Ad

header ads

ଶିଶୁ କବିତା - ଏ ପପୁ ଦେଖ୍ ରେ - ନାରାୟଣ ଚନ୍ଦ୍ର ସେନାପତି


ଏ ପପୁ ଦେଖ୍ ରେ
(ଆମ) ମୁଣ୍ଡ ଉପରେ ସୁନୀଳ ଆକାଶ
ଖିଲି ଖିଲି ହୋଇ ହସୁଛି
ଖୋଲା ଛତା ପରି ହୃଦୟଟା ଖୋଲି
ଗୁଲୁରୁ ଗୁଲୁରୁ କହୁଛି;
କପୋତଟେ ପରି ଶାନ୍ତ ସରଳ
ମୟୁର ପରିକା ସ୍ଵଚ୍ଛ ନିର୍ମଳ
କୁନି  ବାର୍ତ୍ତାଟିଏ ଦେଉଛି
ଶାନ୍ତ ହୁଅ...ସ୍ଵଚ୍ଛ ରୁହ..
ହେ ଆଗାମୀ ଦେଶର ଭବିଷ୍ୟତ
ପଢୁଆ ଲଢୁଆ ଦାୟାଦ ପାଇଁ
ପିଢୀ ପରା ଚାହିଁ ବସିଛି।

ଏ ପପୁ...ଶୁଣ ରେ
ଆମ ଚାରିପଟେ ଗର୍ଜ୍ଜନ କରି ସଁ ସଁ ଶବ୍ଦ କରୁଛି
କେବେ ଚୁପଚାପ ଅଟଳ ସନ୍ନ୍ୟାସୀ
ଚେତେଇ ଚେତେଇ କହୁଛି
ଅସୂୟା ଭାବକୁ ରଖ୍ ନା
ଅସନା କେବେ ବି ହୋଅନା 
ତୁମେ ପରା ସଚ୍ଚା ବୀର ସନ୍ତାନ
ନୀଚ୍ଚ ହୀନ ପରି କାହିଁକି ହେଉଛୁ
ମୋ ଭାରତମାତାଟା କାନ୍ଦୁଛି।

ଏ ପପୁ....ଅନା ରେ
ସୂରୁଜ ଦେବତା ସମାଜ କାନ୍ଥରେ
ସମୟ ନିର୍ଘଣ୍ଟ ଟାଙ୍ଗିଛି
ଆମ ଗାଁ ନାଥ ମାଷ୍ଟର ପରି
ଦିନଚାର୍ଯ୍ୟା ମନ୍ତ୍ର ଗାଉଛି
ନିଜେ ଜଳି ଜଳି ଦେଉଛି ଆଲୋକ
ଅନ୍ଧାର ହଟେଇ ଦେଉଛି ଚମକ
ନାଳ ନରଦମା ହେଉ ବା ପୋଖରୀ
ନଈ ସମୁଦର ଗାଡ଼ିଆ ଗୋହରୀ
ଆନନ୍ଦରେ ଜଳ ଶୋଷୁଛି
ସାଇତି ରଖି ସେ ବରଷା ଋତୁରେ
ଢାଳି ଜୀବନକୁ ଜେଉଁଛି...

କହୁଛି......
ଧୂପ ପରି ଜଳି ବାସ ବିଞ୍ଚିଦିଅ
ଶିଶୁ ହେଉ ବୃଦ୍ଧ' ଜ୍ଞାନ ଶୋଷି ନିଅ
ତୁମେ ପରା ଦେବ ଭୂମିର ଦାୟାଦ
ଜ୍ୟେଷ୍ଠ ହୁଅରେ ଶ୍ରେଷ୍ଠ ହୁଅ
ବେଦ ମନ୍ତ୍ରେ ଗୀତା କହୁଛି
ଚିର ଶୋଭାଗିନୀ ଭାରତ ମଆଟା
ଚାତକ ପରିକା ଚାହିଁଛି।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments