କବିତା - ତୁମ ବିରହରେ - ଶିବ ଚରଣ ମହାପାତ୍ର

କବିତା - ତୁମ ବିରହରେ - ଶିବ ଚରଣ ମହାପାତ୍ର

ରାଧା ପଚାରନ୍ତି କହରେ କହ୍ନେଇ
ହେଲକିବା ଦେଶାନ୍ତର
ପ୍ରିୟତମା ପ୍ରିତି ଆଲିଙ୍ଗନ ସ୍ପର୍ଶ
ମନେପଡୁନି କି ତୋର..

ପ୍ରଣୟ ଶୃଙ୍ଗାର ସାକ୍ଷୀ କେତେ ରାତି 
ବେହିସାବ ମିଳାମିଶା
କଦମ୍ବ ବନର ମହମହ ବାସ୍ନା
ଶୋଷୁଥିଲା ଆମ ତୃଷ୍ନା..

କେଳିକୁଞ୍ଜ କଥା ଭୁଲିଗଲ ସତେ
ରାସରଙ୍ଗ ସଙ୍ଗ ଦୋଳି
ଗୋପ ଗୋପାଳୁଣୀ ଟାହି ଟାପରା'ଟା
ଲାଗୁଥିଲା ଦାଣ୍ଡଧୂଳି..

ବିରହରେ ତୋର ମୂର୍ଚ୍ଛିତ ପରାଣ
ଚେତନା ଭୁଲିଛି କାହିଁ
କୁଙ୍କୁମ ଚନ୍ଦନ ସୁବାସ ଅତର
କିଛି ଭଲଲାଗେ ନାହିଁ ..

ମନେପଡୁଛିରେ ମିଠା ମିଠା ବାଣୀ
କଥାକୁହା ଠାଣି ତୋର
ଅଝଟିଆ ପ୍ରିତି ପୁନେଇଁର ରାତି
ଅଭିମାନ ଯେତେ ମୋର..

ତୋ ଓଠ ବଇଁଶୀ ମଧୂର ମୂର୍ଚ୍ଛନା
ପିଇ ସେ ସଲପ ନିଶା
ନିଶାସକ୍ତ ମନ ପିରତି ବାଣରେ
ଭୋଗି ପ୍ରେମୀ ଜୀବଦଶା..

ତୁ' ନାହୁଁ ବୋଲି ଜଳି ପୋଡିଯାଏ
ଦେହ ମନ ହୃଦ ପ୍ରାଣ
କିଏ ସେ ଦେଖିବ ଅନ୍ତର ଅନଳ
ଜାଳି ସାରିଲାଣି ବଣ..

ବିତୁନି ମୋ ଦିନ ପାହୁନି ଏ ରାତି
ଅସହ୍ୟ ବିରହ ତାତି
ପିରତି ନିଆଁରେ ପ୍ରତିକ୍ଷଣ ଜଳେ 
ସହୁନି ନରମ ଛାତି..

କାହିଁଗଲ ମୋର ରସିକ ନାଗର
ଆସ ବାରେ ଗୋପପୁର
ଆଗମନେ ତୋର ଉଜ୍ଜୀବିତ ହେଉ
ପ୍ରଣୟ ସୁପ୍ତ ଝଙ୍କାର..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
Sent from my Samsung Galaxy smartphone.

0 Comments