Ad

header ads

କବିତା - ପର୍ଚକ - ପ୍ରଣତି ମହାପାତ୍ର


ନିତି ଦେଖୁଥିଲି ସାଥେ ନେଇଥିଲି
ପାଖେପାଖେ ଥିଲୁ ମୋର,
ବନ୍ଧୁ ପରି ବନ୍ଧୁ ଆପଣାର ତୁହି
କେମିତି କରିବି ଦୂର।
ଭିଡ଼ ଭିତରେ ବି ତୋତେ ଧରିଥାଏ
କାଳେ କେ ଛଡେଇ ନେବ,
ଯେଉଁଠି ଡ଼ର ମୋ ସେଇଠାରୁ କିଏ
ତୋତେ କରିଲା ଅନ୍ତର।
ବିକଳ ହୋଇ ମୁଁ ଏଣେ ତେଣେ ଧାଇଁ
ଖୋଜିଲି ଖୋଜିଲି କେତେ,
ଗନ୍ତବ୍ୟ ସ୍ଥଳରେ ବସି ନ ପାରିଲି
ଅଣ୍ଡାଳୁ ଥିଲି ରେ ତୋତେ।
ତୋ ମୁହଁ ମୋ ଆଖିରେ ନାଚିଲା
ନ ପାଇଲି ତୋର ଦେଖା,
ସଭିଙ୍କୁ ଖାଲି ମୁଁ ପଚାରୁ ଥାଏ ତ
ଦେଖିଛ କି ମୋର ସଖା।
ମୁଁ ତ ଜାଣିଛି ଭିଡ଼ ଭିତରେ ତୁ 
ମୋତେ ଖାଲି ଖୋଜୁଥିବୁ,
ଦଳାମକଚାରେ ବିକଳ ସ୍ଵରରେ
ମୋତେ ବି ତୁ ଡାକୁଥିବୁ।
ମୋ ଖୋଜିବା ଆଉ ତୋ ଡାକିବା 
ନିଜ ପାଖେ ରହିଗଲା,
ତୋ ସ୍ଵର ମୋ ପାଖେ ସବୁଦିନ
ପାଇଁ ନିରବୀ ଗଲା 
ଏବେବି ସେ ବାଟେ ଯାଉଥିଲେ ଦଣ୍ଡେ
ଠିଆ ହୋଇ ତୋତେ ଖୋଜେ,
କାହୁଁ ବା ପାଇବି କେ ଘେନିଣ ଗଲା
ବଡ଼ ପାଗଳ ମୁଁ ନିଜେ।

ପ୍ରଣତି ମହାପାତ୍ର, ବାଲେଶ୍ଵର

Post a Comment

0 Comments