Ad

header ads

କବିତା - ପାନ୍ଥଶାଳା - ଶିବ ଚରଣ ମହାପାତ୍ର


ରାତି ଟିଏ ପାଇଁ ସାଥି ହେଲି ଯେବେ
ପାନ୍ଥଶାଳା ପ୍ରିତି ଧାରେ
ଏକାନ୍ତ ନିଜର ଭାବି ସେ ଗୁମର
ଖୋଲିଲା ଧିରେ ମୋ ଠାରେ..!!

କଳ୍ପିତ ମାନସେ କଳିଲି ବେଦନା
ପାନ୍ଥଶାଳା ଯେତେ ବ୍ୟଥା
ପଚାରିନି କେବେ କେହି ଜଣେ ଆହା
ଭଲ ମନ୍ଦ ତାର କଥା..!!

ଦଦରା ଛାତିରେ ପଲଙ୍କ ପାରେ ସେ
ଆକାଶ ତା' ଖୋଲା ଛାତ
ପଥପ୍ରାନ୍ତେ ଥାଇ ଡାକିଛି କେତେ ଯେ
ଆତ୍ମିୟତା ବୋଳା ହାତ..!!

ପାନ୍ଥଶାଳା କେତେ ଆବୋରି ନେଇଛି
ତପତ ଶୋଣିତ ଲୁହ
ବିଦଗ୍ଧ ହୃଦୟେ ପ୍ରସାରି ଦେଇଛି
ସୁଶୀତଳ ଛାୟା ଦେହ..!!

ଆଲଙ୍ଗିଛି କେତେ ଫଗୁଣ ଅବିର
ଶ୍ରାବଣ ତତଲା ଲହୁ
ମୁକସାକ୍ଷୀ ହୋଇ ନୀରବ ପ୍ରେମର
ଅଦିନେ ଝାରିଛି ମହୁ..!!

ଉଷୁମ ପ୍ରେମରେ ସେକିଛି କେତେ ଯେ
ଥରିଲା ଓଠର ନିଶା
କିଛି ସଜ ଲାଜ କିଛି ଅଭିମାନ
ଅନୁରାଗ ରଙ୍ଗ ମିଶା..!!

କାନ୍ଥେ କାନ୍ଥେ ଅଙ୍କା ପରଦେଶୀ ନାଆଁ
ଆପଣାର ପ୍ରିୟ ଜନ
କେ' କାଇଁ ବୁଝିନି ଛାଡିଗଲା ପରେ
ପାନ୍ଥଶାଳା ମାରେ ମନ..!!

ଜଳିଛି ଗୋପନେ ତୁମ କୋହ ଦେଖି
ଅନ୍ଧାରେ କୋରିଛି ଛାତି
ବିରହ ବେଦନା କରୁଣ ରାଗିଣୀ
ଲୁଣ୍ଠିଛି ତା' ଜହ୍ନରାତି..!!

ତଥାପି ହସୁଛି ମନଖୋଲା ହସ
ତ୍ୟାଗ ବଳିଦାନେ ଭିଜି
ଆନ ଖୁସି ପାଇଁ ଜିଇଁବାକୁ ହୁଏ
କହୁଥିଲା ପ୍ରେମେ ମଜ୍ଜି
ସେ କହୁଥିଲା ପ୍ରେମେ ମଜ୍ଜି..!!


ରଚନା : ଶିବ ଚରଣ ମହାପାତ୍ର

ଠିକଣା : ଚକ୍ରଧରପୁର, କେନ୍ଦୁଝର,   ଦୂରଭାଷ :

Post a Comment

0 Comments