Ad

header ads

କବିତା - ପ୍ରିୟା - ଭଜରାମ ସେଠୀ


ପ୍ରକ୍ଷାଳିତ ନେତ୍ରେ ନିରେଖି ସେ ଦୃଶା
ନଭଚୁମ୍ବୀ ଯୋଷାବର,
ସ୍ରୋତନୀ ଶଯ୍ଯାରୁ କାଶତଣ୍ଡୀ ନେଇ
କେଶେ ଖୋସେ ପ୍ରିୟା ମୋର ।

ସମୀର ସ୍ପର୍ଶେ ସେ ତଟିନୀ ସ୍ରୋତରେ
ଝୁଲଣା ସୁନ୍ଦରୀ ପରି,
ପରୀ ରାଇଜରୁ ଓହ୍ଲାଇ ଆସିଛି
ମନପକ୍ଷୀ ହେଲା ଚୋରି ।

ପ୍ରିୟା ତନୁ କୋଳେ କେତେ ସୁପୁରୁଷ
ଆସିଛନ୍ତି ଅବତରୀ,
ପ୍ରେମ ପରିଭାଷା ପରଖି ଦେଲେଣି
ସ୍ମୃତି ରେଖା ଦେଲେ ଘୋରି ।

ପ୍ରେମ ଋତୁ ମିଠା ଫଗୁଣ ରଙ୍ଗୋଲୀ
ମୋ' ପ୍ରିୟା ହୃଦୟେ ନିତି,
ସରସ ଭୋଜନ ପରଶେ ସେ ଗାତ୍ରେ
ପ୍ରେମେ ତୃଷ୍ଣା ପୟେ ତୃପ୍ତି ।

ମଧୁଜା ମଧୁରେ ସରବେ ପାଗଳ
ଅମୃତ ଅମାର ପାଇ,
ରସାରୁହେ ରସା ରସାଳ ଫଳାଇ
ବକୁଳ କାନନେ ଥାଇ ।

କାକ ଡାକ ଶୁଣି ମିହିର ରାଜନ
ବିରାଜେ ପୂରୁବ ଦିଗେ,
ନାଲି ଲାଗିଶାଢୀ ନବପଲ୍ଲବିନୀ
ପଲ୍ଲବେ ହସେ ସରାଗେ ।

ଦ୍ବିଜବର ଶାସ୍ତ୍ରେ ମନ୍ତ୍ର ଶୂନ୍ଯ ଅବା
ଅବାକ ମୁଖମଣ୍ଡଳ,
ଶୁଦ୍ଧାତ୍ମା ମୋ' ପ୍ରିୟା ମନ୍ତ୍ର କିବା ଲୋଡ଼ା
ଶୁଦ୍ଧ ତା' ତନୁ ସମ୍ବଳ ।

ବେଦପତି ବ୍ରାହ୍ମା ମୋହିନୀ ମନ୍ତ୍ରରେ
ହସ୍ତେ ଦେଲେ ନୀର ଛିଞ୍ଚି,
ସୁନ୍ଦରୀ ପଣରେ ଉପମା ନୁହେଁ ଯା'
କି ଦେବି ମୁଁ ଭୂଷା ଖଞ୍ଜି ।

ପାଦ ସେବା ଦାସେ ଦିଅ ପ୍ରିୟା ତବ
ସେବକ ହେବି ଆନନ୍ଦେ,
ଯେତେ ମୋର ସେବା ତୁମ ପାଇଁ ହେଉ
ହସ ହସ ମନ୍ଦେ ମନ୍ଦେ ।

ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ,   ଦୂରଭାଷ : ୯୫୬୬୮୭୬୫୦୪

Post a Comment

0 Comments