Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

Our Mission

ବଣମଲ୍ଲୀର-ମହକ ଓଡିଆ ସାହିତ୍ୟ ଓ ସଂସ୍କୃତି ଜଗତର ଏକ ନିଆରା ପ୍ରୟାସ, ଯୁଗାନ୍ତକାରୀ ଅଭିଯାନ ଓ ସୁଦୂରପ୍ରସାରୀ ପରିକଳ୍ପନା । ସର୍ବଦା ସାର୍ବଜନୀନ ଗଣଚେତନାରେ ଉଦବୁଦ୍ଧ ବଣମଲ୍ଲୀର ମହକ କୌଣସି ବ୍ୟକ୍ତିକୈନ୍ଦ୍ରିକ ମତବାଦରେ ଆବଦ୍ଧ ନରହି ସର୍ବଦା ସାମଗ୍ରିକ ଭିତ୍ତିଭୂମି ଉପରେ ଦଣ୍ଡାୟମାନ । ଅନେକ ଓ  ଅସଂଖ୍ୟ ବଣମଲ୍ଲୀ ମାନଙ୍କୁ ସାଙ୍ଗରେ ନେଇ ତା’ର ଅବିରତ ଜୟଯାତ୍ରା । ଓଡିଆ ସାହିତ୍ୟ ଓ ସଂସ୍କୃତିର ଜୟଗାନ କରି, ଦଳିତ ଓ ଅବହେଳିତ ଲେଖକ ଲେଖିକା ମାନଙ୍କୁ ବିଶ୍ଵଦରବାର ସମ୍ମୁଖରେ ଉପସ୍ଥାପିତ କରିବାର ଲକ୍ଷ୍ୟ ପୂର୍ବକ ସେ ଆଗେଇ ଚାଲିଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ଉତ୍କର୍ଷତାକୁ ପ୍ରତିପାଦିତ କରିବାକୁ ।

ଅନ୍ୟପକ୍ଷରେ ଯୁଗ ବଦଳିଛି, ବିଜ୍ଞାନର ପ୍ରଗତିରେ ଆମେ ଆଜି ମହାକାଶରେ ପାଦ ଥାପିଛେ, ଯୋଗାଯୋଗ ବ୍ୟବସ୍ଥା ଖୁବ ବିସ୍ତାରିତ । ସମଗ୍ର ବିଶ୍ଵ ଆଜି ଆମ ହାତମୁଠାରେ ସତ, କିନ୍ତୁ ନେପଥ୍ୟରୁ ଶୁଭୁଛି ଆମ ମାତୃଭାଷାର ବିଳପିତ ଅସହାୟତାର ସ୍ଵର । ଯିଏ ଦିନେ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା ଆମ ଓଡିଆ ସାହିତ୍ୟର ନଭଶ୍ଚୁମ୍ବୀ ବଡଦେଉଳ, ଆଜି ସେ ଶକ୍ତିହୀନ । ହଜି ଯାଇଛନ୍ତି ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, ଗଙ୍ଗାଧର ଆଉ ଫକୀର ମୋହନ, ଲୁହ ଲହୁ ଢାଳି ତାଡନା ନିର୍ଯ୍ୟାତନା ବଦଳରେ ଓଡିଆ ଭାଷାର ସ୍ଵତନ୍ତ୍ରତାକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଅହରହ ଉଦ୍ୟମ ଜାରି ରଖିଥିବା ବ୍ୟକ୍ତିବିଶେଷ ଆଜି ବି ଆମ ଗହଣରେ ବଣମଲ୍ଲୀ ସଦୃଶ । ଆମ ଓଡିଆ ସାହିତ୍ୟର ପରିଧି ଆଜି କିଛି ମୁଷ୍ଟିମେୟଙ୍କ କବଳରେ କବଳିତ । ଏହାଛଡା ସରକାରୀ ଉଦାସୀନତା ଏବଂ ଆମ ବୈମାତୃକ ମନୋଭାବ ଆଜି ସାହିତ୍ୟର ପଥରୋଧ କରିଚାଲିଛି । ଓଡିଆତ୍ଵର ଭାବାବେଗ, ମାତୃଭାଷାର ମୋହ ଆଜି କମି କମି ଚାଲିଛି । ଯଦି ମାତୃଭାଷାର ମୋହ କମି କମି ଯିବ, ତାହାଲେ ସାହିତ୍ୟ ପଙ୍ଗୁ ପାଲଟିଯିବ । ଯାହାଫଳରେ ସଂସ୍କୃତିର ଅପଭ୍ରଂଶ ଘଟିବ ।

ଐତିହ୍ୟ ଓ ପରମ୍ପରା ମାନବ ସମାଜର ବିକାଶ ଓ ଆତ୍ମବିଶ୍ଵାସ ପ୍ରତିଷ୍ଠା ଦିଗରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମ ଉତ୍କଳୀୟ କଳା ଓ ସଂସ୍କୃତି ବିଶ୍ଵବିଦିତ । ସମଗ୍ର ବିଶ୍ଵ ଦରବାରରେ ଆମର ପରିଚୟ ସ୍ଵତନ୍ତ୍ର । ସଂସ୍କୃତିର କଳାତ୍ମକ ପରିପ୍ରକାଶ ଲିପି ଜରିଆରେ ସାହିତ୍ୟ ରୂପେ ଚରିତାର୍ଥ ହୋଇଥାଏ । ତେଣୁ ସାହିତ୍ୟ ଓ ସଂସ୍କୃତି ପରସ୍ପର ପରିପୂରକ । ଆଦାନ ପ୍ରଦାନ ସୂତ୍ରରେ ସାହିତ୍ୟ ସୃଷ୍ଟି କରିଥାଏ ଚେତନାବୋଧ, ଯାହାଫଳରେ ସାମାଜିକ ଚେତନା ସାହିତ୍ୟ ମାଧ୍ୟମରେ ହିଁ ରୂପାୟିତ ହୋଇଥାଏ । ସାହିତ୍ୟ ଓ କଳା ମାଧ୍ୟମରେ ମନୁଷ୍ୟ ନିଜକୁ ଓ ସମାଜକୁ ଆବିଷ୍କାର କରିଥାଏ । ତେଣୁ ମନୁଷ୍ୟର ସୂକ୍ଷ୍ମ ଅନୁଭୂତିର ରସାଳ ରୂପାୟନ ହେଉଛି ସାହିତ୍ୟ, ସଙ୍ଗୀତ, ଭାସ୍କର୍ଯ୍ୟ, ସ୍ଥାପତ୍ୟ ଓ ଚାରୁକଳା ଇତ୍ୟାଦି । ବିଶ୍ଳେଷଣରୁ ଜଣାପଡେ, ପରମ୍ପରା ଓ ସଂସ୍କୃତିକୁ ବାଦ ଦେଇ ସାହିତ୍ୟ ବିକଶିତ ହେବା ଯେତିକି ଅସମ୍ଭବ, ସାହିତ୍ୟକୁ ବାଦ ଦେଇ ସଂସ୍କୃତିର ମାନବୀୟ ମୂଲ୍ୟବୋଧ, ସମୀକ୍ଷା, ପରିଚୟ ଓ ପ୍ରତିଷ୍ଠା ମଧ୍ୟ ସେତିକି ଅସମ୍ଭବ ।

ହଜାର ହଜାର ବର୍ଷର କୃଷି ସଭ୍ୟତା ଅଥବା ଶିକାର ସଭ୍ୟତା କାଳରେ ମନୁଷ୍ୟ ଯେତିକି ଅଗ୍ରସର ହୋଇ ନଥିଲା, ଆଜି ମାତ୍ର ଅଳ୍ପ କେତୋଟି ବର୍ଷ ମଧ୍ୟରେ ସେ ସୀମାହୀନ ପ୍ରଗତି ପଥର ଯାତ୍ରୀ । ପୃଥିବୀ ଆଜି ଗୋଟିଏ ଘର ସଦୃଶ ମନେ ହେଉଛି । ପୃଥିବୀର ଦୁରତ୍ଵ ଆଜି ଅନୁଭୋବ ହେଉନାହିଁ । ବିଜ୍ଞାନର ଚରମ ଉନ୍ନତ୍ତି ବଳରେ ଆଜି ସମୃଦ୍ଧିର ସୀମା ନାହିଁ । ପୃଥିବୀରୁ ମହାକାଶ ଆଜି ଖୁବ ନିକଟ । ତେଣୁ ଏଭଳି ପରିସ୍ଥିତିରେ ଆମେ ସାହିତ୍ୟ ଓ ସଂସ୍କୃତିର ପଥରୋଧ କରିବା ଅର୍ଥାତ ଆମ ମନୁଷ୍ୟତାକୁ ବଳି ପକେଇଦେବା । ତେଣୁ ସଭ୍ୟତାର ଯାନ୍ତ୍ରିକ ବିକାଶ ପଥରେ ସାହିତ୍ୟ ଓ ସଂସ୍କୃତିକୁ ଆଦର ଅଭ୍ୟର୍ଥନାର ସହ ଉଚିତ ମାର୍ଗରେ ପରିଚାଳିତ କରିବା ଆମ ସମସ୍ତଙ୍କ ନିମନ୍ତେ ଗୁରୁ ଦାୟିତ୍ଵ । ବଣମଲ୍ଲୀର ମହକ ଏହି ଅଭିଯାନର କିଞ୍ଚିତ ପ୍ରୟାସ ଅଟେ । ଓଡିଆ ସାହିତ୍ୟ ଓ ସଂସ୍କୃତିର ବ୍ୟାପକ ମୂଲ୍ୟାୟନ ଓ ପ୍ରସାର ନିମନ୍ତେ କିଛି ସାରସ୍ଵତ ସାଧକ ଓ ସଂସ୍କୃତି ସଚେତକ ମାନଙ୍କ ପ୍ରଚେଷ୍ଟାରେ ଏହାର ସୃଷ୍ଟି ।

ସାଂପ୍ରତିକ ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟା ମଧ୍ୟରେ ଛାପାଯାଉଥିବା ବହିଟିଏ କି ପତ୍ରିକାଟିଏ ପଢିବାର ସଉକ ଆଜି ମରି ମରି ଗଲାଣି । ଏଭଳି ପରିସ୍ଥିତିରେ ଆଜି ଇଣ୍ଟରନେଟ ମାଧ୍ୟମରେ ହାତ ପାଆନ୍ତାରେ ଅତି ସହଜରେ ବହିଟିଏ କିମ୍ବା ପତ୍ରିକାଟିଏ ଖୁବ ଜନାଦୃତ ହୋଇ ପାରୁଛି ସମସ୍ତଙ୍କ ନିକଟରେ । ତେଣୁ ଏଭଳି ବେଳାରେ ବଣମଲ୍ଲୀର ମହକର ପରିକଳ୍ପନା ସୁଦୂରପ୍ରସାରୀ । ଓଡିଆ ଭାଷା-ସାହିତ୍ୟ ତଥା ସଂସ୍କୃତିର ସୁରକ୍ଷା ଓ ଅଭିବୃଦ୍ଧି ଦିଗରେ ଯତ୍ନବାନ ହେବା ଓ ଭାଷା-ସଂସ୍କୃତିର ମର୍ଯ୍ୟାଦାକୁ ବିଶ୍ଵ ଦରବାରରେ ଅକ୍ଷୁର୍ଣ୍ଣ ରଖିବା, ନୂତନ ପିଢିର ସାହିତ୍ୟ ସ୍ରଷ୍ଟା ମାନଙ୍କ ନିମନ୍ତେ ଲେଖିବାର ସୁଯୋଗ ସୃଷ୍ଟି କରିବା, ଆଲୋଚନା ମାଧ୍ୟମରେ ପ୍ରତିଷ୍ଠିତ ସାହିତ୍ୟିକ ଓ ସଂସ୍କୃତି ସଚେତକ ମାନଙ୍କ ଠାରୁ ଅନେକ କିଛି ଶିକ୍ଷା ଲାଭ କରିବା ହେଉଛି ଏହାର ମୂଳଲକ୍ଷ୍ୟ । ଆସନ୍ତୁ ବଣମଲ୍ଲୀର ମହକକୁ ଆସ୍ଵାଦନ କରି ଅକାଳରେ ଝଡି ଯାଉଥିବା ଅସଂଖ୍ୟ ବଣମଲ୍ଲୀ ମାନଙ୍କୁ ଆଦରର ସହ ସାଉଣ୍ଟି ଆଣିବା । ଓଡିଆ ସାହିତ୍ୟ ଓ ସଂସ୍କୃତିର ବିକାଶ, ପ୍ରଚାର, ପ୍ରସାର ସହିତ ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠା ଦିଗରେ ବଣମଲ୍ଲୀର ଏହି ପ୍ରୟାସ ସୁଦୂରପ୍ରସାରୀ । ବନ୍ଦେ ଉତ୍କଳ ଜନନୀ...