Ad

header ads

କ୍ଷୁଦ୍ରଗଳ୍ପ - ସେଇ ଗାମୁଛା - ନାରାୟଣ ଚନ୍ଦ୍ର ସେନାପତି


    ମଇଁ ମାସର ଉତ୍ତପ୍ତ ଖରାଟା ସତେ ଯେମିତି ବ୍ୟଙ୍ଗ ବିଦ୍ରୁପ କରି ଠୋ ଠୋ ହସି ତାଚ୍ଛଲ୍ୟ କରୁଥାଏ ବିକାଶ ବାବୁଙ୍କୁ । ଏସି ଚାମ୍ବରରେ ଥାଇ ବି କାହିଁକି କେଜାଣି ଶରୀରର ଘର୍ମ ବିନ୍ଦୁ ଗୁଡାକ ଟପ୍ ଟପ୍ ବୋହିଯାଉଥାଏ ଆଖିକୁ ପର କରି । ଆଜି ଏଇ ଅଫିସରେ ତାଙ୍କର ଅନ୍ତିମ ଦିନର କାର୍ଯ୍ୟ । ଦୀର୍ଘ ପନ୍ଦର ବର୍ଷର ମମତା ଯୋଡି ହୋଇଥିଲା ଏ ଅନୁଷ୍ଠାନ ଓ କର୍ମଚାରୀଙ୍କ ସହ । ଗାଡି ବି ଠିକ୍ କରାଯାଇଛି ଆଜି ଅଫିସ ପରେ ପୁରୁଣା ସମ୍ପର୍କ ଯୋଡ଼ା ଜିନିଷ କେଇଟାକୁ ଧରି ଚାଲିଯିବେ ସେ ଶ୍ରୀକ୍ଷେତ୍ର ପୁରୀ ଧାମ ନିକଟସ୍ଥ ତା ନୂତନ ଅଫିସ୍ ନିକଟରେ ଠିକ୍ କରାଯାଇଥିବା ଭଡା ଘରକୁ । ଅନ୍ତିମ ପ୍ରହରରେ ଆଖିରୁ କେଇଟୋପା ଲୁହ ଝରାଇ ସାଥୀମାନଙ୍କୁ ଆଲିଙ୍ଗନ କରି ଆଉ ସେହି ଅଫିସକୁ ଆଖି ବୁଜି ପ୍ରଣାମ ଜଣାଇ ଏକ ନିଃଶ୍ଵାସରେ ଆସି ପହଁଚିଗଲେ ନିଜ କ୍ବାର୍ଟରରେ ।

   ଅନୀମା, ସବୁ କିଛି ପ୍ୟାକିଙ୍ଗ ସରିଛି କି ? ର ଉତ୍ତର ପତ୍ନୀଠୁ ହଁ,ଯେଉଁ ସବୁ ଅତି ପୁରୁଣା ଆଉ ଦରକାର ପଡିବନି ସେସବୁ ଫିଙ୍ଗି ଦେଇ ବାକି ସବୁ ପ୍ୟାକିଙ୍ଗ କରିଛି ଶୁଣି ଖୁସି ହୋଇଗଲେ ସେ।ଅନୀମା ସ୍ୱହସ୍ତରେ ବନେଇ ଶରଧାରେ ଆଣିଥିବା ଖାଦ୍ୟକୁ ଖାଇ ଭାବୁଥାନ୍ତି ଏଇ ପନ୍ଦର ବର୍ଷର ସ୍ମୃତି ରାଇଜକୁ।ନୂଆ ଚାକିରୀ,ବିବାହ ବନ୍ଧନ,ନୂଆ ଗାଡି କିଣା ତା ସାଙ୍ଗକୁ ତା ବାପାଙ୍କ ଇହଧାମ ତ୍ୟାଗ,ତା ସାଥୀ ପ୍ରଫୁଲ୍ଲର ଦୁର୍ଘଟଣାରେ ମୃତ୍ୟୁ,ସାଙ୍ଗ ରବିର ଭୁଲ ବୁଝାମଣା,ପ୍ରେମିକା ଟିକିର ପ୍ରତାରଣା ଏଇମିତି ହସ ଲୁହ,ଦୁଃଖ ସୁଖ ମିଶା କିଛି ସ୍ମୃତି କିଛି ଅନୁଭୂତି।ଆଖିରୁ ଲୁହ ଟିକକ ପୋଛୁ ପୋଛୁ ସାନ ଝିଅ ଆଦ୍ୟାଶା କହିଲା,ପାପା, ତୁମେ କାନ୍ଦୁଛ ଯେ ? ବିକାଶ ବାବୁଙ୍କ ପାଟିରୁ ସ୍ୱତଃ ବାହାରି ଆସିଲା ମୋ ବାପାଙ୍କ କଥା ମନେ ପଡ଼ିଲା ତ?ପାପା,ତୁମେ ତୁମ ପାପାଙ୍କୁ କ'ଣ ମୋ ପରି ଭଲ ପାଅ?ହଁ ରେ କହି ବିକାଶ ବାବୁ ନିଜ ଝିଅକୁ କୋଳକୁ ଆଣି ସବୁ କିଛିକୁ ମନେ ପକେଇ ଚାଲିଲେ।ଆଉ ସବୁଠୁ ବେଶି ତା ବାପାଙ୍କୁ ଓ ମନେ ରଖିବା ପାଇଁ ତାଙ୍କଠୁ ରଖିଥିବା ସେଇ ଦୁର୍ଲଭ ଜିଣିଷଟିକୁ।

   ପୁରୀ ବଡ଼ଦାଣ୍ଡରେ ପହଞ୍ଚି ଜଗାଙ୍କୁ ହୃଦୟରୁ ପ୍ରଣାମ ଜଣାଇ ବିକାଶ ବାବୁ ଚାଲିଲେ ନୂତନ ଗୃହକୁ।ନୂଆ ଅଫିସରୁ ଆସିଥିବା କେତେକ କର୍ମଚାରୀଙ୍କ ସାହାଯ୍ୟ,ଅନୀମାର ସକ୍ରିୟତା ଓ ନିଜର ଉଦ୍ବେଗ ଭିତରେ ପ୍ରାୟ ସାମୟିକ ଜିନିଷ ସବୁ ସଜ୍ଜା ହୋଇଗଲା।ରାତି ପ୍ରାୟ ଏଗାରଟା।ହୋଟେଲରୁ ଅର୍ଡର ଦେଇ ମଗା ଯାଇଥିବା ଖାଦ୍ୟ ଖାଇ ସାରିଲା ପରେ ବିଶ୍ରାମ ପାଇଁ ସମସ୍ତେ ପ୍ରସ୍ତୁତ।ହେଲେ ବିକାଶ ବାବୁ ତରବର ହୋଇ ଦେଖୁଥାଆନ୍ତି ବହୁ ବର୍ଷରୁ ସାଇତା ତାଙ୍କର ଏକ ପୁରୁଣା ବାକ୍ସ।ବାକ୍ସଟିକୁ ଖୋଲି ତନ୍ନ ତନ୍ନ କରି ଖୋଜି ଚାଲିଲେ ବହୁ କାଳରୁ ସାଇତା ତାଙ୍କ ଅମୁଲ୍ୟ ଧନକୁ।ସେ ଜିନିଷଟିକୁ ନ ପାଇ ପାଗଳ ପରି ହେଉଥାନ୍ତି ବିକାଶ ବାବୁ।ଅନୀମାକୁ ବାରମ୍ବାର କହୁଥାନ୍ତି, କାହିଁ ମୋ ସାଇତା ଜିନିଷ ଅନୀମା ? କଣ କଲ? କାହିଁକି ଫିଙ୍ଗିଦେଲ?ମୋ ଛାତିରୁ କଳିଯାଟାକୁ କାହିଁକି କାଢି ନେଲ?କାହିଁକି ମୋତେ ନିଷ୍ପ୍ରାଣ କରିଦେଲ ଅନୀମା ?

   ପାଗଳ ପ୍ରାୟ ଚିତ୍କାର କରୁଥିବା ବିକାଶଙ୍କୁ ଦେଖି ଅନୀମା କହୁଥାଏ,ନାଁ ବିକାଶ...ମୁଁ କିଛି ଦରକାରୀ ଜିନିଷ ନଷ୍ଟ କରିନାହିଁ।କେବଳ ପୁରୁଣା ଛିଣ୍ଡା କିଛି ଜିନିଷ ମୁଁ ଫିଙ୍ଗି ଦେଇଛି।କ'ଣ ଖୋଜୁଛ କୁହନା ? 

   ତୁମେ କେଉଁଠି ଫିଙ୍ଗିଛ ମୋତେ କୁହ ? 

ଦେଖ ଆମେ ରହୁଥିବା କ୍ୱାର୍ଟର ର ପଛପଟ ଏକ କମ୍ପୋଷ୍ଟ ଗାଡ଼ିଆରେ ପକାଇ ଦେଇଛି,ଯାହା ଅଦରକାରୀ।

   ବିକାଶର ମୁଣ୍ଡରେ ବଜ୍ର ପଡିଲା ପରି ଲାଗିଲା।ତା ସାଇତା ଜିନିଷକୁ କାଲି ସକାଳୁ ମ୍ୟୁନିସିପାଲିଟି ମେହେନ୍ତର ନେଇ ପୋଡ଼ିଦେଵ,ନହେଲେ କେଉଁ ନର୍ଦ୍ଦମାରେ ଫିଙ୍ଗିଦେଵ।ସଂଗେ ସଂଗେ ଡ୍ରେସ ପିନ୍ଧି ବାହାରିଲେ,ଅନୀମାର ବାରଣ ସତ୍ତ୍ୱେ।ଯେଉଁ ଗାଡି ଆଣିଥିଲା ସେମାନଙ୍କୁ କେଉଁଝରରୁ ପୁରୀ, ସେଇ ଗାଡି ଡ୍ରାଇଭରକୁ  କଲ୍ କଲେ ସେ । ଆଉ ଅନୀମାକୁ କହିଲେ ଖୁବ୍ ଶୀଘ୍ର ବାହାରିବା ପାଇଁ।ଆଶ୍ଚର୍ଯ୍ୟ ଚକିତ। ଅନୀମା,ସାନଝିଅ ଆଦ୍ୟାଶା ସହ ଚାଲିଲେ ବିକାଶ ବାବୁ  ପୁନଶ୍ଚ ପୁରୁଣା ସ୍ମୃତି ବୋଳା ବିଦାୟୀ ଆବାସ ସ୍ଥାନକୁ।କି ଅଦ୍ଭୁତ ! ଏ ମଣିଷ,କି ଦୁର୍ଲ୍ଲଭ ସେ ଜିନିଷ,ଜାଣିବାରେ ତ କିଛି ଦାମିକା ଜିନିଷ ସେ ଫିଙ୍ଗିନାହିଁ।ଏପଟେ ବିକାଶ ବାବୁ ମନେ ପକାଇ ଧକ୍କେଇ କାନ୍ଦୁଥାନ୍ତି ସେଇ ଦୁର୍ଲଭ ଜିନିଷ ସହ ତାର ଶୈଶବ,କିଶୋର ଓ ଯୁବାବସ୍ଥା ଆଉ ତା ସହ ତା ବାପାଙ୍କ ଅନାବିଳ ସମ୍ପର୍କକୁ ଭାଳି ଭାଳି।

  ଚାହୁଁ ଚାହୁଁ ଗାଡି ପହଁଚିଲା ରକ୍ତ,ମାଂସ ସହ ମନ,ହୃଦୟ,ଆତ୍ମାର ସଂଗମ ଥିବା ପୁରୁଣା ବାସସ୍ଥାନ ନିକଟକୁ।"ଅନୀମା... କେଉଁଠି ତୁମେ ପକାଇଛ ସେ ଜିନିଷ ଦେଖାଅ" କହି ଟାଣି ଟାଣି ନେଇଗଲେ ଅନୀମାକୁ।ଅନୀମା ଦେଖାଇବା ଅଳିଆ ଗଦାକୁ ଭିଣି ଭିଣି ତନ୍ନ ତନ୍ନ କରି ଖୋଜି ଖୋଜି ଦ୍ୱିପ୍ରହର ରାତିକୁ ବିବ୍ରତ କରିଦେଲେ ବିକାଶ।ଶେଷରେ ପାଇଗଲି କହି ଉନ୍ମାଦ ପାଗଳ ପ୍ରାୟ ଦୌଡ଼ିଗଲେ ଏବଂ ଡିଆଁ ମାରି କହୁଥାନ୍ତି, ଅନୀମା...ମୁଁ ମୋ ମୂଲ୍ୟବାନ ଜିନିଷ ପାଇଗଲି।ଅନୀମା ଦେଖିଲା,ବିକାଶ ବାବୁଙ୍କ ହାତରେ ଏକ ପୁରୁଣା ଅଧା ଛିଣ୍ଡିଯାଇଥିବା ନାଲି ଗାମୁଛା।ଅନୀମା ବିକାଶ ବାବୁଙ୍କ ହାତରୁ ସେହି ପୁରୁଣା ଛିଣ୍ଡା ଗାମୁଛାକୁ ଛଡେଇ ଆଣି ଉଦ୍ଭଟ ପ୍ରାୟ ବିଦ୍ରୁପ ହସିଲା ଏବଂ କହିଲା ଛି ଛି ବିକାଶ ଘରେ ନୂଆ ଦାମୀ ଦାମୀ ଟର୍କିସ ଥାଉ ଥାଉ ତୁମେ ଏଇ ମଇଳା ପୁରୁଣା ଛିଣ୍ଡା ନାଲି ଗାମୁଛା ପାଇଁ ପାଗଳ ପ୍ରାୟ ରାତି ଅଧରେ ୪୦୦କିମି ବାଟ ଆସିଛ?ଯେଉଁ ଗାମୁଛା ଖଣ୍ଡକ ଚିରା,ପୁରୁଣା ଆଉ ଗାଡି ପୋଛିବା ପାଇଁ ବି ଦରକାର ହେବ ନି, ସେଥିପାଇଁ ଏତେ ବ୍ୟସ୍ତ ଏତେ ବିବ୍ରତ ? ସେ ଗାମୁଛାକୁ ମୁଁ ଆଜି ଫିଙ୍ଗି ଦେଉଛି କହି ଫିଙ୍ଗିଦେଲା ଏକ ନର୍ଦ୍ଦମାକୁ।ନିଜର ପ୍ରାଣ ସ୍ପନ୍ଦନ ଭରି ରହିଥିବା ଏଇ ଗାମୁଛାକୁ ଅସମ୍ମାନ କରିବାରୁ ବିକାଶ କ୍ରୋଧାନ୍ୱିତ ହୋଇ ଏକ ଶକ୍ତ ଚାପୁଡ଼ା କଷିଦେଲେ  ଅନୀମା ଗାଲରେ।ହେଲେ ଉତ୍କ୍ଷୀପ୍ତ ଅନୀମା ବହୁତ ତିରସ୍କାର କଲା ବିକାଶକୁ।ଯେଉଁ ବ୍ୟକ୍ତି ସାମାନ୍ୟ ଛିଣ୍ଡା ଗାମୁଛା ପାଇଁ ୪୦୦କିମି ରାତି ଅଧରେ ଆସେ,ସେଥିପାଇଁ ନିଜ ଧର୍ମ ପତ୍ନୀକୁ ମାଡ଼ ମାରେ,ସେ ଏକ ମସ୍ତବଡ଼ ବିକୃତ ମସ୍ତିଷ୍କ ସମ୍ପନ୍ନ ପାଗଳ,ମୂର୍ଖ,ଅଜ୍ଞାନ।ସେପରି ହୀନ ଛୋଟ ଲୋକଙ୍କ ପାଖରେ ମଣିଷ କେବେ ରହି ପାରେନା,ରାଗ ତମତମ ଗଳାରେ କହି ନିଜ ଝିଅଙ୍କୁ ନେଇ ଚାଲିଗଲା ବାପଘରକୁ।ଖାଲି ସେତିକି ନୁହଁ,ଚାରିଆଡେ ଅପ ପ୍ରଚାର କରିବାକୁ ବି ପଛେଇଲା ନାହିଁ କହି କହି, ଏକ ଛିଣ୍ଡା ଗାମୁଛା ପାଇଁ ତାକୁ ନିସ୍ତୁକ ମାଡ଼ ମାରିଲା,କେଡେ କୃପଣ ଲୋକ ସେ,କେଡେ ପାଗଳ ଟାଏ ଏ ଲୋକ,ଯିଏ ୫/୧୦ ଟଙ୍କା ଦାମ ନ ଥିବା ଜିନିଷ ପାଇଁ ପୁରୀରୁ କେନ୍ଦୁଝର କାର ଭଡା ଦେଇ ଆସେ।ଅନୀମାର ବାପା ମାଆ ଝିଅର କାନ୍ଦ ମିଶା କଅଳ କଥାରେ ମଜ୍ଜି କହୁଥାନ୍ତି, ଚାହିଁଥିଲେ ୫/୧୦ଟି ଟର୍କିସ ଦେଇ ଥାଆନ୍ତୁ ହେଲେ ସେ ସାମାନ୍ୟ ଛିଣ୍ଡା ପୁରୁଣା ଗାମୁଛା ପାଇଁ ଆମ ଝିଅକୁ ମାଡ଼ ମାରିଲା।ସାଧାରଣ ଲୋକ ଯିଏ ବି ଶୁଣିଲେ କହୁଥାନ୍ତି,ଛି ଛି ବିକାଶଟା କି ପାଠ ପଢ଼ିଥିଲା,ଗଜ ମୂର୍ଖଟାଏ,ଗାମୁଛାଟେ ପାଇଁ ନିଜ ସ୍ତ୍ରୀକୁ ମାରିଲା ???

  ନିଜ ସ୍ତ୍ରୀ ନିଜ ପାଖରୁ ଚାଲିଗଲେ ବି ଅମୁଲ୍ୟ ସାଇତା ଧନକୁ ପାଇ ଖୁସିରେ ଏକାକୀ ନିଃସଙ୍ଗ ଜୀବନ କଟାଇଲେ ବିକାଶ ବାବୁ।ଦୁଃଖ ଏତିକି ଥିଲା ଅନୀମାଟା ଉଚ୍ଚ ଶିକ୍ଷିତା ହୋଇ  ମୂଲ୍ୟ ଓ ମୂଲ୍ୟବୋଧ କ'ଣ ବୁଝିପାରିଲା ନାହିଁ।ପୁଣି ତା ସହ ଦୀର୍ଘ ପନ୍ଦର ବର୍ଷ ରହିଲା ପରେ ବି ଭଲ ମନ୍ଦ,ଉଚିତ୍ ଅନୁଚିତ,ଭୁଲ ଠିକ୍ ବୁଝି ନ ପାରି, ନିଜ ଦୋଷକୁ ନ ଚିହ୍ନି ତାଙ୍କୁ ଦୋଷ ଦେଲା।

  ଏପଟେ ଅନୀମା ତାର ବାପା,ମାଆ,ବନ୍ଧୁ ବାନ୍ଧବ,ସାହି ପଡ଼ିଶାଙ୍କ ପ୍ରରୋଚନାରେ ପଡି ବିକାଶ ବିରୁଦ୍ଧରେ ଆଇନ ର ଆଶ୍ରୟ ନେଲା।ବିଚରା ବିକାଶ ବିରୁଦ୍ଧରେ ହେଲା ବଧୁ ନିର୍ଯ୍ୟାତନା ମୋକଦ୍ଦମା।ଚାଲିଲା ବିଚାର।

      ସେଦିନ ଉଭୟ ପକ୍ଷର ଲୋକେ ଉପସ୍ଥିତ କୋର୍ଟରେ।ସମସ୍ତେ ଉତ୍କଣ୍ଠିତ ଉଦ୍ବେଗରେ ଚାତକ ପରି ଚାହିଁ ରହିଛନ୍ତି ବିଚାର ଓ ଫଇସଲା।ବିଚରା ବିକାଶ ଭୁଲ କରି ଆଜି କି ଦଣ୍ଡ ପାଇବ ଜାଣିବାକୁ ସମସ୍ତେ ଉତ୍ସୁକ।କାଠଗଡାକୁ ଡାକି ବିକାଶକୁ ଜେରା କରୁଥାନ୍ତି ଓକିଲ ମହାଶୟ।ଅନୀମା କାନ୍ଦି କାନ୍ଦି ଜଣାଉଥାନ୍ତି ତାଙ୍କ ଉପରେ ହୋଇଥିବା ଅନ୍ୟାୟ ଓ ଶାରୀରିକ ନିର୍ଯ୍ୟାତନା।

  ବିଚାରପତି ରାୟ ଶୁଣାଇବା ପୂର୍ବରୁ ବିକାଶକୁ ଶେଷ ପ୍ରଶ୍ନ ଥିଲା---
   "ଆପଣ ଜଣେ ଶିକ୍ଷିତ ବିଚାରବନ୍ତ ମଣିଷ ହୋଇ ସାମାନ୍ୟ ଛିଣ୍ଡା ଗାମୁଛା ପାଇଁ ନିଜ ସହଧର୍ମିଣୀଙ୍କୁ ମାରି ପାରିଲେ ? କାହିଁକି ଏମିତି କଲେ?ଚାହିଁଥଲେ ତା ବଦଳରେ ଅନୀମା ଆପଣଙ୍କୁ ୫ଖଣ୍ଡ ଦାମୀ ଟର୍କିଶ ଦେଇପାରିଥାନ୍ତେ...ହେଲେ ଆପଣ ଏମିତି କାହିଁକି କଲେ?ଏ ଗାମୁଛାର ରହସ୍ୟ କଣ ? କହିବେ କି ?"

     ଆଖିରୁ ଧାର ଧାର ଲୁହ ବହି ଯାଉଥାଏ ବିକାଶର।ସେଦିନ ଉତ୍କଳ ୟୁନିଭର୍ସିଟିର ଗୋଲ୍ଡ଼ ମେଡାଲିଷ୍ଟ ବିକାଶକୁ ପ୍ରଶ୍ନ ପଚାରିବା ତ ଦୂରର କଥା ପଦେ କଥା ହେବାକୁ କେହି ସାହସ କରନ୍ତି ନାହିଁ,କିନ୍ତୁ ଆଜି କାଠଗଡା ବି ତାଙ୍କୁ ଦେଖି ହସୁଛି।ସଂସ୍କାର ସଂସ୍କୃତିର ପୂଜାରୀ ବିକାଶ ସ୍ମୃତିର ଆଲବମ ଖୋଲି ସ୍ମରଣ କଲା ପୁରୁଣା ଦିନର ଅନୁଭୂତିକୁ।ଆଉ ବଖାଣିଲା ତା ଗାମୁଛାର କାହାଣୀ।

     ସମସ୍ତଙ୍କୁ ମଥାପାତି ସଂଭ୍ରମେ ପ୍ରଣାମ ଜଣାଇ ଆରମ୍ଭ କଲା ତା ଉତ୍ତର।ଆଜ୍ଞା ,ଏ ଗାମୁଛା ହୋଇପାରେ କାହା ପାଇଁ ସାଧାରଣ ଛିଣ୍ଡା କନା ଖଣ୍ଡେ, ହେଲେ ମୋ ପାଇଁ  ସେ ମୋ ଜୀବନ୍ତ ଭାଗବାନର ପାଦୁକା।ଛୋଟଟିଏ ହୋଇଥିଲି,ନାକରୁ ସିଙ୍ଘାଣୀ ଟିକେ ବୋହିଗଲେ,ମୋ ବାପା ସେ ଗାମୁଛାରେ ଆଦରରେ ପୋଛି ପକାନ୍ତି।ପଡ଼ିଆରେ ଧୂଳି ଧୁସରିଆ ହୋଇ ଗଡି ଗଡି ଆସିଲାବେଳେ ମୋ ବାପା ଅଣ୍ଟାରୁ ଗାମୁଛାଟିକୁ ଖୋଲି କେଡେ ସରାଗରେ ଝାଡ଼ି ଦିଅନ୍ତି।ଶୀତ ଦିନେ ପଇସା ଅଭାବରୁ ଚଦରଟିଏ ନ ଥିଲା,ସକାଳୁ ଥୁରୁ ଥୁରୁ ହୋଇ ବସିଲା ବେଳେ ମୋ  ବାପା ମାଆ କୁ କୁହନ୍ତି, ନେ ଏ ଗାମୁଛା ଟା, ତାକୁ ଘୋଡେ଼ଇ ଦେ। ଧନୀ ପିଲାମାନେ କେତେ ଦରବ ଖାଇଲା ବେଳେ, ମୋ ବାପା ମୋ ବେକରେ  ଗାମୁଛାଟିର ଗୋଟିଏ ପଟ ଗୁଡେଇ  ଦେଇ ଅନ୍ୟ ପଟରେ ଗାମୁଛା ଭିତରେ ମୁଢି ଗଣ୍ଡେ ଦେଇ ଖୁସିରେ କୁହନ୍ତି, ଖାଆରେ ବାପା ଖାଆ।କି ମଜା ଲାଗେ ସେ ଗାମୁଛା ଭିତରର ମୁଢି।ଯାତ୍ରା ଦେଖିସାରି ସେଇମିତି କରିବା ପାଇଁ କାନ୍ଦିଲା ବେଳେ ମୋ ବାପା ସେଥିରେ କରିଦିଅନ୍ତି ପଗଡ଼ି,ରାଜା ଉତ୍ତରୀ କେତେ କ'ଣ।କେତେବେଳେ ବି ପାଲା ଗାହାଣର ଚାମର। ଖରାଦିନେ ପଙ୍ଖାଟିଏ ବି ନ ଥିଲା।ରାତିରେ ଗରମ ହେଲେ ଅସହ୍ୟ ହୋଇପଡେ।ବାପା ସାଙ୍ଗରେ ଯାଏ ନଦୀକୂଳକୁ।ନଦୀବାଲିରେ ବିଛାଇ ଦିଅନ୍ତି ସେଇ ଗାମୁଛା।ତା ଉପରେ ଆନନ୍ଦରେ ମୁଁ ଶୋଇଯାଏ।ବର୍ଷାରେ ଝିଜି ଆସିଲା ପରେ ସେଇ ଗାମୁଛାରେ ପୋଛି ଦେଇ କୁହନ୍ତି,ଧନଟାକୁ ଥଣ୍ଡା ହୋଇଯିବ ଯେ? ଗାଧୋଇ ସାରିଲା ପରେ ସେଇ ନାଲି ଗାମୁଛାଟେ ପିନ୍ଧି କଛାଟିଏ ମାରି ଯେତେବେଳେ ଠାକୁରଙ୍କୁ ଡାକେ କି ସୁନ୍ଦର ଆତ୍ମତୃପ୍ତି ଲାଗେ?ସେଇ ଗାମୁଛାକୁ ମୁଣ୍ଡଳୀ କରି ମୁଣ୍ଡ ତଳକୁ ଗୋଡ଼ ଉପର କରି ଯେଉଁ ଶୀର୍ଷାସନ କରେ ପରୋକ୍ଷରେ ଦେହ ପାଇଁ କେତେ ଉପକାର ନ ମିଳେ ! ହାଇସ୍କୁଲ ପରୀକ୍ଷା ଦେଇ ଫେରିଲା ବେଳେ ଖରା ରେ ଦେହରୁ ଗମ୍ ଗମ୍ ଝାଳ ବାହାରୁଥାଏ, ମୋ ଶୁଖିଲା ମୁହଁ ଦେଖି ବାପା କାଂଧରୁ ଗାମୁଛା ଖୋଲି ପୋଛି ଦିଅନ୍ତି,ମୋତେ ପରମ ତୃପ୍ତି ଲାଭ କଲା ପରି ଲାଗେ। ପିଳାଦିନରେ ବାଗୁଡି ଖେଳିଲା ବେଳେ ଯଦି ହାରିଯାଇ କାନ୍ଦେ,ମୋ ବାପା କୁହନ୍ତି କାଲି ଖେଳିବା ପୂର୍ବରୁ ମୋତେ ଦେଖାକରି ଯିବୁ,ସେ ମୋ ଅଣ୍ଟାରେ ଜୋର କରି ସେଇ ଗାମୁଛା ଭିଡି ଦିଅନ୍ତି,ମୁଁ ବି ବାଜିମାତ ମାରେ।ନୂଆ କରି ଅଫିସରେ ଜ ଏ ନ କରି ଫେରିଥାଏ।ସେଦିନ ରାତିରେ ଭୀଷଣ ଜ୍ଜ୍ଵର।ମେଡ଼ିସିନ ଖାଇଲେ ବି ତାତି କମୁ ନ ଥାଏ।କାଳେ ମୁଣ୍ଡରେ ଅଧିକ ଜ୍ଜ୍ଵର ରହିଲେ କମିବନି,ତେଣୁ ଗାମୁଛା ଭିଯାଇ ମୋ ମୁଣ୍ଡରେ ବାରମ୍ବାର ଦେଉଥାନ୍ତି।ଗାମୁଛା ଭିଜେଇ ଦେହ ପୋଛିବାରୁ ଜ୍ଜ୍ଵର ଓହ୍ଲାଇ ଯାଇଥିଲା।ମୁଁ ଦେଖିଛି କି ବର୍ଷା,ଖରା,ଶୀତ କାକର,ଏଇ ଗାମୁଛାଟିକୁ କେତେବେଳେ ମୁଣ୍ଡରେ,କେତେବେଳେ ଅଣ୍ଟାରେ କେବେ କାନ୍ଧରେ ତ କେବେ ପୋଷାକ କରି ପିନ୍ଧି ଘୋଡେଇ ମୋ ବାପା ହାଡ଼ଭଙ୍ଗା ପରିଶ୍ରମ କରି ଆମକୁ ଖୁସି ଦେଇଛନ୍ତି,ତାହା ମୋ ପାଇଁ କଣ ସାମାନ୍ୟ?।ଆପଣମାନେ କୁହନ୍ତୁ,ମୋ ବାପାଙ୍କ ସ୍ମୃତି ଭରା ଗାମୁଛା କ'ଣ ମୋ ପାଇଁ ସାଧାରଣ? ଏହାର ମୂଲ୍ୟ  କଣ କେହି ଦେଇପାରେ?ଯାହାର ବାପା ମାଆମାନେ ପିଲାଙ୍କ କଥା ଚାକର ଚାକରାଣୀ ଦ୍ୱାରା ବୁଝନ୍ତି,ସେମାନେ କଣ ଗାମୁଛା ର ମହତ୍ତ୍ୱ ବୁଝିପାରିବେ?ଆପଣ କୁହନ୍ତୁ ଜଜ୍ ସାହେବ ସେ ଗାମୁଚାର ସ୍ମୃତି ଆଜି ମୋ ପାଇଁ କଣ ଜାତୀୟ ପତାକା ପରି ମୂଲ୍ୟବାନ  ନୁହେଁ କି ? ସେ ଗାମୁଛା ମୋ ପାଇଁ ଯାଦୁକାରୀ ବସ୍ତ୍ର କି ନୁହଁ?ତାକୁ ଅସମ୍ମାନ କରିବା ଲୋକଙ୍କୁ ମୁଁ ଆବେଗର ମାଡ଼ ମାରି କିଛି ଭୁଲ କଲି।ତାକୁ ଅବମାନନା କି ଉପହାସ ମୋ ବାପାଙ୍କୁ ଅଟ୍ଟାହାସ୍ୟ କି ନାଁ?ମୋ ବାପା ପରା ମୋ ପାଇଁ ସ୍ୱର୍ଗ,ମୋ ପରମ ଧର୍ମ ! ତାଙ୍କ ମର୍ଯ୍ୟାଦା ଯିଏ ନଷ୍ଟ କରେ ତାକୁ କଣ କରାଯାଇପାରେ।ଅବଶ୍ୟ ମୁଁ ଶିକ୍ଷିତ ହୋଇ ମୋ ପତ୍ନୀଙ୍କ ଉପରକୁ ହାତ ଉଠାଇବା ଠିକ୍ ନୁହଁ,କିନ୍ତୁ ଯେଉଁ ନାରୀ ପିତା ସମାନ ଶ୍ୱଶୁରଙ୍କୁ ଅସମ୍ମାନ କରେ,ନିଜ ସ୍ୱାମୀ ସହ ଦୀର୍ଘ ଏତେ ଦିନ ସମ୍ପର୍କ ଗଢିଲା ପରେ ବୁଝି ନ ପାରି ତାଙ୍କୁ ଭୁଲ ବୁଝେ,ଅସମ୍ନାନ ତିରସ୍କାର କରେ, ସେ ସ୍ଥଳେ ତା ପରି ନିଜ ଲୋକଙ୍କୁ ଅଭିମାନରେ ଆଘାତ ଦେଇ ଠିକ୍ ବାଟ ଦେଖାଇବାକୁ ପ୍ରବର୍ତ୍ତାଇବା କଣ ଦୋଷ?ଯଦି ମୁଁ ଭୁଲ କରିଥାଏ ଆପଣ ମୋତେ ଦଣ୍ଡ ଦିଅନ୍ତୁ,ମୁଁ ମଥାପାତି ଗ୍ରହଣ କରିବି।

  କୋର୍ଟ ନୀରବ,ନିଃସ୍ତବ୍ଧ ।ସଭିଙ୍କ ମୁଖରୁ ବାହାରୁଥାଏ ଗୋଟିଏ କଥା,ସତରେ ବିକାଶଟା ସୁନା ମୁଣ୍ଡା।ସେ କଣ ଭୁଲ କରିପାରେ ?ଯାହା କରିଛି ସବୁ ଠିକ୍ କରିଛି।ବିଚାରପତି ଅନୀମାଙ୍କ ଆଡ଼କୁ ଆଖି ବୁଲେଇବାରୁ ଅନୀମା ଆଖିରୁ ବୋହି ଯାଉଥାଏ କେଇଟୋପା ଅଶ୍ରୁଧାର।ଲାଜରେ ଅବାକ ପ୍ରାୟ ଚାହିଁ ରହିଥାଏ ନିଜ ଗୁଣବାନ ପତି ବିକାଶଙ୍କୁ।ଧୀର ନମ୍ର କଣ୍ଠରୁ ଭାସିଆସିଲା ଏକ ଅମୃତବାଣୀ, ,"ମୋତେ କ୍ଷମା କରିଦିଅ ବିକାଶ।"
    
   କୋର୍ଟ ସରିଗଲା, ହେଲେ ବିକାଶ ଓ ଅନୀମାଙ୍କ ଅସଲ କୋର୍ଟଟା ସତେ ଯେମିତି ଆଖିରୁ ଦୁଇ ଟୋପା ଲୁହ ଝରାଇ ଚାହିଁ ରହିଥାଏ ସେଇ ଗାମୁଛାକୁ,ଗାମୁଛା ସହ ଲୁଚିଥିବା ବିକାଶର ପିତାଙ୍କ ସ୍ମୃତିକୁ।ଅନୀମା ହାତ ବଢ଼େଇ କ'ଣ ଗୋଟେ ମାଗୁଥିଲା।ବିକାଶ ଲୁଚେଇ ଥିର୍ କିନା ବଢ଼େଇ ଦେଲା ସରାଗରେ।ତାକୁ ଗାଲରେ... ମୁଣ୍ଡରେ... ଦେହରେ.. ବାରମ୍ବାର ଲଗେଇ ଗେହ୍ଲ କରି ପ୍ରଣାମ ଜଣାଇ କହିଲା,ଏଇ କଣ ବାପାଙ୍କର ସରାଗର "ସେଇ ଗାମୁଛା।"କେବଳ ମୁଣ୍ଡ ଟୁଙ୍ଗାରି ବିକାଶ ଜଣାଇଲା ଉତ୍ଫୁଲ୍ଲିତ ସମ୍ମତି--ହଁ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments