ଶାକ୍ତ ଉପାସନାର ଭାବ ବିଭବ - ଡକ୍ଟର ଲକ୍ଷ୍ମଣ ସାହୁ

ଶାକ୍ତ ଉପାସନାର ଭାବ ବିଭବ - ଡକ୍ଟର ଲକ୍ଷ୍ମଣ ସାହୁ

ଶାକ୍ତ ଉପାସନାର ଭାବ ବିଭବ
● ଡକ୍ଟର ଲକ୍ଷ୍ମଣ ସାହୁ

ମାତୃଶକ୍ତି  ବିଶ୍ୱର  ସୃଷ୍ଟି,  ସ୍ଥିତି  ଓ  ପ୍ରଳୟର  ମୂଳ  ଉତ୍ସ  ବୋଲି  ଗ୍ରହଣ  କରାଯାଇଛି  ।  ଏହି  ଶକ୍ତିର  ଉପାସକମାନଙ୍କୁ  ଶାକ୍ତ ରୂପରେ  ବିଦିତ  କରାଯାଇଛି  ଓ  ସେମାନଙ୍କ  ଦ୍ୱାରା  ଅନୁସୃତ  ଊପାସନାର  ରୀତି   ଶାକ୍ତଧର୍ମ  ନାମରେ  ଅଭିହିତ  ହୋଇଛି  ।  ଶୈବଧର୍ମରୁ  ଶାକ୍ତଧର୍ମର   ସୃଷ୍ଟି  ଘଟିଥିବା  ଆଲୋଚକମାନେ  ମତବ୍ୟକ୍ତ  କରିଥିବା  ବେଳେ  ଏହା  ପରବର୍ତ୍ତୀ  କାଳରେ  ଶକ୍ତିଙ୍କ  ପ୍ରାଧାନ୍ୟ  ଯୋଗୁ  ଶାକ୍ତଧର୍ମରେ  ପରିଣତ  ହୋଇଛି  ।  ସାଂଖ୍ୟ  ଦର୍ଶନରେ  କୁହାଯାଇଛି  ପୁରୁଷ(ଶିବ)  ଶକ୍ତିହୀନ  ଓ  ପ୍ରକୃତି  ଶକ୍ତିର  ଉତ୍ପାଦନକାରିଣୀ  ।  ଏହି  ଦୃଷ୍ଟିରୁ  ଶିବଙ୍କ  ଠାରୁ  ଶକ୍ତିସ୍ୱରୂପିଣୀ  ମା'  ନିଶ୍ଚିତ  ଭାବରେ  ଶ୍ରେଷ୍ଟ  ।  ଶାକ୍ତ  ଶାସ୍ତ୍ରାନୁସାରେ  ଶିବ  ଶବ  ସଙ୍ଗେ  ସମାନ  ଓ  ଶବରେ  ଶକ୍ତିଯୁକ୍ତ  ହେବା  ପରେ  ଶବ  ଶିବରେ  ପରିଣତ  ହୁଅନ୍ତି  ।  ତେଣୁ  ସାଂଖ୍ୟ  ଦର୍ଶନାନୁଯାୟୀ  ଶୈବଧର୍ମ  ଓ  ଶାକ୍ତଧର୍ମ  ମଧ୍ୟରେ  ଶାକ୍ତଧର୍ମ  ଶ୍ରେଷ୍ଠ  ବୋଲି    ଧରାଯାଏ  ।  ଶାକ୍ତମାନେ   ଶକ୍ତିକୁ  ବ୍ରହ୍ମ  ବୋଲି  ବା  ବ୍ରହ୍ମର  କାର୍ଯ୍ୟକାରିଣୀ  ଶକ୍ତି  ଭାବରେ  ଗ୍ରହଣ  କରିଛନ୍ତି  ।  ଜୀବ  ବ୍ରହ୍ମମୁଖୀ  ହେବାଲାଗି  ଶକ୍ତିର  ସାହାଯ୍ୟ  ନେଇଥାଏ,  କାରଣ  ଶକ୍ତିବିନା  ବ୍ରହ୍ମର  ଜାଗ୍ରତ  ହୁଏନାହିଁ,  ତେଣୁ  ବ୍ରହ୍ମ  ଠାରୁ  ଶକ୍ତି  ଶ୍ରେଷ୍ଠ  କୁହାଯାଇପାରେ  ।


                   ଶାକ୍ତ  ଉପାସନା  ଅତି  ପ୍ରାଚୀନ  ।  କୁହାଯାଏ  ଶାକ୍ତଧର୍ମର  ଉତ୍ପତ୍ତି  ଆର୍ଯ୍ୟ  ଓ  ଆର୍ଯ୍ୟେତରର  ବିଶ୍ୱାସ  ଓ  ସମନ୍ୱୟରୁ  ଘଟିଛି  ।  ପ୍ରାକ୍-ବୈଦିକ  କାଳରୁ  ପୃଥିବୀମାତା  ବା  ମାତୃକା  ପୂଜାହିଁ  ଶାକ୍ତ  ସଂସ୍କୃତିର  ମୂଳଭିତ୍ତି  ।  ମହେଞ୍ଜୋଦାରୋ  ଓ  ହରପ୍ପାରୁ  ମିଳିଥିବା  ଏକ  ଉଲ୍ଲଗ୍ନ  ନାରୀମୂର୍ତ୍ତିକୁ  ସାର୍  ଜନ୍  ମାର୍ଶାଲ  ପୃଥିବୀମାତାର  ମୂର୍ତ୍ତି  ବୋଲି  ଦର୍ଶାଇଛନ୍ତି  ।  ତେଣୁ  ଭାରତରେ   ପ୍ରତୀକାତ୍ମକ  ଶକ୍ତି  ଉପାସନାର  ଏହା  ପ୍ରାଚୀନତା  ପ୍ରମାଣ  ।  ଭାରତ  ବ୍ୟତୀତ  ଇରାନ,  ମେସୋପଟାମିଆ,  ଇଜିପ୍ଟ  ଆଦି  ସ୍ଥାନମାନଙ୍କରେ  ଶକ୍ତିପୂଜା  ପ୍ରଚଳନର  ସଂକେତ  ମିଳିଥାଏ  ।


                     ବୈଦିକ  କର୍ମକାଣ୍ତରେ  ଦେବତାମାନଙ୍କ   ସହ  ଦେବୀମାନଙ୍କ  ନାମୋଲ୍ଲେଖ  ରହିଛି  ।  ସେମାନଙ୍କ  ମଧ୍ୟରେ  ଅଦିତି,  ଦିତି,  ଉଷା,  ସରସ୍ୱତୀ,  ପୃଥ୍ୱା,  ବାକ୍,  ରାତ୍ରୀ,  ରେବତୀ,  ଇନ୍ଦ୍ରାଣୀ,  ବରୁଣାଣୀ,  ରୁଦ୍ରାଣୀ,  ଆଗ୍ନେୟୀ  ଆଦି  ପ୍ରଧାନ  ।  ଏହି  ଦେବୀଗଣ  ପରେ  ପୃଥ୍ୱା  ପୃଥିବୀ  ରୂପେ,  ଉଷା  କୌଶିକୀ,  କାଳିକା  ଓ  ପାର୍ବତୀ  ରୂପେ  ପରିଚିତା ହୋଇଥିବା  ବେଳେ  ଅଦିତି  ଦେବଗଣ  ଓ  ବିଶ୍ୱବ୍ରହ୍ମାଣ୍ତର  ଜନନୀ  ରୂପେ,  ସରସ୍ୱତୀ  ନଦୀର  ଅଧିଷ୍ଠାତ୍ରୀ  ଦେବୀ  ତତ୍  ସଙ୍ଗେସଙ୍ଗେ  ଜ୍ଞାନ  ଓ  ବିଦ୍ୟାର  ଦେବୀରୂପେ  ସ୍ୱତନ୍ତ୍ର  ଅଧିକାରିଣୀ   ଅଟନ୍ତି  ।  ସେଭଳି  ପୁରନ୍ଧ୍ରି  ପ୍ରାଚୁର୍ଯ୍ୟ  ଦେବୀରୂପେ,  ଇଡା  ପୁଷ୍ଟିର  ଦେବୀରୂପେ  ବୈଦିକ  ଋଷିଗଣ  ଅଭିହିତ  କରିଛନ୍ତି  ।  ବେଦ  ପରବର୍ତ୍ତୀ  ସାହିତ୍ୟରେ  ଏସବୁ  ଦେବୀମାନଙ୍କ  ନାମ  ଭିନ୍ନଭିନ୍ନ  ରୂପେ   ଓ  ନାମରେ  ଗ୍ରହଣ  କରି   ଶକ୍ତି  ଉପାସନା  କରାଯାଇଛି  ।  ବାଗ୍ଦେବୀସୂକ୍ତ  ନାମରେ  ଖ୍ୟାତ  ଥିବା  ଆଠଟି  ମନ୍ତ୍ରରେ  ସ୍ୱୟଂ  ବାଗ୍ଦେବୀ  ପ୍ରକାଶ  କରନ୍ତିଯେ ,  ସେ  ରୁଦ୍ର  ଓ  ବସୁଗଣଙ୍କ  ସଙ୍ଗରେ  ବିଚରଣ  କରନ୍ତି,  ଆଦିତ୍ୟ  ଓ   ଦେବଗଣଙ୍କ  ସହ  ବାସକରନ୍ତି ,  ଏପରିକି  ବରୁଣ,  ଇନ୍ଦ୍ର,  ଅଗ୍ନି,  ଅଶ୍ୱିନୀ  କୁମାରଙ୍କୁ  ଧାରଣ  କରନ୍ତି  ।  ତେଣୁ  ବୈଦିକ  ଋଷିଗଣ  ଦେବତାମାନଙ୍କ  ସହ  ଦେବୀମାନଙ୍କୁ  ଉପଲବ୍ଧି  କରିଥିଲେ,  ଯାହାର  ଫଳସ୍ୱରୂପ  ବାଗ୍ଦେବୀ  ସୂକ୍ତଟି  ଦେବୀସୂକ୍ତ  ନାମରେ  ନାମିତ  ହୋଇ  ଶାକ୍ତ  ଭାବନାର  ମୂଳଭିତ୍ତିକୁ  ସୁଦୃଢ  କରିଥିଲା  ।


            ସେଭଳି  ବେଦୋତ୍ତର  ସାହିତ୍ୟରେ  ଶକ୍ତିଙ୍କ  ଜୟଗାନ  କରାଯାଇଛି  ।  ଶାକ୍ତଧର୍ମର  ଶ୍ରେଷ୍ଠ  ଦେବୀ  ଅମ୍ବିକା,  ଉମା,  ଦୁର୍ଗା,  କାଳୀ  ଆଦିଙ୍କ  ପ୍ରସଙ୍ଗ  ତୈତ୍ତିରୀୟ  ବ୍ରାହ୍ମଣ,  ଆରଣ୍ୟକ,  ବାଜସନେୟୀ  ସଂହିତା,  କନୋପନିଷଦ,  ଶ୍ୱେତାଶ୍ୱତରୋପନିଷଦ  ଆଦିରେ  ଉଲ୍ଲେଖ  ରହିଛି  ।  'ବାଜସନେୟୀ'  ସଂହିତାରେ  ପ୍ରଥମେ  ଦୃର୍ଗାଙ୍କ  ନାମ  ଥିବାବେଳେ,  ତୈତ୍ତିରୀୟ  ବ୍ରାହ୍ମଣରେ  ଅମ୍ବିକାଙ୍କୁ  ରୁଦ୍ରଙ୍କ  ଭଗ୍ନୀ  ଭାବେ  ପରିକଳ୍ପନା  କରାଯାଇଛି  ।  କିନ୍ତୁ  'ତୈତ୍ତିରୀୟ  ଆରଣ୍ୟକ'ରେ  ରୁଦ୍ର  ଅମ୍ବିକାଙ୍କ  ପତି(ଅମ୍ବିକାପତୟେ)  ଭାବରେ  ସମ୍ବୋଧିତ  କରାଯାଇଛି  ।  ତେଣୁ  ସେ  ରୁଦ୍ରଙ୍କ  ପତ୍ନୀ  ଭାବରେ   ପ୍ରସିଦ୍ଧ  ଲାଭ  କରିଥିବା  ବେଳେ,  ଉମାଙ୍କ  ପରିଚୟ  ସର୍ବପ୍ରଥମେ  'କେନୋପନିଷଦ'  ମିଳିଥିଲା  ।  ସେଥିରେ  ତାଙ୍କୁ  ଅଗ୍ନି,  ବାୟୁ,  ଇନ୍ଦ୍ର   ପ୍ରମୁଖ  ବୈଦିକ  ଦେବତାଙ୍କ  ଠାରୁ  ଅଧିକ  ପ୍ରଧାନ୍ୟ  ଦିଆଯାଇଥିଲା  ।  ଯଦିଓ  ପରବର୍ତ୍ତୀ  ସମୟରେ  ଉମା, ଅମ୍ବିକାଙ୍କ  ସହିତ  ଏକ  ହୋଇଥିବା  ବହୁ  ଆଖ୍ୟାୟିକାରୁ  ଜଣାଯାଇଛି  । 

ସେଭଳି   'ତୈତିରୀୟ  ଆରଣ୍ୟକ'ରେ  ଦୁର୍ଗା  ନାମଟିର  ପ୍ରଚଳନ  ଦେଖାଯାଏ  ।  ଏହାର  ଦଶମ  ଖଣ୍ତରେ  ବର୍ଣ୍ଣତ  ଦୁର୍ଗାଗାୟତ୍ରୀରେ  ଦେବୀଙ୍କ  କନ୍ୟାକୁମାରୀ,  କାତ୍ୟାୟିନୀ  ଦୁର୍ଗି  ନାମ  ପରିହିତା  ସଙ୍କେତ  ମିଳିଥାଏ  ।  'ତୈତିରୀୟରେ  ଆରଣ୍ୟକ'ରେ  ଉଲ୍ଲେଖ  ଅଛି -


"କାତ୍ୟାୟନୀୟ  ବିଦ୍ମହେ  କନ୍ୟାକୁମାରୀ,  କାତ୍ୟାୟିନୀ,  ଦୁର୍ଗି  ପ୍ରଚୋଦୟାତ୍  ।"


              ଏହି  ଦୁର୍ଗିହିଁ  ଦୁର୍ଗାର  ସମାନାର୍ଥକ  ଶବ୍ଦ  ।  ଦୁର୍ଗର  ରକ୍ଷାକର୍ତ୍ତୀ  ହିଁ   ଦୁର୍ଗା  ।  ଭାରତୀୟ  ଧର୍ମ  ଧାରଣାରେ  ମା'ଦୁର୍ଗା  ଏକ  ସ୍ୱତନ୍ତ୍ର  ଗୁରୁତ୍ୱପୂର୍ଣ୍ଣ  ସ୍ଥାନର  ଅଧିକାରିଣୀ  ।  ଏହି  ଦୁର୍ଗା  ଶବ୍ଦଟିର  ବ୍ୟାକରଣ  ଅର୍ଥ  ଦୁର୍ଗେୟ  ଓ  ଏହାର  ଆଭିଧାନିକ  ଅର୍ଥ  ମା'  ବା  ମାତୃ    ସ୍ୱରୂପାକୁ  ବୁଝାଇଥାଏ  ।  ବେଦ,  ଉପନିଷଦ,  ପୁରାଣ  ଆଦିରେ  ଶକ୍ତିର  ଅର୍ଥାତ୍  ଶକ୍ତିର  ମହିମା  ପ୍ରକଟିତ  ହୋଇଛି  ।  ଫଳତଃ  ଦେଶର  ପ୍ରତି  ପ୍ରାନ୍ତରରେ   ଗୁଞ୍ଜରିତ  ହୋଇଉଠେ  ମାତୃଶକ୍ତିର  ସ୍ମୃତି-


"ଯା  ଦେବୀ  ସର୍ବ  ଭୂତେଷୁ  ଶକ୍ତି  ରୂପେଣ  ସଂସ୍ଥିତା

ନମସ୍ତସୈ  ନମସ୍ତସୈ  ନମସ୍ତସୈ  ନମୋ  ନମଃ  ।"


          ସମଗ୍ର  ବିଶ୍ୱରେ  ପ୍ରତ୍ୟେକ  ବସ୍ତୁରେ  ଦେବୀ  ଶକ୍ତି  ରୂପେ  ଅବସ୍ଥାନ  କରୁଛନ୍ତି  ।  ତାଙ୍କଠାରୁ  ପ୍ରତ୍ୟେକ  ବସ୍ତୁର  ସୃଷ୍ଟି,  ତାଙ୍କରି  କୋଳରେ  ସବୁରିର  ଅବସ୍ଥିତି,  ପୁଣି  ତାଙ୍କରି  ଠାରେ  ସମସ୍ତଙ୍କର  ଶେଷ  ପରିଣତି  ।  ତାଙ୍କ  ସହାୟତା  ବିନା  ଶିବ  ମଧ୍ୟ  ଶବ  ପରି  ଶକ୍ତିହୀନ  ହୋଇପଡନ୍ତି  ।  ଶଙ୍କରାଚାର୍ଯ୍ୟ  'ଆନନ୍ଦ  ଲହରୀ'ରେ  ଉଲ୍ଲେଖ  କରିଛନ୍ତି :


'ଶିବଃ  ଶକ୍ତ୍ୟାଯୁକ୍ତୋ  ଯଦି  ଭବତି  ଶକ୍ତ  ପ୍ରଭବିତୁଂ

ନଚେ  ଦେବ  ଦେବଃ  ଖଳୁ  କୁଶଳ  ସ୍ପନ୍ଦିତୁମପି  ।"


              ଅର୍ଥାତ୍  ଶକ୍ତି  ଯୁକ୍ତ  ହେଲେ   ଶିବ  ବିଶ୍ୱ  ପ୍ରକାଶ  କରି  ପାରନ୍ତି  ।  ନଚେତ୍,  ଶକ୍ତିହୀନ  ହୋଇ  ହଲିବାକୁ  ମଧ୍ୟ  ସମର୍ଥ  ହୋଇପାରନ୍ତି  ନାହିଁ  ।  ଦୁର୍ଗାଙ୍କ  ମହିମା  ସଂପର୍କରେ  'ତୈତିରୀୟ  ଆରଣ୍ୟକ'ର  ପରବର୍ତ୍ତୀ  ଅନୁବାକ୍  ରେ  ଅଧିକ  ସ୍ପଷ୍ଟ  କରାଯାଇଛି  ।  ସେଥିରେ  ତାଙ୍କୁ  ଅଗ୍ନିବର୍ଣ୍ଣା  ତପ୍ତପ୍ରଦୀପ୍ତା  ସୂର୍ଯ୍ୟ  ବା  ଅଗ୍ନିଙ୍କ  କନ୍ୟା  ରୂପେ  ସମ୍ବୋଧିତା  କରାଯାଇଛି  ।  'ମୁଣ୍ତକୋପନିଷଦ'ରେ  ଅଗ୍ନିଙ୍କ  ସପ୍ତଜିହ୍ୱା  ମଧ୍ୟରୁ  ଦୁଇଟି  ଜିହ୍ୱାକୁ  କାଳୀ,  କରାଳୀ,  କରାଳୀ  ନାମରେ  ନାମିତ  ହୋଇଛି  ।   ପରବର୍ତ୍ତୀ   ସମୟରେ  ଅଗ୍ନିଙ୍କ  ଏହି   ସପ୍ତଜିହ୍ୱାକୁ  ସପ୍ତମାତୃକା  ଭାବରେ  ସ୍ୱୀକୃତା  କରାଯାଇଥିବା  ମନେହୁଏ  ।  ଦେବୀଙ୍କର  ମହିମା  ଗାନରେ  ବିଶେଷ  କରି  ବହୃଚୋପନିଷଦ,  ଦେବୀ  ଉପନିଷଦ,  ତ୍ରିପୁରାତାପିନୀ  ଉପନିଷଦ,  ସରସ୍ୱତୀ   ରହସ୍ୟୋପନିଷଦ,  ସୀତୋପନିଷଦ,  ତ୍ରିପୁରା  ଉପନିଷଦ,  ଭାବନୋପନିଷଦ  ପ୍ରମୁଖରେ  ଶାକ୍ତ  ଉପନିଷଦମାନ  ବହୁ  ପରିମାଣରେ  ପ୍ରଣିତ  ହୋଇଛି  ।  'ଋଗ୍  ବେଦ'ର  ପରିଶିଷ୍ଟରେ  ଦୃର୍ଗାଙ୍କୁ  ଅନ୍ୟ  ଏକ  ନାମରେ  ଅର୍ଥାତ୍  ଐଶ୍ୱର୍ଯ୍ୟ  ଶାଳିନୀ  ଲକ୍ଷ୍ମୀ  ଭାବରେ  ଦର୍ଶାଇ  ଦିଆଯାଇଛି  ।

ପୁନଶ୍ଚ  ଦୁର୍ଗର  ଆକ୍ଷରିକ  ଅର୍ଥ  ଏକ  ସୁରକ୍ଷିତ  ସ୍ଥଳ  ବା  ରାଜ୍ୟ  ମଧ୍ୟ  କୁହାଯାଇ  ପାରେ,  ତେଣୁ  ରାଜ୍ୟ  ହେଉ  ବା  ରାଷ୍ଟ୍ର  ହେଉ,  ତାର  ସୁରକ୍ଷାତ୍ମକ  ଶକ୍ତିର  ସ୍ୱରୂପହିଁ   ଦୁର୍ଗ  ।  କୋଟି  କୋଟି  ଜନତାର  ସମ୍ମିଳିତ  ସାମୁହିକ  ରାଷ୍ଟୀୟ  ଶକ୍ତିହିଁ  ଯଥାର୍ଥରେ  ଦୁର୍ଗା    ।


            ଦୁର୍ଗାଙ୍କର  ଲୌକିକ  ରୂପରେ  ସାକାର  ବର୍ଣ୍ଣନା  'ମାର୍କେଣ୍ତୟ  ପୁରାଣ'ରେ  ଅତି  ପ୍ରାଞ୍ଜଳ  ଭାବରେ  ଉଲ୍ଲେଖ  ରହିଛି  ।  ଦୁର୍ଗ  ତିଳ  ଗୁଣ,  ତିଳ  ଚରିତ୍ର  ତଥା  ତିଳ  ରୂପର  ପ୍ରତୀକ  ।  ଦୁର୍ଗା  ଏକ  ସମ୍ମିଳିତ  (ରାଷ୍ଟ୍ରୀୟ)  ଶକ୍ତି  ।  ଏହି  ସମ୍ମିଳିତ   ଶକ୍ତି  ଅଜେୟ,  ଅକ୍ଷୟ   ଓ  ଅପରାଜେୟ  ।  ଏହି  ଶକ୍ତିର  ଆଦ୍ୟରୂପ  ସଦ୍  ବୁଦ୍ଧି  ଓ  ସତ୍  ପ୍ରେରଣାରୁ  ଶକ୍ତିର  ଉଦୟ  ଘଟିଥାଏ  ।  ଦୁର୍ଗାଙ୍କର  ପ୍ରଥମ  ବିଭାବ  ଏହାର  ପ୍ରତୀକ  ।  ତାଙ୍କର  ରୂପ  ଓ  ଶକ୍ତି  ସମ୍ବୋଧରେ  ଦେବତାମାନେ ପ୍ରଶ୍ନ  କରିବାରୁ,  ସ୍ୱଂୟ  ଦେବୀ  ପ୍ରତିତ୍ତୋରରେ  କହିଥିଲେ,  ମୁଁ  ବ୍ରହ୍ମ,  ମୋ' ଠାରୁ  ପ୍ରକୃତି  ପୁରୁଷାତ୍ମକ  ଜଗତର  ପୃଷ୍ଟି  ।  ସକଳ  ଜୀବକୋଷର  ପୁଞ୍ଜିଭୂତ  କୋଷ  ।  ପରମ  ମନୀଷା  ଓ  ସମସ୍ତ  ପୂଜନୀୟ  ବିଶ୍ୱର  ଶିଖର  ଦେଶରୁ  ପରମ  ପିତାଙ୍କର  ଅବତରଣ  କେବଳ  ମୋ  ଦ୍ୱାରା  ସମ୍ଭବ  ।  ମୋ  ନିବାସ  ଘନ  ଜଳ  ମଧ୍ୟରେ,  ମହାସାଗରର  ସେଇଠି  ବିଦ୍ୟମାନ  ହୋଇ  ମୁଁ   ସମଗ୍ର  ବିଶ୍ୱରେ  ପ୍ରାଣୀ  ସୃଷ୍ଟିର  ବିସ୍ତାର  ଘଟାଏ,  ନିଜ  ଲଲାଟ  ଦେଶରେ  ଚିରନ୍ତନ  ସ୍ୱର୍ଗ  ସ୍ପର୍ଶ  କରିଥାଏ,  ପ୍ରଭଂଜନ  ମୋ  ନିଶ୍ୱାସ  ପ୍ରଶ୍ୱାସରେ  ଉଦ୍ଦାମତା  ଓ  ସମ୍ପୂର୍ଣ୍ଣ   ସୃଷ୍ଟି  ସର୍ତ୍ତା  ସ୍ୱହସ୍ତରେ  ନିୟନ୍ତ୍ରିତ,  ବିରାଟ  ବିଶ୍ୱ  ତଥା  ସ୍ୱର୍ଗ  ଲୋକରେ  ନିଜ  ମହିମା  ବଳରେ  ମୁଁ  ପ୍ରଚଣ୍ତ  ପ୍ରବଳ  ଶକ୍ତି  ଶାଳିନୀ  ।


           ପୁରାଣ  ଯୁଗର  ଆଦ୍ୟ  ରଚନା  ରାମାୟଣ  ଓ  ମହାଭାରତରେ  ଶକ୍ତି  ଉପାସନାର  କ୍ରମବିକାଶ  ଘଟିଆସିଛି  ।  ରାମାୟଣରେ  ଉମା,  ଗିରିଜା,  ରୁଦ୍ରାଣୀ,  ପାର୍ବତୀ,  କାମରୂପିଣୀ,  ନାଗମାତା,  ସୁରସା,  ସିଂହିକା,  କାଳରାତ୍ରି  ଆଦି  ନାମଯୁକ୍ତ  ଦେବୀମାନଙ୍କର  ଉଲ୍ଲେଖଅଛି  ।  ମହାଭାରତରେ  'ବିରାଟ  ପର୍ବ'ରେ  ଯୁଧିଷ୍ଠିରଙ୍କ  ଦୁର୍ଗାସ୍ତବ,  'ଭୀଷ୍ମ  ପର୍ବ'ରେ  ଅର୍ଜ୍ଜୁନଙ୍କ  ଦୁର୍ଗା  ସ୍ତୋତ୍ର  ଏପରିକି  'ହରିବଂଶ  ପର୍ବ'ରେ  ଆର୍ଯ୍ୟାସ୍ତବ  ତତ୍କାଳୀନ  ଭାରତର  ଶାକ୍ତ  ଧର୍ମର  ଦୃଢ  ସ୍ଥିତିର  ପ୍ରମାଣ  ଦିଏ  ।  ମହାଭାରତର  ରୂପ  ଗୁପ୍ତଯୁଗରେ  ବିକାଶ  ଲାଭ  କରିଥିବାରୁ  ଅର୍ଥାତ୍  ଭାରତରେ  ଶାକ୍ତ  ସାଧନାର  ପୂର୍ଣ୍ଣ  ବିକାଶ  ଖ୍ରୀଷ୍ଟୀୟ  ପ୍ରଥମ  ଶତାଦ୍ଦୀବେଳକୁ  ସାଧିତ  ହୋଇଥିବା  ମନେହୁଏ  ।  ପୁରାଣମାନଙ୍କରେ  'ଦେବୀ  ଭାଗବତ',  'ମାର୍କଣ୍ତେୟ  ପୁରାଣ',  'ଦେବୀପୁରାଣ',  କାଳୀକା  ପୁରାଣ',  'ବରାହ  ପୁରାଣ'  ଆଦିରେ  ଶାକ୍ତ  ସାଧନା  ଓ  ଶକ୍ତିଙ୍କର  ମହିମା  ଗାନରେ  ଶତମୁଖରିତ  ହୋଇଛି  ।


               ଏପରିକି  ନିରୀଶ୍ୱରବାଦୀ  ଜୈନଧର୍ମ  ଓ  ବୌଦ୍ଧଧର୍ମରେ  ମଧ୍ୟ  ଶକ୍ତି  ଉପାସନାର  ପ୍ରମାଣ  ଦେଖିବାକୁ  ମିଳେ  ।  ଜୈନ  ଗ୍ରନ୍ଥଗୁଡିକରେ   ଯୋଗିନୀମାନଙ୍କ  ବର୍ଣ୍ଣନା,  ଯେଉଁମାନେ  କି  ନାମ  ଓ  କାର୍ଯ୍ୟ  ଦୃଷ୍ଟିରୁ  ହିନ୍ଦୁ  ଚତୁଷଷ୍ଠୀ  ଯୋଗିନୀମାନଙ୍କ  ସହ  ସମତା  ରକ୍ଷା  କରିଥାନ୍ତି  ।  ଜୈନଧର୍ମରେ  ସ୍ଥାନପାଇଥିବା ତାନ୍ତ୍ରିକ  ଦେବୀମାନଙ୍କ  ମଧ୍ୟରେ  କଙ୍କାଳି,  କାଳିମହାକାଳୀ,  ଭଦ୍ରାକାଳୀ,  ଦୁର୍ଗା,  ଲଳିତା,  ଗୌରୀ,  ସୁମଙ୍ଗଳା  ପ୍ରଭୃତି  ନାମ  ପ୍ରଧାନ  ।  ସେଭଳି  ବୌଦ୍ଧଧର୍ମରେ     ପଞ୍ଚ-ଧ୍ୟାନୀବୁଦ୍ଧଙ୍କ  ସହ  ପାଞ୍ଚଟି  ଶକ୍ତି  ସହ  ସଂଯୁକ୍ତ  କରାଯାଇଛି,  ସେମାନେ  ହେଲେ  ଧ୍ୟାନୀବୁଦ୍ଧ  ଅକ୍ଷୋଭ୍ୟାଙ୍କ  ସହ  ଲୋଚନା,  ବୈରୋଟନଙ୍କ  ସହ  ବଜ୍ରଧାତ୍ୱୀଶ୍ୱରୀ,  ଅମିତାଭଙ୍କ  ସହ  ପାଣ୍ତରା,  ରତ୍ନସମ୍ଭବଙ୍କ  ସହ  ମାମାକୀ  ଓ  ଅମୋଘସିଦ୍ଧିଙ୍କ  ସହ  ଆର୍ଯ୍ୟତାରା  ଦେବୀଙ୍କ  ନାମୋଲ୍ଲେଖ  କରାଯାଇଛି  ।   ବିଭିନ୍ନ  ବୌଦ୍ଧ  ଦେବୀଙ୍କ  ମଧ୍ୟରେ  ତାରା,  ଅପରାଜିତା,  ମାରୀଚୀ,  ପ୍ରଜ୍ଞାପାରମିତା  ଆଦି  ପ୍ରଧାନ  ।  ଏପରି  ମଧ୍ୟ  ବୌଦ୍ଧଭିକ୍ଷୁଗଣ  ନିର୍ବାଣ  ଲାଭ  ନିମନ୍ତେ  ଶକ୍ତିଉପାସନା  ଓ  ତନ୍ତ୍ର  ସାଧନାର  ଆଶ୍ରୟ  ନେଇଥିଲେ  ।


             ଶାକ୍ତ  ଉପାସନା  ଓ  ଶକ୍ତିପୀଠକୁ  ପୌରାଣିକ  ଦୃଷ୍ଟିରୁ  ବିଚାର  କଲେ,  ଦକ୍ଷଯଜ୍ଞରେ  ନିନ୍ଦା  ସହି  ନପାରି  ଶିବପତ୍ନି  ସତୀ  ଯଜ୍ଞକୁଣ୍ତରେ  ଆତ୍ମଆହୂତି  ଦେବାରୁ  ଶୋକବିହୂଳ  ଶିବ  ସତୀଙ୍କୁ  ସ୍କନ୍ଦରେ  ବହନ  କରି  ପୃଥିବୀ  ଭ୍ରମଣ  କରୁଥିବା  ବେଳେ  ଦେବତାମାନଙ୍କ  ପ୍ରାର୍ଥନାରେ  ବିଷ୍ଣୁ  ସୂଦର୍ଶନ  ଚକ୍ରରେ  ସତୀଙ୍କ  ମୃତ  ଦେହକୁ  ଖଣ୍ତଖଣ୍ତ  କରିଦେଲେ  ।  ଫଳତଃ  ସତୀଙ୍କ  ଦେହାବଶେଷର  ବିଭିନ୍ନ  ଅଂଶ  ଯେଉଁ  ଯେଉଁ  ସ୍ଥାନରେ  ପଡିଲା  ସେହି  ସ୍ଥାନମାନଙ୍କରେ  ଶକ୍ତିପୀଠ  ଗଢି  ଉଠିଛି  ।  ସମଗ୍ର  ଭାରତରେ  ଏକାବନଟି  ପ୍ରଧାନ  ଶକ୍ତିପୀଠ  ଓ  ଛବିଶଟି  ଉପପୀଠର  ନାମୋଲ୍ଲେଖ  ପୁରାଣମାନଙ୍କରୁ  ମିଳିଥାଏ  ।  ପ୍ରକୃତରେ  ଦେଖିଲେ  ଏହି  ଶାକ୍ତ  ଉପାସନା  ବା  ଶକ୍ତି  ପୂଜା  ଭାରତର  ପ୍ରାଚୀନ  ପରମ୍ପରା  ।  ବୈଦିକ  ଋଷିଗଣ  ପ୍ରାର୍ଥନା  କରନ୍ତି  -


"ଓଁ  ଅସତୋ  ମ   ସଦ୍  ଗମୟ,  ତମସୋ  ମା  ଜ୍ୟୋତିର୍ମୟ,  ମୃତ୍ୟୋର୍ମାମୃତଂ   ଗମୟ  ।"


           ହେ ଭଗବାନ  !  ମୋତେ  ଅସତ୍ୟରୁ  ସତ୍ୟ,  ଅନ୍ଧକାରରୁ  ଆଲୋକ  ଓ  ମୃତ୍ୟୁରୁ  ଅମୃତତ୍ୱ  ଆଡକୁ  ଘେନି  ଯାଅ  ।  ଅସତ୍ୟର  ଅର୍ଥ  ଦୃର୍ବଳତା,  ଅନ୍ଧକାର  ଅର୍ଥ  ଅଜ୍ଞାନ  ଓ  ମୃତ୍ୟୁର  ଅର୍ଥ  ଦୁଃଖ  ।  ମୁନି  ଋଷିଗଣ  ଦୃର୍ବଳତା,  ଅଜ୍ଞାନତ୍ୱ  ଓ  ଦୁଃଖ  ପରିହାର  ପୂର୍ବକ  ଶକ୍ତି,  ଜ୍ଞାନ  ତଥା  ସୁଖ  ପ୍ରାପ୍ତି  ଆଶାରେ  ଆଶାୟୀ,  ସେଭଳି  ଆଜିର  ମଣିଷ  ସେହି  ମହାଶକ୍ତିର  ପୂଜା,  ଉପାସନା   ଅର୍ଥାତ୍  ମା'ଦୁର୍ଗାଙ୍କ  ଆରାଧନା  କରି  ଜ୍ଞାନ,  ଶକ୍ତି,  ସୁଖ,  ଶାନ୍ତି  ପ୍ରାପ୍ତି  ଲଭୁ ...!!!

● ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ : ୯୪୩୭୭ ୪୦୨୮୦/ ୯୦୪୦ ୧୫୧୪୭୫
Email : Laxmansahoo9040@gmail.com




ରଚନା : ଡକ୍ଟର ଲକ୍ଷ୍ମଣ ସାହୁ

ଠିକଣା : ମହାନଦୀ ବିହାର , କଟକ -୪ ଫୋନ ନମ୍ବର :


0 Comments