Ad

header ads

ପ୍ରବନ୍ଧ - ସର୍ବେ ହୋଇବେ ଏକ ମୁଖ - ରବିନ ଖଣ୍ଡାୟତରାୟ


ବିଜ୍ଞାନର ଅବଦାନ ଆଜି ଆମ ଜୀବନକୁ ସହଜ, ସରଳ ତଥା ସୁଗମ କରିଦେଇଛି । କିନ୍ତୁ ଏହିପରି ସୁଯୋଗର ଉପଯୋଗ ହେବା ବଦଳରେ ଦୁରୁପଯୋଗ ହେଲେ, ତାହା ପରବର୍ତ୍ତୀ ସମୟରେ ଅଭାବର ଜନନୀ ଭାବରେ ଉଭା ହୋଇ ସଙ୍କଟକୁ ଆମନ୍ତ୍ରଣ କରିଥାଏ । ପ୍ରକୃତିର ନିୟମ ହେଉଛି, ଆବଶ୍ୟକ ଅନୁସାରେ ବସ୍ତୁର ଉପଯୋଗ କରିବା ଦ୍ୱାରା ଭବିଷ୍ୟତରେ ତା'ର ଅଭାବ ପରିଲକ୍ଷିତ ହୁଏନାହିଁ । ହେଲେ ଦୁନିଆର ଏହି ନିୟମକୁ ଲଙ୍ଘନ କରି ମଣିଷ ଆଜି ନିଜପାଇଁ ସମସ୍ୟା ସୃଷ୍ଟିକରୁଛି । ଆଧୁନିକ ମଣିଷର ସୁଖ ସ୍ୱାଚ୍ଛନ୍ଦ୍ୟମୟ ଜୀବନଚର୍ଯ୍ୟା ପାଇଁ ଯନ୍ତ୍ରର ଅବଦାନ ଅତୁଳନୀୟ । ଯାହାପାଇଁ ସେ ସୀମିତ ସମୟ ଭିତରେ ଅନେକ କଷ୍ଟକର କାର୍ଯ୍ୟକୁ ଅତି ସହଜରେ କରିଦେଇଥାଏ । କିନ୍ତୁ ସେ ବ୍ୟବହାରର ବହୁଳତା ଯେତେବେଳେ ନିର୍ଦ୍ଦିଷ୍ଟ ସୀମା ଡେଇଁ ଯାଏ, ତାହା ଆମଆଗରେ ସମସ୍ୟା ଭାବରେ ଉଭା ହୋଇଥାଏ । ସେମିତି କେତେଗୁଡ଼ିଏ ଯନ୍ତ୍ର ଉପରେ ଆଜିର ମଣିଷ ଅତିମାତ୍ରାରେ ନିର୍ଭର କରି ନିଜର ସୃଜନଶୀଳତାକୁ ହରାଇ ବସିଲାଣି ତଥାପି ଚିନ୍ତା ନାହିଁ । ଆଉ ନିଜର ବୁଦ୍ଧି, ବିବେକ, ବିଚାର ତଥା ଜ୍ଞାନକୁ ବିକିଦେଇ ଏକ ପ୍ରକାରର ଆତ୍ମସମର୍ପଣ କରିଦେଲାଣି ତଥାପି ଅବସୋସ ନାହିଁ ! ସେମିତି ଯନ୍ତ୍ରମାନଙ୍କର ସଂଖ୍ୟା ଅନେକ, କିନ୍ତୁ ଏଠାରେ କେବଳ ମୋବାଇଲ୍ ଫୋନର କଥା ଆଲୋଚନା କରାଯାଇଅଛି, ଯାହାର ମାତ୍ରାଧିକ ବ୍ୟବହାର ଆମପାଇଁ କାଳ ହୋଇଛି । ନିଶ୍ଚିତ ଭାବରେ ଏହାର ଉପକାରିତା ଅନେକ କିନ୍ତୁ ଅପକାରିତା ଯାହା ରହିଛି ତାକୁ ଅଣଦେଖା କରିବା ଉଚିତ୍ ନୁହେଁ ।

ଆଜି ଯାହାକୁ ଦେଖ, ଯେତେବେଳେ ଦେଖ ଟିକିଏ ଫୁରସତ୍ ପାଇବା କ୍ଷଣି ସମସ୍ତେ ଏକମୁଖ ହୋଇ ଯାହାଆଡ଼କୁ ଚାହିଁ କିଛି ଦେଖୁଥାଆନ୍ତଆଉ ଟିପ ଚଳେଇ କ'ଣ ଖୋଜୁଥାଆନ୍ତି ସେ ହେଲା ଆମ ମୋବାଇଲ୍ ଫୋନ୍ । ଗରାଖ ନଥିବାବେଳେ ବ୍ୟବସାୟୀ, ରୋଗୀ ନଥିବାବେଳେ ଡାକ୍ତର ଅଥବା କ୍ଳାସ୍ ନଥିବାବେଳେ ଶିକ୍ଷକ ସମସ୍ତଙ୍କର ସମୟ ତା'ପଛରେ ପଡ଼ି ଗଡ଼ିଯାଉଛି । ଏବେ ଏହି ଯନ୍ତ୍ରଟିର ମୌଳିକ ଲକ୍ଷ୍ୟ ଦରକାରୀ କଥା ହେବାପାଇଁ କମ୍ ବ୍ୟବହାର ହେଉଥିବା ବେଳେ ମନୋରଂଜନ ତଥା ମାତ୍ରାଧିକ କଥା ଗପସପରେ ଅନେକ ସମୟ ଅଯଥାରେ ଯାଉଛି । ବେଳେବେଳେ ବହୁ ବିଚିତ୍ରଧରଣର, ବିଭ୍ରାନ୍ତିକର ତଥା କପୋଳକଳ୍ପିତ ଖବରମାନ ଜନମାନସକୁ ବିଭ୍ରାନ୍ତି କରିବାର ଦେଖାଯାଇଛି । ଏପରିକି ତୁଣ୍ଡବାଇଦ ସହସ୍ରକୋଷ ବ୍ୟାପିଲା ପରି ଅନେକ ସମୟରେ କିଛି ଅସତ୍ୟ ସୂଚନା କେଉଁ ଏକ ଅଜଣା ଉତ୍ସରୁ ଉତ୍ପତ୍ତି ହୋଇ ଯୋଗାଯୋଗର ଏହି ଜାଲ ମାଧ୍ୟମରେ ଦ୍ରୁତଗତିରେ ଚର୍ତୁଦିଗକୁ ବ୍ୟାପି ଯାଇଥାଏ । ସେହିପରି ସକାଳୁ ଶୁଭ ସକାଳ, ରାତିରେ ଶୁଭ ରାତ୍ରି ଆଉ ବାର ଅନୁସାରେ ଦେବୀଦେବତାଙ୍କ ଫଟୋ ପଠାଇବାରେ ଅନେକଙ୍କର ବହୁ ସମୟ ଅତିବାହିତ ହୋଇ ଯାଇଥାଏ । ଅନ୍ୟପକ୍ଷରେ ଏହା ମାଧ୍ୟମରେ ମଧ୍ୟ ଅନେକ ବହୁମୂଲ୍ୟ ଉପଦେଶ, ମହତ ବିଚାର ତଥା ପ୍ରେରଣା ପ୍ରଦାୟକ ସୂଚନା ମାନ ଆମ ନିକଟରେ ପହଂଚିଥାଏ, ଜୀବନକୁ ପରିବର୍ତ୍ତନ କରିଦେବାରେ ଯାହାର ଉପଯୋଗିତାକୁ ଅସ୍ୱୀକାର କରିହେବ ନାହିଁ । କିନ୍ତୁ ସେହି ମୂଲ୍ୟବାନ ଉପଦେଶ ମାନ କେବଳ ମୋବାଇଲ୍ ଫୋନରେ ରହିଲେ ନୁହେଁ ବରଂ ତାହା ହୃଦୟକୁ ପ୍ରବେଶ କଲେ ଯାଇ ଜୀବନ ସଫଳ ହୋଇଥାଏ । ଯେପରି ଔଷଧ ପ୍ୟାକେଟରେ ଥିବା ବେଳେ ନୁହେଁ ବରଂ ତାହା ଶରୀରକୁ ପ୍ରବେଶ କଲେ ଯାଇ କାମ କରିଥାଏ ।

ଆମ ସମୟ ଆଜି ବନ୍ଧାପଡ଼ିଛି ସେହି ସ୍ମାର୍ଟ ଫୋନ୍ ପାଖରେ । ପାଖର ମଣିଷକୁ ପାଟିରେ ନ ଡାକି କି ତାଙ୍କ ସହିତ ମୁହାଁମୁହିଁ ଦି'ପଦ କଥାହେବାକୁ ସମୟ ଦେଇନପାରି ଯଦି ହ୍ୱାଟସଆପରେ ମେସେଜ କରି ଡକାଯାଏ, ତେବେ ପାରିବାରିକ ସମ୍ପର୍କ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାକୁ ଆଉ ବେଶୀ ସମୟ ଲାଗିବ ନାହିଁ । ଯୋଗାଯୋଗ କ୍ଷେତ୍ରର ଏହିପରି ଦ୍ରୁତ ପ୍ରଗତି ଯଦି ଆମ ସାମାଜିକ ସମ୍ପର୍କକୁ ରସାତଳଗାମୀ କରିଦିଏ ତେବେ ଏମିତି ସମୟ ଆସିବ ଯେତେବେଳେ କି  ବିପଦ ଆପଦ ସମୟରେ ମଧ୍ୟ ଜଣେ ଜଣଙ୍କ ପାଖରେ ଉପସ୍ଥିତ ହେବାକୁ କୁଣ୍ଠାବୋଧ କରିବ । ଯେଉଁ ଯନ୍ତ୍ରର ଦାସ ହୋଇ ଆମେ ଆଜି ରୋଗଗ୍ରସ୍ତ ଆଉ ଆମର ସାମାଜିକ ବିଧି ବ୍ୟବସ୍ଥା ବିପର୍ଯ୍ୟସ୍ତ, ସେହି ଧାରାରେ ଆଗକୁ ପରିବର୍ତ୍ତନ ନହେଲେ ପରିଣତି ଭୟାନକ ହେବ । ଯେଉଁମାନେ ନିଜର କର୍ମ କୁଶଳତା ତଥା ପାରିଲାପଣକୁ ବ୍ୟବହାରନକରି ବିଚାରଧାରାକୁ ସ୍ଥାଣୁ ବନେଇ ସବୁକଥା ପାଇଁ ଯନ୍ତ୍ରଉପରେ ନିର୍ଭରଶୀଳ ହେଉଛନ୍ତି, ତାହାର କୁପରିଣାମ କଥା ଚିନ୍ତା କରିବା ଉଚିତ୍ । ଆଜିକାଲି ଦେଖାଯାଉଛି କେହି ଅତିଥି ମୋବାଇଲ୍ ଫୋନକୁ ଦେଖି ସଭାରେ ଭାଷଣ ଦେଉଛନ୍ତି ତ ପୁଣି ଅତ୍ୟାଧୁନିକ ନନା ଯଜ୍ଞରେ ବେଦମନ୍ତ୍ର ପଢ଼ୁଛନ୍ତି । ଆହୁରି ଖୋଲା ପଡ଼ିଆର ଯାତ୍ରା ଆଉ ଥିଏଟରର ମଜା ବଦଳରେ କେଉଁ ଏକ ଅନ୍ଧାରି ଗମ୍ଭୀରି ଘରର ନିଭୃତକୋଣରେ ଆଖିକୁ କଷ୍ଟ ଆଉ ବେକକୁ ପୀଡ଼ା ଦେଇ ଆମେ ମନୋରଂଜନର ଖୋରାକ୍ ଖୋଜୁଛୁ ଆମ ମୋବାଇଲ୍ ଫୋନ୍ ଭିତରେ । ମୋବାଇଲ୍ରେ ସେଲ୍ଫି ଉଠାଇବା ମାନିଆ ତ କିଛି ଲୋକଙ୍କର ଜୀବନ ନେବାର କାରଣ ପାଲଟିଛି । ନିଜକୁ ଫ୍ରେମ୍ ବନ୍ଦି କରି ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିବାର ସେ ଅଜବ ନିଶା ଏମାନଙ୍କ ପକ୍ଷରେ ଏତେ ମୂଲ୍ୟବାନ୍ ହୋଇଯାଉଛି ଯାହା ତୁଳନାରେ ନିଜ ଜୀବନର ମୂଲ୍ୟ କିଛି ରହୁନାହିଁ । ଥରେ ବୁଝିବାକୁ ଚେଷ୍ଟାକରନ୍ତୁ ଜୀବନ ଥିଲେ ଅନେକ ଫଟୋ ଉଠାଇ ହେବ, ମାତ୍ର ଥରେ ଫଟୋ ହୋଇଗଲେ ଆଉ ଜୀବନ କୋଉଠୁ ଆସିବ?

ସ୍ମାର୍ଟ ଫୋନ୍ ଆହୁରି ଆମ ଜୀବନକୁ ଦଖଲ କରିନେଇଛି ଅତି ସ୍ମାର୍ଟ ଢ଼ଙ୍ଗରେ । ମୁଁ କେତେ  ଭଲ, ମୋ ମୁହଁ କେତେ ସୁନ୍ଦର ତାକୁ ଦୁନିଆକୁ ଜଣାଇବାର ଅଜବ ଭାବପ୍ରବଣତା ସେ ଆମକୁ ଶିଖେଇଛି । ଯେଉଁଠିକି ଗଲେ ନିଜେ ଦେଖିବା ବଦଳରେ ଅନ୍ୟକୁ ଦେଖାଇବାକୁ ଆଗେ ଫଟୋ ଉଠାଇଲେ । ଏପରିକି ଦେବୀଦେବତାଙ୍କ ସହିତ ନିଜ ଛବିକୁ ଦୁନିଆକୁ ଦେଖାଇବାକୁ ଯାଇ ଆମେ ତାଙ୍କ ଆଗରେ ଠିଆ ହୋଇ ଫଟୋ ଉଠାଇଲେ ଆଉ ସମସ୍ତଙ୍କୁ ପଠାଇଲେ । ନିଜେ ଦ୍ରଷ୍ଟାଭାବରେ କିଛି ଦେଖିବାର କିଛି ଶିଖିବାର ଅବକାଶ ବଦଳରେ ଓଲଟି ନିଜକୁ ଦୃଶ୍ୟଭାବେ ଉପସ୍ଥାପିତ କରି ଅନ୍ୟକୁ ଦେଖାଇବାର ଆଗ୍ରହ ବେଶି ରଖିଲେ । ଫଳରେ ଅନ୍ତଃକରଣର ବିକାଶ ହେବା ପରିବର୍ତ୍ତେ ତାହା ବେଳକୁ ବେଳ ମାନସିକ ଅବସାଦ ଦିଗକୁ ଗତି କରିବାରେ ଲାଗିଥାଏ । ସେହିପରି ଆଜିକାଲିର ସ୍ମାର୍ଟ ମାଆମାନେ ସେମାନଙ୍କର ସ୍ମାର୍ଟ ଫୋନକୁ ଏକ ସ୍ମାର୍ଟ କାମରେ ଲଗାଇ ବେଶ୍ ଆଶ୍ୱସ୍ତି ବୋଧ କରୁଛନ୍ତି । ଛୋଟପିଲା ନଖାଇଲେ କାଟୁନ୍ ଦେଖି ଖୁଆଉଛନ୍ତି, କାନ୍ଦିଲେ ଗେମ୍ ଲଗେଇ ତାକୁ ଧରେଇଦେଉଛନ୍ତି ! ଯାହାଦ୍ୱାରା ସେମାନଙ୍କ ସମସ୍ୟା ଅଧେମାତ୍ରାରେ ସମାଧାନ ହୋଇପାରୁଛି ବୋଲି ଭାବୁଛନ୍ତି । କିନ୍ତୁ ଏହାଦ୍ୱାରା ସେ ଯେ ନିଜ ପିଲାଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ତାହା ଏବେ ବୋଧ ହୁଏ ସେମାନେ ବୁଝି ପାରୁନାହାଁନ୍ତି ? ସେମାନେ ବୁଝିବା କଥା କି ଏହି ବୟସରୁ ଗୋଟିଏ ଯନ୍ତ୍ର ପ୍ରତି ଆସକ୍ତି ବଢ଼ିବା ଦ୍ୱାରା ଭବିଷ୍ୟତରେ ସେ ପିଲାଟିର ପରିବାର ତଥା ମାଆବାପାଙ୍କ ସହିତ ଭାବଗତ ସମ୍ପର୍କ ସୁଦୃଢ଼ ନହୋଇ ବରଂ ଦୁର୍ବଳ ହେବ । କାରଣ ପ୍ରକୃତିର ନୀୟମ ହେଉଛି, ଗୋଟିଏ ପ୍ରତି ଆକର୍ଷଣ ଅନ୍ୟପ୍ରତି ବିକର୍ଷଣର କାରଣ ହୋଇଥାଏ ।  ଆହୁରି ଦେଖାଯାଇଛି ଯେଉଁଠାରେ ଏହିପରି ଭାବନା ଜଗତ ସହିତ ବାସ୍ତବ ସଂଘାତ ହୋଇଛି, ସେଠାରେ ହିଁ ଦେଖାଯାଇଛି ଅବସାଦ, ହତାଶା, ଅସୁସ୍ଥତା । ଦୁର୍ବଳତା ହିଁ ସବୁ ଦୁଃଖର କାରଣ ତେଣୁ ତେଣୁ ବସ୍ତୁର ବ୍ୟବହାର ହେଉପଛେ, କାହାପ୍ରତି ଏହିପରି ଅହେତୁକ ଦୁର୍ବଳତା ନରହୁ, ଯାହା ବିନା ଆମ କାମ ଅଚଳ ହୋଇଯିବ । ନିଜ ବୋଝ ନିଜେ ଉଠାଇବାକୁ ଆଉ ପରିସ୍ଥିତିର ଚାପରେ କାମ କରିବାକୁ ଆମେ ସମର୍ଥ, କେବଳ ସେଥିପାଇଁ ଲୋଡ଼ା ଯେଉଁ ମନୋବଳ ତାହାକୁ ବଢ଼ାଇ ସମୟ ସହ ତାଳଦେଇ ଦୁନିଆ ରାସ୍ତାରେ ଆଗକୁ ମାଡ଼ିଯିବାକୁ ହେବ ନହେଲେ ଆମେ ପଛରେ ପଡ଼ିଯିବା ।  

ମୁଖ୍ୟ ଗ୍ରନ୍ଥାଗାରିକ,
କିସ୍ ମାନିତ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
ମୋ -୯୭୭୬୬୯୨୨୦୭

Post a Comment

0 Comments