Ad

header ads

କବିତା - ସାଧିବା ନିଜ ମଙ୍ଗଳ - ରମେଶ ଚନ୍ଦ୍ର ମିଶ୍ର


ପ୍ରକୃତି ! ତୁମେ ଅମୃତକ୍ଷରା
ମମତା ସଜଳ ମାଆ
ଯୋଗାଇଦେଇଛ ମୋହପାଇଁ ଏଠି
ଜୀବନ ଜୀଇବା ରାହା । ୧
କାନ୍ଦୁଛ ଆଜି ବକ୍ଷ ଫଟାଇ
ତିନ୍ତାଇ ମଧୁ ଗଣ୍ଡ
ମନୋହର ତୁମ ସୁଶ୍ୟାମଳ କୋଳ
ହୋଇଲାଣି ଲଣ୍ଡଭଣ୍ଡ । ୨
ତୁମରି କୋଳର ଉନ୍ନତ ଜୀବ
ସଭ୍ୟ ମାନବ ଜାତି
କାଳିଦାସ ପରି ନିର୍ବୋଧ ପଣେ
ଛାତିକୁ ମାରଇ କାତି । ୩
ନିଜ ବାସେ ଆଜି ଅବୁଝା ପଣରେ
ଲଗାଇ ଦେଇଛି ନିଆଁ
ସନ୍ତାନ ବାସ ବିପଦ ବଳୟେ
ଜନନୀ ହୁଅ ଛାନିଆଁ ? ୪
ଅପରିଣାମଦର୍ଶିତା ଗୁଣେ
ଅଳିକ ସୁଖରେ ଭୋଳ
ତୁମପରେ କରେ ଅତ୍ୟାଚାର ଗୋ !
ସାଦରେ ବରୁଛି କାଳ । ୫
ଶ୍ୟାମଳ ବନାନୀ ଧ୍ବସ୍ତ ବିଧ୍ବସ୍ତ
ଜନସଂଖ୍ୟା ଯେ ପ୍ରବଳ
ତୃଣ ଛପରର ଗୃହ ବଦଳରେ
ଶିଳା ଗୃହ ମାଳମାଳ । ୬
କଳ କାରଖାନା, ଯାନ ବାହନରେ
ପୂରିଉଠିଲାଣି ଧରା
ଧୃତରାଷ୍ଟ୍ର ଆମେ ସୁଖର ସାଧନେ
ଆପଣାର କାଟୁ ଗଳା । ୭
ତପ୍ତ ସମୀର, ଦୂଷିତ ଏ ଜଳ
ବାରିଦ ବି ଆନମନା
ବିପ୍ଳବୀ ଆଜି ସାଜିଛି ସାଗର
ଦର୍ପ କରିବ ଚୂନା । ୮
ସାଗର ତରଳେ, ଓଜୋନରେ ଫାଟ
ସୌର କିରଣୁ ସୁଧା
ବଦଳରେ ଆଜି ଲୋହିତ ରଶ୍ମି
ଜୀବନ ଧାରଣେ ବାଧା । ୯
ତାଣ୍ଡବ ନାଚେ ବାତ୍ୟା, ସୁନାମୀ
ଥରେ ଭୂମି ଅହରହ
ମହା ବିନାଶର ସୂଚନା ପାଇ ତୁ
ଶୁଖାଇ ଦେଇଛୁ ମୁହଁ ? ୧୦
କେତେ କେତେ ଜୀବ ବିଦାୟ ନେଲେଣି
ଦୂଷିତ ଏ ଧରା ପରୁ
ଆମ ପାଳି ପୁଣି ଆସୁଛି ଆଗକୁ
ସେ ପାଇଁ ଲୋତକ ଢାଳୁ ? ୧୧
ସହସ୍ରୁ ଅଧିକ ବରଷ ସଞ୍ଚିତ
ସୁନ୍ଦର ସୁସଜ୍ଜିତ
ମହା ବିନାଶର ଦୁନ୍ଦୁଭି ନାଦେ
ଜନନୀ ତୁ ବିଚଳିତ ? ୧୨
କେତେ ଆଦରର ସନ୍ତାନ ଆଜି
କାଳ ଗହ୍ବରେ ଧାଏଁ
ଦେଖି ଅନାଗତ ମହା ବିନାଶକୁ
ବିଷାଦ ତୋ ହୃଦେ ଛୁଏଁ ? ୧୩
ଶୁଣ ଶୁଣ ଆରେ ଧରାର ମଣିଷ
ଭାବିବାର ବେଳ ନାହିଁ
କରରେ ଶପଥ ଧ୍ବଂସର ପଥେ
ଆଉ ଆଗେଇବା ନାହିଁ । ୧୪
ପ୍ରକୃତି ମାଆ ହୃଦୟରେ ଆସ
ସିଞ୍ଚି ଭରସା ଜଳ
ସବୁଜ ଶ୍ୟାମଳ ଶୋଭା ବଢାଇବା
ସାଧିବା ନିଜ ମଙ୍ଗଳ । ୧୫
ମଣିଷ ଗୋଟିକୁ ଗଛ ବି ଗୋଟିଏ
ଲଗାଇବା କରି ପଣ
ପ୍ରକୃତି ମୁଖେ ହସ ଫୁଟାଇବା
ଜୀବନ ହୋଇବ ଧନ୍ୟ । ୧୬

ତାପସ କୁଟୀର, ବଇଣ୍ଡା,
ଅନୁଗୋଳ ।
ମୋ-୮୨୪୯୯୦୭୮୭୭


ରଚନା : ରମେଶ ଚନ୍ଦ୍ର ମିଶ୍ର

ଠିକଣା : ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ । ଦୂରଭାଷ : ୮୨୪୯୯୦୭୮୭୭

Post a Comment

0 Comments