Ad

header ads

କ୍ଷୁଦ୍ରଗଳ୍ପ - ଅସମାହିତ ପ୍ରଶ୍ନ - ସତ୍ୟଜିତ ମହାନ୍ତି


ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି ଲୋ ମନ ପୋଡ଼ିଗଲେ ଏଠି ଜାଣୁଛି କିଏ ? ଟିକେ ଭଲପାଇବା, ମୁଠାଏ ସ୍ନେହ ଆଉ ନିଜ ଆଡକୁ କିଏ ଯଦି ଟାଣି ନିଏ....ବାସ୍ ବଞ୍ଚିବା ଟା ବୋଧେ ସାର୍ଥକ ହୋଇଯାଏ । ହେଲେ ସତରେ କଣ ତୁ ସେସବୁ ପାଉଛୁ,ସତରେ କଣ ତୁ ଯେମିତି...ସେମିତି ବଞ୍ଚୁଛୁ ନା ଅଭିନୟ କରୁଛୁ ।ତୋ ଆଖି ତଳର କଳା ଦାଗ କୁ ମୁଁ ପଢିପାରେ,ତୋ ମନ ଭିତରେ ଥିବା ଯନ୍ତ୍ରଣା କୁ ମୁଁ ଅନୁଭବ କରିପାରେ ।ପଚାରିଲେ କହୁ ନା... ସେ ସବୁ କିଛି ନୁହେଁ ।କାଲି ରାତିରେ ନିଦ ହେଲାନି ନ ହେଲେ ବହୁତ୍ କାମ ପ୍ରେସର୍ ର ବାହାନା ଦେଖେଇ ଏଡେଇ ଦଉ ।ପ୍ରେସର୍ ଟା କାମରେ ନଥାଏ ପ୍ରେସର୍ ଟା ହୃଦୟରେ ଥାଏ ।ତତେ ଆଉ କେହି ନ ପଢି ପାରିଲେ ବି ମୁଁ ଠିକ୍ ପଢି ପାରେ ।ତୋର ହସ ହସ ମୁହଁ,ତୋର ପାଗଳାମି ମତେ ଭଲ ଲାଗେ ।ମୁଁ ଜାଣିଛି ତୁ ଖୁସିରେ ବଞ୍ଚିବାକୁ ଚାହୁଁ ।ତୁ ଜଞ୍ଜାଳ କୁ ଘୃଣା କରୁ ହେଲେ କାହିଁକି କେଜାଣି ସେସବୁ ତୋ ପିଛା ଛାଡନ୍ତି ନାହିଁ ।ସୁଖ ଟିକେ ପାଇଁ ତୁ ଯେତିକି ପାହାଚ ଡେଉଁ, ଦୁଃଖ ତତେ ସେତିକି ପାହାଚ ଗୋଡାଏ ।ସବୁବେଳେ କହୁ ତୋ ପାଇଁ ମୁଁ ବଞ୍ଚିଛି ।ମୁଁ କୁହେ ପାଗଳ ଟା ତୁ... କାଇଁ ମୋ ପାଇଁ ବଂଚିବୁ ଯେ ?ତୁ ତୋ ପାଇଁ ହିଁ ବଞ୍ଚିଛୁ । ତୋ ଭଲ ପାଇବା,ଅନ୍ୟକୁ ନିଜର କରିବା ଆଉ ନିଜେ ନିଜ ପାଇଁ ବଞ୍ଚିବାର କଳା ବୋଧେ ତତେ ଆଜି ବଞ୍ଚେଇ ରଖିଛି ।

ସତରେ ଅନ୍ୟକୁ ହସଉଥିବା ଲୋକଟି କେବେ କଣ ଦୁଃଖରେ ବଞ୍ଚିପାରେ ।ସମସ୍ତେ ଭାବନ୍ତି ତୋ ଜୀବନରେ ଦୁଃଖ ବା କଣ ??ହଁ...ଭାବିବେନି କେମିତି ?ତୁ ସିନା ଅନ୍ୟର ଦୁଃଖ ପଢ଼ିପାରୁ ହେଲେ ତୋ ମନର ଦୁଃଖ କୁ ପଢ଼ିବାର ସୁଯୋଗ କାହାରି କୁ ବି ଦେଇ ନ ଥାଉ, ଏମିତିକି ମତେ ବି ।ହେଲେ ମୁଁ ଜାଣିନି ଏଇଟା ବୋଧେ ମୋର କଳା...। ମୁଁ ପଢ଼ିପାରେ ତୋ ଦୁଃଖକୁ,ମୁଁ ଅନୁଭବ କରିପାରେ ତୋ ଯନ୍ତ୍ରଣା କୁ ।ତୋ ମନରେ କଷ୍ଟ ହେଲେ ମୋ ଛାତି ଭିତରଟା କେମିତି କେମିତି ହେଇଯାଏ ।ମୁଁ ସବୁବେଳେ କୁହେ ଏଇଟା ବୋଧେ ଆମ ଭିତରେ ଥିବା ଟେଲିପାଥି ।ନହେଲେ ଏତେ ବଡ଼ ଦୁନିଆରେ ମୋ ଛଡା ତତେ ଆଉ କେହି କେମିତି ବୁଝି ପାରୁନାହାନ୍ତି ?ସତରେ ତୁ ହେଉଛୁ ଗୋଟିଏ ଜଟିଳ ଗଣିତ,ତତେ ସମାଧାନ କରିବା ପାଇଁ କିଏ କେତେ ସୂତ୍ର ପ୍ରୟୋଗ କରନ୍ତି ହେଲେ ଆଜି ଯାଏଁ କେହି ସମାଧାନ କରି ପାରିନାହାନ୍ତି ।ଏଠି ତୋର ନିଜର କିଏ ? ଯାହା ପାଇଁ ଘର ଛାଡ଼ିଥିଲୁ ,ନା ଯାହା ସହ ହାତ ଗଣ୍ଠି ପକେଇଥିଲୁ ।ତୁ ଆଜି ବି ନିରୁତ୍ତର...ଖୋଜି ବସୁ ନିଜ ଜୀବନର ହଜାରେ ଉତ୍ତର ।ସବୁବେଳେ ମନରେ ତୋର ଗୋଟିଏ ପ୍ରଶ୍ନ :- ସତରେ ମୋର ଭୁଲ୍ କଣ ? ଏ ଦୁନିଆରେ ହଜାରେ ହୃଦୟ ଜିତିଥିବା ମଣିଷଟି କଣ କିଛି ହୃଦୟ ପାଖରେ ହାରି ଯାଏ ?କାହିଁକି କିଛି ଲୋକଙ୍କ ପାଇଁ ମୁଁ ଶତ୍ରୁ ? ନିଶ୍ଚୟ ତୁ ଭାବିବୁ,କାହିଁକି ନା ତୁ ଟିକେ ସ୍ନେହ ରଙ୍କୁଣି, ସବୁବେଳେ ସମସ୍ତଙ୍କୁ ସ୍ନେହ ଦଉ ଆଉ ତତେ ଟିକେ ସମସ୍ତେ ସ୍ନେହ ଦିଅନ୍ତୁ ବୋଲି ତୁ ସବୁବେଳେ ଭାବୁ ।


ମୁଁ ବୁଝିପାରେ ବୋଲି ତୁ ମୋ ନିଜର ।ମୁଁ ପଢ଼ିପାରେ ବୋଲି ମୁଁ ତୋର ।ତୁ ସବୁବେଳେ ପଚାରୁ କେତେ ଭଲ ପାଉ ମତେ ?ହେଲେ ମୁଁ ତୋ ପ୍ରଶ୍ନ ର ଉତ୍ତର ଦେଇ ପାରେନା ।କେମିତି ବା ଦେବି, ଆଜି ଯାଏଁ ତୁ ମତେ ସବୁକିଛି ଦେଉଛୁ ହେଲେ ପ୍ରତିବଦଳ ରେ କିଛି ନେବା ପାଇଁ ସୁଯୋଗ ବି ଦେଇନୁ ।ମୋ ପାଇଁ ଅପେକ୍ଷା,ମୋ ସହ ରାଉ ରାଉ ହେଇ ଗପିବା ହିଁ ତୋ ଭଲପାଇବା । ଏ ଦୁନିଆ ଟା ସତରେ ନିଷ୍ଠୁର,ଏଠି କେହି ନୁହେଁ କାହାର । ଭଲପାଇବା ପାଇଁ କିଏ ବଞ୍ଚେ ପୁଣି କିଏ ଭଲପାଇବାର ପ୍ରତିଶୃତି ଦେଇ ପ୍ରତିଦିନ ଜାଳି ଜାଳି ମାରେ ।ହଁ...ତତେ କେମିତି ବା କିଏ ଚିହ୍ନିବ ।ତ୍ରେତୟାରେ ମାଆ ସୀତା ଙ୍କୁ ବି ସତୀତ୍ୱ ର ପରୀକ୍ଷା ଦେବାକୁ ପଡ଼ିଥିଲା,ଆଉ ଏଇଟା ତ କଳିଯୁଗ...ମରିଯିବା ପରେ ବି ଏଠି ପରୀକ୍ଷା ସରି ନ ଥାଏ ।ଜୀବନ ଯୁଦ୍ଧରେ ଜିତିବା ଶିଖ ।ତୋ ପାଖରେ ଥିବା ଶକ୍ତିକୁ ମୁଁ ଦେଖିଛି ।ଗୋଟିଏ ନାରୀ ଆଖିର ନିଆଁରେ କେମିତି ଜଳି ହୁଏ ସେକଥା ବି ମୁଁ ଜାଣିଛି ।ଭଗବାନ୍ ଶ୍ରୀକୃଷ୍ଣ ଗୋଟିଏ କଥା ଅର୍ଜୁନଙ୍କୁ କହିଥିଲେ :- ହେ,ଅର୍ଜୁନ..."ଏ ସମୟ ଚାଲିଯିବ" ।ସତରେ ଟିକିଏ ଭାଵିବୁ ଆଉ ସବୁବେଳେ ଏଇ କଥାକୁ ମନ ଭିତରେ ଗୁଣୁ ଗୁଣେଇବୁ "ଏ ସମୟ ଚାଲିଯିବ" ।ମୋର ବିଶ୍ବାସ ନିଶ୍ଚୟ ତୁ ଦିନେ ଜିତିବୁ ।


ଶେଷରେ ଏତିକି କହିବି ,ମୁଁ ହିଁ ତତେ ପଢିପାରେ,ମୁଁ ହିଁ ତତେ ଜାଣି ପାରେ ଏବଂ ମୁଁ ହିଁ ତତେ ଅନୁଭବ କରିପାରେ ବୋଲି ମୁଁ ତୋ ନିଜର ।ଆଜି ବି ତୁ ଅନ୍ୟମାନଙ୍କ ପାଇଁ ଗୋଟିଏ ଜଟିଳ ଅସମାହିତ ଏବଂ ଅବିଭାଜିତ ଉତ୍ତର ।


ରଚନା : ସତ୍ୟଜିତ ମହାନ୍ତି

ଠିକଣା : ତେନ୍ତୁଳିପଦା, ଜଗତସିଂହପୁର,  ଦୂରଭାଷ :

Post a Comment

0 Comments