Ad

header ads

ଭ୍ରମଣ କାହାଣୀ - ଦକ୍ଷିଣ ଭାରତ ଦର୍ଶନ ଅନୁଭୂତି - ରବିନ ଖଣ୍ଡାୟତରାୟ


"ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖିଲେ ହେଁ ନୂଆ ଦିଶୁଥାଇ" । ଅପରୂପ ଶୋଭା ବିମଣ୍ଡିତ କରି ସ୍ରଷ୍ଟା ଭଗବାନ ଏପରି ଭାବରେ ସୃଷ୍ଟି ସର୍ଜନା କରିଛନ୍ତି, ଯାହାର ଅବଲୋକନରେ  ବିଷାଦ ମନରେ ହରଷ ଜାତ ହୋଇଥାଏ । ଆଉ ତୀର୍ଥବ୍ରତ ତ ଜୀବନର ଏକ ଅଂଶ ବିଶେଷ । ପୂଣ୍ୟ ଭୂମି ଭାରତର ବିଭିନ୍ନ କ୍ଷେତ୍ର ଦର୍ଶନ ସୁଯୋଗ ମିଳିବା ଭାଗ୍ୟର କଥା । ପୁଣି ଏହିପରି ମହାନ ସୁଯୋଗ ଆମପାଇଁ ଥିଲା ପରମ ସୌଭାଗ୍ୟର କଥା କାରଣ ଆମ ସହିତ ଥିଲେ ଆମର ମାର୍ଗଦର୍ଶକ ପରମ ପୂଜ୍ୟ ଗୁରୁଦେବ ବ୍ରହ୍ମଚାରୀ ରବିନ୍ଦ୍ରନାଥ ଦାସ ।

ବାହ୍ୟ ଦୃଷ୍ଟିରୁ ସବୁ ମଣିଷମାନଙ୍କର ଶରୀର ଗଠନ ଶୈଳୀ ଏକାପ୍ରକାରର ହୋଇଥିଲେ ମଧ୍ୟ, ଆଭ୍ୟନ୍ତରୀଣ ଦୃଷ୍ଟିରୁ ସମସ୍ତଙ୍କର ମନ ଏକା ପ୍ରକାରର ନୁହେଁ । ଭିନ୍ନ ଭିନ୍ନ ଲକ୍ଷ୍ୟ ନେଇ ପଥିକ ଜୀବନ ପଥପ୍ରାନ୍ତରେ ଚାଲିଥାଏ । ଯାହାର ଲକ୍ଷ୍ୟ ଯେତେ ମହାନ ସେ ସେତେ ଦିବ୍ୟପଥର ଯାତ୍ରୀ । ଆଉ ଅନ୍ତର୍ଯ୍ୟାମୀ ତ ଅନ୍ତରର ଭାବନାକୁ ସାକାର ରୂପ ପ୍ରଦାନ କରିଥାଆନ୍ତି । ସେ ଭାବନା ଯଦି ଦେହ ପାଇଁ କି ସଂସାର କାମନା ପୂର୍ତୀ ପାଇଁ ଥାଏ ତେବେ ଆସେ ଦୁଃଖ ଆଉ ଯଦି ସେ ଭାବନା ଦେହୀଙ୍କ ପାଇଁ ହୋଇଥାଏ ଆଉ ତ୍ୟାଗ ଭାବସମ୍ପନ୍ନ ହୋଇଥାଏ ତେବେ ଆସେ ସନ୍ତୋଷ, ଯାହା ସବୁ ସୁଖର ମୂଳ କାରଣ । ଦୁଇ ବିପରୀତ ଧର୍ମୀ ଏହିପରି ଭାବନାକୁ ମନ ଠିକ୍ ଢ଼ଙ୍ଗରେ ପରିଚାଳିତ କରିବା ପାଇଁ ଗୁରୁଙ୍କର ଆବଶ୍ୟକତା  ରହିଛି । ବିଜ୍ଞ ପଣ୍ଡିତମଣ୍ଡଳୀ ବିଚାର କରିବେ, ଏଠାରେ ଆଲୋଚନା ପ୍ରସଙ୍ଗରେ ଦୁଇଟି କଥା ଆସିଛି । ଗୋଟିଏ ହେଉଛି, ତୀର୍ଥବ୍ରତ ଜୀବନର ଅଂଶ ବିଶେଷ ଆଉ ଅନ୍ୟଟି, ଜୀବନର ସାର୍ଥକତା ପାଇଁ ଗୁରୁଙ୍କର ଆବଶ୍ୟକତା । ଶାସ୍ତ୍ର ତ କୁହନ୍ତି, ଗୁରୁଙ୍କ ଚରଣରେ, ସାଧୁ ସନ୍ଥଙ୍କ ଚରଣରେ କୋଟି ତୀର୍ଥ ବାସକରନ୍ତି । ତାଙ୍କର ପଦବନ୍ଦନା ତୀର୍ଥଭ୍ରମଣର ଫଳ ପ୍ରଦାନ କରିଥାଏ । ଅତଏବ ଆମେମାନେ ଯେଉଁମାନେ ତୀର୍ଥକରି ଯାଇଥିଲୁ ସେମାନେ ଯେ କେବଳ ଫଳ ପାଇବେ ଆଉ ଅନ୍ୟମାନେ ପାଇବେ ନାହିଁ ସେ କଥା ନୁହେଁ । ପ୍ରକୃତ କଥା ହେଉଛି ସଂସାର ମାୟାଜାଲରେ ବନ୍ଦି ହୋଇ ଆମେ ଗୁରୁଦେବଙ୍କର ଦର୍ଶନ, ଶ୍ରୀଚରଣ ବନ୍ଦନ ଆଉ ଅମୃତକଥା ଶ୍ରବଣର କମ୍ ସୁଯୋଗ ପାଇଥାଉ । ମାତ୍ର ଉକ୍ତ ଦିନମାନଙ୍କରେ ଆମମାନଙ୍କର ପ୍ରତିଟି ମୁହୂର୍ତ ସେହିପରି ଦିବ୍ୟଭାବରେ କଟିଥିବାରୁ ଆମେ ନିଜକୁ ଭାଗ୍ୟବାନ ମଣିଥିଲୁ । ସତ କହିବାକୁ ଗଲେ ଅନ୍ୟ ସମୟରେ ଆମେ ସେହି ତୀର୍ଥ ଦର୍ଶନ କରିବାକୁ ଗଲେ ସେହିପରି ଭାବ, ଭକ୍ତି ଆଉ ଚେତନା ଯେ ମନରେ ଜାଗ୍ରତ ହେବନାହିଁ ଏହା ସୁନିଶ୍ଚିତ ।

ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ମୋର ଚାକିରି । ସୀମିତ ସମ୍ବଳ ଭିତରେ ସହରରେ ରହି ପିଲାକୁ ପାଠ ପଢ଼ାଇବା ଆଉ ଗାଁରେ ପରିବାର କଥା ବୁଝିବା କେତେ କଷ୍ଟ ତାହା କେବଳ ଅନୁଭବି ହିଁ ଜାଣେ ଆଉ ଠାକୁର ଜାଣନ୍ତି । ତଥାପି ମନରେ ବେଳେବେଳେ ଅନେକ ଉଚ୍ଚ ଆଶା ଅଙ୍କୁରିତ ହୋଇଥାଏ ଯାହା ହୁଏତ ମୁହଁ ଲାଜରେ କାହା ପାଖରେ ପ୍ରକାଶ କରି ହୁଏ ନାହିଁ କିନ୍ତୁ ତାହା ଆପେ ଅନ୍ତର୍ଯାମୀଙ୍କ ନିକଟରେ ପହଂଚିଯାଏ ଆଉ ସେ ତାହାର କାର୍ଯ୍ୟକାରିତାର ବାଟ ସଫା କରିଦିଅନ୍ତି । ଥରେ ଭୁବନେଶ୍ୱର ଖଣ୍ଡଗିରିରୁ ଏୟାର ପୋର୍ଟ କଡ଼ ନୂଆ ରାସ୍ତା ଦେଇ ଫାୟାର ଷ୍ଟେସନ୍ ଫେରୁଥାଏ, ବାଟରେ ଦେଖିଲି କିଛି ଲୋକ ଏକତ୍ରିତ ହୋଇଛନ୍ତି । ଉସ୍ଚୁକତା ବଶତଃ ମୁଁ ମଧ୍ୟ ସେଠାରେ ଅଟକି ଗଲି ଆଉ ସେମାନଙ୍କର ଅପେକ୍ଷାର କାରଣ ପଚାରିଲି । ଜଣେ ଭଦ୍ରବ୍ୟକ୍ତିକ କହିଲେ, ବର୍ତମାନ ଉଡ଼ାଯାହାଜ ଆସିବାର ସମୟ ଆଉ ଏହି ସ୍ଥାନରେ ତାହା ଅତି କମ୍ ଉଚ୍ଚତାରେ ଯାଇ ବିମାନବନ୍ଦରରେ ଓହ୍ଲାଇବ । ଆମେ ତାକୁ ନିକଟରୁ ଦେଖିବାକୁ ଅପେକ୍ଷା କରିଛୁ । ସତକୁ ସତ କିଛି ସମୟ ପରେ ଇଣ୍ଡିଗୋ ବିମାନଟିଏ ଆମ ମୁଣ୍ଡ ଉପର ଦେଇ ଉଡ଼ିଗଲା । ତାକୁ ଦେଖି ମୋ ମନରେ ଭାବନା ଆସିଥିଲା ସତରେ ମୁଁ କ'ଣ ଉଡ଼ାଯାହାଜରେ ବସିପାରିବି? ଏକଥା କାହାକୁ କହି ନାହିଁ କିନ୍ତୁ ଏହା ଅନ୍ତର୍ଯ୍ୟାମୀ ଗୁରୁଦେବଙ୍କ ନିକଟରେ ପହଂଚି ଯାଇଥିଲା । ଆଉ ଦୁଇହଜାର ଉଣେଇଶ ମସିହା ମାର୍ଚ୍ଚ ପଚିଶ ତାରିଖ ସୋମବାର ସକାଳ ଛଅଟା ଚାଳିଶରେ ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନ ସିଟ୍ ନଂ.ସି-୨୦ରେ ବସି ଅନ୍ୟମାନଙ୍କ ସହିତ  ବାଙ୍ଗାଲୋର୍ ଯିବାର ସୁଯୋଗ ପ୍ରାପ୍ତ ହୋଇଥିଲି ।

କହିବାରେ ସଙ୍କୋଚ ନାହିଁ କି ଅର୍ଥ ଅଭାବରୁ ମୁଁ ଆଉ ମୋ ପରି ଯେଉଁମାନେ ବିମାନ ବଦଳରେ ଟ୍ରେନ୍ରେ ଯିବାକୁ ସମ୍ମତି ପ୍ରଦାନ କରିଥିଲେ; ମାତ୍ର ଗୁରୁଦେବ ଆମମାନଙ୍କ ମନୋଭାବକୁ ଗ୍ରହଣ କରି ଆମ ସମସ୍ତଙ୍କୁ ପ୍ରଥମଥର ପାଇଁ ବିମାନରେ ବସାଇବାର ସୁଯୋଗ ପ୍ରଦାନ କରିଥିଲେ । ଆମ ସହିତ ଥିଲେ ସାଢ଼େ ତିନି ବର୍ଷର ଝିଅ ଯାଜ୍ଞସେନୀ ଆଉ ଚଉରାଅଶୀ ବର୍ଷ ବୟସ୍କ ସୁର ମଉସା । ହେଲେ ସମସ୍ତେ ଗୁରୁ ପ୍ରେମରେ ମଜ୍ଜି ଯାଇଥିଲେ, ଗୁରୁ ଭକ୍ତିରେ ଭିଜି ଯାଇଥିଲେ ଆଉ ନିଜକୁ ହଜାଇ ଦେଇଥିଲେ । କାହା ପାଦରେ ଚପଲ ନଥିଲା କି କାହା ଦେହରେ କେବଳ ଲୁଗା ଓତା ବ୍ୟତୀତ ଅନ୍ୟ ପୋଷାକ ମଧ୍ୟ ନଥିଲା । ମାଟିରୁ ଆକାଶକୁ ଉଠୁଥିଲା ବିମାନ ଆଉ ବାଦଲ ଉପରେ ଚଉତିରିଶ ହଜାର ଫୁଟ ଉପରେ ଉଡ଼ୁଥିବା ବେଳେ ମଧ୍ୟ ମନ ବନ୍ଧା ପଡ଼ିଥିଲା ଶ୍ରୀଗୁରୁଙ୍କ ଶ୍ରୀଚରଣରେ । ଆଉ ଦିବା ଆକାଶରେ ଆଖି ସିନା ଦେଖୁଥିଲା ପୂର୍ଣ୍ଣଚନ୍ଦ୍ର, ହେଲେ ମନ ଆକାଶରେ ଉଦିତ ହୋଇଥିଲେ ପୂର୍ଣ୍ଣବ୍ରହ୍ମ । ଏହିପରି ଭାବରେ ଆକାଶରେ କେତେବେଳେ ଯେ ଏକ ଘଂଟା ଚାଳିଶ ମିନିଟ୍ ଗତ ହୋଇଗଲା ଆମେ ଜାଣିପାରିଲୁ ନାହିଁ ଆଉ ବାଙ୍ଗାଲୋର୍ ମାଟି ଛୁଇଁବା ବେଳକୁ ନୂଆ ରାଜ୍ୟରେ ନୂଆ ଅନୁଭବ ପାଇଥିଲୁ । ସେଠାରୁ ବସ୍ ଯୋଗେ ଆମେ ଗଲୁ ହ୍ୱାଇଟ୍ ଫିଲ୍ଡ଼ ଶ୍ରୀରାମ ଧାମ ସ୍ୱାମୀ ଅଂଜନେୟ ମନ୍ଦିର । ସେଠାରେ ସନ୍ଧ୍ୟାରେ ସତସଙ୍ଗ ଉତ୍ସବ ଅନୁଷ୍ଠିତ ହୋଇଥିଲେ, ଯେଉଁଥିରେ ଗୁରୁଦେବ ଭକ୍ତ ଭଗବାନଙ୍କର ଅଭେଦ ପ୍ରୀତି ସମ୍ପର୍କରେ ବର୍ଣ୍ଣନା କରିବା ସହିତ ପର ଉପକାରରେ ସମୟ ପ୍ରଦାନକାରୀ ବ୍ୟକ୍ତି ହିଁ ପ୍ରକୃତ ଆଧ୍ୟାତ୍ମିକ ଜ୍ଞାନୀ ବୋଲି ପ୍ରକାଶ କରି କହିଥିଲେ, 'ଅନ୍ୟର ହୃଦୟ ଯେହୁ ପାରୁଥାଇ ଜାଣି, ସେହି ଏକା ସଂସାରରେ ଆଧ୍ୟାତ୍ମିକ ଜ୍ଞାନୀ' ।

ପରଦିନ ସକାଳ ନଅଟାରେ ସମସ୍ତେ ବସ୍ ଯୋଗେ ବାହାରିଥିଲୁ ଉତର ବାଙ୍ଗାଲୋର୍ ସହକାର ନଗର ଜଗନ୍ନାଥ ମନ୍ଦିର ଅଭିମୁଖେ । ଯେଉଁଠାରେ ଏକ ଦିବସୀୟ ବିଶ୍ୱଶାନ୍ତି ବ୍ରହ୍ମ ଏକାକ୍ଷର ମହାଯଜ୍ଞ ଆଉ ସନ୍ଧ୍ୟାରେ ସତସଙ୍ଗ ତଥା ବାଙ୍ଗାଲୋର ଓଡ଼ିଆ ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବିଜ୍ଞାନ ତଥା ପ୍ରଯୁକ୍ତି ବିଦ୍ୟା ବିଶେଷ କରି ଆଇ.ଟି କ୍ଷେତ୍ରରେ ବିଶେଷ ପାରଦର୍ଶୀତା ଲାଭ କରିଥିବା ବାଙ୍ଗାଲୋରବାସୀଙ୍କୁ ସେଦିନ ଭକ୍ତିର କଥା ଶୁଣାଇ ଗୁରୁଦେବ କହିଥିଲେ । 'ଭକ୍ତି ଅଟେ ସ୍ରଷ୍ଟାଙ୍କର ବିଚିତ୍ର କରୁଣା, ଭକ୍ତିପାଶେ ଧନ ମାନ ସବୁ ତ ଅଜଣା' । ଗୁରୁଦେବ ଯେଉଁଠାରେ ଅବସ୍ଥାନ କରନ୍ତି ସେଠାରେ ସତସଙ୍ଗ ଅନୁଷ୍ଠିତ ହୁଅନ୍ତି, ପ୍ରତ୍ୟେକ ସ୍ଥାନରେ ତେଣୁ ସବୁ ସନ୍ଧ୍ୟାରେ ସତସଙ୍ଗ ଅନୁଷ୍ଠିତ ହୁଅନ୍ତି । ଶେଷରେ ସମସ୍ତେ ପ୍ରସାଦସେବନ କରି ନିଜନିଜ ବାସଭବନକୁ ପ୍ରତ୍ୟାବର୍ତନ କରିଥିଲେ ଆଉ ଆମେ ଫେରିଥିଲୁ ହ୍ୱାଇଟ୍ ଫିଲ୍ଡକୁ ।  ପରଦିନ ଦୁଇଟି ବସ୍ ଯୋଗେ ବାଙ୍ଗାଲୋର୍ରୁ ପଣ୍ଡିଚେରୀ ଅଭିମୁଖେ ବାହାରିଲୁ । ଦୀର୍ଘପଥର ବସ୍ ଯାତ୍ରା ସାଙ୍ଗକୁ ଦିନରେ ଅସହ୍ୟ ଗୁଳୁଗୁଳି ହେଉଥାଏ ତଥାପି କାହାରି ମନରେ ଦୁଃଖ ନଥାଏ କାରଣ ଆମପାଖରେ ଆମ ଗୁରୁଦେବ ଥିଲେ, ଅହରହ ନାମ ସଂକିର୍ତନ ଲାଗିଥିଲା । ମନର ଭାବ ସହିତ ପେଟର କଥା ବୁଝିପାରି ଗୁରୁଦେବ ପର୍ଯ୍ୟାୟକ୍ରମେ ଆବଶ୍ୟକ ଖାଦ୍ୟ ପାନୀୟ ତଥା ଫଳମୁଳର ବ୍ୟବସ୍ଥା ବାଟସାରା ଗୁରୁଦେବ କରିଥିଲେ ।

ଆମେ ପଣ୍ଡିଚେରୀରେ ପହଂଚିଲା ବେଳକୁ ପ୍ରାୟ ରାତି ଦଶଟା ବାଜିଥିଲା । ସେଠାକାର ଶ୍ରୀ ଅରବିନ୍ଦ ଆଶ୍ରମର ଓଡ଼ିଆ ନିଳୟମ୍ରେ ଅବସ୍ଥାନ କରିବା ସହିତ ସେଠାରେ ରାତ୍ରିଯାପନ କରିଥିଲୁ । ପରଦିନ ସକାଳୁ ଅରୋଭିଲ୍ଲା ପରିଦର୍ଶନରେ ଯାଇଥିଲୁ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଶ୍ରୀଅରବିନ୍ଦ ଆଶ୍ରମ କ୍ୟାଂଟିନ୍ ଖାଦ୍ୟ । ତେଲ ମସଲା ବିହୀନ ସୁସ୍ଥ ନିରାମୟ ସାତ୍ୱିକ ଆହାର ପୂରାଦିନ ସେହିଠାରେ ଗ୍ରହଣ କରିଥିଲୁ । ସନ୍ଧ୍ୟାରେ ପଣ୍ଡିଚେରୀ ସମୁଦ୍ର କୂଳରେ ଗୁରୁପୂଜା ଅନୁଷ୍ଠିତ ହୋଇଥିଲେ ଆଉ ତା'ପରେ ଗଣେଷ ମନ୍ଦିର ଦର୍ଶନ କରିବାକୁ ଯାଇ ତା'ପରେ ରାତ୍ରିଭୋଜନ ସାରି ସେହି ରାତିରେ ତାମିଲ୍ନାଡ଼ୁ ରାମେଶ୍ୱରମ୍ ଅଭିମୁଖେ ବାହାରିଥିଲୁ । ଯେଉଁ କ୍ଷେତ୍ରରେ ପ୍ରଭୁ ଶ୍ରୀରାମ ଶଙ୍କର ଭଗବାନଙ୍କୁ ପୂଜା କରିଥିଲେ । ଆଉ ଯେଉଁଠାରେ ସେତୁବନ୍ଧ ନିର୍ମାଣ କରି ବାନର ସେନାଙ୍କ ସହିତ ଶ୍ରୀରାମଲକ୍ଷ୍ମଣ ଲଙ୍କା ଯାତ୍ରା କରିଥିଲେ । ଆଉ ଯେଉଁ ସମୁଦ୍ରବାଲିରେ ବିଭୀଷଣଙ୍କୁ ପ୍ରଭୁ ଲଙ୍କାର ରାଜା ଭାବରେ ଅଭିଷେକ କରାଇଥିଲେ, ସେହି କ୍ଷେତ୍ରରେ ଆମେ ଦିନ ନଅଟା ସୁଦ୍ଧା ପହଂଚିଯାଇଥିଲୁ । ପ୍ରଥମେ ରାମେଶ୍ୱରମ୍ ମନ୍ଦିର ଦର୍ଶନ କରିବା ସହିତ ବାଇଶି ତୀର୍ଥରେ ସ୍ନାନ କରିଥିଲୁ । ଏହାପରେ ସେତୁବନ୍ଧ ଏବଂ ବିଭୀଷଣ ଅଭିଷେକ ମନ୍ଦିର ଦର୍ଶନ ସାରିବା ପରେ ଅପରାହ୍ନରେ ପ୍ରସାଦସେବନ କରି ଅପରାହ୍ନରେ କନ୍ୟାକୁମାରୀ ଅଭିମୁଖେ ବାହାରିଥିଲୁ ।

ଗାଡ଼ି ଗଡ଼ୁଥିଲା ରାସ୍ତାରେ ଆଗକୁ ଆଗକୁ ହେଲେ ମନକୁ ଆସୁଥିଲା ଅତୀତର ଘଟଣାଟିଏ । ୨୦୧୨ମସିହାରେ ଜଣେ ବନ୍ଧୁ ମତେ ଗୋଟିଏ ଡାଇରୀ ଉପହାର ଦେଇଥିଲେ । ଯେଉଁଥିରେ ଭାରତର ଅନେକ ଦର୍ଶନୀୟ ସ୍ଥାନ ଯଥା- ପୁରୀ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ଗୁଜୁରାଟର ସୋମନାଥ ମନ୍ଦିର, ଦିଲ୍ଲୀର ଇଣ୍ଡିଆ ଗେଟ୍ ଆଦି ସହିତ ତାମିଲନାଡ଼ୁ କନ୍ୟାକୁମାରୀର ବିବେକାନନ୍ଦ ରକ୍ ଫଟୋ ଚିତ୍ରମାନ ସ୍ଥାନିତ ହୋଇଥିଲା । ମାତ୍ର ଏସବୁଙ୍କ ମଧ୍ୟରୁ ମତେ ବିବେକାନନ୍ଦ ରକ୍ ଚିତ୍ରଟି ଅଧିକ ଆକର୍ଷିତ କରିଥିଲା ଏବଂ ସେ ସ୍ଥାନଟି ଦର୍ଶନ କରିବାର ଅଭିଳାଷ ମନରେ ଜାଗ୍ରତ ହୋଇଥିଲା । ସେଦିନ ସିନା ମନର ଭାବନା ମନରେ ରହିଯାଇଥିଲା ବୋଲି ମୁଁ ଧରିନେଇଯାଇଥିଲି ମାତ୍ର ତାହା ଯେ ଅର୍ନ୍ତଯାମୀ ଗୁରୁ ଭଗବାନଙ୍କ ନିକଟରେ ପହଂଚି ଯାଇଥିଲା ଆଉ ଆଜି ସେ କ୍ଷେତ୍ର ଦର୍ଶନ ନିମିତ ସେ ମତେ ନେଇଯାଉଛନ୍ତି, ଏକଥା ଭାବିବା ବେଳକୁ ଆଖିରେ ଲୁହ ଜକେଇ ଆସୁଛି । ଏକା ମୋର ନୁହେଁ ବରଂ ଅନେକଙ୍କ ଇଚ୍ଛାକୁ ଭକ୍ତ ବାଞ୍ଛା କଳ୍ପତରୁ ପୁରଣ କରିଛନ୍ତି ସେଥିରେ ଦ୍ୱିମତ ନାହିଁ । ରାତି ପ୍ରାୟ ତିନିଟା ସୁଦ୍ଧା ଆମେ ଭାରତ ସେବାଶ୍ରମ ସଂଘ, କନ୍ୟାକୁମାରୀରେ ପହଂଚିଥିଲୁ । ପ୍ରତ୍ୟୁଷରୁ ନିତ୍ୟକର୍ମ ସମାପନ କରି ସମସ୍ତେ ଯାଇ ଭୋର ଛଅଟା କୋଡ଼ିଏ ମିନିଟ୍ ସମୟରେ ସୂର୍ଯ୍ୟ ଉଦୟ ଦର୍ଶନ କରିଥିଲୁ । ଆଉ ସେହି ପବିତ୍ର ତୀର୍ଥ ମହୋଦଧି କୂଳରେ ସମସ୍ତେ ଗୁରୁପୂଜା କରିଥିଲେ । କିଏ ମାଳିଠାରୁ ସଜ ମଲ୍ଲୀମାଳ, ଆଉ କିଏ ମୋତିମାଳ କିଣି ଆଣି ଗୁରୁଦେବଙ୍କ ଗଳାରେ ଲମ୍ବାଇ ଦଣ୍ଡ ପ୍ରଣାମ କରୁଥିଲେ । କେହି ତୀର୍ଥ ଜଳରେ ତ ଆଉ କେହି ନୟନର ନୀର ଢ଼ାଳି ପାଦ ପଖାଳି ଦେଉଥିଲେ । କିଏ  ଉଦ୍ଧ୍ୱର୍ ବାହୁ ହୋଇ ତ ପୁଣି ଆଉ କାହାର ଶିର ଶ୍ରୀଚରଣ ସ୍ପର୍ଶ କରି, ମନେମନେ ପ୍ରର୍ଥନା କରୁଥିଲେ ହେ ଗୁରୁଦେବ! ଏ ଫୁଲ ତ ତୁମର ଏ ଜଳ ତ ତୁମରି! ଥରେ ଏ ମନ ଫୁଲକୁ ଗ୍ରହଣ କର ଆଉ ଅଶ୍ରୁ ଜଳକୁ ଗ୍ରହଣ କର! ଜୀବନ ଧନ୍ୟ ହୋଇଯିବ । ଏମିତି କେତେ କ'ଣ ଅନ୍ତରର ଭାବ ଭାବଗ୍ରାହୀଙ୍କୁ ଭେଟି ଦେଉଥିଲା ଭକ୍ତ । ଏହାପରେ ସମସ୍ତେ ମିଶି ଲଂଚରେ ବସି ବିବେକାନନ୍ଦ ରକ୍ ଯାଇଥିଲୁ । ଚାରିପଟେ ଅଗାଧ ସମୁଦ୍ର ବଙ୍ଗୋପସାଗର, ଆରବ ସାଗର ଏବଂ ଭାରତ ମହାସାଗର ଯାହାକୁ ଚାରିପଟୁ ଘେରି ରହଛି ସେହି ସ୍ଥାନକୁ ସ୍ୱାମୀ ବିବେକାନନ୍ଦ  ୧୮୯୨ମସିହାରେ ଆସିଥିଲେ । ଆଜି ମଧ୍ୟ ଧ୍ୟାନ ମନ୍ଦିର ସେଦିନର ସ୍ମୃତିକୁ ସୂଚାଇଦେଉଛି । ସେଠାରେ କିଛି ସମୟ ଧ୍ୟାନ କରିବା ପରେ ଫେରିଆସିଥିଲୁ ଭାରତ ସେବାଶ୍ରମ ସଂଘ, ଯେଉଁଠାରେ ପ୍ରସାଦ ସେବନ କରି ମଦୁରାଇ ବାହାରିଥିଲୁ ।

ମଦୁରାଇରେ ପହଂଚିଲା ବେଳକୁ ରାତି ତିନିଟା । ସେତେବେଳକୁ ମିନାକ୍ଷୀ ମନ୍ଦିର ବନ୍ଦ ହୋଇସାରିଥିଲେ । ସେଠାରେ ଏକ ଧର୍ମଶାଳାରେ ନିତ୍ୟକର୍ମ ସମ୍ପାଦନ କରି ଭୋର୍ ପାଂଚଟାରୁ ମନ୍ଦି ଦର୍ଶନପାଇଁ ଯାଇଥିଲୁ । ଏତେ ସୁନ୍ଦର ଆଉ କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ଯାହା ଫଟୋରେ ଦେଖିଥିଲୁ ତାହା ସତରେ ଦେଖି ଅଭିଭୂତ ହୋଇଯାଇଥିଲୁ । ଦୀର୍ଘ ସମୟ ଧାଡ଼ିରେ ଅପେକ୍ଷା କରିବା ପରେ ଶେଷରେ ମାଆ ମୀନାକ୍ଷୀଙ୍କ ଦର୍ଶନ ମିଳିଥିଲା । ଏହାପରେ ଫେରିଆସିଥିଲୁ ବାଙ୍ଗାଲୋର ବୀର ଅଞନେୟ ମନ୍ଦିର ଯେଉଁଠାରେ ଆମେ ରାତ୍ରିଯାପନ କରିଥିଲୁ । ପରଦିନ ସକାଳେ ଆମେ ଯେଉଁମାନେ ପ୍ଳେନ୍ରେ ଯାତ୍ରା ଆରମ୍ଭ କରିଥିଲୁ, ସେମାନେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିଥିଲୁ । ଆଉ ଯେଉଁମାନେ ଟ୍ରେନ୍ରେ ଯାତ୍ରା ଆରମ୍ଭ କରିଥିଲେ ସେମାନେ ପ୍ଳେନ୍ରେ ଭୁବନେଶ୍ୱର ଫେରିଥିଲ । ଅଠେଇଶ ଘଂଟାର ଏହି ଟ୍ରେନ୍ ଯାତ୍ରା ଯେତିକି ଆନନ୍ଦପ୍ରଦ ଥିଲା ତାଠାରୁ ଅଧିକ ଆଶ୍ଚର୍ଯ୍ୟଦାୟକ ଥିଲା । ଉକ୍ତ ଦିନ ରେଳଧାରଣା ମରାମତି କାର୍ଯ୍ୟ ଯୋଗୁ ବାଙ୍ଗାଲୋର୍ରୁ ପୁଟ୍ଟପର୍ତୀ ଯାଏ ରାସ୍ତା ସମସ୍ତ ଟ୍ରେନ୍ ବାତିଲ୍ ଥିଲା ଆଉ ଭୁବନେଶ୍ୱର ଯିବାକୁ ହେଲେ ପୁଟ୍ଟପର୍ତୀ ଯାଇ ଟ୍ରେନ୍ ଧରିବାକୁ ପଡ଼ିବ । ଆମେ ଚଉତିରିଶ ଜଣ ଆଉ ଆମ ସହିତ ପ୍ରାୟ ଚାଳିଶ ପଚାଶ ପ୍ୟାକେଟ୍ ଲଗେଜ୍ ଥିଲା । ଏତେ ଲୋକ ଏତେ ଜିନିଷ ନେଇ ଶହେ ତିରିଶ କିଲୋମିଟର ବାଟ କେମିତି ଯିବୁ ବୋଲି ଜଣାଇବାରୁ ଗୁରୁଦେବ ନିର୍ଦ୍ଦେଶ ଦେଲେ, ପାଖ ବସଷ୍ଟାଣ୍ଡକୁ ଯାଅ ଆଉ ସେଠାରୁ ଲାଇନ୍ ବସ୍ ଯୋଗେ ପୁଟ୍ଟପର୍ତୀ ଯାଇ ଭୁବନେଶ୍ୱର ଟ୍ରେନ୍ ଧରିବ ।

ଆମପାଖରେ ସିନା ଟ୍ରେନ୍ ଟିକେଟ୍ ଥିଲା ହେଲେ ବସ୍ ଭଡ଼ା ଦେବା ପାଇଁ ପଇସା ନଥିଲା । ଗୁରୁଦେବ ସେ ବ୍ୟବସ୍ଥା ମଧ୍ୟ କରିଦେଲେ ଆଉ ନିର୍ଦ୍ଦେଶ ମୁତାବକ ବିନୁଭାଇ ଆଠହଜାର ଟଙ୍କା ପାଖ ଏଟିଏମ୍ରୁ ଉଠାଇଲେ ଆଉ ଯାହା ଟିକେଟ୍ ଲାଗିଲା ସବୁଟଙ୍କା ସେ ଭରଣା କରିଦେଲେ । ସେଠାରୁ ବସ୍ରେ ଉଠି ପୁଟ୍ଟପର୍ତୀ ଷ୍ଟେସନ୍ ପାଖ ଛକରେ ପହଂଚିଲା ବେଳକୁ ଦିନ ଦୁଇଟା ପାଖାପାଖି ସମୟ ହେବ, ଖରା ସାଙ୍ଗକୁ ଗୁଳୁଗୁଳି ରାସ୍ତାଘାଟ ଶୁନ୍ଶାନ୍ କିନ୍ତୁ ସେଠାରେ ଦୁଇଟି ଅଟୋ ଆଉ ଗୋଟିଏ ଟାଟା ଏସି ଗାଡ଼ି ଛିଡ଼ାହୋଇ ରହିଥିଲା ଆଉ ଆମେ ପହଂଚିବା କ୍ଷଣି ସେମାନେ ଆମକୁ ପୁଟ୍ଟପର୍ତୀ ଷ୍ଟେସନ୍କୁ ନେଇଗଲେ । ଷ୍ଟେସନ୍ରେ ପହଂଚି ଜିନିଷପତ୍ର ଗାଡ଼ିରୁ ଖାଲିକଲୁ ଏବଂ ମଧ୍ୟାହ୍ନ ଭୋଜନ ମଗାଇ ସେହି ଷ୍ଟେସନ୍ରେ ଏକାଠି ବସି ଖାଇଲୁ ଏବଂ କିଛି ସମୟ ବିଶ୍ରାମ ପରେ ଟ୍ରେନ୍ରେ ଜିନିଷପତ୍ର ଭର୍ତି କଲୁ ଏବଂ ଅପରାହ୍ନ ପାଂଚଟା ସୁଦ୍ଧା ଟ୍ରେନ୍ ଛାଡ଼ିଲା । ବାଟରେ ଖାଇବା ପାଇଁ ଗୁରୁଦେବ ଚୁଡ଼ାଭଜା, ମିକଶ୍ଚର, ଫଳ ଆଦି ପ୍ରଦାନ କରିଥିଲେ ଯାହା ସମସ୍ତଙ୍କୁ ବଂଟା ଯାଇଥିଲା । ଆହୁରି ମଧ୍ୟ ବିନୁ ଭାଇ, ଗୌତମ ଭାଇ ଏବଂ ପ୍ରଶାନ୍ତ ଭାଇ ବିଭିନ୍ନ ସମୟରେ ବିସ୍କୁଟ, ପାଉଁରୁଟି ଏବଂ କଦଳୀ କିଣି ସମସ୍ତଙ୍କୁ ଖାଇବାକୁ ଦେଇଥିଲେ ।

 ଟ୍ରେନ୍ରେ ସଂଜ ଆଉ ସକାଳେ ଆମେ ପ୍ରାର୍ଥନା କରୁଥିଲୁ, ଗୋପାଳ ଭାଇ ସିଟ୍ରେ ବସି ପାଲା କରୁଥିବା ବେଲେ, ଗରୁଡ଼ ଭାଇ ଖୋଳ ବଜାଉଥିଲେ ଆଉ ବାଉନ ଭାଇ, ଦେବରାଜ ଭାଇ, ପଦନ ଭାଇ, ଦେବ ଭାଇ, ଝରିଆ ଭଜନ ବୋଲୁଥିଲେ । ଏମିତି ପରିବେଶ ସୃଷ୍ଟି ହେଉଥିଲା ଯେ, କିଛି ଯାତ୍ରୀ ନିଜ ସିଟ୍ ଛାଡ଼ି ଆମପାଖରେ ଆସି ବସି ଯାଉଥିଲେ । ଏହିପରି ଭାବପୂର୍ଣ୍ଣ ପରିବେଶରେ ଅଠେଇଶ ଘଂଟା କେତେବେଳେ ବିତିଗଲା ଜାଣି ହେଲା ନାହିଁ । ଆଉ ଭୁବନେଶ୍ୱର ଷ୍ଟେସନ୍ରେ ରାତି ନଅଟା ତିରିଶ ସୁଦ୍ଧା ଆମେ ପହଂଚି ଯାଇଥିଲୁ ।  ବାଟସାରା ଖାଇବା ପିଇବାର ବ୍ୟବସ୍ଥା କରିଥିଲେ ମଧ୍ୟ ତଥାପି ଗୁରୁଦେବଙ୍କର ମନ ବୁଝି ନଥିଲା । ଆମେ ଷ୍ଟେସନ୍ରେ ପହଂଚିଲା ବେଳକୁ ପୁରୀ, ଡାଲମା, କଦଳୀ ଆଉ ପାଣି ସହିତ ଗୁରୁଦେବ କୃଷ୍ଣଭାଇଙ୍କୁ ପଠାଇଥିଲେ । ଜିନିଷପତ୍ର ଟ୍ରେନ୍ରୁ କାଢ଼ି ଗାଡ଼ିରେ ଲଦିସାରିବା ପରେ ଷ୍ଟେସନ୍ ବାହାରେ ସମସ୍ତେ ବସି ଖାଇଲେ ଏବଂ ଗାଡ଼ିରେ ବସି ଘରକୁ ଫେରିଥିଲେ । ସେତେବେଳକୁ ରାତି ପ୍ରାୟ ଏଗାରଟା ବାଜିଲାଣି ମୁଁ ଗୁରୁଦେବଙ୍କୁ ଫୋନ୍ କରି ସମସ୍ତ ବିଷୟ ଅବଗତ କରାଇବା ପରେ ସାନଭାଇ ସହିତ ଘରକୁ ଫେରିଥିଲି । ହେଲେ ଯେତେ ଚାହିଁଲେ ମନ କିନ୍ତୁ ଆଜି ଯାଏ ସେ ସ୍ଥାନମାନଙ୍କରୁ ଫେରି ଆସିପାରୁନାହିଁ । ବେଳେବେଳେ ମାନସପଟରେ ସେ ସ୍ଥାନ ଆଉ ସେଠାରେ ଗୁରୁଦେବଙ୍କର ଉପସ୍ଥିତିର ପ୍ରତିଛବି ଝଲସି ଉଠୁଛି । ଯେଉଁ ସ୍ମୃତିରେ ଗୁରୁଦେବଙ୍କୁ ସେବା କରିବାକୁ ଚେଷ୍ଟା କରୁଅଛି । ମନେପଡ଼ୁଛି ଠାକୁରଙ୍କ ବାଣୀ, 'ସ୍ମୃତିରେ ସେବିବି ବିଭୁ ନାହିଁ ଅନ୍ୟ ଚିନ୍ତା, ବଳରେ ସେବିବି ବିଶ୍ୱ କୁଟୁମ୍ବ ଜନତା' । ଦୟାକରି ଦୟାମୟ ଆମପାଇଁ ଏ ସୁଯୋଗ ସବୁବେଳେ ରଖିଥାଆନ୍ତୁ ଏତିକି ପ୍ରାର୍ଥନା ।

ରବିନ୍ ଖଣ୍ଡାୟତରାୟ
କିସ ମାନିତ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵର
ସ୍ଥାୟୀ ଠିକଣା : ପୁରୁଣାଗଡ଼, ଜଗତସିଂହପୁର
ମୋ -୯୭୭୬୬୯୨୨୦୭

Post a Comment

0 Comments