Ad

header ads

କବିତା - ଉନ୍ମେଷ - ଅମ୍ରିତେଶ ଖଟୁଆ


ଆର୍ଯ୍ୟବ୍ରତତୀ ବୀର୍ଯ୍ୟପ୍ରାଣୀନ ଉଠ ବାରେ ଚଞ୍ଚଳ,
ଦେଖି ମଡା ଦେଶ ଶୟନ ଚୁମ୍ବୁଛି ଅଳସୀର କୌତୂହଳ।
ତରୁଣ ତୂର୍ଯ୍ୟ ହେ ବୀର ବୀର୍ଯ୍ୟ ହେ ନୀରବିତ ଏ ଅୟନେ,
କାହିଁ ଘେନିଗଲ ଶତ କୌଶଳ ତରୁଣୀ ଦ୍ଵୟ ନୟନେ।

ଜନ୍ମି ଉଠ ହେ ସ୍ଫୁଲିଙ୍ଗର ଶିଖା ରକତ ମାଉଁଶ ଶୋଷେ,
ଜାଗି ଉଠୁ ଥରେ ଶ୍ମଶାନ ନିଥରେ ମହୀୟାନର ଆଶ୍ଳେଷେ।
ଜୀବନ ତର୍ପଣେ କୃପଣ ପ୍ରାଣରେ ରୁଦ୍ର ନିଃଶ୍ବାସ ଢାଳେ,
ଜୂର କରି ତୋର ମୃତ୍ୟୁ କାତର ପିଇ ଅମୃତ କୋଳେ।

ଶର୍ବରୀ ଭେଦି ତାରକିତ ହର୍ମ୍ମ୍ୟ ଯେବେ ଉଠେ ଆକାଶେ,
ମୁଣ୍ଡ ପାତିକି ତୁଣ୍ଡ ତୁନିକି ମୁକ୍ତା ସମ ପରକାଶେ।
ଜୀର୍ଣ୍ଣ ଆଳୟ ହେଉ ପଛେ ତୋର ବାଧା ବିଘ୍ନ ସଙ୍କୁଳ,
ହେଉ ହେଉ ହେଉ ଦାଉ ଦାଉ ଦାଉ ପ୍ରାଣେ ପୁଲକ ଆକୁଳ।

ଉନ୍ମେଷର କାଳ ପ୍ରଦୋଷର କୋଳେ ହୁଏ ଯେବେ ଉପନୀତ,
ଗ୍ରନ୍ଥ ମେଲିକି ପାନ୍ଥ କୃତଜ୍ଞ କରୁ କର୍ମ ପ୍ରାୟଶ୍ଚିତ୍ତ।
ଦେଖି ହେଲେ ନାହୁଁ ଶ୍ରମଦୀପ୍ତ ବାହୁ ପତିତ ନିକର ଭୂମେ,
ତୋଳିଥିଲା ଦିନେ ବୋଳିଥିଲା ଆନେ ଶୋଣିତ ତା ଅନୁପମେ।

ରାଜନୀତି ଏଡି଼ ମସ୍ତକ ପଟ୍ଟେ ଧୂର୍ଜ୍ଜଟି ଫଟା ବୁକେ,
ରାଜପଥ ତୋରି ବିପଥ ସବାରୀ ବହେ ନିତି ଦେଖେ ଦେଖେ।
ରମ୍ଯ କଳାର ସାମ୍ଯ ଭୁବନେ ହେଲୁ ଯେବେ ନିରୁପାୟ,
ରିଷ୍ଟ ଖଣ୍ଡନେ କଷ୍ଟ ମଣ୍ଡନେ ଆଳସ୍ୟରେ କଲୁ ଭୟ।

ଉପଳ ନିକ୍ଷେପେ ଚପଳ ଆଟୋପେ ବଳିଗଲା ତୋର ମନ,
କମ୍ପିତ ଓଠେ ପାଣି ମୁନ୍ଦେ ଦେବା ହେଲା ନାହିଁ ତୋର ପୁଣ୍ୟ।
କ୍ରନ୍ଦନ ବାଜି କ୍ରୁର କରେ ଆଜି ନିକାଞ୍ଚିତ ବିଜନତା,
ପ୍ରଳୟ ବିଧୁରେ ବନ୍ଧୁର ବଳୟେ ଲୋଟି ପଡେ କେତେ ମଥା।

ବାହାସ୍ଫୋଟ ଚୋଟ ନିତ୍ୟ ଉଚ୍ଚାଟ କରନ୍ତି ସୁତ ଅପତ୍ୟ,
ଭଗ୍ନ ଆଶାର ମଗ୍ନ ରେଣୁରେ ଭବିଷ୍ୟତର ସେ ଭୃତ୍ୟ।
ବର୍ତ୍ତମାନର ଆବର୍ତ୍ତନ ଦେଖି ଦୁର୍ବାର ଯଉବନ,
ଭବିତବ୍ୟର ଯବନିକା ବୋଲି ଦିଅନ୍ତି ହୃଦୟେ ସ୍ଥାନ।

କଳହ କଳିକା ଫୁଟେ କୋହ ତଳେ କଳଙ୍କିକୁ ଲୁହ ପୋଛି,
ଅତୀତ ନିର୍ଯ୍ୟାସ ଦିଏ ଜୀବନ୍ୟାସ ଅତଳ ବ୍ୟଥାକୁ କାଛି।
ଗୌରବ ଶତ କଳରବେ ନତ ବୃଥା କାଳର କବଳେ,
ଚରଣ ଗଳୁଛି ତଥାପି ଚଳୁଛି ଜୀବନ ଗତେ ପ୍ରଫୁଲ୍ଲେ।


ରଚନା : ଅମ୍ରିତେଶ ଖଟୁଆ

ଠିକଣା : ୨୩୭, ଫେଜ୍ - ୨, କାନନ ବିହାର, ପଟିଆ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର - ୭୫୧୦୨୪ ଦୂରଭାଷ : ୮୪୫୫୦୪୦୧୬୫

Post a Comment

0 Comments