କ୍ଷତ : ଏକ କ୍ଷତାକ୍ତ ପ୍ରାଣର - ସଂଯୁକ୍ତା ରାଉତ

କ୍ଷତ : ଏକ କ୍ଷତାକ୍ତ ପ୍ରାଣର - ସଂଯୁକ୍ତା ରାଉତ

ଆମ ସମ୍ପର୍କକୁ
ତୁମେ ସିନା
ସହଜରେ ଭୁଲିଗଲ ,
ଭୁଲିଗଲ ଆମର
ସେହି ମଧୁର
ମୁହୂର୍ତ୍ତ ସବୁକୁ
ମୁଁ କିନ୍ତୁ କିଛି ବି
ଭୁଲିପାରୁନି
କି ଭୁଲି ପାରିବିନି ,
ନା ତୁମକୁ ,
ନା ସେହି ମୁହୂର୍ତ୍ତ ମାନକୁ
କିଛିକୁ ବି ନୁହେଁ
କେବେ ବି ନୁହେଁ ୲
କାଲି ଯେମିତି ଭଲପାଉଥିଲି
ଆଜି ବି ଠିକ୍ ସେମିତି
ତଫାତ ଏତିକି
କାଲି ତୁମେ ମୋ' ସହ ଥିଲ
କିନ୍ତୁ ଆଜି ଆଉ କାହା ସହ ଅଛ ୲

ମୋ' ଅଜାଣତରେ
ତୁମ ପ୍ରତିଛବି
ମୋ' ହୃଦୟର କାନଭାସରେ
କେବେ କେମିତି ଆଙ୍କି ହୋଇଗଲା
ମୁଁ ନିଜେ ବି ଜାଣିପାରିଲିନି ,
ଆଉ ଯେତେବେଳେ ଜାଣିଲି ,
ଲାଗିଲା ମୁଁ ତୁମ,
ପ୍ରେମରେ ପଡ଼ିସାରିଛି
ସମ୍ପୂର୍ଣ୍ଣ ରୂପେ ୲
ମନ ପ୍ରାଣ ଆତ୍ମା ସ୍ତରରେ
ତୁମକୁ ନିଜ ଠୁଁ
ନିଜର କରିସାରିଛି ଯେମିତି ୲

ତୁମର ଛୋଟ ବଡ଼
ସବୁ କଥା ମୋତେ ,
ନିଜର ନିଜର ଲାଗୁଥିଲା ସେତେବେଳେ ୲
ଅନାୟାସରେ ,
ନିଜର ମନ ହୃଦୟକୁ
ତୁମ ଠାରେ
ସମ୍ପୂର୍ଣ୍ଣ ସମର୍ପି ଦେଇଥିଲି ,
କିନ୍ତୁ ମୁଁ କ'ଣ ଜାଣିଥିଲି ,
ତୁମର ମୋ' ପ୍ରତି
କେବେ କିଛି ଭଲପାଇବା ,
କି ପ୍ରେମ ନଥିଲା ବୋଲି ?

ବହୁତ ଆଘାତ ପାଇଲି
ଯେଉଁଦିନ ଜାଣିଲି
ତୁମେ ମୋ' ଭଳି
ଆଉ କେତେ ଯେ
ସରଳ, ନିଷ୍ପାପ ନାରୀର
ମନ ଓ ହୃଦୟ ସହ
ଠିକ୍ ଏମିତି
ଖେଳ ବି ଖେଳିଛ ୲

ତଥାପି ବି ,
ନା ମୁଁ ତୁମକୁ ଭୁଲ୍ ବୁଝିଲି
ନା ଦୋଷୀ ମାନିଲି ,
ନା ଦୋଷ ଦେଲି ୲
ନିଜ ପାଖରେ କିଛି
କମି ରହିଗଲା ବୋଲି ଧରିନେଲି ୲

ବେଳେ ବେଳେ ,
ବହୁତ ଚେଷ୍ଟା କରେ
ସବୁ କିଛିକୁ ଭୁଲି ଯିବି
ଭୁଲିଯିବି ଆମ ସମ୍ପର୍କକୁ ,
ଆମର ସେହି ଅନ୍ତରଙ୍ଗ
ମୁହୂର୍ତ୍ତ ସବୁକୁ ,
ଯାହା ମୋତେ ପ୍ରତି ମୁହୂର୍ତ୍ତରେ
କ୍ଷତାକ୍ତ କରୁଛି
ଛିନ୍ ଭିନ୍ କରୁଛି
ମୋ' ନିରୀହ ଆବେଗ ସବୁକୁ ,
ମୋ' ଅନ୍ତରାତ୍ମାକୁ ୲

କିନ୍ତୁ ପାରୁନି ଭୁଲି
ହାରିଯାଉଛି ସବୁବେଳେ
ନିଜ ପାଖରେ ନିଜେ ୲
ବେଳେ ବେଳେ ,
ଖୁବ୍ ଖୁସି ଅଛି ବୋଲି
ବାହାରକୁ ମିଛରେ ସିନା ,
ଦେଖେଇ ହେଉଛି ,
କାମର ଚାପରେ
ନିଜକୁ ସବୁବେଳେ ବ୍ୟସ୍ତ ରଖୁଛି ,
କିନ୍ତୁ .....
କ'ଣ ମୁଁ ତୁମକୁ ଭୁଲି ପାରୁଛି ?
ନା ଭୁଲି ପାରିବି ?

ସବୁ ବ୍ୟସ୍ତତାକୁ ଆଡ଼େଇ
ତୁମ ଭାବନା ସବୁ ବାର୍ ବାର୍
ଚାଲି ଆସୁଛି ଆପଣା ଛାଏଁ
ମୋ' ମନ ଆକାଶକୁ
ଆଚ୍ଛାଦିତ କରି ,
ସତେକି ଅଦିନିଆ
ଭସା ମେଘ ଖଣ୍ଡ ମାନ ୲
ଆଉ ବିନା ଶ୍ରାବଣରେ
ବରଷି ଯାଉଛି
ମୋ' ଦୁଇ ଆଖିର
ଲୁହ ଧାର ହୋଇ ୲

ଆଜି ବି ମୁଁ ବଞ୍ଚିଛି ,
ପ୍ରାଣହୀନ ଜୀବଟିଏ ପରି
ସତେ ଯେମିତି ଜଳ ବିହୁନେ
ଜଳ ଜୀବଟିଏ ୲
ପ୍ରତି ମୁହୂର୍ତ୍ତରେ
ମୋର ମନ ଆଉ ବିବେକ ମଧ୍ୟରେ
ଚାଲିଛି ଘମାଘୋଟ ଲଢ଼େଇ
ଦୁଇଟି ବିରୋଧୀ ଦଳ ପରି ୲

ମନକୁ ଯେତେ ବି
ଭୁଲାଇବାକୁ ଚେଷ୍ଟା କରୁଛି ,
କିଛି ମୁହୂର୍ତ୍ତ ପରେ
ସେ ବୁଲି ବାଲି ଆସି
କେନ୍ଦ୍ରୀଭୂତ ହେଉଛି ,
କେବଳ ତୁମ ପାଖରେ
ତୁମରି ଭାବନାରେ ୲

ହୃଦୟର ସମସ୍ତ କୋହ ଆବେଗକୁ
ହୃଦୟରେ ଚାପି ରହିବାର
ସମସ୍ତ ପ୍ରୟାସ ମୋର
ବୃଥା ଓ ନିଷ୍ଫଳ ଯାଉଛି ୲
ଅମାନିଆ ଲୁହକୁ
ଆଖିର ବନ୍ଦ ପଲକ ମଧ୍ୟରେ
ଲୁଚାଇବା ଯେ' କେତେ କଷ୍ଟ
ତାହା କେବଳ ଅନୁଭବୀ ହିଁ ବୁଝିଛି ୲
ନା ମୁଁ ଲୁଚାଇ ପାରୁଛି
ମୋ' ଆଖିର ଲୁହକୁ
ନା , ତୁମେ ଦେଇଥିବା
ଛଳନା, ଅବିଶ୍ଵାସ ଓ
ପ୍ରତାରଣାର ଛୁରାରେ
ସେହି କ୍ଷତାକ୍ତ କ୍ଷତକୁ ୲

ଆଉ କାହା ସହ
ନୂଆ ସମ୍ପର୍କ ଗଢ଼ିବାକୁ ବି
ଆଜି ଡ଼ର ଲାଗୁଛି ମୋତେ ୲
ମୁଁ ଜାଣେ , ମୋ' ପ୍ରେମର
ଉପହାର ରୂପେ
ତୁମେ ଦେଇଥିବା କ୍ଷତଟି
ଆଉ କେବେ ବି ପୂରଣ ହେବନି
କି ଶୁଖିବ ବି ନାହିଁ
କାରଣ ସେ କ୍ଷତର
ସମ୍ପୂର୍ଣ୍ଣ ଉପଚାର ପାଇଁ
ନା କିଛି ଔଷଧ , ନା ମଲମ
କେହି ବି ତିଆରି କରି ପାରିନି
ଆଜି ଯାଏ ..........୲୲

ରଚନା : ସଂଯୁକ୍ତା ରାଉତ

ଠିକଣା : ଜୟପୁର, କୋରାପୁଟ । ଫୋନ ନମ୍ବର :


0 Comments