Ad

header ads

ପ୍ରବନ୍ଧ - ରାଷ୍ଟର ପ୍ରଗତିରେ ଶିକ୍ଷା - ଡକ୍ଟର ଲକ୍ଷ୍ମଣ ସାହୁ


ଭାରତ ଏକ ପ୍ରଗତିଶୀଳ ରାଷ୍ର, ଏହା ଅସ୍ୱୀକାର କରାଯାଇ ପାରିବ ନାହିଁ । କିନ୍ତୁ ଶିକ୍ଷା କ୍ଷେତ୍ରରେ ସେଭଳି ପ୍ରଗତିର ନମୁନା ଦେବା ସମ୍ଭବ ନୁହେଁ । ଶିକ୍ଷା ସମ୍ବନ୍ଧରେ ବିଚାର କଲେ ବିଭିନ୍ନ ରାଜ୍ୟରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ପଡିବ । ଦେଶର ପ୍ରଗତି ନିମନ୍ତେ ବୈଷୟିକ ଶିକ୍ଷାର ଆବଶ୍ୟକ ଯଥେଷ୍ଟ ରହିଥିବା ବେଳେ ସେଭଳି ପାରିପାର୍ଶ୍ବିକ ଅବସ୍ଥା ସୃଷ୍ଟି କରାଯାଇପାରି ନାହିଁ । ବିଶେଷତଃ ପରିବେଶକୁ ସାମ୍ନା କରିବାକୁ ହେଲେ ଶିକ୍ଷା କ୍ଷେତ୍ରରେ ନୂତନ ନୀତିର ଆବଶ୍ୟକ ରହିଛି । ଏକଦା ପ୍ରଖ୍ୟାତ ଅନ୍ତରାଷ୍ଟ୍ରୀୟ ବୈଜ୍ଞାନିକ ଡକ୍ଟର କସ୍ତୁରୀ ରଂଗନଙ୍କ ଅଧ୍ୟକ୍ଷତାରେ ନୂତନ ଶିକ୍ଷା ପ୍ରଚଳନ ପାଇଁ ଶିକ୍ଷା ସମିତି ଗଠିତ ହୋଇଥିଲା । ବୈଷୟିକ ଶିକ୍ଷା ପ୍ରତି ଗୁରୁତ୍ୱ ରହିବା ସହ ଶିକ୍ଷା ନୀତି ଅନୁସାରେ ତାହାର ପ୍ରଚଳିତ ହେବାର ଆବଶ୍ୟକ ରହିଛି ବୋଲି ଦର୍ଶାଇ ଦିଆଯାଇଥିଲା । ଶିକ୍ଷା କ୍ଷେତ୍ରରେ ଅନେକ କମିଟି ଗଢାଯାଉଛି , ସେମାନଙ୍କ ରିପୋର୍ଟ ନିଆଯାଏ, କିନ୍ତୁ ତାହା କେତେ ଦୂର କାର୍ଯ୍ୟକାରୀ ହୁଏ, ସେଥିପ୍ରତି କେହି କେବେ ଦୃଷ୍ଟି ଦିଅନ୍ତି ନାହିଁ ।

କୌଣସି ଶିକ୍ଷା ନୀତି ବିଶେଷଜ୍ଞଙ୍କ ଦ୍ଵାରା ପ୍ରସ୍ତୁତ ହୋଇସାରିବା ପରେ ସେଥିପ୍ରତି ରାଷ୍ଟ୍ର ଓ ପ୍ରତ୍ୟେକ ରାଜ୍ୟ ସରକାର ଦୃଷ୍ଟି ଦେବା ଉଚିତ । ଯାହାଦ୍ୱାରା ରାଷ୍ଟ୍ରରେ ଏକପ୍ରକାର ଶିକ୍ଷା ପ୍ରଦାନ ହୋଇପାରିବ । ଯାହା ନୂତନ ଶିକ୍ଷା ନୀତି ଅନୁସାରେ ପ୍ରଚଳିତ ନୀତି ପାଳନ ଓ ସମସ୍ତ ହିତରେ ପ୍ରଚଳିତ ତାହାକୁ ବିନାଦିଗ୍ଧାରେ ମାନିନେବାକୁ ହେବ ଓ ତାକୁ କିଭଳି ସବୁଠି ଉତ୍ତମ ରୂପେ ପ୍ରୟୋଗ କରାଯାଇ ପାରିବ ଧ୍ୟାନ ଦେବା ଆବଶ୍ୟକ ରହିଛି । ନୂଆ ଶିକ୍ଷା ବ୍ୟବସ୍ଥାରେ ଯୁବଗୋଷ୍ଠୀ ନିମନ୍ତେ ସୁଯୋଗ ସୃଷ୍ଟି କରିବା ଦୃଷ୍ଟି ଦେବାକୁ ପଡିବ । ଏସବୁ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ଶିକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ଅଧିକ ଧ୍ୟାନ ଦେବାକୁ ହେବ । ଅନ୍ତରାଷ୍ଟ୍ରୀୟ ନୀତି ବ୍ୟବସ୍ଥାକୁ ସାମ୍ନା କରୁଥିବା ଆମେରିକା , ଜର୍ମାନୀ , ଜାପାନକୁ ଅନୁକରଣ କରିବା ଠିକ୍ ନୁହେଁ । କାରଣ ଭାରତୀୟମାନେ ଭାରତୀୟ ପରଂପରା , ସଂସ୍କୃତି ତଥ୍ୟାନୁସାରେ ଆଗୁସାର ହେବା ନିହାତି ଆବଶ୍ୟକ ରହିଛି । ପୂର୍ବକାଳୀନ ଭାରତର ମାନଚିତ୍ରକୁ ଅନୁଧ୍ୟାନ କରିବାର ବେଳ ଉପଗତ ହୋଇଛି । ଆଗେ ଭାରତ ବିଶ୍ୱର ଗୁରୁ ଥିଲା , ସେ ବିଶ୍ୱଗୁରୁ । ତାର ପରଂପରା , ସଂସ୍କୃତିକୁ ନେଇ ସେ ଗର୍ବ ଅନୁଭବ କରିଥିଲା । ବିଶ୍ୱକୁ ନବ ଆଲୋକ ଦେଖାଇ ବାରେ ବିଶ୍ୱ ଦରବାରରେ ଖ୍ୟାତି ଲାଭ କରିଥିଲା । ଏସବୁର ମୂଳ କାରଣ ଭାରତୀୟ ଶିକ୍ଷା ନୀତିରେ ନାଳନ୍ଦା ଓ ତକ୍ଷଶୀଳା କେନ୍ଦ୍ରହିଁ ସଂପୂର୍ଣ୍ଣ ବିଶ୍ୱକୁ ନୂଆଲୋକ ଦେଖାଇଥିଲା । ବିଶ୍ୱର ବିଭିନ୍ନ ପ୍ରାନ୍ତରରୁ ଶିକ୍ଷା ଗ୍ରହଣ ନିମନ୍ତେ ଭାରତକୁ ଆସିବାର ବହୁ ପ୍ରମାଣ ରହିଛି । ଏସବୁ ମୂଳରେ ଭାରତୀୟ ସଂସ୍କାର ଆଧାରିତ ମୂଲ୍ୟବୋଧ ନିହିତ ଥିଲା । ଗୁରୁକୂଳରେ ରହି ଅନେକ ଶିଷ୍ୟ ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ । ଗୁରୁକୁଳ ଆଶ୍ରମକୁ ତତ୍କାଳୀନ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଉଥିଲା । ଅପରପକ୍ଷରେ ଏସବୁ ଗୁରୁକୁଳ ଆଶ୍ରମ ବନାମ ବିଶ୍ୱବିଦ୍ୟାଳୟ ନାମିତ ପରିଚିତ ଲାଭ କରିଥିବା ଆଶ୍ରମର ଆଚାର୍ଯ୍ୟଗଣ ସବୁଠାରୁ ମାନବୋଚିତ ମାନବୀୟ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରିଆସୁଥିଲେ । ତାହା ମାନବୀୟ ଓ ମହତ୍ତ୍ୱପୂର୍ଣ୍ଣ ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା ।

କୌଣସି ରାଷ୍ଟ୍ରର ପ୍ରଗତି ଓ ବିକାଶର ଆକଳନ ସାଧାରଣ ଦୃଷ୍ଟିରେ କରାଯାଏ ନାହିଁ । କେବଳ ପାରିପାର୍ଶ୍ବିକ ଅବସ୍ଥାପନ ବା ପଯ୍ୟାପ୍ତ ଉପକରଣକୁ ନେଇ ମଧ୍ୟ ନୁହେଁ । ଏହା ଜନମାନସରେ ସଚେତନତା , ସମର୍ଥନ , ଅନୁଷ୍ଠାନ ପଦୋନ୍ନତି , ସଂସ୍କାର , ମୂଲ୍ୟବୋଧ , କାର୍ଯ୍ୟଶୈଳୀ , ରାଷ୍ଟ୍ରର ନିର୍ମାତାକୁ ନେଇ କରାଯାଏ । ଆଜିର ଡିଜିଟାଲ ସହରରେ ଯେକୋୖଣସି ତଥ୍ୟ ସଂଗ୍ରହ କରିବା ସହଜ ହୋଇଇଗଲାଣି । କିନ୍ତୁ ମାଉଥକୁ ସ୍ୱତନ୍ତ୍ର ନିର୍ଦ୍ଦିଷ୍ଟ ମାର୍ଗରେ ଚାଳନା କରେ ସଠିକ ଉତ୍ତର ପାଇପାରିବା । ସଂସ୍କୃତି , ସଂସ୍କାର , ମୂଲ୍ୟବୋଧ ଓ କାର୍ଯ୍ୟଶୈଳୀକୁ ନେଇ ଅନୁରୂପ ତାହାର ପ୍ରୟୋଗ ଯଦି କରାଯାଇ ପାରନ୍ତା , ତେବେ ସେ କ୍ଷେତ୍ରରେ ଏକ ଶକ୍ତିଶାଳୀ ଭାରତ , ସମୃଦ୍ଧ ଭାରତ , ଏକ ଆତ୍ମନିର୍ଭରଶୀଳ ଭାରତରେ ରୂପାନ୍ତରିତ ହେବା ସହ ଭାରତୀୟମାନଙ୍କ ଅଧୂରା ସ୍ୱପ୍ନ ସାକାର ହୋଇପାରନ୍ତା !!

ଭାରତୀୟ ସଂସ୍କୃତି ଅଜର ଅମର । ତାର ମାନବୀୟ ମୂଲ୍ୟବୋଧକ ଦର୍ଶନହିଁ ସଦା ସର୍ବଦା ସର୍ବୋକୃଷ୍ଟ । ଏହା ସମାଜ ଓ ରାଷ୍ଟ୍ର ନିର୍ମାଣର ଆଧାର ସ୍ତମ୍ଭ ଅଟେ । ସଂସ୍କୃତିରେ ଏକାତ୍ମ ମାନବବାଦର ପ୍ରେରିତ ଭାବନାତ୍ମକ ରୂପ ଜାତୀୟ ଦର୍ଶନ କରିବାରେ ସହାୟକ ହୋଇପାରେ । ଏକତାହିଁ ଦେଶର ଶକ୍ତି । ଏକଥା ସ୍ମରଣଯୋଗ୍ୟ ଯେ , ଏକତାର ଅଭାବରୁ ଭାରତ ହଜାର ବର୍ଷ ପୂର୍ବେ ବିଦେଶୀ ମାନଙ୍କ ଆକ୍ରମଣର ଶିକାର ହୋଇ ତାର ପରିଚୟ ହଜାଇ ଦେଇଥିଲା । ଏସବୁ କାରଣରୁ ଏସଂପର୍କରେ ମଶହୁର ଶାୟର ଇକବାଲ ଏକଦା କହିଥିଲେ - " କିଛି କଥା ଅଛି , ଯାହା ଏ ମାଟିବି ଆମର ନୁହେଁ. !! " ଏକତାହିଁ ଜାତୀୟ ସଂହତିର ଆଧାର ରୂପ । ଜାତୀୟ ସଂହତିର ବନାମ ଏକତାର ମୂଲ୍ୟବୋଧ ସ୍ରୋତରେ ନିଜକୁ ହଜାଇ ନପାରିଲେ ସବୁ ଚେଷ୍ଟା ବିଫଳ ହୋଇ ପଡିବ । ରାଷ୍ଟ୍ର ଭିତରେ ଥିବା ଭିନ୍ନତା ଭିତରେ ଏକତ୍ୱବୋଧ ଖୋଜି ପାଇବା ହେଉଛି ଜାତୀୟ ସଂହତି । ରାଷ୍ଟ୍ରରେ ଦେଖା ଦେଉଥିବା ଭାଷାଗତ ବିରୋଧ , ଧର୍ମଗତ ବିରୋଧ , ବେକାର ସମସ୍ୟା , ଅର୍ଥନୈତିକ ବିରୋଧ ଆଦି ଜାତୀୟ ସଂହତି ପ୍ରତିଷ୍ଠାର ପ୍ରତିକୂଳ ପ୍ରଭାବ । ବିଶେଷ କରି ଗୋଟିଏ ଦେଶର ଇତିହାସ , ସଂସ୍କୃତି , ମୂଲ୍ୟବୋଧ , ଶିଳ୍ପର ବିକାଶ , ଶିକ୍ଷାର ପ୍ରସାର , ବୈଜ୍ଞାନିକ ଅଗ୍ରଗତି , ସମସ୍ତ ରାଜ୍ୟ ପାଇଁ ଏକପ୍ରକାର ଯୋଜନା , ବିଶେଷ କରି ଜାତି , ଧର୍ମ , ବର୍ଣ୍ଣ ଉପରେ ଆଧାରିତ ଉଚ୍ଚ- ନୀଚ ଭେଦକୁ ଦୂରେଇ ଜାତୀୟ ସଂହତି ପ୍ରତିଷ୍ଠା କରିବା ଅନୁକୂଳ ମନଭାବ ପୋଷଣ କରିବା ଆବଶ୍ୟକ । ଏସବୁ ସଚେତନତା ଶିକ୍ଷା ଉପରେ ରାଷ୍ଟ୍ରୀୟ ଶିକ୍ଷା ପଦ୍ଧତିର ସ୍ୱତନ୍ତ୍ର ବିଷୟ ଭାବେ ଗ୍ରହଣ କରାନଯାଇ ବରଂ ସାହିତ୍ୟ , ଇତିହାସ , ଭୂଗୋଳ , ନଗର ବିଜ୍ଞାନ , ଅର୍ଥ ନୀତି ଆଦି ମାଧ୍ୟମରେ ଦିଆଯିବା ଜରୁରୀ ମନେହୁଏ । ଜନଗଣନାରୁ ଜଣାଯାଏ ଯେ ଛଅ 'ରୁ ଏଗାର ବର୍ଷ ପିଲାଙ୍କ ମଧ୍ୟରୁ ୭.୮୫ ଲକ୍ଷ ଶିଶୁ ଜମା ବିଦ୍ୟାଳୟରେ ପ୍ରବେଶ କରୁନାହାନ୍ତି ଓ 9 ଲକ୍ଷ ଶିଶୁ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରୁ ପାଠ ଛାଡି ଦିଅନ୍ତି । ଯଦିଓ ସରକାର ଏଦିଗରେ ସଚେତନ ରହି ଉପସ୍ଥାପନ ବଢାଇବା ନିମନ୍ତେ ବିଭିନ୍ନ ବିକଳ୍ପ ପଦକ୍ଷେପ ନେଊଛନ୍ତି ।

ଧରା ପୃଷ୍ଠାରେ ମଣିଷ ଭୂମିଷ୍ଠ ହେବା ଦିନ ଠାରୁ ନିଜର ବୁଦ୍ଧି ଖଟାଇ , ନିଜର ଦୈନନ୍ଦିନ କାର୍ଯ୍ୟ ସହଜରେ ସଂପାଦନ କରିଚାଲିଛି । ପ୍ରଥମେ ଆଦି ମାନବରୁ କାଳକ୍ରମେ ଶିକ୍ଷା ସଭ୍ୟ ମାନବରେ ରୂପାନ୍ତରିତ ହୋଇଛି । ଏକଦା ଜଙ୍ଗଲ ଭିତରେ ଉଦର ପୋଷଣ ପାଇଁ ବୃକ୍ଷର ଫଳ ଅନ୍ୱେଷଣ କରୁଥିବା ବା ପଶୁ ଶିକାର କରି ଜୀବନ ନିର୍ବାହ କରୁଥିବା ମଣିଷ ଏବେ ବ୍ୟସ୍ତ ବହୁଳ ହୋଇ ସମୟର ସଦୁପଯୋଗ କରିବା ନିମନ୍ତେ ତତ୍ପର ହୋଇପଡିଛି । ଆଧୁନିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତା' ପାଇଁ ଅତି ଆଦରଣୀୟ ହୋଇପାରିଛି । କମ୍ପୁଟର ଓ ଇଣ୍ଟରନେଟ ବିନା ବ୍ୟକ୍ତି ଜୀବନ ଦୁର୍ବିସହ ପାଲଟି ଯାଉଛି । ଶିକ୍ଷା କ୍ଷେତ୍ରରେ ଏହାର ବ୍ୟବହାର ବହୁଳ ପାଲଟି ଗଲାଣି । ଏହାର ବ୍ୟବହାର ପାଇଁ ପ୍ରଶାସନିକ ସହଯୋଗ , ଦକ୍ଷ ପ୍ରଶିକ୍ଷକ , ପାଠ୍ୟ ବିଷୟର ମାନ , ଗୋଷ୍ଠୀ ସହାୟକ , ସର୍ବୋପରି ଶିକ୍ଷାର୍ଥୀମାନଙ୍କ ସକ୍ରିୟ ଅଂଶ ଗ୍ରହଣର ଆବଶ୍ୟକ ଯଥେଷ୍ଟ ରହିଛି । କମ୍ପୁଟର ମାଧ୍ୟମରେ ହେଉଥିବା ଯୋଗାଯୋଗ ଓ ନେଟ୍ୱ।ର୍କ ସେଣ୍ଟର ମଧ୍ୟରେ ସଂଯୋଗ ହିଁ ବିଶ୍ୱକୁ ଗୋଟିଏ ପରିବାର ଭିତରେ ଆବଦ୍ଧ କରି ଦେଇପାରିଛି । ଏକଥା କେବେ ଅସ୍ୱୀକାର କରି ହେବ ନାହିଁ କମ୍ପୁଟର ପାରସ୍ପରିକ ସଂପର୍କ ରକ୍ଷା କରେ । କମ୍ପୁଟରର ଇଣ୍ଟରନେଟ ଯୋଗାଯୋଗ ମାଧ୍ୟମରେ ପାରସ୍ପରିକ ସଂପର୍କର ଯୋଡିପାରେ , ସମସ୍ୟା ସମାଧାନ କରି ଦେଇପାରେ , ଏପରିକି ରାଷ୍ଟ୍ରର ବଜେଟ ପ୍ରସ୍ତୁତ କରିପାରେ , ବିଭିନ୍ନ ପରୀକ୍ଷା କରିବା ଓ ତାହାର ଫଳାଫଳ ମଧ୍ୟ ଜାଣିବାରେ ସହାୟକ ହୋଇପାରେ । ତଥାପି ସେ ଏକ ମଣିଷକୃତ , ମଣିଷ ପ୍ରସ୍ତୁତ ମେସିନ ବା ଯନ୍ତ୍ର.. ମଣିଷ ନିଜ ବୁଦ୍ଧି ଖଟାଇ ତାକୁ ଯେମିତି/ ଯେଭଳି ଖଟାଇ ପାରିବ ସେ ମଣିଷର ଅଧିନସ୍ଥ ହୋଇ କାର୍ଯ୍ୟ କରୁଥିବ ଏକ ବିଶ୍ୱସ୍ତ ବନ୍ଧୁ ପରି ସେଭଳି କାର୍ଯ୍ୟ କରି ଚାଲିଥିବ । ମଣିଷ ପଛେ ତ୍ରୁଟି କରି ପାରେ , କିନ୍ତୁ ଯନ୍ତ୍ର ନୁହେଁ , ଯାନ୍ତ୍ରିକ ତ୍ରୁଟି ଘଟିବା ଏକ ଭିନ୍ନ କଥା ବା ତାକୁ ଚାଳନାରେ ତ୍ରୁଟି କଲେ ସେ ଅଚଳ ପାଲଟେ । ଯନ୍ତ୍ରର ହୃଦୟ ନଥାଏ , ମଣିଷର ହୃଦୟ , ସେହି ମଣିଷହିଁ ରାଷ୍ଟ୍ରର ନାଗରିକ ପଦବାଚ୍ୟ ଲାଭ କରେ ।

ତେଣୁ ମଣିଷ ଭିତରେ ଏଭଳି ହୃଦୟତା ଜାଗ୍ରତ ହେବାର ଆବଶ୍ୟକ ରହିଛି , ଯେଉଁଠି କେବଳ ମଣିଷ ତାର ମାନବିକ ଗୁଣ ନେଇ ନିଜକୁ ପ୍ରତିଷ୍ଠା କରିପାରିବ । ଭାରତ ଆଦିକାଳରୁ ଅନେକତାରେ ଏକତାକୁ ସଂଦର୍ଶନ କରିପାରିଛି । ଭାରତରେ ଥିବା ବିଭିନ୍ନ ବିବିଧତା ମଧ୍ୟରେ ଏକତା କେବଳ ଭାରତକୁ ଯୋଡି ରଖିବା ନିମନ୍ତେ - ବସୁଧେବ କୁଟୁମ୍ବ କମ୍ 'ର ସଂଦେଶ ଦେଇ ପୁରା ବିଶ୍ୱକୁ ନିଜର ପରିବାର ବୋଲି ମାନି ନେଇଛି । ବିଶ୍ୱ ବନ୍ଧୁତ୍ୱର ବାର୍ତ୍ତା ଦେଉଥିବା ଭାରତ ଯୁଗେ ଯୁଗେ ବିଶ୍ୱ ବନ୍ଦନୀୟ ହୋଇ ଆସିଛି । ମାତ୍ର ଗୋଟିଏ ଶବ୍ଦରେ ବିଶ୍ୱଗୁରୁ ପାଲଟି ପାରିଛି । ଭାରତୀୟ ବେଦ , ବେଦାନ୍ତ , ଉପନିଷଦ ଅଧ୍ୟୟନ ପାଇଁ ଓ ତାର ନିଷ୍କର୍ଷ ଜାଣିବା ପାଇଁ ଦେଶ ବିଦେଶରୁ ଅନ୍ୟକ ପର୍ଯ୍ୟଟକ ଜ୍ଞାନୀ , ତତ୍ତ୍ୱଦର୍ଶୀମାନେ ଆସି ପବିତ୍ର ଭାରତ ଭୂଇଁରେ ମଥାନତ କରିଛନ୍ତି । ଜିଜ୍ଞାସୁ ଦୃଷ୍ଟିରେ ଭାରତୀୟ ଆଧ୍ୟାତ୍ମିକ ଚେତନାକୁ ବୁଝିବାକୁ ଚେଷ୍ଟା କରିଛନ୍ତି , ଶତ ଚେଷ୍ଟା ସତ୍ତ୍ୱେ ବି ତୁପ୍ତ ହୋଇପାରି ନାହାନ୍ତି । ବିଶ୍ୱ ଗୁରୁ ପାଲଟି ଥିବା ଭାରତରେ ସେହି ଭାବ ଚେତନା ଫେରାଇ ଆଣିବା ପାଇଁ ଶିକ୍ଷା ପଦ୍ଧତିରେ ପରିବର୍ତ୍ତନର ଆବଶ୍ୟକ ରହିଛି । 

ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସଂଯୋଗର ସେତୁ ବାନ୍ଧି ରଖିଥିବା ଭାରତକୁ ଆଜିର ଯୁବ-ରାଷ୍ଟ୍ରର ସଂଜ୍ଞା ଦିଆଯାଇପାରେ !! ବିଶ୍ୱ ମନୀଷିଙ୍କୁ ନେଇ ଭାରତର ନବ-ଯୁବଗୋଷ୍ଠୀମାନଙ୍କ ମନରେ ଉନ୍ମାଦନା ଆସିଲାଣି । ଦିନକୁ ଦିନ ବିକାଶ ଓ ପ୍ରଗତିଶୀଳତାର ଧାରା ଯୁବ-ଗୋଷ୍ଠୀମାନଙ୍କୁ ଆକର୍ଷିତ କରିପାରିଛି । ବିକାଶର ଧାରା ସୁସ୍ଥ ବଜାର ନୀତିକୁ ନିୟନ୍ତ୍ରଣ କରି ପାରି ନଥିଲେ ମଧ୍ୟ ମନ୍ଦ ଅବସ୍ଥାରେ ସୁଧାର ଅନୁକୂଳ ହୋଇଛି । ଏପରିକି ଆର୍ଥିକ କ୍ଷେତ୍ରରେ ଶକ୍ତିଶାଳୀ ଭାରତରେ ନିଜର ନିବେଶ ଖଟାଇବାକୁ ଅନେକ ରାଷ୍ଟ୍ରର ବିତ୍ତଶାଳୀ ବ୍ୟକ୍ତି ମାନେ ପୁଞ୍ଜି ଖଟାଇବାକୁ ଆଗେଇ ଆସିଲେଣି । ଏପରିକି ସୌଜନ୍ୟ ସାକ୍ଷାତକାର ଦେଇ ପୁଞ୍ଜି ନିବେଶ ପାଇଁ ଦସ୍ତାବିଜ ପ୍ରସ୍ତୁତ କଲେଣି । ବିଶ୍ୱରେ ଭାରତକୁ ଏକ ଯୁବ-ରାଷ୍ଟ୍ର ପରିଣତ କରିବା ନିମନ୍ତେ ଯୁବକମାନଙ୍କ ନିକଟରେ ଅସୀମ ଶକ୍ତି ବଳବତ୍ତର ରହିଛି , ସେହି ଶକ୍ତିର ସଦୁପଯୋଗ କରିବା ଅପେକ୍ଷା କରିଛନ୍ତି । ଯେଭଳି ଭାବରେ ଏହାକୁ ସଂପ୍ରସାରିତ କରି ରାଷ୍ଟ୍ର ନିର୍ମାଣ ପାଇଁ ଏହା ଯେ ଅଭିପ୍ରେତ କୁହାଯାଇପାରେ । ତେଣୁ ଶିକ୍ଷା ବ୍ୟବସ୍ଥା ଏଭଳି ପ୍ରସ୍ତୁତ ହେବା ଆବଶ୍ୟକ ଯାହା ଯୁବ-ଗୋଷ୍ଠୀଙ୍କୁ ଅନୁପ୍ରାଣିତ କରି ପାରିବ ।

ସଂପୂର୍ଣ୍ଣ ମାନବତାର ଅଠର ଶତକଡା ରୁ ଅଧିକ ଜନସଂଖ୍ୟାର ପ୍ରତିନିଧିତ୍ୱ କରିଥିବା ଭାରତର ବୈଷୟିକ ଶକ୍ତି ଭାବରେ ଅଭ୍ୟୁଦୟ ଉପରେ ନିର୍ଭର କରେ ବି ଦେଶର ପ୍ରତ୍ୟେକ ଯୁବକ ନିଜର କ୍ଷମତାନୁସାରେ ଦେଶ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବା ଉଚିତ । ଏହା ଏକ ଶକ୍ତି ସଂପନ୍ନ , ସମୃଦ୍ଧ , ବୈଭବଶାଳୀ ଭାରତ ନିର୍ମାଣରେ ଯେମିତି ସମଗ୍ର ବିଶ୍ୱର ନେତୃତ୍ୱ ପ୍ରଦାନ କରିପାରେ । ଏଭଳି ମତବାଦ ସାବ୍ୟସ୍ତ ଦେଶରେ ଏକ ଦ୍ୟୋତଲ୍ୟମାନ ପଥରେ ସକଳ ପଥ ଆଲୋକିତ କରିବାର କ୍ଷମତା ରଖି ପାରିଛି । ବିଶ୍ୱରେ ଯୁବ-ରାଷ୍ଟ୍ର ରୂପେ ବିଶେଷକରି ସୃଜନାତ୍ମକ , ଆଧ୍ୟାତ୍ମିକତା , ନୈତିକତା , ସଦାଚାରର ସୌଧ ଓ ଅନୁସନ୍ଧାନର ମହତ୍ତ୍ୱପୂର୍ଣ୍ଣ କେନ୍ଦ୍ରରେ ରୂପାନ୍ତରିତ ହୋଇପାରିବ । କୁହାଯାଏ ବିଦ୍ୟାର୍ଥୀ ରୂପରେ ଯୁବ ଗୋଷ୍ଠୀ ନିକଟରେ ଏକ ମହାଶକ୍ତି ଲୁଚି ରହିଛି । ଆମେରିକାର ଜନସଂଖ୍ୟା ଠାରୁ ଅଧିକ ଭାରତୀୟ ବିଦ୍ୟାର୍ଥୀମାନଙ୍କ ସଂଖ୍ୟା । ସଂଖ୍ୟା ଯଥେଷ୍ଟ ଅଧିକ , ତେଣୁ ସକାରାତ୍ମକ ମନୋଭାବ ନେଇ ପାରିଲେ ଦେଶ ବିଶ୍ୱରେ ସର୍ବୋଚ୍ଚ କ୍ଷମତାଶାଳୀ ରାଷ୍ଟ୍ର ହୋଇ ପାରିବ ଓ ଏକ ' ନବଯୁଗର ସୂତ୍ରପାତ ' ଘଟିପାରିବ ।

ଯେଉଁ ଭାବନା ନିଜ ପାଇଁ ଗ୍ରହଣୀୟ , ତାହା ସମସ୍ତଙ୍କ ନିମନ୍ତେ ଗ୍ରହଣୀୟ , ଯାହା ନିଜ ଲାଗି ପ୍ରକଟ କରାଯାଏ , ତାହା ସମସ୍ତଙ୍କ ନିମନ୍ତେ ପ୍ରକଟ କରାଯିବା ଆବଶ୍ୟକ ରହିଛି । ଏଥିରେ ଦୃଢ ଇଚ୍ଛା ଶକ୍ତି ଓ ଗଭୀର ବିଶ୍ୱାସ ରଖାଯାଏ ଯେ , ଭାରତ ଏକ ବିରଳ ମହିମାମୟୀ ପରଂପରା ଓ ସଂସ୍କୃତି ପୂର୍ଣ୍ଣ ରାଷ୍ର ଭାବେ ପୁନରପି ଘୋଷିତ ହୋଇପାରିବ । ଯାହା ଦ୍ୱାରା ରାଷ୍ଟ୍ର ବାଦର ଧାରଣା ଓ ଭାବନା ଅତ୍ୟନ୍ତ ଉପଯୋଗୀ ହୋଇପାରିବ । ଏକଥା କେବେ ଭୁଲିଯାଇ ହେବନାହିଁ ରାଷ୍ଟ୍ରବାଦ କୌଣସି ପ୍ରକାରେ ସମୃଦ୍ଧ ଓ ସାର୍ବଭୌମ ରାଷ୍ଟ୍ର ରୂପେ କାର୍ଯ୍ୟ ତୁଲାଇ ଥାଏ ।

ତେଣୁ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ରାଷ୍ଟ୍ର ବାଦ ପ୍ରେରିତ ଶିକ୍ଷଣ ଘଟିଲେ ରାଷ୍ଟ୍ରର ଅଧିକ ଉନ୍ନତି ଓ ପ୍ରଗତି ଘଟିବ । ଏକଥା ମଧ୍ୟ ମାନିନେବାକୁ ହେବ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ବୈଜ୍ଞାନିକ ଶିକ୍ଷଣ ଦ୍ବାରା ରାଷ୍ଟ୍ରର ହିତ ଓ ବିକାଶର ଉଦ୍ଦେଶ୍ୟ ରହିତ ହୋଇପାରିବ । ତେଣୁ ଯେଉଁମାନେ ରାଷ୍ଟ୍ର ବାଦ ଓ ଆଧୁନିକ ଉଚ୍ଚ ଶିକ୍ଷା ବ୍ୟବସ୍ଥାର ବିରୋଧ କରେ , ସେ କିଛି ନା କିଛି ମସ୍ତ ବଡ ଭୁଲ୍ କରି ବସେ । ଆଧୁନିକ ବିଶ୍ୱରେ ଯେଉଁ ପ୍ରକାର ବିବାଦ ସଂଘର୍ଷ ଦେଖାଦେଇଛି , ତାହାର ମୂଳ ପୋଛ କରିବା କରିବା ନିମନ୍ତେ ପ୍ରାଚୀନ ଶୃଙ୍ଖଳାଗତ ଶିକ୍ଷାର ଆବଶ୍ୟକ ରହିଛି । ଭାରତରେ ଥିବା ପ୍ରାଚୀନ ପରଂପରା ସଂସ୍କୃତି ସଂପଦରେ ଯେ ବିତ୍ତଶାଳୀ ତାହା ଅସ୍ୱୀକାର କରି ହେବ ନାହିଁ । ଭାରତର ସଂସ୍କୃତି ପୂର୍ବାବସ୍ଥାକୁ ଫେରି ଆସୁ , ବିଶ୍ୱରେ ଭାରତ ଶ୍ରେଷ୍ଠ ସ୍ଥାନ ଗ୍ରହଣ କରୁ । ଏହି ସଂକଳ୍ପ ନେଇ ଶୂନ୍ୟ ତାକୁ ପୂର୍ଣ୍ଣ କରିବାର ଶିକ୍ଷଣ ସଂସ୍ଥାନ ଅଦ୍ୱିତୀୟ ଯୋଗ କରିବାରେ ସଫଳ ହେଉ । ଏହି ବିଶ୍ୱାସ ଦ୍ବାରା କେବଳ ମୂଲ୍ୟ ଆଧାରିତ ନୂତନ ଶିକ୍ଷାନୀତି ଭାରତର ବୈଷୟିକ ମହାଶକ୍ତିର ରୂପରେ ସ୍ଥାପିତ କଲେ ଏହା ନିଶ୍ଚୟ ସଫଳ ହେବ ..!!!

ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ : ୯୦୪୦ ୧୫୧୪୭୫
Email : Laxmansahoo9040@gmail.com 

ରଚନା : ଡକ୍ଟର ଲକ୍ଷ୍ମଣ ସାହୁ

ଠିକଣା : ମହାନଦୀ ବିହାର , କଟକ - ୪ ଦୂରଭାଷ :

Post a Comment

0 Comments