Ad

header ads

କବିତା - ପ୍ରେମିକ ହେବା କଣ କମ୍ କଥା - ଶିବ ଚରଣ ମହାପାତ୍ର


ପ୍ରେମ ଓଠରେ
ଶୋରିଷ ଫୁଲର ହସ ଆଙ୍କିବାକୁ
ପଥର ଛାତିରେ ସାଜିବାକୁୁ ହୁଏ ଫଗୁଣ ବରଣ..
ଅଭିମାନ ର କଟକଣା ଲଗାଇ
ରୋକିବାକୁ ହୁଏ
ସ୍ୱପ୍ନ ର ଆକାଶ ଛୁଆଁ ଉଡାଣ..
ମନ କୁ କାଠ କଣ୍ଢେଇ ପରି ନାଚିବାକୁ ହୁଏ
ପ୍ରେମ ର ମିଠା ମିଠା ହଣ୍ଟର ମାଡରେ..
ଭିଡ ଭିତରର କୋଳାହଳ ରାଗିଣୀ ଲାଗେ
ସତେ ଅବା
ଅନ୍ଧକାର ଗଳିରେ ଆଶରୀରୀ ନିର୍ଜନତା..
ତେବେ ତୁମେ କୁହ
ପ୍ରେମିକ ହେବା କଣ କମ୍ କଥା..??

କାମନା ର ଶିର ଛେଦି ବଞ୍ଚୁଥିବା ମନ
ଟାଣୁ ଥାଏ ସାରା ଦିନ
ଫାଳେ ଇଛା ର ତୋରଣ ଫାଳେ ଶୁଖିଲା ଜୀବନ..
ଦୀପ୍ତିମୟୀ ଅଦୃଶ୍ୟ ସତ୍ତା ଶିଉଳି ଲଗା ଗାଲିଚା
ବାରମ୍ବାର କରେ ମୋତେ ସ୍କନ୍ଧଚ୍ୟୁତ..
ଆଉ ମୁଁ..
କାମନା ର ବିନାଶ ରେ ଦୁଃଖ ର ବିନାଶ କହି
ଧାଉଁଥାଏ କାମନା ପଛରେ ପୁନର୍ବାର ..
ସଙ୍ଗ କରି
ମୃତବତ୍ ହୃଦୟର ବାସହୀନ ଆବିଳତା..
ତେବେ ତୁମେ କୁହ
ପ୍ରେମିକ ହେବା କଣ କମ୍ କଥା..??

ନା ବେଳ , ନା ଅବେଳ , ନା ସଞ୍ଜ , ନା ସକାଳ
ନା ବର୍ଷ , ନା ମାସ , ନା ଦୁଃଖ , ନା ହସ
ନା ଲୁହ , ନା କୋହ , ନା ମାୟା , ନା ମୋହ ସ~ବୁ..
ତୁମ ଚିନ୍ତନ ର ଓଜନ ବଢାଏ
ଭାରି ହୁଏ ମୋ ଅଧାଲେଖା ଚିଠି ର ସ୍ପନ୍ଦନ..
ଓଦା ସରସର ହୁଏ ଶବ୍ଦ ର ଛନ୍ଦହୀନ ବଉଳ ମାଳ..
ସେତେବେଳେ..
ଲେଖନୀ ବି ଅଡି କରି ବସେ ପ୍ରେମିକ ହେବାକୁ..
ହେଲେ ସେ କି ବୁଝିବ
ତା ହୃଦୟରୁ ଝରୁଥିବା ରୁଧିରାକ୍ତ ସ୍ୟାହି
ସାଦା କାଗଜ ଛାତିରେ
ତୋଳୁଥିଲା ନୀରବତା..
ତୁମେ କୁହ
ପ୍ରେମିକ ହେବା କଣ କମ୍ କଥା..??

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

Post a Comment

0 Comments