Ad

header ads

କବିତା - ମାୟା କୁହେଳିକା - ସଂଯୁକ୍ତା ରାଉତ


ମୋର ମୋର ବୋଲି ଆବୋରେ ମଣିଷ
ସଂସାର ଭିତରେ ରହି
ଜନମ ନିଆଁରୁ ଯୁଇ ନିଆଁ ଯାଏଁ
ମାୟାର ବନ୍ଧନ ଏହି ୲୲

ସୁଖ ଦୁଃଖ ଭରା ଏଇତ ଜୀବନ
କେବେ ଛାଇ କେବେ ଖରା
ହାତ ପାହାନ୍ତାରେ ଥାଇ ସ୍ଵର୍ଗ ସୁଖ
ଦିଏନି ସହଜେ ଧରା ୲୲

ସ୍ଥିତି ପରିସ୍ଥିତି ଚକ୍ରବିହ୍ଵେ ପଡ଼ି
ମଣିଷ ହରାଏ ଜ୍ଞାନ
ଅମୂଲ୍ଯ ଜୀବନ ଲାଗେ ହାହାକାର
ସବୁଥାଇ ଲାଗେ ଶୂନ୍ୟ ୲୲

ଭୁଲି ହିତାହିତ ହୋଇ ମୋହଗ୍ରସ୍ତ
ମଣିଷ ବରଇ କଷ୍ଟ
ହୀନ ସ୍ଵାର୍ଥ ଭାବ ଅମଣିଷ ପଣ
କରେ ତାକୁ ପଥଭ୍ରଷ୍ଟ ୲୲

ନିଜ ପର ଭାବ ମନେ ନେଇ ଯେବେ
କଷି ବସେ ମାନସାଙ୍କ
ଅଛିଣ୍ଡା ରହଇ ଜୀବନ ଗଣିତ
ଅବିଭାଜ୍ୟ ଶେଷ ଅଙ୍କ ୲୲

କ୍ଷଣିକ ସୁଖରେ ଭାବପ୍ରବଣରେ
ଭାସିଯାଏ ସିନା ମନ
ବିପର୍ଯ୍ୟୟ ଆସେ ପରିଶେଷେ ଯେବେ
କଲବଲ ହୁଏ ପ୍ରାଣ ୲୲

ମାୟା କୁହେଳିକା କଟିଗଲା ପରେ
ଜୀବନ ଲାଗଇ ଶୁଷ୍କ
ସମୟ ସ୍ରୋତରେ ହଜିଯାଏ ସବୁ
ଶୂନ୍ୟ ଯେ ଆଶା ସିନ୍ଦୁକ ୲୲


ରଚନା : ସଂଯୁକ୍ତା ରାଉତ

ଠିକଣା : ଜୟପୁର, କୋରାପୁଟ,   ଦୂରଭାଷ :

Post a Comment

0 Comments