Ad

header ads

କବିତା - ପାଉଁଶ ତଳର ନିଆଁ - ଅଧ୍ୟାପକ ନୃସିଂହାନନ୍ଦ ମହାପାତ୍ର


ବହୁ ଦିନପରେ  ଆଜି କାହିଁ ଝୁରେ
 ଅମାନିଆ ଆଖି ଲୁହ
ମନ ଆକାଶରେ ନାଚି ଯାଉଛି ଯା'
ଚନ୍ଦ୍ରମା ତୁମ ମୁହଁ ।

ଲୁହଟୋପେ ପଡି ମାଟିରୁ ଫୁଟୁଛି
ମମତାର ନୀଳ କଇଁ
ତୋଳିବାକୁ ଗଲେ ଅଭିମାନେ ସିଏ
କରୁଅଛି ନାହିଁ ନାହିଁ ।

ଆଗୋ ନୀଳ କଇଁ କାହିଁ କର ନାହିଁ
ପଚାରିଲେ ବାର ଵାର
ଛଳ ଛଳ ତାର ଆଖିରୁ ଉଛୁଳୃ
ଶ୍ରାବଣର ଲୁହଧାର ।

କହିଲା ସରାଗେ ଜନମ ଜନମ
ତୁମପାଇଁ ଫୁଟୁଥିବି
ସକଳ କାମନା ତୁଟାଇ ପ୍ରିୟଗୋ
ଚରଣରେ ଲୋଟୁଥିବି ।

ପ୍ରେମ ସିନାଏକ ଅଜର ଅମର
ପାଉଁଶ ତଳର ନିଆଁ
ସେଇ ଭାବନାଟି ପୁଲକିତ କରେ
କାଉଁରୀ କାଠିର ଛୁଆଁ ।

ତୁମେ ନାହଁ ହେଲେ ପରାଣରେ ମୋର
ଆଙ୍କିଛି ନୀଳିମା ରେଖା 
ଗଗନେ ପବନେ ବନେ ଉପବନେ
ପାଉଥାଏ ତୁମ ଦେଖା ।

ଯେତେଥର ଭାବେ ତୁମକୁ ଭୁଲିବି
ଚିରିକି ପୁରୁଣା ଚିଠି
ସେ ଚିଠିରେ ଥିବା ନିଆଁର ଝୁଲରେ
ଜଳୁଛି ମୋହର ଛାତି ।

ପଳ ପଳ ଦୁଃଖ ପଲକ ପାତରେ
ପର କରି ଗଲ କାହିଁ 
ଭୁଲିବାକୁ ଭାବି ଏବେଵି ତୁମକୁ
ଜମା ଭୁଲି ପାରୁ ନାହିଁ ।

ତୁମରି ସ୍ମୃତିରେ ଏତେ ମିଠା ଅଛି
ବିରହରେ ଜଳେ ସିନା
ପାଣି ଓ ପବନ ହୁଏ ଆନମନା
ଖାସ୍ ତୁମରି ବିନା ।

ତୁମକୁ ଭାଳି ମୁଁ ଲାଜରେ ମରୁଛି
ନିତି ଦିନ ପ୍ରତିକ୍ଷଣେ
ତଥାପି ତୁମରି ପରିକା ଝିଅଟେ
ଦେଖୁ ନାହିଁ କେହି ଜଣେ  ।।

ନୃସିଂହାନନ୍ଦ ମହାପାତ୍ର, ଅଧ୍ୟାପକ,
ସରକାରୀ ଆଇଟିଆଇ, ଫୁଲବାଣୀ, କନ୍ଧମାଳ, ମୋ-୯୪୩୭୧୧୨୩୫୪

Post a Comment

0 Comments