କବିତା - ମାୟା - ବିନୟ ମହାପାତ୍ର

କବିତା - ମାୟା - ବିନୟ ମହାପାତ୍ର

ମାୟାର ବନ୍ଧନ !
କହନ୍ତି ମାୟା ବାନ୍ଧିଦିଏ ଡୋରି,
ମାୟା କିବା ବାନ୍ଧି ରଖିପାରେ?
ଅବା ଦାନାଲୋଭେ ଏ ମଣିଷ
ନିଜେ ନିଜେ ଫସି ଯାଏ
ବ୍ୟାଧର ଜଟିଳ ଜାଲରେ ?
ମାୟାତ ବନ୍ଧନ ନୁହେଁ
ମାୟାଧରର ମାୟା ବିନା
ସୃଷ୍ଟିର ସୃଜନ, ସ୍ଥିତି ଅବା ପ୍ରଳୟ
ସମ୍ଭବ କି ଅନନ୍ତ ବ୍ରହ୍ମାଣ୍ଡେ?

ନଦୀ ମିଶେ ସମୁଦ୍ରରେ
ନଦୀ କିବା ବନ୍ଦି ସମୁଦ୍ର ଫାଶରେ
ପବନରେ ସୁଗନ୍ଧ ମହକି ଉଠେ
ସୁଗନ୍ଧ କି ବନ୍ଦି ପବନରେ ।
ପଙ୍କଠାରୁ ଦୂରେରହି
ପଙ୍କଜ କି ଆସଇ ହାତରେ ।
ନିଜେ ରଚି ମାୟାର ସମୁଦ୍ର
ମାୟାଧର ଫସିଯାଏ ନିଜର ମାୟାରେ ।

ମାୟା ଅଛି ବୋଲିତ ଅଛି ଏ ସଂସାର
ମାୟା ନଥିଲେ କୁହତ ତୁମେ କିଏ, ମୁଁ କିଏ !
ଦୁନିଆରେ କିଏ ବା କାହାର
ଆଉ କାହାସାଥେ କାହାର ସମ୍ପର୍କ ବା କଣ?
ମାୟାତ ଶିଖାଏ ନିର୍ମାୟା ହୋଇବାର କଳା
ମୋହ ହିଁ ନିର୍ମୋହୀର ପାଠଶାଳା,
ମାୟା ଧାରକ, ନୁହେଁ ବନ୍ଦିଶାଳା ।

ଜୀବ ନିଜେ ମାୟା ଗଢେ
ମାୟାକୁ ଜତନରେ ପାଳେ
ଅବଶେଷେ ସଂହାରବି କରିପାରେ ।
ଜୀବମଧ୍ୟେ ତ୍ରୀଦେବଙ୍କୁ ଦେଖ
ମାୟା ବନ୍ଧନ ନୁହେଁ
ମାୟା ଆମ ନିଜର ସନ୍ତାନ,
ମାୟା ବି ତ ଆମରି ଜତ୍ନରେ ବଢେ,
ମାୟାର ବିନାଶ ଜୀବ ହାତେ ଥାଏ ।
ପଦ୍ମଦଳେ ଜଳ ସମ ମାୟାରେ ନିର୍ମାୟା ରହେ
ମୋହରୁ ନିର୍ମୋହୀ ଆଉ
ଅନ୍ଧାରରୁ ଆଲୋକର ପଥେ ନେଇଯାଏ
ମାୟାର ସାଗରେ ସେହି ମାୟାଧର ମିଳେ ।
○○○ॐ○○○


ରଚନା : ବିନୟ ମହାପାତ୍ର

ଠିକଣା : ପଟିଆ, ଭୂବନେଶ୍ୱର ଦୂରଭାଷ : 8018215823


0 Comments