Ad

header ads

କ୍ଷୁଦ୍ରଗଳ୍ପ - ଖୁସି - ସାନ୍ତନୁ ବିଶୋଇ


ମୋ' ଝିଅ । ବାପା ହୋଇ ଯଦି ଓ ମୁଁ ତା ବିଷୟରେ କିଛି କହିବାକୁ ଚାହୁଁନି, ତଥାପି ଏତିକି କହିବାକୁ ଚାହେଁ ଯେ ମୁଁ ବାହାରି ରାଜ୍ୟରୁ ଯେତେବେଳେ ଗାଁ କୁ ଫେରିଥାଏ ସମ୍ପର୍କୀୟ ମାଉସୀ, ବଡ଼ ମାଆ, ମାଇଁ, ପିଉସୀ ମାନଙ୍କୁ ନମସ୍କାର ଜଣାଇ ଘରେ ପଶିବା ପୂର୍ବରୁ ଆରମ୍ଭ ହୋଇଯାଏ ତା' ନାଁ ରେ ଅଭିଯୋଗ ।

ହଇରେ ପୁଅ ଯୋଉ ଝିଅ ଖଣ୍ଡେ ଛାଡି ଯାଇଛୁ ତ... ଆମକୁ ହଇରାଣ କରିକି ରଖୁଛି ।

କାହାକୁ ବୁଢ଼ୀ କହି ଦୁର୍ବ୍ୟବହାର କଲାଣି ତ' ଆଉ କାହାକୁ ଯାଆ ବେ... କାହିଁକି..ବେ ଭଳି ଅଶାଳୀନ ଶବ୍ଦ ପ୍ରୟୋଗ କଲାଣି । କାହାକୁ ପୋକଡି କହିଲାଣି ତ' ଆଉ କାହାକୁ ଆମ ଘରୁ ତୁମେ ବାହାରି ଯାଅ କହି ଘରୁ ତଡିଲାଣି । ୟାଠାରୁ ଅଧିକ କଠିନ ଶବ୍ଦ ପ୍ରୟୋଗ କରୁଥିବା ଭାଷା ଗୁଡିକ ଲେଖାରେ ଲେଖି ହେବନି । ଏତକ ଶୁଣି ସାରିଲେ ମୁଁ ଘରଭିରକୁ ଯାଏ । 

ଅପେକ୍ଷାରେ ଥାଏ ଖୁସି । ଆଦର, ଗେଲ ନହେଲେ ମୋ ପାଖ ଛାଡି ଯିବନି । ଆଗକୁ ପଛକୁ ହେଇ କେବେ ହାତ ଟାଣିବ ତ କେବେ ତା ପାଇଁ ନ ନେଇଥିବା ଜିନିଷକୁ ନେଇ ଅଭିଯୋଗ ବାଢ଼ିବ ।

ଆଉ ମୋ ବୋଉର ସବୁଠୁଁ ବଡ଼ ଅଭିଯୋଗ ଥିଲା "ପିଲାଟକୁ ଟିକେ ଆଖି ଦେଖାଉନୁ ଯେ, ପରେ ଚେତିବୁ ।"

କେହି କେହି କହନ୍ତି, ଝିଅଟାକୁ ଏତେ କାହିଁକି ଗେଲବସର କରିଛୁ ?? ତୋ ଗେଲବସର ଯୋଗୁଁ ସେ ଦିନେ ବିଗିଡି ଯିବ। 

ଚାରି ବର୍ଷର ଝିଅ, ଖୁସି । ମୋ' ପରିବାର ଆମ ଗାଁ ରେ ଥାଆନ୍ତି ।

ମୁଁ ମହାରାଷ୍ଟ୍ର, ଉସ୍ମାନାବାଦରେ ଥିଲା ବେଳେ ଦିନେ ଖୁସି ମୋତେ ଫୋନ କରିଥିଲା । ତା'ର ଅଭିଯୋଗ ଥିଲା, ମାମା(ମା') ତାକୁ ପାନିଆରେ ମାଡ଼ ମାରିଛି । ଆଖିରୁ ଧାର ଧାର ଲୁହ । କହିଲା ତମେ ଏବେ ସାଙ୍ଗେ ସାଙ୍ଗେ ଆସ, ନହେଲେ ମାମାକୁ ବାଡ଼ାଅ ।
ପଛରୁ ତା' ମାମାର କଣ୍ଠସ୍ୱର, ତାକୁ ପଚାରୁନ ମୁଁ କାହିଁକି ମାଡ ଦେଲି ବୋଲି... !!

ମୋ ଝିଅ ମାଡ ଖାଇଛି। ହାଡରେ କମ୍ପନ ସୃଷ୍ଟି ହେଉଥିଲେ ହେଁ ବାହାରେ ରହୁଥିବାରୁ ସଂଯମତା ରକ୍ଷା କଲି।

ଖୁସିକୁ ମୁଁ ବେଳେ ବେଳେ ଗେହ୍ଲାରେ ମାମା ବୋଲି ଡାକେ। ପଚାରିଲି, ମାମା, ତମ ମାମା ତୁମକୁ କାହିଁକି ମାଡ ଦେଲେ?? 

ନିର୍ଭୀକ ଭାବେ ଖୁସି କହିଲା, ମାଆକୁ ବୁଢ଼ୀ ଡାକିଲି, ଆଉ ପାଠ ପଢ଼ାରେ ଦୁଇଟି ଭୁଲ କରିଦେଲି ବୋଲି ମାଡ଼ ଦେଲା। 

ପୁଣି ପଚାରିଲି, ଭୁଲ ତମେ କରିବ.. ଆଉ ମାଡ଼ କିଏ ଖାଇବ?? 

ମୁଁ ପରା ଛୋଟ ଛୁଆ, ବତେଇବ, ଶିଖେଇବ ନା' ମାଡ଼ ଦେବ...??

କାନରେ ଫୋନ ଟା ଲଗେଇ ଚିନ୍ତା କଲି, ଏମିତି ଉତ୍ତର ଛୁଆ ବେଳେ ମୋ ପାଖରେ ନଥିଲା ବୋଲି ବିଧା, ଗୋଇଠା ଚାପୁଡ଼ା କେତେ ନଖାଇଛି ମୁଁ। ଦୌଡ଼ି ଦୌଡ଼ି ଯାଇ କାହାର ପାଳ ଗଦା ତଳେ ତ କାହା ଆଟୁ(ଘରର ମଞ୍ଚା)ଉପରେ ଲୁଚିବାକୁ ପଡୁଥିଲା। 

ପ୍ରକୃତିସ୍ଥ ହୋଇ କହିଲି ମାମା, ତମ ମାମାକୁ ଫୋନ ଦିଅ। ଖୁସି ଅଞ୍ଜଳୀକୁ ଫୋନ ଦେଲା, କ୍ରୋଧର ଦୁଇ ଚାରି ଅସରା ବର୍ଷା ହୋଇଗଲା ଅଞ୍ଜଳି ଉପରେ। 

ଖୁସି ସେସବୁ ଶୁଣି ଖୁସି ଅନୁଭବ କରୁଥାଏ। 

ଡେଇଁ ଡେଇଁ ଚାଲିଲା ଖେଳିବା ଉଦ୍ଦେଶ୍ୟରେ। 

ତମ ଗେହ୍ଲେଇ ଗଲାଣି, ଆଉ ବେଶୀ ଭାଉ ଖାଅନି, ସେପଟରୁ ଅଞ୍ଜଳିର ଉତ୍ତର ଆସିଥିଲା।

ସମୟ ଚକ୍ରରେ ପେଷିହୋଇ, ମୋର ଆର୍ଥିକ ମାନ୍ଦା ଅବସ୍ଥା ଆସିଯାଇଥାଏ। ଭଣଜାର ସ୍କାଟିଂ ସ୍କୁଟର ଦେଖି, ଖୁସି ବାରମ୍ବାର ମୋ ଉପରେ ଆସି ନଟେଇ ଘଟେଇ ହେଇଥାଏ। ମୁଁ ବୁଝି ବି ନବୁଝିଲା ଭଳି ସ୍କାଟିଂ ଠାରୁ ଦୂରତା ରଖି ଖୁସି ପାଇଁ ଅଳ୍ପ ଦିନ ଭିତରେ ସ୍କାଟିଂ ସୁ ଆଣିବା ପାଇଁ ପ୍ରଲୋଭିତ କରାଇ ପରିସ୍ଥିକୁ ଟାଳିଦେଲି।

ଛୋଟ ଛୁଆଙ୍କୁ ବୁଝାଇବା କଷ୍ଟ, ବଡଙ୍କୁ ବୁଝାଇବାକୁ ପଡେନି। ସେମାନେ ସବୁ ବୁଝି ଯାଆନ୍ତି।

ମୋ ପାଖରେ କିନ୍ତୁ ସବୁ ଓଲଟା। ଗାଁ ଗହଳିରେ ଯଦିଓ କୋଡ଼ିଏ ଖଣ୍ଡ ଶାଢ଼ୀ କମ୍ ନଥିଲା, ଅଞ୍ଜଳିର ଜିଦ୍ ଥିଲା ସେସବୁ ପୁରୁଣା ମଡେଲ ଶାଢ଼ୀ ହୋଇଗଲାଣି, ଆଉ କେହି ପିନ୍ଧୁନାହାନ୍ତି। ତାକୁ ନୂଆ ମଡେଲର ଆଉ ଚାରି ଖଣ୍ଡ ଶାଢ଼ୀ ଦର୍କାର।

ଇ-ମାର୍କେଟରୁ ଖୁସି ପାଇଁ ଯେମିତି ସ୍କାଟିଂ ଆସିଥିଲା, ସେମିତି ତା' ପାଇଁ ବି ଚାରି ଖଣ୍ଡ ଶାଢ଼ୀ ମଗାଇ ଦିଆଯିବ। 
ଆର୍ଥିକ ଅସ୍ବଚ୍ଛଳତାକୁ ଯେଉଁ ମୋଡ଼ରେ ବୁଝାଇଲେ ବି ସେ ବୁଝିବା ପାଇଁ ନାରାଜ।

ଖୁସି ପାଇଁ ସ୍କାଟିଂ ଆଣିବାକୁ ଟଙ୍କା ଅଛି, ଅଥଚ ଶାଢ଼ୀ ପାଇଁ ଟଙ୍କା ନାହିଁ..?? ଏହା ଅସମ୍ଭବ।

ମୁଁ ଭାବୁଥିଲି, ଅଞ୍ଜଳି ଦୁନିଆଁର ପ୍ରଥମ ମାଆ, ଯିଏ ନିଜ ଝିଅ ସହିତ ବାଦ କରି ନିଜ ପାଇଁ ଜିନିଷ କିଣିବାକୁ ଦାବି କରୁଛି।

ହ୍ଵାଟ୍ସଆପରେ ରଙ୍ଗ, ଡିଜାଇନ ଆର୍ଟ ନମ୍ବର ସବୁ ନିର୍ଭୁଲ ଭାବେ ମୋ ପାଖକୁ ପଠାଇ ସାରିଲାଣି। 

ମୁଁ, ଗାଁ କୁ ଆସିଲେ ସାଙ୍ଗହୋଇ ମାର୍କେଟିଂ କରିବା କହି କଥାଟିକୁ ମୁଁ ଟାଳିଦେଲି।

ମୋର ଗାଁ କୁ ଆସିବାର ଦୁଇଦିନ ହେଇଗଲାଣି। ଖୁସି ଗୋଟିଏ ନୋଟ ବୁକ ନେଇ ଆସିଲା। ତାର ଅଭିଯୋଗ, ମୁଁ ଘରେ ନରହୁଥିବାର ସୁଯୋଗ ନେଇ ତା ମାମା ତାକୁ ବହୁତ ମାଡ଼ ଦେଇଛି, କୋଉ ତାରିଖରେ ମାଡ ଦେଇଛି, କେଉଁଥିରେ ମାଡ ଦେଇଛି ତାର ବିସ୍ତୃତ ବିବରଣୀ। କେତେ ତାରିଖରେ ବିଧା, କେତେ ତାରିଖରେ ଖୁନ୍ଦା,(ମୁଥ) କେବେ ବେତରେ, କେବେ ପାନିଆରେ, କେବେ ହାଡକୁ ଦେଖି ମାଡ଼ ହେଇଛି କେବେ ପିଠିକୁ... ଇତ୍ୟାଦି ଇତ୍ୟାଦି। ଏହା ଅନ୍ୟମାନଙ୍କୁ ମିଛ ଲାଗିଲେ ବି ବାସ୍ତବିକ ଏହା ସତ୍ୟ।
ମୁଁ ତା ମାମାକୁ ଭିଡି ଧରିବି, ଏବଂ ସେ ଲେଖିଥିବା ଅନୁକ୍ରମରେ ଓ ଅନୁରୂପରେ ତା' ମାମାକୁ ମାଡ଼ ଦେବ।

ଏଭଳି କର୍ମରୁ ନିବୃତ ପାଇଁ, ମା'ର ମହନୀୟତା ବିଷୟରେ ତାକୁ କାହାଣୀ ଶୁଣେଇଲି। କିନ୍ତୁ ସେ ଅବୁଝା। (practical)ବାସ୍ତବ ଜ୍ଞାନ ଟା ଭଲ ଭାବି ତାକୁ ଆମ ଗାଈ ଗୁହାଳ ଆଡକୁ ବୁଲାଇ ନେଲି, ଗାଈ ଓ ବାଛୁରୀ ଭିତରର ସମ୍ପର୍କ ବୁଝାଇଲି। ଗାଈ ହେଉଛି ମା' ସେ ତା ବାଛୁରୀକୁ ବହୁତ ସ୍ନେହ କରେ। କ୍ଷୀର(ନିତିଆନି) ଖାଇବାକୁ ଦିଏ। ବାଛୁରୀକୁ କିଏ ଆକ୍ରମଣ କଲେ ଗାଈ ତାକୁ ଶିଙ୍ଗରେ ମରିଦିଏ।ଇତ୍ୟାଦି ଇତ୍ୟାଦି....
ମୋ ପାଖରୁ ଖସି ଯାଇ ବାଛୁରିକୁ ପଘାରୁ ଫିଟେଇ ଦେଲା ଖୁସି। ବାଛୁରୀ ଗାଈ ପାଖକୁ ଆନନ୍ଦରେ ଧାଇଁଲା ଦୁଗ୍ଧ ପାନ ପାଇଁ। ଗାଈଟି ବାଛୁରୀକୁ ଦୁଇ ଚାରି ନାତ ମାରିଲା...
ବାବା, କହୁନ ଗାଈ କେମିତି ସ୍ନେହ କରୁଛି ବୋଲି.. ଜେଜେ ବାପା କହୁଥିଲେ ଏଇଟା ଓଲେଇ ଗାଇଟା। ମାମା ମତେ ଯେମିତି ମାରୁଛି, ଏଇ ଗାଈଟା ସେମିତି ବାଛୁରୀକୁ ନାତ ମାରୁଛି। ବାସ୍ତବରେ ଗାଈଟି ବାଛୁରୀକୁ ନାତ ଛାଡୁଥିଲା।

ପଛରେ ଆସି ଅଞ୍ଜଳି ହାଜର। ଅଦୁରରେ ବିଲେଇ ଟିଏ ଛୁଆ ବିଲେଇଙ୍କୁ ନେଇ ଅନ୍ୟତ୍ର ସ୍ଥାନାନ୍ତରିତ କରୁଥିଲା। ମାଆ ବିଲେଇର ଆଗକୁ ପଛକୁ ଦୌଡ଼ି ଛୁଆ ବିଲେଇ ଗୁଡିକ କୌତୁକ ହୋଇ ଯାଉଥାନ୍ତି। ଚେଷ୍ଟା କଲି ମା'ର ମମତାକୁ ଏଇଠୁ ଆବିଷ୍କାର କରି ଖୁସି କୁ ବୁଝାଇ ଦେବି। 

ବିଲେଇ ପଞ୍ଝାକୁ ଦେଖି ଖୁସି ମୋତେ କହିବା ଆରମ୍ଭ କଲା, ବାବା.. ଏଇ ବଡ଼ ବିଲେଇଟା ଗୋଟିଏ ଛୋଟ ପିଲା ବିଲେଇଙ୍କୁ ମାରିଦେଲା ନାଉଁ..।

ମୁଁ ପଚାରିଲି କେମିତି??

ପିଲା ବିଲେଇଟାର ବେକକୁ ବଡ଼ ବିଲେଇଟା ଦାନ୍ତରେ ଧରିଥିଲା, ତା ପରେ ଛିଞ୍ଚାଡି ଦେଲା । ପିଲା ବିଲେଇଟା ମରିଗଲା।

ଖୁସିକୁ ବୁଝେଇବା ପାଇଁ ଆଉ ମୋ ପାଖରେ ଭାଷା ନଥିଲା। ତା'ର ମନସ୍ତତ୍ଵକୁ ମୁଁ ଯେତିକି ବିସ୍ଲେଷଣ କଲି, ଭୁଲ ତା ଠାରେ ନଥିଲା। ତା ଔଦ୍ଧତାମିରେ ନଥିଲା। ସବୁ ଭୁଲ ଥିଲା ତା ମାମା ଅଞ୍ଜଳି ପାଖରେ। ଏସବୁ ଘଟଣା ପ୍ରତିତ କରୁଥିଲା ଅଞ୍ଜଳି ହିଁ ପିଲାଟିକୁ ତାବେଡେଇବା(ସୁଧାରିବା) ବାହାନାରେ ଅତ୍ୟଧିକ ମାଡ଼ଦେବା ଓ ଅନାଦର କରିବା ଭଳି ପରିସ୍ଥିତି ନିଶ୍ଚୟ ସୃଷ୍ଟି କରିଛି।

କୋମଳ ମତି ଶିଶୁ ମାନଙ୍କ ମନରେ ଏଭଳି ଘଟଣାର କୁ-ପ୍ରଭାବ କେମିତି ପଡୁଛି ଅଞ୍ଜଳିକୁ ବୁଝେଇବାକୁ ଚେଷ୍ଟା କଲି। ସବୁ ଶୁଣିସାରିଲା ପରେ ରାଗ ତମ ତମରେ ଜାଗା ଛାଡୁ ଛାଡୁ କହି ଦେଇଗଲା, ବୋଉ ଠିକ୍ କହୁଥିଲେ "ପିଲାଟିକୁ ଟିକେ ଆଖି ଦେଖାଉନ ଯେ, ପରେ ଚେତିବ।"

#ସତ_ହେଲେବି_ଗପ। 


ରଚନା : ସାନ୍ତନୁ ବିଶୋଇ

ଠିକଣା : ଗ୍ରା/ପୋ-ଦଣ୍ଡୋର
ପୋଲିସ ଷ୍ଟେସନ-ଓଡ଼ଗାଁ, ଜିଲ୍ଲା-ନୟାଗଡ
Pin-752090 ଦୂରଭାଷ : 7077171816

Post a Comment

0 Comments