ପ୍ରବନ୍ଧ - ଶାକ୍ତ ଧର୍ମର ଐତିହ୍ୟ ଗାଥା - ଡକ୍ଟର ଲକ୍ଷ୍ମଣ ସାହୁ

ପ୍ରବନ୍ଧ - ଶାକ୍ତ ଧର୍ମର ଐତିହ୍ୟ ଗାଥା - ଡକ୍ଟର ଲକ୍ଷ୍ମଣ ସାହୁ

      ଦୁର୍ଗା ପୂଜାର ଇତି ଐତିହ୍ୟ ଗାଥା
● ଡକ୍ଟର ଲକ୍ଷ୍ମଣ ସାହୁ
 
ଦୁର୍ଗା ' ଶବ୍ଦଟିର  ବ୍ୟାକରଣ  ଅର୍ଥ  ଦୁର୍ଗେୟ  ଓ  ଏହାର  ଆଭିଧାନିକ  ଅର୍ଥ  ମା' ।  ଦୁର୍ଗା'  ଶବ୍ଦର  ଅର୍ଥଗତ  ଭାବ  ଯାହା  ହେଉନା  କାହିଁ,  ତାଙ୍କ  ମହିମାର  ଅନ୍ତ  କେବେ  ନାହିଁ  ।  କେଉଁ  ଅନନ୍ତ  କାଳରୁ  ସେ  ବିଦ୍ୟମାନ  ହୋଇ  ଆସିଛନ୍ତି,  ଯାହାର  ତୁଳନା  ନାହିଁ  ।  ମା'ଦୁର୍ଗାଙ୍କୁ  ନେଇ  କେତେ  କେତେ ମହାପୁରାଣ, କାବ୍ୟ  ସୃଷ୍ଟି  ହୋଇଛି,  ନାନା  ମୁନିଙ୍କ  ନାନାମତ  ପ୍ରକାଶିତ  ହୋଇ  ଆସିଛି ।  କିଏ  କହେ  ଦୁର୍ଗତି  ନାଶିନୀ,  ଦୁଃଖହାରିଣୀ,  ମା'  ସେ  ।  ଦୁର୍ଗା  ନିଜକୁ  ରକ୍ଷା  କରିବା  ସହିତ  ନିଜର  ସେନାମାନଙ୍କୁ  ରକ୍ଷାକରି  ବହିଃଶତ୍ରୁମାନଙ୍କୁ  ବିନାଶ  କରନ୍ତି  ।  ଯେତେ  ବାଧାବିଘ୍ନ,  ବିପତ୍ତି  ଆସୁନା  କାହିଁ,  ଦୁଷ୍ଟର  ଦଳନ  ଓ  ଶିଷ୍ଟର  ପାଳନରେ  ବ୍ରତୀ  ମା'ଦୁର୍ଗା  ହୋଇଥାନ୍ତି  ।


             ମା'ଦୁର୍ଗାହିଁ ଶୁଭ,  ମଙ୍ଗଳ  ଓ  ନ୍ୟାୟ  ଶକ୍ତିର  ପ୍ରତୀକ  ଥିବାବେଳେ,  ସେ  ଅଶୁଭଶକ୍ତି  ବିନାଶିନୀ  ଓ  ଶୁଭଶକ୍ତି  ରୂପିଣୀ  ।  ବିପଦ/ଆପଦରେ   ଭକ୍ତଗଣ  ଭକ୍ତିଭରେ  ସ୍ମରଣ  କରନ୍ତି  ମା'ଦୁର୍ଗାଙ୍କ  ନାମ  ।  ଅନେକ  ସକାଳ/ସନ୍ଧ୍ୟାରେ  ମା'ଦୁର୍ଗାଙ୍କ  ନାମ  ଧରନ୍ତି  ।  ଏବେବି  ଯେ  କୌଣସି  ଶୁଭ  କାର୍ଯ୍ୟ  ଆରମ୍ଭରେ,  ଚିଠିରେ  ବା  ଶୁଭ  ମାଙ୍ଗଳିକ  କାର୍ଯ୍ୟର   ଲେଖା  ଆରମ୍ଭରେ  ଅନେକ  ଦୁର୍ଗା  ମାତା  କି  ଜୟ,  ଓଁ  ଦୁର୍ଗା,  ମା'ଦୁର୍ଗା  ସହାୟ,  ଶ୍ରୀ  ଶ୍ରୀ  ଦୁର୍ଗା   ଆଦି  ଲେଖି  ଦୁର୍ଗାଙ୍କ  ପ୍ରତିଥିବା  ଅକଳନ  ଶ୍ରଦ୍ଧା,  ଭକ୍ତିକୁ,  ଦୃଢ  ବିଶ୍ୱାସ  ସହକାରେ  ଜଣାନ୍ତି  ।  ଜ୍ୟେଷ୍ଠ  କନିଷ୍ଠକୁ  ଆଶୀର୍ବାଦ  ଦେବା  ସମୟରେ  ମା'ଦୁର୍ଗାଙ୍କ  ନାମ  ସ୍ମରଣ  କରିଥାନ୍ତି  ।  ଶୁଭକାର୍ଯ୍ୟ  ବେଳେ  ମା'ଙ୍କ  ନାମ  ଧରାଯାଏ,  ଦୁଇବନ୍ଧୁ  ପରଷ୍ପର  ସାକ୍ଷାତ୍  ଆଲିଙ୍ଗନ  ବେଳେ  ମା'ଦୁର୍ଗାୟ  ନମଃ  ଭଳି  ନାମୋଚ୍ଚାରଣ  କରିବାର  ଦେଖାଯାଏ  ।


              ମା'ଦୁର୍ଗାଙ୍କ  ଆବିର୍ଭାବ  ଅତି  ରହସ୍ୟମୟ  ।   ଶରତକାଳରେ  ଦୁର୍ଗାପୂଜାର  ପ୍ରକୃତ  କାରଣକୁ  ଦେଖିଲେ,  ମା'ଦୁର୍ଗା  ମହିଷାସୁର  ମର୍ଦ୍ଧନୀ  ନାମରେ  କଥିତ  ।  ତାଙ୍କର  ଏହା  ରଣସେନୀ  ବେଶଧାରଣ,  ମହିଷାସୁର   ବିନାଶିନୀ  ରୂପ,  କିଏ  ଏହି  ମହିଷାସୁର  ଓ  କାହିଁକି,  ତାର  ବିନାଶ  ସାଧନର  ଆୟୋଜନ  ଆବଶ୍ୟକ  ?   ମହିଷାସୁରର  ଜନ୍ମ  ବୃତ୍ତାନ୍ତ   ସମ୍ପର୍କରେ  ନାନାମତ  ରହିଛି  ।  ବିଭିନ୍ନ  ପୁରାଣରେ  ଭିନ୍ନଭିନ୍ନ  ଭାବରେ  ତାର  ଜନ୍ମ  ରହସ୍ୟ  ଉଲ୍ଲେଖ  ଅଛି  ।  କାଳିକା  ପୁରାଣରେ  ତାର  ଜନ୍ମ  ସମ୍ପର୍କରେ  କୁହାଯାଇଛି  ସେ  ରମ୍ଭାସୁରର  ପୁତ୍ର  ।  କେଉଁଠି  ସେ  ଶିବଙ୍କ  ବରପୁତ୍ର,  ଶିବଙ୍କ  ବରରେ  ସେ  ଲାଭକରିଛି  ଅମରତ୍ୱ  ।  ବରାହ  ପୁରାଣରେ  ଦାନବ  ବିପ୍ରଚିତ୍ତିର  ମହିଷ୍ଣାଇ  ଗର୍ଭଯାତ  ମହିଷାସୁର,  ଯାହାର  ତପସ୍ୟାରେ   ତୁଷ୍ଟ  ହୋଇ  ପ୍ରଜାପତି  ବ୍ରହ୍ମା  ତାକୁ  ଅମରତ୍ୱ  ବର  ପ୍ରଦାନ  କରିଥିଲେ  ।  ଯାହାର  ଅର୍ଥ  ମହିଷାସୁରର  ବିନାଶ  ସାଧନ   ସ୍ୱଂୟ  ଭଗବାନଙ୍କୁ  ଅସାଧ୍ୟ  ଥିଲା  ।  ସେତେବେଳେ  ଦେବରାଜ  ଇନ୍ଦ୍ର  ଥିଲେ  ଦେବାତାମାନଙ୍କ  ଅଧିଶ୍ୱର  ଓ  ମହିଷାସୁର  ଥିଲା  ଅସୁରମାନଙ୍କ  କୁଳପତି  ।  ମହିଷାସୁରର  ଅତ୍ୟାଚାରରେ  ଦେବତାମାନେ  ଅତିଷ୍ଟ  ହୋଇପଡୁଥିଲେ  ।  ବାରମ୍ବାର  ଉଭୟଙ୍କ  ଭିତରେ  ଯୁଦ୍ଧ  ଘଟୁଥିଲା  ।  କିନ୍ତୁ  ଶେଷରେହିଁ  ଦେବତାମାନଙ୍କ  ପରାଜୟ  ହେଉଥିଲେ  ।  ଶେଷରେ  ଦେବତାମାନେ  ସ୍ୱର୍ଗପୁର  ଛାଡି  ମର୍ତ୍ତରେ  ଆସି  ଆଶ୍ରମ  କରି  ରହୁଥିଲେ   ଓ  ଦିନେ  ମହର୍ଷି  ବ୍ରହ୍ମାଙ୍କୁ  ଧରି  ସମସ୍ତ  ଦେବତା  ମାନେ  ହିମାଳୟରେ  ଅବସ୍ଥିତ  କାତାୟନ  ଋଷିଙ୍କ  ପାଖରେ  ପହଞ୍ଚିଥିଲେ  ।


          ସେତେବେଳେ  ସେଠାରେ  ଉପସ୍ଥିତ  ଥିଲେ  ଶିବ  ଓ  ବିଷ୍ଣୁ  ।  ତେଣୁ,  ବ୍ରହ୍ମା  ସେଠାରେ  ବିଷ୍ଣୁଙ୍କୁ   ଦେବତାମାନଙ୍କ  ଉପରେ  ଅସୁରମାନଙ୍କ  ଅକଥନୀୟ  ଅତ୍ୟାଚାର,  ଉତ୍ପୀଡନ  ଓ  ଦୁର୍ନିମାର  ଦୌରାତ୍ମ୍ୟର  କାହାଣୀ  ଶୁଣାଇବା  ଫଳରେ  ବ୍ରହ୍ମା,  ବିଷ୍ଣୁ  ଓ  ଶିବଙ୍କ  କ୍ରୋଧିତ  ଚକ୍ଷୁରୁ  ନିର୍ଗତ  ମହାତେଜ  ଓ  ଦେବତାମାନଙ୍କ  ଅପରିମେୟ    ତେଜରାଶି  ସମ୍ମିଳିତ  ହୋଇ  ସୃଷ୍ଟି  କଲା,  ଦିଗନ୍ତ  ବିସ୍ତୁତ  ପର୍ବତ  ପ୍ରମାଣ  ଏକ  ଅନିର୍ବାର୍ଣ୍ଣ  ଜ୍ୱଳନ୍ତ  ଅଗ୍ନି  ତେଜ  ପୁଞ୍ଜକ  ଲେଲିହାନ  ଶିଖା  ।  ସେଇ  ପୁଞ୍ଜିଭୂତ  ତେଜରାଶିରୁ  ଆବିର୍ଭୂତ  ହୋଇଥିଲେ  ବିଶାଳକାୟ  ଜ୍ୟୋତି  ସ୍ୱରୂପା  ଏକ  ବିଚିତ୍ର  ନାରୀମୂର୍ତ୍ତି  ।  ବିଭିନ୍ନ  ଦେବତାଙ୍କ  ତେଜରାଶିରୁ  ଉତ୍ପନ୍ନ  ହୋଇଥାଏ  ତାଙ୍କର  ଅଙ୍ଗ  ପ୍ରତ୍ୟଙ୍ଗ,  ଯେଭଳି  ଶିବଙ୍କ  ତେଜରୁ  ମୁଖମଣ୍ତଳ,  ବିଷ୍ଣୁଙ୍କ  ତେଜରୁ  ଦଶବାହୁ,  ବ୍ରହ୍ମାଙ୍କ  ତେଜରୁ  ପଦଯୁଗଳ,  ଯମଙ୍କ  ତେଜରୁ  କେଶପାଶ,  ଇନ୍ଦ୍ରଙ୍କ  ତେଜରୁ  ଶରୀରର  ମଧ୍ୟଭାଗ,  ବରୁଣଙ୍କ  ତେଜରୁ  ଜଙ୍ଘ  ଓ  କଟୀ(ଉଋଦ୍ୱୟ),  ଧରିତ୍ରୀଙ୍କ  ତେଜରୁ  ନିତମ୍ବ,  ଚନ୍ଦ୍ରଙ୍କ  ତେଜରୁ  ସ୍ତନଦ୍ୱୟ,  କୁବେରଙ୍କ  ତେଜରୁ  ନାସିକା,  ସୂର୍ଯ୍ୟଙ୍କ  ତେଜରୁ  ଅଙ୍ଗୁଳି,  ଦକ୍ଷଙ୍କ  ତେଜରୁ  ଦନ୍ତ,  ପବନଙ୍କ  ତେଜରୁ  କର୍ଣ୍ଣଦ୍ୱୟ,  ଅଗ୍ନିଙ୍କ  ତେଜରୁ  ତ୍ରିନୟନ  ଆଦିର  ସୃଷ୍ଟି  ସହ  ଦେବତାମାନଙ୍କ  ଦ୍ୱାରା  ଦେବୀ  ଦଶହସ୍ତରେ  ବିଭିନ୍ନ  ମାରଣାସ୍ତ୍ର  ଧାରଣ  କରି  ନାନା  ରତ୍ନ     ଅଳଙ୍କାରରେ  ପରିହିତା  ହେଲେ  ।   ଏଭଳି  ମନମୁଗ୍ଧକର   ସଜ୍ଜିତା  ସିଂହବାହିନୀ  ମହାଶକ୍ତି  ଦଶଭୂଜାଦେବୀ  ମହିଷାସୁରର  ନିଧନ  ପାଇଁ   ଭୟଙ୍କର  ରୂପରେ  ବାହାରିଥିଲେ ।  ତାଙ୍କର  ଦୁଇପାର୍ଶ୍ୱରେ  କାର୍ତ୍ତିକ,  ଗଣେଶ,  ଲକ୍ଷ୍ମୀ  ଓ ସରସ୍ୱତୀ  ଦଣ୍ତାୟମାନ  ଥିଲେ  ।


       ମହାମାୟା  ଦେବୀଙ୍କ  ସେଇ  ବିରାଟ  ହାସ୍ୟ  ଓ  ବିକଟ  ଗର୍ଜନରେ  ଚକିତ  ମହିଷାସୁର  ଓ  ତାର  ସୈନ୍ୟଗଣ  ଲଢାଇ  ପାଇଁ  ଆସି  ଦେଖନ୍ତି, ଏକ  ଅଦ୍ଭୂତ  ଦୃଶ୍ୟ  ? ?  ଏକାକିନୀ  ନାରୀ  ମୂର୍ତ୍ତି,  ଯାହାଙ୍କ  ଅଙ୍ଗରୁ  ନିସ୍କୃତି  ଜ୍ୟୋତି  ଧାରାରେ  ତ୍ରିଭୂବନ  ଜ୍ୟୋତିମୟ,  ପାଦତଳେ  ଯାହାଙ୍କ  ଅବନତ  ମହାବିଶ୍ୱ,  ଦଶଦିଗେ  ବିସ୍ତୁତ  ଯାହାଙ୍କ  ଶଶସ୍ତ୍ର  ଦଶଶସ୍ତ୍ର,  ଯାହାଙ୍କ  ଲଲାଟ  ନେତ୍ରରେ  ଅଗ୍ନିର  ବିଚ୍ଛୁରଣ  ଓ  ମସ୍ତକେ  ଶୋଭିତ  ଯାର  ରତ୍ନଖଚିତ  ଆକାଶଚୁମ୍ବି  ସ୍ୱର୍ଣ୍ଣମୁକୁଟ,  ନାଁ'ତାର  ବିହୂଳତା/କାଳକ୍ଷେପ  ।  ଆରମ୍ଭ  ହୋଇଥିଲା  ଉଭୟଙ୍କ  ଭିତରେ  ମହାଭାରତ  ଯୁଦ୍ଧ,  ମହାଶକ୍ତି  ଧାରିଣୀ  ଦଶଭୂଜାଙ୍କ  ଅସ୍ତ୍ରାଘାତେ  ମୃତ୍ୟୁ  ଘଟିଥିଲା  ମହିଷାସୁର  ସମେତ  ଅସୁର  କୁଳ  ।  ମା'ଦଶଭୂଜା  ମହିଷାସୁରର  ଅଜେୟ  ଦୁର୍ଗ  ଜୟ  କରିବାରୁ  ସେ  ଦୁର୍ଗା  ଓ  ମହିଷାମର୍ଦ୍ଧନୀ  ନାମରେ  ପୂଜିତା  ହେଲେ  ।


          ଏହି  ମାତୃଶକ୍ତିର  ପରିପ୍ରକାଶ  ଘଟେ  ସମୟ,  କାଳ  ଓ  ଋତୁ  ଭେଦରେ  ବର୍ଷରେ  ଦୁଇଥର  ।  ବସନ୍ତକାଳରେ  ସୂର୍ଯ୍ୟ  ଯେତେବେଳେ  ମୀନରାଶିରେ  ଚଳତ୍ମାନ  ହୁଅନ୍ତି,  ସେତେବେଳେ  ମା'ଦୁର୍ଗାଙ୍କ  ଆରାଧନାକୁ  'କାଳବୋଧନ'  କୁହାଯାଏ,  ଅର୍ଥାତ୍  ଏହା  ବାସନ୍ତୀପୂଜା  ନାମରେ  ଅଭିହିତ  ।  ପୁନଶ୍ଚ  ସୂର୍ଯ୍ୟ  ଯେତେବେଳେ  କନ୍ୟାରାଶିରେ  ଚଳନ  କରନ୍ତି  ଅର୍ଥାତ୍  ଶରତଋତୁରେ  ମା'ଦୁର୍ଗାଙ୍କୁ  ଆରାଧନା  କରାଯାଏ,  ତାକୁ  'ଅକାଳବୋଧନ'  କୁହାଯାଏ,  ଅର୍ଥାତ୍  ନିଦ୍ରିତ  ଦେବତାଙ୍କୁ  ଅକାଳ  ନିଦ୍ରାଭରଣରୁ  ଜାଗ୍ରତ  କରିବା,  ମା'ଦୁର୍ଗାଙ୍କ  ଏହା  ଏକ  ଶାରଦୀୟ  ପୂଜା  ବା  ଶାରଦୋତ୍ସବ  ବା  ଦୁର୍ଗୋତ୍ସବ  କୁହାଯାଏ  ।


              ସୃଷ୍ଟିର  ଉଷାକାଳେ  ପ୍ରଜାପତି  ବ୍ରହ୍ମା  ଅତ୍ୟାଚାରୀ  ମଧୁ-କୈଟ୍ୟଭ   ଦୈତ୍ୟକୁ  ବଧ  କରିବାକୁ  ପ୍ରଥମେ  ଦୁର୍ଗାସ୍ତବ  କରିଥିଲେ  ।  ବ୍ରହ୍ମାଙ୍କ  ସ୍ତବରେ  ସନ୍ତୋଷ୍ଟ  ହୋଇ  ଆଦ୍ୟାଶକ୍ତି  ମହାମାୟା  ଭଗବାନ  ବିଷ୍ଣୁଙ୍କୁ  ପ୍ରଭାବିତ  କରି  ମଧୁ-କୈଟ୍ୟଭ  ଦୈତ୍ୟକୁ  ବଧ  କରିଥିଲେ  ।  ତମୋଗୁଣର  ବିନାଶ  ଘଟାଇଥିବାରୁ  ଏହି  ପୂଜାର  ଆରମ୍ଭ  ବୋଲି  ଧରାଯାଏ  ।


          ପରବର୍ତ୍ତୀକାଳରେ,  ସ୍ୱର୍ଗର  ଦେବଗଣ  ଓ  ଦେବରାଜ  ଇନ୍ଦ୍ର  ବୃତ୍ତାସୁର  ଦ୍ୱାରା  ପରାଜିତ  ହୋଇ  ସ୍ୱର୍ଗରୁ  ବିତାଡିତଥିଲେ  ।  ଦେବରାଜ  ଇନ୍ଦ୍ର  ଶତ୍ରୁକୁ  ପରାଜିତ  କରିବାର  ସଂକଳ୍ପ  କରିଥିଲେ  ।  ସଂକଳ୍ପହିଁ  ସଫଳତା  ଅର୍ଜନ  କରିବାର  ଶକ୍ତିମାନର  ଲକ୍ଷଣ,  ପରାଜିତକାରୀର  ଦାସତ୍ୱ  ଗ୍ରହଣ  ଦୃର୍ବଳତାର  ପରିପ୍ରକାଶ  ଅଟେ  ।  ତେଣୁ  ଦେବରାଜ  ଇନ୍ଦ୍ର  ସକଳ  ଦେବତାଙ୍କୁ  ସମ୍ମିଳିତ  କରି  ଯଜ୍ଞଶକ୍ତି  ଉତ୍ପନ୍ନ  ନିମନ୍ତେ  ପ୍ରାର୍ଥନା  କରିଥିଲେ  ।  ଫଳରେ  ସମବେତ  ଦେବଗଣ  ମାତୃ  ଆରାଧନା  ସ୍ତବ  କରିବାରୁ  ମା'ଦୁର୍ଗା  ପ୍ରସନ୍ନ  ହୋଇ  ସେମାନଙ୍କ  ଆଶା,  ଆକାଂକ୍ଷା  ପୂର୍ଣ୍ଣ  କରିଥିଲେ,  ଅସୁରର  ଅତ୍ୟାଚାରରୁ  ସ୍ୱର୍ଗପୁରକୁ  ମୁକ୍ତ  କରିଥିଲେ  ।  ସତ୍ୟଯୁଗରେ  ରାଜା  ସୁରଥ  ରାଜ୍ୟହରାଇ  ବନଗାମିଥିବା  ବେଳେ   ମହର୍ଷି  ମେଘନ  ମୁନିଙ୍କଠାରୁ  ମହାମାୟାର  ମାହାତ୍ମ୍ୟ  କଥା  ଶୁଣି  ନଦୀତୀରରେ  ନିଜ  ଦେହର  ରକ୍ତ  ପ୍ରଦାନ  କରି  ମୁକ୍ତିଦାତ୍ରୀ  ମହାମାୟୀ  ଶ୍ରୀଶ୍ରୀ  ଦୁର୍ଗାଙ୍କୁ  ମହାପୂଜାରେ  ଅଭିଷ୍ଠ  କରିଥିଲେ  ।  ଧରାଧାମରେ  ଏହା  ପ୍ରଥମ  କାଳବୋଧନ  ପୂଜା,  ଅର୍ଥାତ୍  ବସନ୍ତ  ଋତୁରେ  ବାସନ୍ତୀ  ପୂଜାନାମେ  ନାମିତ  ହୋଇଛି  ।


        ସେହି  ଭଳି  ତ୍ରେତୟାରେ   ଅଯୋଧ୍ୟାଧିପତି  ଦଶରଥଙ୍କ  ପୁତ୍ର  ଶ୍ରୀରାମ  ପିତୃସତ୍ୟ  ପାଳନ  ନିମନ୍ତେ  ଚଉଦବର୍ଷ  ବନବାସ  ଥିବାବେଳେ  ଅସୁରରକୁଳର  କୁଳପତି  ରାବଣ  ସାଧୁବେଶ  ଧାରଣକରି  ଛଦ୍ମବେଶରେ  ମା'ସୀତାଙ୍କୁ  ଅପହରଣ  କରିଥିଲା  ।  ସୀତାଙ୍କ  ଉଦ୍ଧାର  କଳ୍ପେ  ଦୂରାଚାରୀ  ରାବଣର  ବିନାଶ  ପାଇଁ  ଆଶ୍ୱିନ  ମାସରେ  ପ୍ରଭୃ  ଶ୍ରୀରାମ  ସମୁଦ୍ରତୀରେ  ମୃଣ୍ମୟ  ମୂର୍ତ୍ତି  ଗଢି  ଶ୍ରୀଦୁର୍ଗାଙ୍କୁ  ପ୍ରଥମେ ' ଅକାଳବୋଧନ' କରିଥିଲେ,  ଅକାଳବୋଧନ  ଅର୍ଥାତ୍  ଦେବଗଣଙ୍କୁ  ଜାଗ୍ରତ  କରିବା  ।  ଭଗବାନ  ଶ୍ରୀରାମ  ଷଷ୍ଠୀ  ଠାରୁ  ଦଶମୀ  ପର୍ଯ୍ୟନ୍ତ  ଅନ୍ତରର  ଗଭୀର  ବ୍ୟାକୁଳତା  ଓ  ପୂର୍ଣ୍ଣ  ଭକ୍ତି  ଶ୍ରଦ୍ଧାର  ସହକାରେ  ମା'ଙ୍କ  ସ୍ତୁତି  କରିବା   ସହ  ପରିତୃଷ୍ଠି  କରିବାକୁ  ଦୁର୍ଲ୍ଲଭ  ଏକଶତ  ଆଠଟି  ନୀଳପଦ୍ମ  ମା'ଙ୍କ  ପାଦପଦ୍ମରେ  ଅର୍ପଣ  କରି  ସନ୍ତୁଷ୍ଟ  କରିଥିଲେ  ।  ଶେଷରେ  ମା'ଙ୍କ  କରୁଣା  ଲାଭ  କରି  ସୀତାଙ୍କୁ  ଉଦ୍ଧାର  କରିଥିଲେ  ।  ଅଶୁଭଶକ୍ତିର  ପରାଜୟ  ଘଟି  ଶୁଭଶକ୍ତିର  ବିଜୟ  ଘଟିଥିଲା  ।


         ଦ୍ୱାପର  ଯୁଗରେ  ପାଣ୍ତବମାନଙ୍କ  ବାରବର୍ଷ  ବନବାସ  ପରେ  ଗୋଟିଏ  ବର୍ଷ  ଅଜ୍ଞାତ  ବନବାସକୁ  ନିବିଘ୍ନରେ  କାଟିବା  ଲାଗି  ଧର୍ମରାଜ  ଯୁଧିଷ୍ଠିର  ମହାଦେବୀ  ଶ୍ରୀଦୁର୍ଗାଙ୍କୁ  ବିଘ୍ନବିନାଶିନୀ  ରୂପେ  ପୂଜାକରି  ଯୁଦ୍ଧ  ବିଜୟୀ  ହେବାକୁ  ପ୍ରାର୍ଥନା  କରିଥିଲେ  ।  ପୁନଶ୍ଚ  କୁରୁରଣକ୍ଷେତ୍ରରେ  କୌରବ-ପାଣ୍ତବ   ମହାଭାରତ  ଯୁଦ୍ଧରେ  ପାର୍ଥ  ସାରଥୀ  ଶ୍ରୀକୃଷ୍ଣ    ସଖା  ଅର୍ଜ୍ଜୁନଙ୍କୁ  ମା'ଦୁର୍ଗାଙ୍କୁ  ଆରାଧନା  କରିବାର  ଉପଦେଶ  ଦେଇଥିବାରୁ,    ଅର୍ଜ୍ଜୁନ  ରଣଭୂମିରେ  ନତଜାନୁ  ହୋଇ  କୃତାଞ୍ଜଳୀ  ପୂର୍ବକ  ପ୍ରତ୍ୟହ  ଶତ୍ରୁ  ସଂହାରିଣୀ  ଦୁର୍ଗାସ୍ତବ  ପାଠ  କରୁଥିଲେ  ।


                 ଦୁର୍ଗା'  ଦୁର୍ଗତିନାଶିନୀ  ମା'ଙ୍କ  ଆଗମନରେ  ସକଳ  ଦୁର୍ଗତିର  ବିନାଶ  ଘଟେ  ।  ତାଙ୍କ  ଆର୍ବିଭାବରେ   ଜଗତରେ  ସମସ୍ତ  ଆସୁରିକ  ଶକ୍ତିର  ବିନାଶ  ହୁଏ  ।  ସେ  'ଦୁର୍ଗତି  ବିନାଶିନୀ,  ବିପଦ  ନାଶିନୀ,   ଅର୍ଥାତ୍  ମାନବ  ଉପରକୁ  ବା  ଭୂପୃଷ୍ଠକୁ  ଯେଉଁ  ବିପଦ  ଆସୁଥାଏ  ତାକୁ  ତାରଣ  କରନ୍ତି  ।  କୁହାଯାଏ  ଦୁର୍ଗ'  ବା  ଦୁର୍ଗମ  ନାମକ  ଏକ  ଅସୁରକୁ  ନିଧନ  କରିଥିବାରୁ   ଦେବୀଙ୍କ  ନାମ  ଦୁର୍ଗା  ହୋଇଛି  ।  ଶାସ୍ତ୍ରାନୁସାରେ  'ଦ'ଅକ୍ଷରର  ଅର୍ଥ  ଦୈତ୍ୟ  ନାଶକ,  'ଉ'ଅକ୍ଷରର  ଅର୍ଥ  ବିଘ୍ନନାଶକ,  'ର'ଅକ୍ଷରର  ଅର୍ଥ  ରୋଗନାଶକ,  'ଗ'ଅକ୍ଷରର  ଅର୍ଥ  ପାପନାଶକ, 'ଆ'ଅକ୍ଷରର  ଅର୍ଥ  ଶତ୍ରୁନାଶକ  ।  ଦେବୀ  ଦୁର୍ଗାଙ୍କ  ଆଗମନ  ବିଷୟରେ  ନାନା  ଇତିହାସର  ନିଗୃଢ  ଗୋପନ  ରହସ୍ୟ  ଏଭଳି   ରହିଛି  ।  ବ୍ରହ୍ମାଙ୍କ  ବରରେ  ବଳିୟାନ  ଅମରତ୍ୱ  ଲାଭକରିଥିବା  ମହିଷାସୁର  ସ୍ୱର୍ଗଜୟ  ଓ  ଅପମାନିତ  ଦେବଗଣ  ବିଷ୍ଣୁଙ୍କ  ଶରଣ  ନେବାରୁ,   ତାଙ୍କର  ମାୟାବଳରେ  ଦେବୀ  ଦୁର୍ଗାଙ୍କ  ସୃଷ୍ଟି  ଘଟିଥିଲା  ।  ଶ୍ରୀଶ୍ରୀଚଣ୍ତୀଙ୍କ  ବର୍ଣ୍ଣାନୁସାରେ  ଦେବୀ  ରୁଦ୍ରମୂର୍ତ୍ତି  ଧାରଣ  କରି  ଆର୍ବିଭାବ  ହେବାରୁ  ଶିବ   ତ୍ରୀଶୂଳ,  ବିଷ୍ଣୁ  ସୁଦର୍ଶନଚକ୍ର,  ବରୁଣ  ଶଙ୍ଖ  ଓ  ପାଶା,  ଅଗ୍ନିଦେବ  ଶକ୍ତି,  ପବନ  ଦେବ  ଧନୁକ,  ଇନ୍ଦ୍ର  ବ୍ରଜ,  ଯମ  କାଳଦଣ୍ତ,  ଗିରିରାଜ  ହିମାଳୟ  ସିଂହ,  କୁବେର  ସୁରାପୂର୍ଣ୍ଣ  ପାନପାତ୍ର,  କ୍ଷୀରସମୁଦ୍ର  ନାନା  ଅଳଙ୍କାର  ଓ  ପଦ୍ମ,  ବାସୁକୀ  ମହାମଣି  ଶୋଭିତ  ସ୍ୱର୍ଣ୍ଣହାର  ଆଦି  ନାନା  ଅଳଙ୍କାର  ଓ  ଅସ୍ତ୍ରାଦି  ଦେଇ  ମା'ଦୁର୍ଗାଙ୍କୁ  ଶକ୍ତିଯୁକ୍ତ  କରାଇଥିଲେ  ।  ଫଳତଃ  ମା 'ଦୁର୍ଗା  ମହିଷାସୁରକୁ  ବଧକରି  ମହିଷାମର୍ଦ୍ଧନୀ  ଦେବୀ  ନାମରେ  ଅଭିହିତ  ହେଲେ  ।  ତାଙ୍କର  ଅସୁରଙ୍କ  ନିଧନରେ  ନଅଟି  ରୂପ  ଧାରଣକୁ  ତାଙ୍କୁ  ନବଦୁର୍ଗା  କୁହାଯାଏ,  ସେହିଁ   ଶୈଳପୁତ୍ରୀ,  ବ୍ରହ୍ମଚାରିଣୀ,  ସ୍କନ୍ଦମାତା,  କାତ୍ୟାୟାଣୀ,  କାଳରାତ୍ରୀ,  ମହାଗୌରୀ,  ସିଦ୍ଧିଦାତ୍ରୀ  ଆଦି  ନାମରେ  ବିରାଜିତା  ହୁଅନ୍ତି  ।


           ସେହି  ମା'ଦୁର୍ଗାଙ୍କ  ଆଗମନ  ମର୍ତ୍ତ୍ୟଧାମକୁ  ।  ଚାରିଦିଗେ  ସଜ୍ଜିତ  ସ୍ୱାଗତଂ  ମା'ଙ୍କ  ଆଗମନକୁ  ଶ୍ରଦ୍ଧା  ଭକ୍ତି  ନୈବଦ୍ୟ  ।  ମା'ଙ୍କ  ଆଗମନରେ  ପ୍ରକୃତିରାଣୀ  ଆଗମନୀର  ବାର୍ତ୍ତା  ଘୋଷଣା  କରିଛି  ।  ନିର୍ମଳ  ଆକାଶ,  କାଶତଣ୍ତୀ  ଫୁଲରେ  ନାଚିଉଠୁଛି  ।  ସକଳ  ଅଶୁଭଶକ୍ତିକୁ  ଦମନ  କରି  ଶୁଭଶକ୍ତିର  ଜାଗରଣ  ଘଟିଛି  ।  ମା'ସର୍ବବ୍ୟାପିଣୀ  ମହାମାୟା,  ଯୋଗମାୟା,  ସର୍ବରୂପିଣୀ,  ବିଶ୍ୱମାତୃକା,  ଜଗତ  ଜନନୀ  ତାରେଣୀ,  ମହାଶକ୍ତି,  ଆଦ୍ୟାଶକ୍ତି  ତିନିଲୋକର  ସର୍ବଭୂତେ  ବିରାଜମାନ,  ଚର୍ତୁଃଦିଗେ  ମା'ଦୁର୍ଗାଙ୍କ  ଲୀଳାଖେଳାର  ପରିପ୍ରକାଶ  ଘଟିଛି  ।


         ଏହି  ପବିତ୍ର  ଶୁଭ  ମୁହୂର୍ତ୍ତରେ  ମାନବ  ହୃଦୟରେ  ଭରି  ରହିଥିବା  ଇର୍ଷା,  ଅହଂକାର,  ଗର୍ବ,  ଦମ୍ଭ, ଯାବତୀୟ  କଳୁଷିତ  ଭାବନା,  ଆସୁରିକ  ପ୍ରବୃତ୍ତି,  ତାମସିକ  କାମନା  ରୂପକ  ଅହଂଭାବନାକୁ  ସେହିଁ  ଦମନ  କରନ୍ତୁ  ।  କାରଣ  କଳିଯୁଗେ  'ଦୁର୍ଗା'  ବିନାୟକୌ"  ଅର୍ଥାତ୍  ମାନବ  ମୋକ୍ଷକୁ  ପରମ  ରୂପେ  ଗ୍ରହଣ  କରେ,  ତ୍ରିବର୍ଗସାର  ଧର୍ମ,  ଏହି  ମୋକ୍ଷର  ପରମ  ସହାୟକ  ।  ନ୍ୟାୟୋଚିତ  ସଞ୍ଚିତ  ଅର୍ଥ  ଓ  ଧର୍ମସମ୍ମତ  କାମ  କରି  ଏହି  ଧର୍ମ,ଅର୍ଥ,କାମ,ମୋକ୍ଷ   ଚତୁର୍ବଗ  ଅର୍ଥାତ୍  ମାନବ   ମୋକ୍ଷ  ଶାଶ୍ୱତ  ଶାନ୍ତି  ଲଭୁ  ।  ତାଙ୍କର  ଆରାଧନାରେ  ମାନବ  ହୃଦୟରେ   ନବ  ଜାଗରଣ  ଘଟୁ,   ଏହାହିଁ  ସମସ୍ତଙ୍କ  କାମନା  ହେଉ...!!!                 

● ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ ,
ନୂଆ ବଜାର , କଟକ - ୪
ଦୂରଭାଷ: ୯୦୪୦ ୧୫୧୪୭୫/ ୯୪୩୭୭ ୪୦୨୮୦
 



ରଚନା : ଡକ୍ଟର ଲକ୍ଷ୍ମଣ ସାହୁ

ଠିକଣା : ମହାନଦୀ ବିହାର , କଟକ -୪ ଫୋନ ନମ୍ବର :


0 Comments