Ad

header ads

ଅଣୁଗଳ୍ପ - କାର୍ତ୍ତିକ ମାହାତ୍ମ୍ୟ - ପ୍ରଣତି ମହାପାତ୍ର


କାର୍ତ୍ତିକ ମାସ, ସବୁଆଡେ ହରିନାମ, ଗୀତା ଭାଗବତ ପାଠରେ ମନକର୍ଣ୍ଣ ପବିତ୍ର ହୋଇଯାଏ । ସକାଳୁ ସକାଳୁ ଉଠି ଗାଧେଇ ପାଧୋଇ ସବୁ ମନ୍ଦିରକୁ ଯାଇ ଦେବାଦେବୀ ଦର୍ଶନ ପରେ ଘରେ ଆସି  ତୁଳସୀ ଚଉରା ପାଖରେ ନାନା ପ୍ରକାର ଅବିରରେ ଜଗନ୍ନାଥ, ତୁଳସୀ ଗଛ ଇତ୍ୟାଦି କରି ସାରି  ଚା'ପିଇ ବସି ପଡ଼ନ୍ତି ମାଳତୀ ଦେବୀ କାର୍ତ୍ତିକ ମାହାତ୍ମ୍ୟ ବହି ଧରି । ହେଲେ କଣ ହୁଏ କେଜାଣି ବହି ଟିକୁ ଚାହିଁ, ପୃଷ୍ଠା ପରେ ପୃଷ୍ଠା ଓଲଟେଇ କାନ୍ଦି ଚାଲନ୍ତି । ଏହିଭଳି କିଛି ସମୟ ପରେ ପୁଣି ବହିଟିକୁ ମୁଣ୍ଡରେ ମାରି ରଖିଦିଅନ୍ତି ଠାକୁର ଖଟୁଲିରେ ।

ଲଗାତର ଦୁଇବର୍ଷ ହେବ ଏ ଦୃଶ୍ୟ କୁ ଦେଖୁଥାଏ ପଡୋଶୀ ଘର ର କୁନି ପିଲାଟିଏ । ସେ ତାର କିଛି କାରଣ ବୁଝି ପାରେ ନାହିଁ । ହେଲେ ଆଜି କାର୍ତ୍ତିକ ପୁନେଇଁ । ସାହସ କରି ଜେଜେମା ପାଖକୁ ଗଲା, ଜେଜେମା କାନ୍ଦୁଥିଲା ବହିକୁ ଚାହିଁ । ପିଲାଟିର ପ୍ରଶ୍ନରେ ପ୍ରକୃତିସ୍ଥ ହେଲେ । ଆଉ ଯାହା କହିଲେ ସେସବୁ ଶୁଣି କୁନି ପିଲାଟି ବି କାନ୍ଦି ପକେଇଲା । ପ୍ରତ୍ୟୁତ୍ତର ରେ କଣ କହିବ, ଏବେବି ଭାବୁଛି । ସେଦିନର ସେ ପିଲାଟି ତା ବାପାଙ୍କ ଆଗରେ ଏସବୁ କଥା ଗୋଟି ଗୋଟି କରି କହିଲା । ଜାଣିଛ ବାପା ମାଳ ଜେଜେମା ସିନା ସମସ୍ତଙ୍କୁ ଦେଖିପାରେ, ହେଲେ ବହିର ଅକ୍ଷର ଜମା ଦେଖିପାରେ ନାହିଁ, କାରଣ ତାକୁ ଭଲ ଦେଖାଯାଉଥିବା ଆଖିଟି ଅପରେସନ ହୋଇ ଯାଇଛି, ହେଲେ ଯେଉଁ ଆଖିକୁ ଆଦୌ ଦେଖାଯାଏ ନାହିଁ ସେ ଆଖିଟି ଏବେବି ବିନା ଅପରେସନ ରେ ରହିଛି । ପ୍ରଥମେ ପ୍ରଥମେ ଯେତେବେଳେ ଆଖିକୁ ଦେଖାଗଲା ନାହିଁ, ତା ପୁଅ ସାଙ୍ଗରେ ଡାକ୍ତର ପାଖକୁ ଗଲା । ଡାକ୍ତର ପରାମର୍ଶ ଦେଲେ ଦୁଇଟି ଯାକ ଆଖି ଅପରେସନ କରିବାକୁ । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଗୋଟିଏ ଆଖି ଅପରେସନ କଲେ ଏବଂ ଅନ୍ୟ ଆଖି ପାଇଁ ଗୋଟିଏ ସପ୍ତାହ ପରେ ଆସିବାକୁ ପରାମର୍ଶ ଦେଇଥିଲେ ।

ଗୋଟିଏ ଆଖି ପାଇଁ ଗୋଟିଏ ପୁଅ ଟଙ୍କା ଖର୍ଚ୍ଚ କରିଥିଲେ ଏବେ ଆଉ ଗୋଟିଏ ଆଖି ପାଇଁ ଅନ୍ୟ ଜଣେ ପୁଅ ଟଙ୍କା ଖର୍ଚ୍ଚ କରୁ କହି ସେ ପୁଅ ତ ରହିଗଲା । ଏ ପୁଅ ପାଖରେ ଟଙ୍କା ଅଛି କି ନାହିଁ ସେଇଟା ତ ବଡ଼ କଥା । ସେ ପୁଅ କେବେ ତା ମାଆଙ୍କୁ ସେ ବିଷୟରେ ଆଲୋଚନା ବି କରୁନାହାନ୍ତି । ଯେତେବେଳେ ଟିକିଟିକି ପିଲାମାନଙ୍କୁ ଛାଡ଼ି ବାପା ଆରପାରିକୁ ଚାଲିଗଲେ, ସେତେବେଳେ ଏଇମାନଙ୍କ ପାଇଁ ମାଆ ନିଜ ସୁନା ଗହଣା ଠାରୁ ଆରମ୍ଭ କରି ଘରର ଯାବତୀୟ ଜିନିଷପତ୍ର ବିକ୍ରି କରିଦେଇଥିଲେ । ସେମାନଙ୍କ ଦେହ ପାଠପଢା ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଦେଇଥିଲେ । ଝିଅକୁ ପାଠ ନ ପଢାଇ ପୁଅଙ୍କୁ ମଣିଷ କରିବା ଲକ୍ଷ୍ୟରେ କେତେ କଣ ଦୁଃଖ କଷ୍ଟ ଯେ ନ କରିଛନ୍ତି । ସେହି ପୁଅମାନେ ଆଜି ମାଆକୁ ଅନ୍ଧୁଣୀ ସଜେଇ ଖୁସିରେ ବିଭୋର ହେଉଛନ୍ତି । ଭୁଲି ଯାଉଛନ୍ତି ମାଆର ମମତା ।ପ୍ରଥମେ ପ୍ରଥମେ ସେହି କାର୍ତ୍ତିକ ମାହାତ୍ମ୍ୟ ପଢିବା ପାଇଁ ନାତିନାତୁଣୀ ମାନଙ୍କୁ ଅନୁନୟ ବିନୟ ହେଉଥିଲେ । ଏବେ କେବଳ ବହିଟିକୁ ଚାହିଁ ଚାହିଁ ମୁଣ୍ଡରେ ମାରି ମନକଥା ମନେ ମନେ କହି ଚୁପ୍ ହୋଇ ଯାଆନ୍ତି । କିଏ ବା ତାଙ୍କ ମନର କୋହ ଆଖିର ଲୁହକୁ ବୁଝିବ ।


ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ବର

Post a Comment

0 Comments