Ad

header ads

କବିତା - ଅଥର୍ବ ଅକ୍ଷୌହିଣୀ - ଅମ୍ରିତେଶ ଖଟୁଆ

ଦୃଷ୍ଟି ପରିମିତ
ହେଲେ ଅପାରଗ ଥିଲା ସବୁ ବୈଦୁର୍ଯ୍ୟ,
ଏପରି କିଛି ଆକ୍ଷେପିତ ଇତି
ଥିଲା ତା'ର ଅସ୍ନାତ ବିନ୍ଦୁ ପରତେ
ଘୂର୍ଣ୍ଣାୟମାନ
ହେଲେ ତିମିରିତ ଗୋଧୂଳି,
କରିଛି ଅଣାୟତ୍ତ ଅଧୈର୍ଯ୍ୟର ଶାଙ୍କୁଳି
ଛିନ୍ନ କରିଛି କେବଳ ଅଭୁକ୍ତ
ଆନନ୍ଦ ଅତଳେ ତନ୍ଦ୍ରିତ ପୂର୍ବାଳି!

କଣ ଥିଲା କିଛି
ଅନ୍ୟମନସ୍କତା,
ମୋ ପାଇଁ ସାଇତି ରଖିବାର
ତେବେ ଏତିକି ପାଇଟି ସାରିଦେଇ ଆସ
ସମାଦୃତ ସଞ୍ଜବେଳେ ତୁମ ଉଆସ ଉହାଡେ
ଯେଉଁଠି ଉଦ୍ଦେଶ୍ୟହୀନ ସବୁ ଉଦ୍ଦିଷ୍ଟତା,
ପଳାତକର ପଦଚିହ୍ନ ଯେଉଁଠି ଆପଣାର
ଦେଖ ଦେଖ କର୍ଣ୍ଣପଟହ କାହାର
ଅଣ୍ଡାଳୁଛି ଆଖିଠାରକୁ ତା'ର ଆପଣାକୁ
ଶୀତଳଠୁ ବି ଆହୁରି ସନ୍ତେଇ ହେବାର
ଏକ ବୈଚିତ୍ର୍ୟ ଆଶାତୀତ ମୂର୍ଚ୍ଛନା ।

ଘୃଣ୍ୟ ତିନୋଟି ଆଖି
ମୋତେ କାଇଁ ଲାଗେ ରାତି ନଇଁ ଆସିଲାବେଳକୁ
କଳଙ୍କିକୁ ଠାରି ଦେଇ ଆସି
ପରେ ଫେରିବାର ଦ୍ଵାହି ସାଉଁଳେଇ,
ମୋ ପାଖକୁ ଆସିବାର କରନ୍ତି
କୁଣ୍ଠାବୋଧର ଧୃଷ୍ଟତା,
ଏତିକି ପ୍ରାୟ ସେ ଚକ୍ଷୁଧୃଷ୍ଟ ତ୍ରିବିଧ ନିକର
କରନ୍ତି ଝିଙ୍ଗାସ ମୋ ଅତୀତକୁ
ସେହି ପରିସ୍ଥିତି, ପରିମିତ ଅନ୍ଧକାର
ସେହି ଅପରିଚ୍ଛନ୍ନ ଆବର୍ତ୍ତ!

ଅକିଞ୍ଚିତ ସ୍ମୃତି ସବୁ ଏବେ
ସାଜିଛନ୍ତି ପିଚ୍ଛିଳିତ ଅବୟବେ ମୋର,
କଣିକାର ନିଠୁର ସତ୍ୟ ପରି
ଯିଏ ଦଳିତ, ହେଲେ
ସର୍ବଦା ଥାଏ ଆବଦ୍ଧ ଅବଦମିତ ତାଙ୍କ
ଆଣ୍ଟର ପରିଧାନ ତଳ ପରିଧି,
ଏବେ ଦେଖ ସାଜିଛନ୍ତି
ଜୀବନେ ଜୂର କରି
ଅଥର୍ବ ଅକ୍ଷୌହିଣୀ!


ରଚନା : ଅମ୍ରିତେଶ ଖଟୁଆ

ଠିକଣା : ୨୩୭, ଫେଜ୍ - ୨, କାନନ ବିହାର, ପଟିଆ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର - ୭୫୧୦୨୪ ଦୂରଭାଷ : 9861126357

Post a Comment

0 Comments