ସାଇ ଗଣିତ ବହି - ସତ୍ୟ ପ୍ରକାଶ ସେଠୀ

ସାଇ ଗଣିତ ବହି - ସତ୍ୟ ପ୍ରକାଶ ସେଠୀ

ସାଇ – ଉପକ୍ରମଣିକା
—————————
ସାଇ ଏକ ନାମ ବିଶେଷ ନୂହେଁ, ସାଇ ଏକ ବିରାଟ ଅନୁଷ୍ଠାନ। ସାଇ ଦର୍ଶନ ଓ ସାଇ ତତ୍ତ୍ଵ ସମସ୍ତଙ୍କର ଧେୟ ଓ ଅନୁକରଣୀୟ ହେବା ଉଚିତ୍, କାରଣ ତାହା ହିଁ ଗାଏ ମାନବବାଦର ଗାଥା ଓ ସମାଜର ଉପକଥା। ସାଇଙ୍କର ପୂର୍ବାପର ନାମ ନାହିଁ ।ସେ କେବଳ ସାଇ। ସାଇ ବାବା। ତାଙ୍କର ଜନ୍ମବୃତ୍ତାନ୍ତ, ଇତିବୃତ୍ତି ଓ ଆଦି କଥା ଆଜି ଯାଏଁ ଉନ୍ମୋଚିତ ହୋଇପାରି ନାହିଁ – ଏ କଥା ସତ। ତେଣୁ ରହସ୍ୟ ଘେରାରେ ରହିବାକୁ ସଦା ଭଲ ପାଉଥିବା ସେ ଏକ ବିସ୍ମୟ ପ୍ରତିଭା ଓ ଅବିସ୍ମରଣୀୟ ତାଙ୍କର କୃତୀ। ବାସ୍ତବରେ ସାଇ କହିଲେ ଏକ  ସ୍ବତନ୍ତ୍ର ଚିନ୍ତା ଓ ଚେତନା। ଗୋଟିଏ ଦର୍ଶନ ଓ ମହାନ ତତ୍ତ୍ଵ। ଯେଉଁ ଚେତନାରେ ରହିଛି ମାନବବାଦର କଥା ଓ ମଣିଷକୁ ଭଲ ପାଇବାର ବୀଜମନ୍ତ୍ର। ସେ ଭାରତରେ ହୋଇଥିଲେ ହେଁ ସମଗ୍ର ବିଶ୍ୱରେ ସାଇ ବାବା ରୂପେ ଖ୍ୟାତ। ଯାହଙ୍କ ପ୍ରଶିଦ୍ଧି ଓ ପ୍ରଶସ୍ତି ଗାନରେ ସମସ୍ତେ ଶତମୁଖ, ଯିଏ କି ଆଧ୍ୟତ୍ମିକ ଜଗତରେ ଭକ୍ତମାନଙ୍କ ଦ୍ଵାରା ସନ୍ଥଥ, ,ଫକୀର ଓ ସଦ୍ ଗୁରୁ ରୂପେ ପୂଜିତ। କେହି କେହି ତାଙ୍କୁ ଶିବ, ଦୈତାରେୟ ଓ ସଦ୍ଗୁଣ ବ୍ରହ୍ମଙ୍କର ପ୍ରତିକୃତି ରୂପେ ମାନନ୍ତି। ସେ ଗୁରୁ, ଯୋଗୀ ଓ ଭିକ୍ଷୁକ। ତାଙ୍କର ପ୍ରଧାନ ଓ ପ୍ରଥମ ଶିଷ୍ୟ ତାଙ୍କୁ ସାଇ ନାମ ଦେଇଥିଲେ, ତେଣୁ ସେ ସାଇ ରୂପେ ପରିଚିତ। ପ୍ରଥମେ ତାଙ୍କୁ ମୁସ୍ଲିମ୍ ବୋଲି ମନେ କରା ଯାଉଥିଲା ଓ " ୟା ସାଇ ବୋଲି ସ୍ୱାଗତ୍ କରାଯାଉଥିଲା। ପର୍ସିଆନ୍ ଭାଷାରେ ସୁଫୀ ଓ ସନ୍ଥ ମାନଙ୍କୁ ସାଇ କୁହଯାଏ, ଯାହାର ଅର୍ଥ ହେଉଛି ଗରୀବ ବ୍ୟକ୍ତି ଏବଂ ସଂସ୍କୃତରେ ଯାହାର ଅର୍ଥ ହେଉଛି ସାକ୍ଷାତ୍ ଭଗବାନ। ପରେ ହିନ୍ଦୁ ଧର୍ମ ସହିତ ଯୋଡି ହୋଇଥିବା ତାଙ୍କର ଅନେକ ଶବ୍ଦାବଳୀ ଓ ଘଟଣା କ୍ରମକୁ ନେଇ ହିନ୍ଦୁ ଧର୍ମ ସହିତ ମଧ୍ୟ ତାଙ୍କର ସମ୍ପୃକ୍ତିକୁ ନେଇ ଭକ୍ତ ମାନେ ଭିନ୍ନ୍ ଭାବେ ତାଙ୍କୁ ଦେଖନ୍ତି।
ଏହି ସାଇବାବାଙ୍କର ବେଶପରିପାଟି ନିହାତି ଅସ୍ୱାଭାବିକ ନହେଲେ ମଧ୍ଯ ଅତି ସାଧାରଣ ଓ ନଗନ୍ୟ।ଶରୀରରେ ଆଣ୍ଠୁ ତଳକୁ ଲମ୍ବି ଥିବା ଓ ପାପୁଲି ଯାଏଁ ଛୁଉଁଥିବା ଏକ ସଫେଦ ରଙ୍ଗର କାମିଜି ଓ ମସ୍ତକ ଉପରେ କପଡ଼ାରେ ଢାଙ୍କି ହୋଇଥିବା ଗୋଟେ ଟୋପି, ଅଙ୍ଗ ସୌଷ୍ଠବ ନିହାତି ସ୍ୱାଭାବିକ, ମୁଖମଣ୍ଡଳ ସଦା ପ୍ରସନ୍ନ ଓ ଉଦାତ, ବାହ୍ୟ ଘଟଣା ପ୍ରତି ଉଦାସୀନ, ମୁହଁରେ ଅନୁଚ୍ଚାରିତ ଧୋନୀ, ମଝିରେ ମଝିରେ ସ୍ମିତ ହାସ ଚେନାଏ ଖଣ୍ଡ ଲାଖିଥାଏ ଓଠରେ, ପକେଟରେ ଚିଲମ ଖଣ୍ଡେ ଯାହା ସମ୍ବଳ, କାନ୍ଧରେ ଭିକ୍ଷା ପାଇଁ ଝୁଲାମୁଣି ଓ ହାତରେ ଭିକ୍ଷା ଥାଳଟିଏ ତାଙ୍କର ଅତି ସମ୍ପତ୍ତି।
ପ୍ରଥମେ ମୁଁ ଆଲୋଚନା କରିବାକୁ ଚାହିଁବି – ସାଇ କିଏ ଓ କାହିଁକି? ସାଇ ହେଉଛନ୍ତି ଗୋଟିଏ ରହସ୍ୟ। ତାଙ୍କ ଆଗମନ ଓ ପ୍ରତ୍ୟାଗମନ, ଆବିର୍ଭାବ ଓ ତିରୋଧାନ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି ଉପସ୍ଥାପନା କରିବା ସମ୍ଭବତଃ ଅସମ୍ଭବ ପ୍ରତୀତ ହୁଏ। ତଥାପି ଯେଉଁ ସାଇଙ୍କର 1885 ମସିହାରେ ମହାରାଷ୍ଟ୍ରରେ ଶିରିଡିଠାରେ ଆଗମନ ହୋଇଥିଲା ଓ 1918 ମସିହାରେ ଅକ୍ଟୋବର ମାସ 15 ତାରିଖରେ ସମାଧୀ ହୋଇଥିଲା ତାଙ୍କର ଅତୀତ ସମ୍ପର୍କରେ କିଛିଟା ଦୃକ୍ପାତ କରିବା ଶ୍ରେୟସ୍କର ମନେ ହୁଏ। ଏହି ସାଇ 1885 ମସିହାରେ ପ୍ରଥମ କରି ଯେ ଶିରିଡି ଆସିଥିଲେ ତାହା ନୂହେଁ, ତା' ପୂର୍ବରୁ ସେ ମଧ୍ୟ ଏଠାକୁ ଆସିଥିଲେ। ମାତ୍ର କିଛିଦିନର ରହଣି ପୁଣି ହଠାତ୍ ସେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲେ, ଯାହାଙ୍କର ଶିରିଡିଠାରେ ପୁନଃ ଆବିର୍ଭାବ ହୋଇଥିଲା 1885 ମସିହାରେ ଆଉ ତାଙ୍କୁ ଖୋଜି ଆବିଷ୍କାର କଲାଠୁଁ ସେ ଦୃଶ୍ୟ ହେଲେ ଶିରିଡି ଆସୁଥିବା ଏକ ବରାତ୍ ପାର୍ଟିରେ। ତାଙ୍କର ପ୍ରଧାନ ଶିଷ୍ୟ ରୂପେ ପରିଗଣିତ ମହଲାସପତି ସେହି ବାରାତ୍ ପାର୍ଟିରେ ସାଇଙ୍କୁ ଦେଖି ସମ୍ବୋଧନ କରି କହି ଉଠିଥିଲେ ଆଓ ସାଇ( ଆସନ୍ତୁ ସାଇ)। ତା 'ପର ଠାରୁ ଲୋକେ ତାଙ୍କୁ ସାଇ ବା ସାଇ ବାବା ରୂପେ ଡାକିବାକୁ ଆରମ୍ଭ କଲେ, ଯେଉଁ ନାମରେ ସେ ଖ୍ୟାତ ।
ଏହା ପୂର୍ବବର୍ତ୍ତୀ ସାଇ ଜୀବନୀ ଚରିତ ସମ୍ପର୍କରେ ବିଶେଷ ତଥ୍ଯ ଆମର ହସ୍ତଗତ ହୁଏ ନାହିଁ। ଖାଲି ଅନୁମାନ କରି ଖାଲି ମଣିଷ ସିନା ଗୋଳମାଳିଆରେ ପଡ଼େ। କାରଣ ସାଇ ଖୋଦ୍ ନିଜ ସମ୍ପର୍କରେ ବିଶେଷ କିଛି କହନ୍ତି ନାହିଁ ବା ନିଜ ସମ୍ପର୍କରେ କେତେବେଳେ ଆତ୍ମକଥନ ଓ ଆତ୍ମପ୍ରଚାର କରନ୍ତି ନାହିଁ। ଏ ସମ୍ପର୍କରେ ଭକ୍ତମାନେ ବାରମ୍ବାର ପଚାରନ୍ତି, କିନ୍ତୁ ସେ ହାସ୍ୟ ରୋଳ ସ୍ରୁଷ୍ଟି କରିବା ଠାଣିରେ ଟିକିଏ ସ୍ମିତ ହସିଦେଇ କଥାଟାକୁ ଏମିତି ହାଲୁକା ଓ ଲଘିମା କରି ଗଢି ତୋଳନ୍ତି ଯେ ଯାହାକୁ ନା ସତ୍ୟର ଆଧାର ମାନି ହେବ ନା ଅମୂଳକ ବିଚାର ବୋଲି କହିହେବ, କେବଳ ଯାହା ଅନୁମାନ ସର୍ବସ୍ୱ। ଏହିପରି ଏକଦା ଭକ୍ତଙ୍କ ଉତ୍ତରରେ ସେ କହନ୍ତି – ମୋ ପତ୍ନୀ ମୋତେ ବାର ବର୍ଷ କାଳ ଧରି ଜଣେ ଗୁରୁଙ୍କ ଆଶ୍ରମରେ ମୋତେ ପରିତ୍ୟାଗ କରି ଆସିଥିଲେ, ସେଠୁ ମୁକ୍ତି ପାଇ ମୁଁ ଏବେ ଏଠାକୁ ଆସିଛି ବା ପୁଣି କେତେବେଳେ ହସି କହନ୍ତି ମୁଁ ରାଣୀ ଲକ୍ଷ୍ମୀ ବାଇଙ୍କ ସୈନ୍ୟ ବାହିନୀରେ ଯୋଦ୍ଧା ଭାବେ ସିପାହୀ ବିଦ୍ରୋହ(1857) ରେ ଲଢୁଥିଲି। ଏହିଭଳି ଏ ସବୁ କଥାରେ କୋଣସି ବାସ୍ତବତା ଆକଳନ କରି ହୁଏ ନାହିଁ। ଗୋଟାଏ କଥା କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ତାହାଙ୍କ ଶିରିଡି ଉପସ୍ଥିତିର ପୂର୍ବ ଜୀବନ ରହସ୍ୟମୟ। ଯେପରି ତାଙ୍କର ଜୀବନୀ ବୃତ୍ତାନ୍ତ ପଚାରିଲେ (he was creating humour) ଥଟ୍ଟା କରୁଥିଲେ ସେହିପରି ସେ ହିନ୍ଦୁ ନା ମୁସଲିମ ପ୍ରଶ୍ନର ଉତ୍ତରରେ ସେ ଚିଡି ଯାଉଥିଲେ – ସବକା ମାଲିକ ଏକ ହୈ। ତେଣୁ ତାଙ୍କ ଜନ୍ମ ବୃତ୍ତାନ୍ତ ଆଡକୁ ଆଉ ଅଧିକ ନମାଡି ଆଗକୁ ବାଟ କାଟିବା।
ସାଇ ଅଧିକଂଶ ସମୟ ଘୂରି ବୁଲୁଥିଲେ। ଫେରି ଆସିଲେ, ଲିମ୍ବ ଗଛ ମୂଳେ ଧ୍ୟାନ ମୁଦ୍ରାରେ ବସି ପଡୁଥିଲେ। ସେଇଠି ପୁଣି ଧ୍ୟାନ କରୁଥିଲେ ଓ ଭକ୍ତଙ୍କ ହାରି ଗୁହାରୀ ଶୁଣୁଥିଲେ ବା ବିଭିନ୍ନ୍ କାହାଣୀ, ଉଡ଼ାକଥା ଓ ଉପାଖ୍ୟାନ ସାହାରାରେ ଜୀବନର ମହତ୍ତ୍ଵ ବାଣୀ ସେ ଉପସ୍ଥିତ ଭକ୍ତ ମାନଙ୍କୁ ଶୁଣାଇ ନୈତିକ ବିଚାର ଧାରାର ପ୍ରବାହରେ ପ୍ରବାହିତ କରୁଥିଲେ। ସେହି ଲିମ୍ବ ଗଛର ବୈଶିଷ୍ଠ୍ୟ ଓ ବୈଚିତ୍ର୍ୟ ତ ଅଦ୍ଭୁତ ଯାହା ଆଜିର ଉଦ୍ଭିଦ ବିଜ୍ଞାନୀଙ୍କୁ ମଧ୍ୟ ଅଡୁଆରେ ପକାଇ ଦେଇଛି, କାରଣ ଲିମ୍ବର ଗୁଣ ପିତା ହୋଇଥିଲେ ବେଳେ ଏହି ଲିମ୍ବର ଗୁଣ ମୁଠା ଅଟେ ଯାହା ଏବେ ମଧ୍ୟ ଶିରିଡି ସାଇ ମନ୍ଦିରସ୍ଥ ଉଦ୍ୟାନରେ ଶୋଭା ପାଇ ସାକ୍ଷ୍ୟ ପ୍ରମାଣ ଦେଇଥାଏ। ଏହି ଗଛର ପତ୍ର ସେ ଭକ୍ତମାନଙ୍କୁ ଖାଇବାକୁ ଦେଇ କେତେ କେତେ ରୋଗର ନିଦାନ କରିଛନ୍ତି। ସେ ପୁଣି ଗୋଟାଏ ପବିତ୍ର ଧୂନୀ (sacred fire) ସବୁବେଳେ ତାଙ୍କ ଆଶ୍ରମରେ ଲଗାଇ ରଖୁଥିଲେ ଏବଂ ତାହାର ଉଡି (ପାଉଁଶ) ଶରୀରରେ ବୋଳି ବା ସେବନ କରାଇ ନାନବିଧ ରୋଗର ଉପଶମ କରାଇ ପାରୁଥିଲେ। ମୁଖ୍ୟତଃ ସେ ଜଣେ ସେ ଅଞ୍ଚଳର ହକିମ୍ ବା ବୈଦ୍ୟ ରୂପେ କର୍ମ ଲିଭାଉ ଥିଲେ। ବାସ୍ତବରେ ତାହାଙ୍କ ସେବା ଧର୍ମର ପଟାନ୍ତର ନାହିଁ। ସେ ସିନା ଦିନରେ ଭିକ୍ଷା ବୃତ୍ତି କରୁଥିଲେ ହେଲେ ଆଶ୍ରମକୁ ଯିଏ ଆସୁଥିଲେ ସମସ୍ତଙ୍କୁ ଭୋଜନ ନକରାଇ ଛାଡୁ ନଥିଲେ। ସେ ପୁଣି କବାଲି ଓ ମାଓଲି ଶୁଣିବାକୁ ଭଲ ପାଉଥିଲେ, ସେ ପୁଣି ତବଲା ଓ ସାରଙ୍ଗ ବାଦ୍ୟର ତାଳେ ତାଳେ। ସନ୍ଧ୍ୟା ହେଲେ ନିଜେ ସାରଙ୍ଗ ଧରି ବସି ଯାଉଥିଲେ ଆଉ ଆରମ୍ଭ ହେଉଥିଲା ଗୀତର ଧୁନ୍। ସେ ତ ପୂର୍ବେ ସେହି ଗଛ ମୂଳେ ରାତ୍ରି ମଧ୍ୟ ରହି ଯାଉଥିଲେ। ପରେ ଭକ୍ତମାନେ ସେହି ନିକଟରେ ଏକ ମସଜିଦ ନିର୍ମାଣ କରିଦେଲେ ଯେଉଁଠାରେ ସେ ଅବସ୍ଥାନ କରିବାକୁ ଲାଗିଲେ ଓ ତାହାର ନାଁ ଦେଇଥିଲେ ହିନ୍ଦୁ ଧର୍ମ ସହିତ ଯୋଡି ହୋଇଥିବା "ଦ୍ୱାରିକାମାୟୀ"। ଏଥି ସହିତ ଅନେକ ଅଲୌକିକତା ଓ ଅଲୌକିକ ଘଟଣାବଳି ଏହି ମହାପୁରୁଷଙ୍କ ଠାରେ ଯୋଡି ହୋଇଯାଇଛି, ଯାହା ଆମେ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରିବା।
ଜୀବନ ଗଣିତ ବହି
———————
ଶିରିଡିର ସାଇ ସାଇ ବାବା ପରା
କୋଟି ଜନତାର ରାଜା
ସାଇ ସାଇ ବୋଲି ପଡ଼ଇ ଯେ ହୁରି
ଜନତାର ଭାରି ଖୋଜା।।
ଜୀବନ ଗଣିତ ବହି ପରି ସାଇଙ୍କ ଜୀବନୀ ନାନା ଉତ୍ଥାନ ଓ ପତ୍ତନ ଦେଇ ଗତି କରିଛି। ସହଜ ସରଳ ଭାବରେ ତାଙ୍କର ଜୀବନ ଗୋଟିଏ ସରଳ ରେଖାରେ ଗତି କରି ନାହିଁ, ନାନା ଘାତ ଓ ପ୍ରତିଘାତ ଦେଇ ସେ ଆଗକୁ ବାଢିଛନ୍ତି। ବେଶ୍ ସହଜ ସରଳ ତାଙ୍କର ଜୀବନ ଚର୍ଯ୍ୟ ଥିଲେ ହେଁ ସମସ୍ୟା ବହୁଳ ଥିଲା ଜୀବନୀ ବୃତ୍ତାନ୍ତ। ଭାଗବାନଙ୍କ ରାଜ୍ୟରେ କାହାରି ଜୀବନ ସମସ୍ୟା ବ୍ୟତିରେକେ ଆଗକୁ ଗତି କରିପାରେ ନା। ସାଇ ବି ସେଥିରୁ ବାଦ୍ ପଡ଼ି ପାରି ନାହାଁନ୍ତି। ପ୍ରତି ପଦପାତରେ ସେ ସହିଛନ୍ତି ଅସରନ୍ତି କଷଣ। କେତେବେଳେ ସମାଲୋଚକ ବା କୁଚକ୍ରୀଙ୍କର କଟାକ୍ଷରେ ସେ ସ୍ୱୀକର ହୋଇଛନ୍ତି ତ ଆଉ କେତେବେଳେ ବିରୋଧୀଙ୍କର ଆକ୍ରମଣରେ। ତଥାପି ସବୁକିଛିକୁ ପ୍ରତିହତ କରି ସେ ତାଙ୍କ ସାଧନା ପଥରେ କ୍ରିୟାଶୀଳ ହୋଇଛନ୍ତି। ଯେହେତୁ ସେ ଭଗବାନ ତାଙ୍କର କାହାରି କଥା ପ୍ରତି ସେତେ ଭ୍ରୁକ୍ଷେପ ନଥାଏ ବା ଆକ୍ଷେପ। ସେ ଦୁଃଖରେ ମ୍ରିୟମାଣ ହୁଅନ୍ତି ନାହିଁ କି ସୁଖରେ ଅବ ପ୍ରସଂଶାରେ ଝଲସିତ ବା ଉଲ୍ଲସିତ ହୁଅନ୍ତିନି। ସବୁଥିରେ କେମିତି ଗୋଟେ ନିର୍ଲିପ୍ତ ଭାବ। ପାର୍ଶ୍ଵରେ ଘଟିଯାଉଥିବା ଘଟଣା ପ୍ରତି ସେ ଅତିରିକ୍ତ ଉଦାସୀନ ବା ଅନୁରକ୍ତ ନରହି ନିରବଛିନ୍ନ ଭାବେ ନିଜର କାମ କରି ଚାଲିଥାନ୍ତି। ସେବା ହିଁ ତାଙ୍କର କର୍ମ ଓ ଜୀବନର ବ୍ରତ। ସେବାକୁ ଛାଡିଦେଲେ ମାନବ ଜୀବନ ନିରର୍ଥକ – ଏ କଥା ସେ ଭଲ ଭାବେ ବୁଝିଥିଲେ। ତେଣୁ ସେ କହୁଥିଲେ – ବିନା ସଂଯୋଗ ବା ସମ୍ପର୍କରେ କେହି କାହା ପାଖକୁ ଆସେ ନାହିଁ। ତେଣୁ ଯଦି କୌଣସି ପ୍ରାଣୀ ବା ବ୍ୟକ୍ତି ଯଦି ତୁମ ପାଖକୁ ଆସେ, ତେବେ ତାକୁ ସହୃଦୟତାର ସହିତ ବ୍ୟବହାର କରିବା ଉଚିତ୍ ଓ ସମ୍ମାନର ସହିତ ଗ୍ରହଣ କରିବା ଉଚିତ୍ , ତେବେ ଅଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରି ତାଙ୍କୁ ତଡ଼ିବା ଉଚିତ୍ ନୁହଁ। ସେ କହନ୍ତି ଭଗବାନ ପ୍ରସନ୍ନତା ବା ସନ୍ତୁଷ୍ଟି ପ୍ରକାଶ କରନ୍ତି ଯଦି ଆମେ ତୃଷାର୍ତ୍ତକୁ ପାଣି, କ୍ଷୁଧାର୍ତ୍ତକୁ ରୁଟି, ବେଶହୀନକୁ ବେଶ ଓ ଆଗନ୍ତୁକକୁ ବସିବା ପାଇଁ ଓ ବିଶ୍ରାମ ନେବା ପାଇଁ ପିଣ୍ଡା ଦିଅନ୍ତି। ସେ କୁହନ୍ତି – ଯଦି କୌଣସି ଅର୍ଥ ସାହାଯ୍ଯ ଭିକ୍ଷା କରେ ଓ ଆମେ ତାକୁ ଅର୍ଥ ଦେବାକୁ ଚାହୁଁ ନଥାନ୍ତି, ତେବେ ଆମେ ତାକୁ ଅର୍ଥ ଦେଇନପାରନ୍ତି, କିନ୍ତୁ କୁକୁର ଭଳି ଭୁକି ବା ବିରକ୍ତ ହୋଇ ଘଉଡେଇବା ଠିକ୍ କଥା ନୂହେଁ, ଶାନ୍ତିରେ" ନା" କହି ପ୍ରତ୍ୟାଖ୍ୟାନ ମଧ୍ୟ କରାଯାଇପାରେ।
ସେ "ଶ୍ରଦ୍ଧା "(ଭକ୍ତି) ଓ "ସବୁର" (ଧର୍ଯ୍ୟ) ଉପରେ ଗୁରୁତ୍ଵ ଦେଉଥିଲେ।
ସେ କହୁଥିଲେ – ବସ୍ତୁବାଦସର୍ବସ୍ବ ନହୋଇ ଓ ସ୍ଵାର୍ଥସିଦ୍ଧିର ପ୍ରଛନ୍ନ ମତଲବ ନରଖି ସେବା ଧର୍ମ ପାଳି କର୍ତ୍ତବ୍ୟ ପଥରେ ଅଗ୍ରସର ହେବା ଉଚିତ୍।
ସେ କହୁଥିଲେ ପରିସ୍ଥିତି ଯେତେ ବାମ ହେଉନା କାହିଁକି ସବୁଥିରେ ସନ୍ତୋଷତା ପ୍ରକାଶ କରିବା ଉଚିତ୍।
ଭଗବାନ ଓ ଗୁରୁଙ୍କ ପ୍ରତି ଭଲ ପାଇବା, ଦାନ ଧ୍ୟାନ କରିବା, ଅନ୍ୟମାନଙ୍କୁ ସାହାଯ୍ଯ କରିବା ଆଦି କଥା ଉପରେ ସେ ଗୁରୁତ୍ଵ ଦେଉଥିଲେ। ସୁଖ ଶାନ୍ତି ପ୍ରତି ଏକ ତାତ୍ୱିକ ଭାବ ସେ ପୋଷଣ କରୁଥିଲେ। ଜ୍ଞାନ ଯୋଗ, ଭକ୍ତି ଯୋଗ କର୍ମ ଯୋଗ ଓ ଅଦ୍ୱୈତ ବେଦାନ୍ତ ସମ୍ପର୍କରେ ସେ ଗୁଢ଼ ତତ୍ତ୍ଵ ବ୍ୟାଖ୍ୟାନ କରୁଥିଲେ। ସେ ଉଭୟ ମୁସଲିମ ଓ ହିନ୍ଦୁ ଧର୍ମ ଗ୍ରନ୍ଥ ଅଧ୍ୟୟନ ଓ ଅନୁଶୀଳନ ପୂର୍ବକ ଧର୍ମୀୟ ବାଣୀ ପ୍ରଚାର ଓ ପ୍ରସାର କରୁଥିଲେ। ସେ କୁରାନକୁ ଯେତିକି ଗୁରୁତ୍ୱ ଦେଉଥିଲେ ରାମାୟଣ ଓ ଭାଗବତ ଗୀତାକୁ ସେତିକି ଗୁରୁତ୍ୱାରୋପ କରୁଥିଲେ। ଭଲ ପାଇବା, ଦୟା କ୍ଷମା, ଦାନଧ୍ୟାନ, ଭକ୍ତି, ଆତ୍ମିକ ପ୍ରସନ୍ନତା ବା ହୃଦୟରେ ଶାନ୍ତ ଭାବ ଆଦି ନୈତିକ ମୂଲ୍ୟବୋଧ ଭିତ୍ତିକ ବାଣୀ ସେ ପ୍ରଚାର କରୁଥିଲେ। ଜାତି, ବର୍ଣ୍ଣ ଓ ଧର୍ମ ଭେଦଭାବ ବିରୁଦ୍ଧରେ ସେ ସ୍ଲୋଗାନ୍ ଦେଉଥିଲେ ଓ ସର୍ବଧର୍ମ ସମନ୍ଵୟର ମନ୍ତ୍ର ଗାଉଥିଲେ।
ତାଙ୍କର ସବୁଠାରୁ ଆଦରଣୀୟ ଓ ଶିକ୍ଷଣିୟ ବାଣୀ ହେଲା – "ସବକା ମାଲିକ ଏକ ହୈ" ଓ "ଆଲ୍ଲା ମାଲିକ "(ଈଶ୍ୱର ହିଁ ରାଜା)
ଅଲୌକିକ ଘଟଣାବଳି
—————————-
ସାଇଙ୍କୁ ନେଇ ଅନେକ ଅଲୌକିକତା ଯୋଡି ହୋଇଯାଇଛି। ତାହା ଭକ୍ତ ମାନଙ୍କର ଶ୍ରଦ୍ଧା ଓ ବିଶ୍ବାସବୋଧକୁ ନେଇ ହେଉ ବା ବାସ୍ତବିକତା ଦୃଷ୍ଟିକୋଣରୁ ହେଉ ତାହାର ଗୁରୁତ୍ୱ ନିଶ୍ଚିତ ଭାବେ ରହିଛି। ସେହି ଦୃଷ୍ଟିକୋଣରୁ ଏଠାରେ କେତେଗୁଡିଏ ବିଶେଷର ଆଲୋଚନା ଓ ଉପସ୍ଥାପନ ଜରୁରୀ ମନେହୁଏ।
କିଛି ଭକ୍ତ ଦାବି କରନ୍ତି ଯେ ସାଇ ନିଜ ଶରୀରର ହାତ ଗୋଡ ଆଦି ବିଭିନ୍ନ ଅଙ୍ଗ ଏପରିକି ଏପରିକି ଶରୀରରୁ ଗଣ୍ଡି ଓ ଅନ୍ତ ବୁଜୁଳା ମଧ୍ୟ ଅଲଗା କରି ଖରାରେ ଶିଖାଇଲା ପରି ଶୁଖାଇ ଦିଅନ୍ତୁ ପୁଣି ଯେତେବେଳେ ଇଛା ହୁଏ ଯୋଡି ହୋଇଯାନ୍ତି, ଏହା ତାଙ୍କ ଅଦ୍ଭୁତ କରିସ୍ମାର ଫଳ। ପୁଣି ଏ କଥା ମଧ୍ୟ ଦେଖା ଯାଇଛି ଯେ, ଯେତେବେଳେ ତାଙ୍କର କୌଣସି ଭକ୍ତଙ୍କ ପିଠିରେ ମାଡ ବସେ ସେତେବେଳେ ତାଙ୍କ ପିଠିରେ ରୋଳା ବସିଥିବାର ଚିହ୍ନ ପରିଲକ୍ଷିତ ହୁଏ ଓ ସେ କଷ୍ଟ ପାଆନ୍ତି, ଫଳରେ ଭକ୍ତର କଷ୍ଟ ଲାଘବ ହୁଏ।
ସା - ରାଣୀପଡ଼ା
ପୋ - ତରାଗୋ
ଭାୟା - ବନ୍ତ 
ଜି - ଭଦ୍ରକ
ମୋ - 9937181846 

0 Comments