Ad

header ads

ପ୍ରବନ୍ଧ - ଗଉଁ - ରବିନ ଖଣ୍ଡାୟତରାୟ


କେତେ ଗଉଁ ଦେଖାଉଛୁ ମ ? ଯା'ନିଜ କାମରେ ଲାଗି ଯା । ବୟସ ଯେତେ ବଢ଼ିବଢ଼ି ଯାଉଛି, ଦୁନିଆକୁ ବୁଝିବା ସେତେ କ'ଣ କମିକମି ଯାଉଛି? ଆରେ ଭାଇ ନଦୀ ସ୍ରୋତର ଅନୁକୂଳ ଦିଗରେ ନାବ ସୁରୁଖୁରୁରେ ଚାଲିବା ଆଉ ପ୍ରତିକୂଳଦିଗରେ ପ୍ରତିରୋଧର ଶିକାର ହେବାପରି, ପ୍ରକୃତି ସହିତ ମିତ୍ରତା ଭାବ ପୋଷଣକରି ତା'ର ନୀତିନିୟମରେ  ନିଜକୁ ପରିଚାଳିତ କରିପାରିଲେ ସର୍ବଦା ସନ୍ତୁଳନ ପ୍ରିୟ ପ୍ରକୃତି ଆମ ସୁଖର କାରଣ ହୋଇପାରିବ । ଆଉ ଆମେ ଯଦି ଗଉଁ ଦେଖେଇ ନିଜ ଅନୁସାରେ ପ୍ରକୃତିକୁ ଓ ଅନ୍ୟମାନଙ୍କୁ ପରିଚାଳିତ କରିବାକୁ ଚେଷ୍ଟାକରିବା, ତେବେ କଇଥରୁ ରସ ଖାଇ ମଂଜି ଆଉ ଚୋପାକୁ ହାତି ପଦାକୁ ଫିଙ୍ଗିଦେବା ପରି, ଆମଠାରୁ କାମହାସଲ କରିନେଇ ଦୁନିଆ ଆମକୁ ଅଳିଆ ଗଦାକୁ ଫିଙ୍ଗିଦେବ । ସକାଳୁ ସକାଳୁ ଘରକଥାରେ ମନ ଉଣାକରି ବସିଥିବା ବନ୍ଧୁଙ୍କୁ ଏମିତି ଉଦାହରଣ ଦେଇ, ବୁଝାଇବାକୁ ଚେଷ୍ଟା କରୁଥିଲେ ନରହରି ବାବୁ । ବନ୍ଧୁ! ନିଜର ଖୁମାଣ ଛାଡ଼ି ଛୋଟଛୋଟ କଥାରେ ଅଯଥାରେ ଅସନ୍ତୋଷ ହୁଅ ନାହିଁ କି ନଖରେ ଛିଣ୍ଡିବାକୁ ଥିବା କାର୍ଯ୍ୟ ପାଇଁ କଟୁରୀ କୁରାଢ଼ୀ ଲଗାଅ ନାହିଁ! ତେବେ ଯାଇ ଜୀବନରେ ଶାନ୍ତିପାଇବ । ସେଦିନ ସେ ବନ୍ଧୁଙ୍କର ସ୍ଥିତି ପରଖିଥିବା ନରହରି ବାବୁ, ପରଦିନ ଅନ୍ୟ ଜଣେ ବନ୍ଧୁଙ୍କର ବୀପରିତ ସ୍ଥିତି ଜାଣିବାର ସୁଯୋଗ ପାଇଥିଲେ । ଆବେଗଭରା କଣ୍ଠରେ ମନର କଥାକୁ ତାଙ୍କ ଆଗରେ ପ୍ରକାଶ କରି ବନ୍ଧୁ କହୁଥିଲେ, ମୋ ଘରଣୀର ଗଉଁ କହିଲେ ନସରେ । ଆମ ବାହାଘରର ପଚାଷ ବର୍ଷ ପୁରିଲାଣି ଆଉ ନାତିଟୋକା ବାହାହେବାକୁ ବସିଲାଣି ! ତଥାପି ତା'ର ବାପଘର ଟାଣ ଭାଙ୍ଗିନାହିଁ । ଯାହା ପାଇଁ ବୁଢ଼ା ବୟସରେ ମଧ୍ୟ ମତେ ଅନେକ କଥା ଶୁଣିବାକୁ ମିଳୁଛି । ଆଜିକା ସମୟରେ ଯୋଉ କଥାର କିଛି ମୂଲ୍ୟ ନାହିଁ, ସେହି କଥାରେ ବୃଥା ଅଭିମାନ କରି ଅଯଥାରେ ଅଶାନ୍ତି ସୃଷ୍ଟିକରୁଛି । ଯାହାକୁ ଆଡ଼େଇ ଗଲେ ଆମ ଦୁନିଆ ସୁଖମୟ ହୋଇପାରନ୍ତା । ହେଲେ ଯେତେ ଦିନ ଯାଏ ସେ ନିଜେ ଏକଥା ବୁଝିବାକୁ ଚେଷ୍ଟା କରିନାହିଁ, ଦୁନିଆର କେହି ଚାହିଁଲେ ମଧ୍ୟ ତାକୁ ପରିବର୍ତ୍ତନ କରିପାରିବେ ନାହିଁ । କାରଣ ନିଜ ମନ ମାନିଲେ ହିଁ ନିଜଭିତରେ ପରିବର୍ତନ ଆସିବ ଅନ୍ୟଥା ଅସମ୍ଭବ ।

ପରିବାର କ୍ଷେତ୍ରରେ ଏମିତି ଗଉଁ ସିନା କିଛି ଲୋକଙ୍କ ଭିତରେ ସୀମିତ ଥାଏ । ହେଲେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କ୍ଷମତାଧାରୀ ବ୍ୟକ୍ତି ବିଶେଷଙ୍କ ଗଉଁ ସମସ୍ତଙ୍କ ପାଇଁ ମାରାତ୍ମକ ହୋଇଥାଏ । ଏମିତି ଗଉଁ ଦେଖେଇ ଜନସ୍ୱାର୍ଥ ପାଇଁ ଗଣସ୍ୱାର୍ଥକୁ ବଳିଦିଆଯିବାର ଉଦାହରଣ ଆମ ସମାଜରେ ଅଭାବ ନାହିଁ । ସେହିପରି କିଛି ରାଜନୀତିକ ନେତା ଅଛନ୍ତି, ଯେଉଁମାନେ ନିଜଦମ୍ଭରେ ବଡ଼ବଡ଼଼ କଥାକହି ଲୋକଙ୍କର ମନଜିଣି, କ୍ଷମତା ପାଇଗଲା ପରେ ସେ ପ୍ରତିଶ୍ରୁତିକୁ ଭୁଲିଯାଆନ୍ତି, ଆଉ ଏଥିପାଇଁ ସେମାନଙ୍କ ମନରେ ଅବଶୋଷ ନହୋଇ ବରଂ ଅହଂକାର ଜାତ ହୋଇଥାଏ । ସେମିତି କିଛି ବଡ଼ ଅଧିକାରୀଙ୍କର ଭାରି ବଡ଼ ଗଉଁ ଥାଏ, ଯାହାପାଇଁ ଅଧସ୍ତନ କର୍ମଚାରୀମାନେ ତାଙ୍କ ନଜରରେ ଛୋଟ ଦେଖାଯାଆନ୍ତି । ସେମାନଙ୍କ ନଜର ନିଜ ଛୁଆପିଲାଙ୍କ ପାଇଁ ଗୋଟିଏ ପ୍ରକାରର ହୋଇଥିବା ବେଳେ ପର ପିଲାଛୁଆଙ୍କ ପାଇଁ ଆଉ ଗୋଟିଏ ପ୍ରକାରର ହୋଇଥାଏ । ଯେଉଁ ନେତା, ଅଫିସର୍ ତଥା ବାବୁମାନଙ୍କର ବାହାରେ ଗଉଁ ବେଶି ସେମାନେ ବେଶୀ କାଣ୍ଟି ଦେଖାଇବାକୁ ଚେଷ୍ଟାକରନ୍ତି ଆଉ ବେଳେବେଳେ ସଫଳ ମଧ୍ୟ ହୁଅନ୍ତି । ସେହିପରି ଯାହାଙ୍କୁ ଲୋକେ ବେଶୀ ଡରୁଥିବେ ଆଉ ପାଖ ମାଡ଼ୁନଥିବେ ! କ୍ଷମତା ଯିବାପରେ ତାଙ୍କପକ୍ଷ ସେତେବେଶୀ ଛେଦନ ହୋଇଯାଏ ! ଏମିତି ଗୁଣପାଇଁ ତାଙ୍କ ସହିତ କେହି ଭଲରେ କଥାପଦେ ହୁଅନ୍ତିନାହିଁ କି ସେ ମନଖୋଲି କାହାପାଖରେ ଅନ୍ତରର ଭାବ ପରିପ୍ରକାଶ କରିପାରନ୍ତି ନାହିଁ । କ୍ଷଣିକ ସୁଖପାଇଁ ତେଣୁ ସବୁଦିନିଆ ସୁଖକୁ ଅଣଦେଖା କରିବା ଉଚିତ୍ ହେବନାହିଁ ।

ଆହୁରି ଗଉଁ ଆଡ଼୍ଡ଼ା ଜମେଇଛି ଆମ ସାମାଜିକ ଜୀବନରେ । କାହାର ପ୍ରଥା ପରମ୍ପରାକୁ ନେଇ ଦମ୍ଭ ତ କାହାର ଶିକ୍ଷା ସଂସ୍କୃତିକୁ ନେଇ ଗର୍ବ ! କିଏ କହିଲାଣି ତା'ର ନୁହେଁ ମୋର ବଡ଼ ! ସେ ନୁହେଁ ମୁଁ ମହାନ୍ । ଏହିପରି ଅନେକ ଜଡ଼ତା ତଥା ହୀନମନ୍ୟତା ପ୍ରଭାବରୁ ଆମ ମନ ମନ୍ଦିରକୁ ମୁକାଳି ନପାରିଲେ, ତାହା କଦାପି ସ୍ୱଚ୍ଛ ଓ ପବିତ୍ର ହୋଇପାରିବ ନାହିଁ । କାରଣ ଖାଦ ନ ପୋଡ଼ିବା ଯାଏ ସୁନା ଚିକ୍ ଚିକ୍ କରେ ନାହିଁ କି ଦଧିମନ୍ଥନ ନହେବାଯାଏ ଘୃତ ପଦାକୁ ଆସେନାହିଁ । ଖାଣ୍ଟି ସୁନା ଆଉ ବିଶୁଦ୍ଧ ଘୃତ ପରି ସଚ୍ଚା ମଣିଷଟିଏ ହେବାକୁ ହେଲେ ନିଜର ମଣିଷପଣିଆ ବଜାୟ ରଖିବାକୁ ପଡ଼ିବ, ଆଉ ତା'ଭିତରୁ ଗଉଁଗୁଡ଼ାକୁ ବାହାର କରିବାକୁ ହେବ । ତେବେ ଯାଇ ତାଙ୍କୁ ସମାଜରେ ଉଚ୍ଚ ଆସନ ମିଳିବ, ତାଙ୍କର ଆଦର ସମ୍ମାନ ବଢ଼ିବ ଆଉ ସେ ସମସ୍ତଙ୍କୁ ଆପଣେଇ ନେବାର କଳା ହାସଲ କରିପାରିବେ । ପ୍ରବାଦପୁରୁଷ ଚିତରଂଜନ ଦାସଙ୍କ ଭାଷାରେ, 'ମଣିଷର ଖୋଇଗୁଡ଼ିକ ଚାଲିଗଲେ, ମନକୁ ମନ ଗଉଁଗୁଡ଼ିକ ମଧ୍ୟ ଚାଲିଯାଏ' । 

ରବିନ ଖଣ୍ଡାୟତରାୟ, ମୁଖ୍ୟ ଗ୍ରନ୍ଥାଗାରିକ,
କିସ୍ ମାନିତ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର -୨୪
ମୋ -୯୭୭୬୬୯୨୨୦୭

Post a Comment

0 Comments