Ad

header ads

ବ୍ୟଙ୍ଗ କବିତା - ବଦନାମ୍ - ହେମନ୍ତ କୁମାର ନାୟକ


ତମ ବଉଁଶରେ କେହି କେତେବେଳେ
କରନ୍ତି ନାହିଁ କି ପ୍ରେମ...?
ସଦଳ ବଳରେ ଧମକ ଦଉଛ
ଦେଖାଇବ ମୋତେ ଯମ....।
ଭାଇ ତୋ କହୁଛି ନୁଙ୍ଗୁଡା ବୋଲି ମୁଁ
ବୋଉ ତୋ କାଟୁଛି ପୋକରା ।
ବୋପା ତୋ କହୁଛି ଡହରା,ନଫଡା
ଭଉଣୀ କହୁଛି ଛତରା ।।
ପୈତୃକ ନାମକୁ ହଜେଇ ଦେଲଣି
ଦେଇ ଏତେ ବଦନାମ୍....
ତମ ବଉଁଶରେ କେହି କେତେବେଳେ
କରନ୍ତି ନାହିଁ କି ପ୍ରେମ...?
ବୋପା ପରା ତୋର ଚୁଙ୍ଗୁ ଚୁଙ୍ଗୁ ହୁଏ
ତିନି ପାହିଆକୁ ଦେଖି ।
ବୋଉ ବି ତୋହର କକେଇ ସାଥିରେ
ଯାଇଛି ଯେମିତି ଲାଖି ।।
ମୂଳ ଖୋତରୁଛି ଡାଳ କଅଁଳୁଛି
ମଧୁର ଲାଗୁଛି ନିମ...!
ତମ ବଉଁଶରେ କେହି କେତେବେଳେ
କରନ୍ତି ନାହିଁ କି ପ୍ରେମ ...?
ଭାଇ ତ ତୋହର ହତାଶିଆ ଗୋଟେ
ମୋନାଲିସା ଗଲା ଛାଡ଼ି ।
ଭଉଣୀ ତୋହର ଛଟକି ଦେଖାଏ
ଏଯାଏ ନ ହୋଇ କଢି ।।
ଚଉଦ ପୁରୁଷ ଡିଜେ ବଜେଇବ
ଛାତିକରି ଦମ୍ ଦମ୍...!
ତମ ବଉଁଶରେ କେହି କେତେବେଳେ
କରନ୍ତି ନାହିଁ କି ପ୍ରେମ...?
ଅଜଣା ପୁଅକୁ ବାହା ଦେଇ ଦେବେ
ନପଡ଼ି ତା ଇତିହାସ ।
ସିଏ କ'ଣ ଛକା ? ଚୁପ୍ ରହିଥିବ
ପ୍ରେମରେ ନଦେଇ ଝାସ ।।
ବାହା ହେବୁ ଖାଲି ମାଆ ହେବୁ ନାହିଁ
ବିବାହିତେ ଲେଖି ନାମ...!
ତମ ବଉଁଶରେ କେହି କେତେବେଳେ
କରନ୍ତି ନାହିଁ କି ପ୍ରେମ...?
କିଏ ଝୁଲି ମରେ କିଏ ଜହରରେ
ପ୍ରେମ ପାଇଁ ବଳିଦାନ। ।
ଲୋକ ହସା ସାଥେ ଜୀବନ ଯାଉଛି
ରହୁଛି କି ସନମାନ...?
ବୁଝାମଣା କରି ସମ୍ପର୍କ ସ୍ଥାପିଲେ
କୋଉଠି ଫୁଟିବ ବମ୍ ...?
ତମ ବଉଁଶରେ କେହି କେତେବେଳେ
କରନ୍ତି ନାହିଁ କି ପ୍ରେମ...?


ରଚନା : ହେମନ୍ତ କୁମାର ନାୟକ

ଠିକଣା : ଇନ୍ଦିପୁର, ଢେଙ୍କାନାଳ,  ଦୂରଭାଷ : ୯୦୯୦୩୬୪୦୮୦

Post a Comment

0 Comments