ସାହିତ୍ୟ ଆଉ ମୁଁ - ଶିବ ଚରଣ ମହାପାତ୍ର

ସାହିତ୍ୟ ଆଉ ମୁଁ - ଶିବ ଚରଣ ମହାପାତ୍ର

ତୁମ ମସୃଣ ମଲାଟ ଉପରେ
ଥାପୁଥାପୁ କେଇଗୋଟି ଅଙ୍କା ବଙ୍କା ପାଦଶବ୍ଦ..!
କେବେନା କେବେ ତ
ମୋ ଅନ୍ତହୀନ ପ୍ରତିକ୍ଷାର ହେବ ଇତିପୃଷ୍ଠ
ଟାଣି ପରିସମାପ୍ତିର ପୂର୍ଣ୍ଣଚ୍ଛେଦ..!!

ତୁମେ ଦେଖିବ
ସେବେଳେ ରାତି ଆଉ ଦିନ ପିଠିପରେ ବସି
ସାଇତି ରଖୁଥିବି ମୁଁ କିଛି ଲୁହ ଲହୁ ଯନ୍ତ୍ରଣା ,
କିଛି ଭାବନା'ର ବଳକା ଆୟୁଷ ,
କିଛି କର୍ଦ୍ଦମାକ୍ତ ସ୍ୱେଦ , ଆଉ କିଛି ଅତୃପ୍ତ ଶୋଷ ..!!

ସାତସିଆଁ କାଲିର
କିଛି ବଳକା ଅବଶୋଷ ,
ସମୟ ଜାଲରୁ ଛାଣି ଆଣିଥିବା କିଛି ଅଲଣା ଭାବାବେଗ ,
ଛିନ୍ନ ବିଚ୍ଛିନ୍ନ କିଛି ହୃଦୟ ଦରଦ,
ଆଉ କିଛି ପ୍ରିତିର ସାଉଣ୍ଟା ଅବଶେଷ..!!

ହେ' ଶବ୍ଦ ସମ୍ରାଟ 'ସାହିତ୍ୟ'..!
ତୁମେ ହସୁଛ , କାନ୍ଦୁଛ ନା ଏ ବିବର୍ତ୍ତିତ ସମାଜ ଆଖିକୁ ଡରି
ଆଠତାଳ ପଙ୍କ ତଳେ ଛପିରହିଛ..!?

ଯେଉଁଠି ଥାଅନା ,
କିନ୍ତୁ ମୁଁ ଭଲଭାବେ ଜାଣେ
ତୁମେ ଇ ତ ମୋ ଜୀବନ ନାଟକ'ର  ପ୍ରଛଦପଟ୍ଟ ନିର୍ଦ୍ଦେଶକ..!
ତୁମେ ବାଦଲ ଓଠରେ ଭରିଥାଅ ରାତିଏ ନିର୍ମୋକ..!
ତୁମେ ଗଳ୍ପ-କବିତା-କାହାଣୀ-ଉପନ୍ୟାସରେ ଲୁଚେଇଦିଅ
ତୁମକୁ ପାଇବାର ଆହେତୁକ ଭୋକ..!!

ତୁମେ ମାଟିରେ ପାଦ ଥାପି
ମୋତେ ସ୍ୱର୍ଗ ଯାଏଁ ଟେକି ଧରିପାର..!
ପୁଣି ପାଷାଣ ଛାତିରେ
କେତେ ରଙ୍ଗ ବେରଙ୍ଗର ଶିଳାପଦ୍ମ ଆଙ୍କିପାର..!!

ସେଲାଗି ତ
ତୁମ ପଦିଏ କଥାରେ ମୁଁ
ସାତସାଗର ତରଙ୍ଗରୁ ଲମ୍ଫ ମାଗିଆଣେ..! 
କଳ୍ପନା'ର ନୀଳ ନିମନ୍ତ୍ରଣେ
ସାମୁକା ଛାତିର ଚୁନା ଚୁନା ଶବ୍ଦ ମୋତିକୁ
ମନ୍ତ୍ରମୁଗ୍ଧ କରି ଟାଣେ..!!

ନିତି ସଞ୍ଜ ଅଳସୀ ପ୍ରହରେ , ଦେବୀ ମନ୍ଦିରରେ
ମୁଁ ଶବ୍ଦ ଘିଅ , ଶବ୍ଦ ଦୀପ , ଶବ୍ଦ ସଳୀତା,ଶବ୍ଦ ଧୂପ ,ଶବ୍ଦ ଅଗୁର-ଚନ୍ଦନ ନେଇ
ସଞ୍ଜ ଆଳତୀ ସଜାଡେ..!!

ସେବେଳେ କାହିଁକି କେଜାଣି
ଦୂର ଗାଁ ମଶାଣିରେ କାହା ହୃଦୟ କୁରୁଳେ..!
ବୋଧହୁଏ ତୁମ ପ୍ରେମର ମଧୂମୟ ଯୁଦ୍ଧ ପରାଜୟରେ
କେଉଁ ପ୍ରେମିକ-ଭାବୁକ'ଟେ ଜଳେ..!!

ତୁମ ଚେନାଏ ହସରେ ମୁଁ ନିତି ଘୋଡାଗାଡି ଚଢେ..!
ଏ ରାତି ସଙ୍ଗେ ମୋ ଧକଧକ ହୃତ୍ ସ୍ପନ୍ଦନ ବାଢେ..!!

ହେଲେ ଜାଣେନା..!
ସେ ଅନ୍ଧାର ପଛରେ
ବାବୁଲା କିପରି ନୂଆ କଣ୍ଢେଇଟେ ଧରି
ନିତି ନୂଆ ଖେଳଟିଏ ଖେଳେ
କୁଟିଳ ହସ ବନ୍ଧନରେ..!!

କେବେ କେବେ
ମୋ ଠୁକ୍ ଠୁକ୍ ନିହାଣ ଶବଦେ ଶବ୍ଦ ସବୁ ହୋଇଯାଆନ୍ତି ନୀରବ, ନିସ୍ତେଜ ଆଉ ନିଃଶବ୍ଦ..!
ଆଉ ମୁଁ
ଚୁପ୍ ଚାପ୍ କଳ୍ପନା କୋଣାର୍କ କାନ୍ଥରେ ଖୋଜୁଥାଏ
ଚାତୁର୍ଯ୍ୟ ଭରା ମାଧୁର୍ଯ୍ୟମୟ ଶବ୍ଦ ଆଉ ଶବ୍ଦଭେଦ..!!

ଏବେ କିନ୍ତୁ
ମୁଁ ମୁକ୍ତି ଚାହୁଁଛି ତୁମ ନିକଟରେ..!
ତୁମେ ଦେଖିବ
ତୁମ ଅନୁକୂଳ ବାତାୟନ ପାଇ ମୁଁ ଉଡିଯିବି 
ଦୂର ଆକାଶ ଛାତିରେ , ମୋ ଆପଣା ଇଛାରେ..!!

ହେଲେ ମୋ ପାଦଦ୍ୱୟ ରହିଥିବ ସର୍ବଦା
ତୁମ ଅଗଣାରେ , ତୁମ ପ୍ରେମ ଶିଡି ପରେ , ତୁମରି ଦୟାରେ..!!

■■■■■

*ଶିବ ଚରଣ ମହାପାତ୍ର*
*ଚକ୍ରଧରପୁର:କେନ୍ଦୁଝର*
*ତା:-4/10/19/295*



Sent from my Samsung Galaxy smartphone.

0 Comments