Ad

header ads

କବିତା - କାଳୀ ଗୋରୀ କଥନ - ନରେନ୍ଦ୍ର ପ୍ରସାଦ ବେହେରା


କାଳୀ ଗୋରୀ ଦୁହେଁ    ସାଙ୍ଗ ସାଥୀ ହୋଇ
        ନଈ କୂଳକୁ ଯେ ଗଲେ
ଗପସପ ହେଲେ     ନଈ କୂଳେ ବସି
       ଶୀତଳ ପଵନ ଖାଇଲେ  ।

ଗୋରୀ ହସୁଥାଏ    କାଳୀ ମୁଖ ଚାହିଁ
          କାହିଁକି ଆଜି ବିମୁଖ
ନାଗର ରାଜା ତୋ   ଛଡାଇ ନେଲାକି
        ମୁଖରୁ ତୁମର ସୁଖ  ।

କି କହିବି ସାଙ୍ଗ   ମୁଖେ ଲାଗେ ଲାଜ
        କହି ପାରୁନାହିଁ କିଛି
ଦୁନିଆ ଦାଣ୍ଡରେ     ଧିକ୍କାରି କହିଲେ
        ଆତ୍ମାକୁ ଭାରି ବାଧୁଛି  ।

କାଳୀ ବୋଲି ମୋତେ    ଘୃଣା ସେ କରନ୍ତି
         ଦିଅନ୍ତି କେତେ ସେ ବାଧା
ଧନ୍ଯ ମୋ କପାଳ    ଧନ୍ଯ ମୋ ଜନମ
         କାହିଁକି ନହେଲି ରାଧା  ।

ମାଡବି ଦେଉଛି    ଗାଳିବି ଦେଉଛି
       କହୁଛି ମୋ ଘରୁ ତୁ ଯା'
ମନ ଅଛି ମୋର     କରିଅଛି ଇଛା
      ଆଣିବି ଗୋରୀ ଭାରିଜା  ।

ଗୋରୀ କହେ କାଳୀ    ଶୁଣ ମୋର ଗିର
        କହୁଛି ଦୁନିଆ କଥା
ଗୋରୀ ବୋଲି ଯେଉଁ   ଦୁଇଟି ଅକ୍ଷର
        ଦିଅଇ ସଭିଙ୍କୁ ବ୍ଯଥା  ।

ସୁନ୍ଦର ରୂପକୁ    ଆଦରି ନିଅନ୍ତି
       ଭାବନ୍ତିନି ଆଗପଛ
ଗର୍ବ ଅହଂକାର   ମନେ ଭରି ଥାଏ
       ଏକଥା ନୁହଁଇ ମିଛ  ।

ରୂପ ଯୌବନକୁ    ଦେଖାଇ ଜନକୁ
       କରିଥାଉଁ ବିମୋହିତ
ମୋହିନୀ ମନ୍ତ୍ରରେ    ନ ଫସନ୍ତି ଯିଏ
        ମାରିଥାଉଁ ପଛୁ ନାତ  ।

ଡରି ନ ଥାଉଁ ଯେ    ସ୍ବାମୀ ପଣିଆକୁ
         କରି ଥାଉଁ ତିରସ୍କାର
ଛାଡି ଦେଲେ ମୋତେ   ନେଇଯିବେ କେତେ
         ବସନ୍ତି ଜଗି ଦାଣ୍ଡର  ।

କଥା କଥାରେ ତ    ରାଗି ଯାଇଥାଉ
         ନବୁଝିଣ କିଛି ମର୍ମ
ବୁଝିଲା ବେଳକୁ    ଯାଇଥାଏ ସରି
      ଆହା ! କରିଲି କାହିଁ ଏକର୍ମ

ସୁନ୍ଦରୀ ମାନଙ୍କୁ    ଶିଖାଇ ବୁଝାଇ
        କରିଥାଉଁ ଏକଜୁଟ
ସମାଜ ଆଗରେ    ନିଜକୁ ବୋଲାଉ
       ଆମେ ତ ଏକା ସଚ୍ଚୋଟ  ।

ନିଜ ଗୁଣ ଅଟେ    ମହାକାଳ ଫଳ
       ପରଗୁଣ କରୁ ଚୋରି
ନିନ୍ଦା ଅପବାଦ    ସହି ନପାରିଲେ
       ସବୁଠୁ ଯାଉ ବାହାରି  ।

ମହାକାଳ ଫଳ    ଦେଖିବା ସୁନ୍ଦର
      ଭିତରେ ବଡ଼ ଅଳିଆ
ଆମ୍ଭେ ସେହି ଗୋରୀ    ନାରୀ ସୁନ୍ଦୁରୀଆ
        କର୍ମ ତ ଗୋଳମାଳିଆ  ।

ହୋଇଗଲେ ଧକ୍କା    ପଡିଗଲେ ଏକା
     ଦଉଡିବେ ଶହେ ଟୋକା
କାଳୀ ପଡିଗଲେ    ଚାହିଁବେନି କେହି
       ମାରିବେ ଆହୁରି ଟେକା  ।

(ଅଗୁଣ)ସୁନ୍ଦରୀକୁ କେବେ   ହେବନାହିଁ ବାହା
         ପାଇବ ଅନେକ ଦୁଃଖ 
ଗୁଣଗ୍ରାହୀ ଯଦି    କାଳୀ ହୋଇଥାଏ
        ଲଭିବ ଅନେକ ସୁଖ  ।

ରସିକ ରାଜାକୁ    ବୁଝାଇ କହିବୁ
       ଶୁଣିଲୁ ଯାହା ମୋଠାରୁ
ରୂପସିନା କଳା    ଗୁଣତ ଅସୀମ
        କାହିଁକି ଯିବି ଏ ଘରୁ  ।

ମନର ଵେଦନା    କହିଦେଲି ଖୋଲି
         ଯିବୁନି ଘରୁ ପଳାଇ
ନାଗର ରାଜାର    ଘୁରିଯିବ ମଥା
    ମାଡିବନି ଗୋରୀ ଛାଇ  ।।

ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦

Post a Comment

0 Comments