Ad

header ads

କବିତା - ଶ୍ରାବଣ - ସନ୍ଧ୍ୟାରାଣୀ ଦାଶ


ଶ୍ରାବଣ ଗୋ ତୁମେ କଥା ଦେଇଥିଲ
ସାଥି ହୋଇ ରହିଥିବା,
ଭାବ ଯୋଡ଼ି ପୁଣି ମନକୁ ମିଶାଇ
ସାତ ଜନ୍ମ ସାଙ୍ଗ ହେବା ।
ଶ୍ରାବଣୀ ସାଜି ମୁଁ ତୁମ ପଛେ ଧାଇଁ
ଝର ଝର ଝରି ଯାଏ,
ଜିଇଁବା ମରିବା ସାଥୀ ହୋଇ ଆମେ
ସେ କଥା ଉଭେଇ ଯାଏ ।
ନିଇତି ସପନେ ଆସାଇ ଗୋପନେ
ମରୁର ଲତିକା ସାଜି,
ମନ ତରୁବର ସେ ଲତା ଗହନେ
ନିମିଷକେ ଯାଏ ହଜି ।
ମନ ତଳେ ମୋର ଶ୍ରାବଣ ରାତିର
ଅନ୍ଧାର ଯାଇଛି ଘୋଟୀ
ଦୁଃଖ ବାଦଲଟା ସ୍ମୃତିର ପବନେ
ଛାତି ତଳେ ଯାଏ ଲୋଟି ।
ବିଜୁଳି ଚମକେ ହୃଦୟ ଫାଟକେ
କୁହୁଳି ଉଠୁଛି ଏବେ,
ମନଟା ତୁମର କଳୁଷିତ ଥିଲା
ନୀରବେ ବସି ମୁଁ ଭାବେ ।

ସନ୍ଧ୍ୟାରାଣୀ ଦାଶ, ସହକାରୀ ଶିକ୍ଷୟିତ୍ରୀ
ମକୁନ୍ଦପୁର ୟୁପିଏସ, ଜଗତସିଂହପୁର, ମୋ-୯୮୬୧୫୪୦୨୦୭

Post a Comment

0 Comments