ଯାଦୁ
ମିଳେନା ଲାଗେ ହତାଶ
ଅଭିମନ୍ୟୁଙ୍କର ରସ ଥାଳି ଶୂନ୍ୟ
ପାଠକେ ହ୍ୱନ୍ତି ନିରାଶ।
ତଥାପି ମୋ ପୁଣ୍ୟ ଉତ୍କଳ ଧାମରେ
ଲୁଚିଛନ୍ତି କେତେ ସାଧକ
ଆଶା ସ୍ୱପ୍ନ ତାଙ୍କ ଅସ୍ତ ହୋଇଯାଏ
ତୋଷା(ମନ୍ତିଆ) ହ୍ୱନ୍ତି ଯେବେ ବାଧକ।
ଅଣସାହିତ୍ୟିକ ଦୌରାତ୍ମ୍ୟରେ ଭାଷା-
ଚନ୍ଦ୍ରମାରେ ଲାଗେ ଗହଣ
ସାହିତ୍ୟ ମାଆର ଚକ୍ଷୁ ବୁହେ ଅଶ୍ରୁ
ହୃଦୟ ହୁଅଇ ଦହନ।
ସାହିତ୍ୟ କାନ୍ଦୁଛି ଧକେଇ ଧକେଇ
(କହି) ଶୁଣ ଅଯୋଗ୍ୟ ଦାୟାଦ
ବିଶୁଦ୍ଧ ସାହିତ୍ୟ କର ହେ ରଚନା
ରଖ ନାହିଁ ତିଳେ ହେଁ ଖାଦ।
*ନାରାୟଣ ଚନ୍ଦ୍ର ସେନାପତି*
*ସମ୍ପାଦକ*
*ସୁନ୍ଦର ମୋ ଭାଷା ସାହିତ୍ୟ*
🌹🍂🍃🍃🍂🌹
ଆପଣ ଯଦି ଏହି ବିଷୟଟି ପଢି ସାରିଛନ୍ତି, ତେବେ ଗଠନ ମୂଳକ ପ୍ରତିକ୍ରିୟା ପ୍ରଦାନ କରନ୍ତୁ ।