କବିତା - ଶୋଇଯାଏ ଯେବେ ରାତି - ଶିବ ଚରଣ ମହାପାତ୍ର

କବିତା - ଶୋଇଯାଏ ଯେବେ ରାତି - ଶିବ ଚରଣ ମହାପାତ୍ର

ସେ ରୂପସୀ ରଜନୀ ଶୋଇଗଲା ପରେ
ଉଜାଗର ହୋଇଉଠନ୍ତି ମୋ
ସୁମନ୍ତ୍ରିତ ଚିନ୍ତା ଚେତନା ଭାବନା..!
ବାଲିଘର ତୋଳି ବସନ୍ତି
ମୋ ନିଃଶବ୍ଦ ଶବ୍ଦର ଅର୍ଥହୀନ ପରିକଳ୍ପନା..!!

ନୀର୍ଜନତା ଘୁଙ୍ଗୁଡି ଦେହରେ
ଅବିରତ ଆଙ୍କୁଥାଏ କିଏ ସତରଙ୍ଗି ସ୍ୱପ୍ନ..!?
ହେଲେ
ଝିଙ୍କାରି ପ୍ରଣୟ ଝଙ୍କାରେ
ନିଶାସକ୍ତ ହେଉଥାନ୍ତି ଆକାଶର ତାରା ଆଉ ଅଲାଜୁକି ଜହ୍ନ..!!

ମୁଁ ଝରିଯାଏ
ପ୍ରେମିକପଣରେ..!
କେବେ ଶବ୍ଦ ବନ୍ଧନରେ..!
କେବେ ଅନ୍ଧାର ଛାତିରେ..!
କେବେ ଯାମିନୀ ହୃଦରେ..!
ଆଉକେବେ
ମୋ କାବ୍ୟ କବିତାରେ..!!

ହେଲେ..!
ତୁମେ କାଇଁ ଶୋଇଥାଅ
ଚୁପ୍ ଚାପ୍ ନିଘୋଡ ନିଦରେ..!?
ସତେ କି
ଚିରନ୍ତନ ସୁଖ ଝରୁଥାଏ ତୁମ ଦୁନିଆରେ..!?
ତାରାମାନେ ଚେଉଁଥାନ୍ତି
ଅର୍ଦ୍ଧନିଦ୍ରା ଆଖି ମଳି ମଳି..!
ସେ ଜହ୍ନ ବିରହିଣୀ
ବାଦଲ ପଣତେ ଲୁଚି ଝାରୁଥାଏ ଲୁହ
କୁମୁଦ ପ୍ରେମ ବିରହେ କୁରୁଳି କୁରୁଳି..!!?

ମୁଁ ବନ୍ଦ୍ କରିଦିଏ
ମୋର ସଜଳ ଦୁଇ ଆଖି
ହେଲେ
ମୋ ଆଖିରେ ଶୁଏନାହିଁ
ସ୍ୱାର୍ଥପର ସହରର ଅଣଦେଖା ତାତି..!
କି ମେଣ୍ଟେନି ତା ତୃଷ୍ନା
ତୃଷାର୍ତ୍ତ ଅଧର ଲୋଡେ କାହା ସ୍ପର୍ଶ ନିତି..!?
ଅବା
ଆଲୋକ କି ଏକାନ୍ତରେ ଖୋଜୁଥାଏ ଅନ୍ଧକାର ଛାତି..!?

ସେ ଖେଳିଚାଲେ ସାରା ରାତି
ପାପପୂଣ୍ୟ ଛକି ଶୂନ ଖେଳ..!
ବତୀଖୁଣ୍ଟକୁ ଆଉଜି
ନିଗାଡେ ଆଖି ଆଖିରେ
ଅନ୍ଧକାର କାମନା ଗରଳ..!!

ଧାଇଁଯାଏ ପୋଛିବାକୁ ତା'ଦେହ କଳଙ୍କ
ହେଲେ ସେ ଠେଲିଦିଏ ଦୂରେ..!
କହେ ,
କଳ୍ପନା ବିଳାସୀ ତୁମେ
ମୋ କଳଙ୍କ କାଳିମାକୁ ପାରିବ କି ପୋଛି
ତୁମ ଲେଖନୀ ଶବ୍ଦରେ..!?

ଏକଲାପଣରେ
ଅବଶେଷ ହେଉଥାଏ ରୁଧିରାକ୍ତ ରାତି
ବଳକା ପିଆଲା ନିଶା
ରହସ୍ୟମୟ ଧୂଆଁ ବାଣେ
ରହସ୍ୟେ ଛାଡି ଯାଉଥାଏ ପ୍ରାଣପ୍ରିୟ ସାଥି..!!

କିନ୍ତୁ ..!
ସମର୍ପିତ ପ୍ରାଣ ନେଇ
ତା' ଚରଣୁ ଫେରୁଥାଏ ମୁଁ
ସାଜି ଅଙ୍କା ବଙ୍କା ନଈ..!
ସେବେଳରେ
ନବ ସୂର୍ଯ୍ୟ ହସୁଥାଏ ଓଠ ଚୁମିଦେଇ..!
ମୋ ଇଛାରେ
ହୃଦୟର ଭାବ ସବୁ
ହସୁଥାନ୍ତି
ଅବଶ ରାତିର ଜୀବନ୍ଯାସ ହୋଇ..!

ପୁଣି ଥରେ ବସିରହେ ମୁଁ
ଖୋଲା ଆକାଶ ଅଗଣାରେ
ତୁମ ଫେରିବା ବାଟକୁ ଚାହିଁ ଚାହିଁ
ନୂଆ ଏକ ରଜନୀର ଅଭିସାର ନେଇ..!!


ରଚନା : ଶିବ ଚରଣ ମହାପାତ୍ର

ଠିକଣା : ଚକ୍ରଧରପୁର, କେନ୍ଦୁଝର ଦୂରଭାଷ :


0 Comments