କ୍ଷୁଦ୍ରଗଳ୍ପ - ବିଗତ ଓ ଅନାଗତ - ବିନୟ ମହାପାତ୍ର

କ୍ଷୁଦ୍ରଗଳ୍ପ - ବିଗତ ଓ ଅନାଗତ - ବିନୟ ମହାପାତ୍ର

ତୁମ ଶବକୁ କୁଣ୍ଢେଇ ଧରି ମଥା ବାଡେଇ କାନ୍ଦିବାକୁ ଭାରି ମନହୁଏ । ମନ କେବେ କେବେ ଉଦାଶ ଆଖିରେ ଆକାଶକୁ ଚାହିଁରହେ । କେତେବେଳେ ମନେ ମନେ ହସେ । ତୁମେ କେତେ ଭଲଥିଲ ଅବା କେତେ ଖରାପଥିଲ ବୋଲି ଭାବିହୁଏ । କିନ୍ତୁ ଯେତେ ଭାବିହେଲେ କଣ ହେବ, ତୁମେ ଯେ ଚାଲି ଯାଇଛ । ଏ ଜୀବନରେ ତୁମେ ଆଉ କେବେବି ଫେରିବନି, ବରଂ ଦି'ଘଢି ପରେ, ତୁମର ପଚାଶବରୁ ଦୁର୍ଗନ୍ଧ ଉଠିବା ଆରମ୍ଭ ହୋଇଯିବ ! ହେ ମୋର 'ଗତକାଲି' ମୋତେ ତୁମକୁ ଭୂଲିବାକୁ ଦିଅ । ତୁମେ ଯେତେ ଯାହା ଘାଆ ଦେଇଥିଲ ସେଥିରୁ କିଛି ଏବେ ସୁଖି ସାରିଲାଣି, ଆଉ କିଛି ସୁଖି ସୁଖି ଆସୁଛି । କିନ୍ତୁ ତୁମର ସ୍ମୃତି ପୁଣି ସେଇ ପୁରୁଣା ଘାଆଗୁଡିକୁ ସତେ ଯେପରି ଆଉ ଥରେ ରାମ୍ପି ଦେଉଛି, ପୁଣି ତାଜା କରିଦେଉଛି । ମନ ହେଉଛି, ଘାଆର ଯେତେ ଦାଗ, ଯନ୍ତ୍ରଣାର ଯେତେ ବାହାନା ସେସବୁକୁ ମନରେ ସାଇତି ରଖିବି । କାରଣ, ଘାଆର ଦାଗ ଦେଖାଇ କଷ୍ଟର ବାହାନା କଲେ, କେତେଯେ ସମବେଦନା କେତେ ଦରଦ ବର୍ଷା ହୋଇଯାଏ । କିନ୍ତୁ ତୁମକୁ ଭୂଲି ମୁଁ ପୁଣିଥରେ ଦେହରୁ ଧୂଳି ଝାଡିଦେଇ ଆଗକୁ ବଢିବା ପାଇଁ ଚେଷ୍ଟାବିତ କରି ପାରିବି ! ହେ ମୋର 'ଗତକାଲି' ଦୟାକରି ତୁମେ, ମୋତେ ତୁମ ସ୍ମୃତି ବନ୍ଧନରୁ ମୁକ୍ତି ଦେଇଦିଅ ।

ହେ 'ଅନାଗତ' ତୁମେ କେମିତି ଆସିବ, ମୋ ପାଇଁ କଣ ଆଣିବ, କିଛିବି ତ ଜାଣିନି । କିନ୍ତୁ ମୋ ମନରେ ଏତେ ଉତ୍କଣ୍ଠା, ଏତେ ଆଶଙ୍କା କାହିଁକି ? ମୋ ମନ, ବିନା କିଛି ପ୍ରଚେଷ୍ଠାରେ ଏତେ ସବୁ ଆଶା କାହିଁକି ବାନ୍ଧି ନେଉଛି ? ଯେମିତି ତୁମେ ମୋର ସୁନେଲି ରୂପେଲି ସପନମାନଙ୍କ ପରି ବହୁତ ସୁନ୍ଦର ହେବ, ତୁମେ ମୋ ପାଇଁ ଅନେକ ସୁଖର ସମ୍ଭାର ନେଇ ଆସିବ । ମୋର ସକଳ ସ୍ୱପ୍ନକୁ ସାକାର କରିଯିବ ! ପୁଣି କେବେ କେଉଁ ଅଜଣା ଆଶଙ୍କାରେ ମନ ଡରିଯାଏ । ହୁଏତ ତୁମେ ମୋର 'ବିଗତ' ପରି ବିଭତ୍ସ ହେବ, ପୁଣି ନୁଆ ନୁଆ ଘାଆ ଦେଇଯିବ ! କେବେ ତଟସ୍ଥ ହୋଇ ପୁଣି ଭାବେ, ସତରେ ମୋ ଜୀବନ କେତେ ନିର୍ଲଜ ? ମୁଁ ଏଯାଏ ବିହନ ବି ବୁଣିନି, କିନ୍ତୁ ଫସଲ କାଟିବାକୁ ମୋ ଦାଆରେ ଧାର ଦେଇ ଚାଲିଛ ! ମୁଁ କେତେ ଦୂର୍ବଳ, ଏବେ ଯାଏ 'କାଲି'ର ଶବଯାତ୍ରାରେ ମୋ 'ଅତୀତ'ର ଶବାବାହକ ହୋଇ ଚାଲିବା ଜାରି ରଖିଛି । ମୋର ସୁନେଲି ଭବିଷ୍ୟତ ପାଇଁ କିଛିବି ଉଦ୍ୟମ କରିନି କିନ୍ତୁ କଳ୍ପନାରେ ଆକାଶକୁ ଶିଢି ବାନ୍ଧି ସାରିଲିଣି ।

ମୁଁ କେମିତି ଭୂଲିଯାଉଛି, ମୋର 'ଆଜି'ର ସକଳ ପ୍ରଚେଷ୍ଠା ମୋ ପାଇଁ ସୁନେଲି ଇତିହାସ ରଚିଯିବ ଆଉ ଉଜ୍ୱଳ ଭବିଷ୍ୟତ ଆଣି ପାରିବ । ହେଲେ ଯେଉଁ 'ଦିନ' ଚାଲି ଯାଇଛି, ଯେଉଁ ଘଟଣା ଘଟି ଯାଇଛି, ସେ ଦିନସବୁ ପୁଣିଥରେ କେବେବି ଆଉ ଫେରି ଆସିବନି, କିନ୍ତୁ ମୁଁ ତାକୁ ମନରେ ସାଇତି ରଖି କାହିଁକି ସନ୍ତୁଳି ହେଉଛି । ଯେଉଁ ଦିନସବୁ ମୋ ଜୀବନରେ ଏଯାଏ ଆସିନାହାନ୍ତି, ଯାହା କେବଳ ଆସିବାକୁ ଅଛି, ସେଇ 'ଅନାଗତ' ଭବିଷ୍ୟତ ବିଷୟରେ ମୁଁ ଦିବାସ୍ୱପ୍ନ ଦେଖି କଳ୍ପନାର ଚାନ୍ଦୁଆ ବୁଣିବାରେ ବ୍ୟସ୍ତଅଛି । ସେଇ ଅନାଗତର ରୂପରେଖା ପ୍ରସ୍ତୁତି ପାଇଁ କିଛିବିତ ଚେଷ୍ଟା କରୁନି । ବିଗତ ଏବଂ ଅନାଗତର ମଝାମଝି ଠିଆ ହୋଇ ମୁଁ କିପରି ପେଶି ହୋଇଯାଉଛି ସତେ । 'ଯିଏ ଯାଇଛି' ଏବଂ 'ଯିଏ ଆସିନି' ସେମାନଙ୍କ ଚିନ୍ତାରେ ମୁଁ ମୋର ଆଜିର କାମ ଭୂଲିଗଲି ? ମୋର 'ଆଜି'ଟିକୁ ମନଭରି ଜୀଇଁବାକୁ ବି ଭୂଲିଗଲି ! ଜୀବନରେ ଏ ଯାଏ ପରିଶ୍ରମର ମଞ୍ଜିଟିଏ ବି ବୁଣିନି, କିନ୍ତୁ ନିର୍ଲଜଙ୍କ ପରି ଆସନ୍ତା କାଲି ସାଗ ତୋଳିବି ବୋଲି ମୋର ଚାଙ୍ଗୁଡି ସଜାଡି ସାରିଲିଣି ।


ରଚନା : ବିନୟ ମହାପାତ୍ର

ଠିକଣା : ପଟିଆ, ଭୂବନେଶ୍ୱର ଦୂରଭାଷ : 8018215823


0 Comments