ପୁରାଣ କଥା - ଚଉଦ ବର୍ଷକାଳ ବନବାସ ସମୟରେ ଲକ୍ଷ୍ମଣ କ'ଣ ଖାଦ୍ଯ ଗ୍ରହଣ କରିନଥିଲେ ? - ନରେନ୍ଦ୍ର ପ୍ରସାଦ ବେହେରା

ପୁରାଣ କଥା - ଚଉଦ ବର୍ଷକାଳ ବନବାସ ସମୟରେ ଲକ୍ଷ୍ମଣ କ'ଣ ଖାଦ୍ଯ ଗ୍ରହଣ କରିନଥିଲେ ? - ନରେନ୍ଦ୍ର ପ୍ରସାଦ ବେହେରା

*ଚଉଦ ବର୍ଷକାଳ ବନବାସ ସମୟରେ ଲକ୍ଷ୍ମଣ କ'ଣ ଖାଦ୍ଯ ଗ୍ରହଣ କରିନଥିଲେ ?*

      ଶ୍ରୀରାମଙ୍କ ସମର୍ପିତ ସେବକ ଥିଲେ ଭ୍ରାତା ଲକ୍ଷ୍ମଣ । ଶ୍ରୀରାମ ଯେଉଁ ମହାନ ପଥରେ ଅଗ୍ରସର ହୋଇଥିଲେ ସେହି ପଥରେ ଲକ୍ଷ୍ମଣ ତାଙ୍କୁ ଯଥାସମ୍ଭବ ସହଯୋଗ କରିଥିଲେ । ଲକ୍ଷ୍ମଣଙ୍କ ଭ୍ରାତୃ ଭକ୍ତି ଜଗତରେ ବିରଳ । ରାମାୟଣରେ ଲକ୍ଷ୍ମଣଙ୍କ ବଳିଦାନ ବିଷୟରେ ମହର୍ଷି ବାଲ୍ମକୀ ଉଲ୍ଲେଖ କରିଛନ୍ତି । ଦିନକର କଥା । ଲଙ୍କା ବିଜୟ ପରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାରେ ରାଜା ହୋଇସାରିଥାନ୍ତି । ଦିନେ ଅଗସ୍ତ୍ଯ ମୁନି ଶ୍ରୀରାମଙ୍କ ରାଜସଭାକୁ ଆସିଲେ । ସେଠାରେ ରାମ-ରାବଣ ଯୁଦ୍ଧ ସମ୍ଵନ୍ଧରେ ଆଲୋଚନା ହେଲା । ଶ୍ରୀରାମ କହିଲେ ମୋ ହାତରେ ରାବଣ ଓ କୁମ୍ଭକର୍ଣ୍ଣ ଆଦିଙ୍କ ବିନାଶ ହେଲା । ଅନୁଜ ଲକ୍ଷ୍ମଣଙ୍କ ହାତରେ ଇନ୍ଦ୍ରଜିତ୍ ଏବଂ ଅତିକାୟଙ୍କ ବଧ ହେଲା । ଏହା ଶୁଣି ଅଗସ୍ତ୍ଯ ଋଷି କହିଲେ ଚମତ୍କାର ଶ୍ରୀରାମ । ଆପଣଙ୍କ କନିଷ୍ଠ ଭ୍ରାତା ଲକ୍ଷ୍ମଣଙ୍କ ଭଳି ବୀର ଏ ସଂସାରରେ ନାହାନ୍ତି । କାରଣ ସେ ଇନ୍ଦ୍ରଜିତଙ୍କ ଭଳି ମହାବୀରକୁ ମାରିପାରିଲେ । ଶ୍ରୀରାମ ଏହାର କାରଣ ପଚାରିଲେ ଅଗସ୍ତ୍ଯ ମୁନିଙ୍କୁ । ମୁନିବର କହିଲେ ଇନ୍ଦ୍ରଜିତ୍ ସ୍ଵର୍ଗ ଉପରେ ଆକ୍ରମଣ କରି ଦେବରାଜ ଇନ୍ଦ୍ରଙ୍କୁ ବନ୍ଦୀ କରିଆଣିଲା । ପରେ ବ୍ରହ୍ମଦେବ ଯାଇ ଲଙ୍କାରୁ ଦେବାରାଜ ଇନ୍ଦ୍ରଙ୍କୁ ମାଗି ଆଣିଥିଲେ । ଇନ୍ଦ୍ରଜିତ୍ ବର ପାଇଥିଲା କୌଣସି ପୁରୁଷ ୧୪ ବର୍ଷ ପର୍ଯ୍ଯନ୍ତ ନଖାଇ ନଶୋଇ ଏବଂ କୌଣସି ସ୍ତ୍ରୀର ମୁଖ ଦେଖିନଥିଲେ ତା'ର ବଧ କରିପାରିବ । ଯାହା ଲକ୍ଷ୍ମଣ କରିପାରିଛନ୍ତି । 
       ମୁନିଙ୍କ କଥା ଶୁଣି ଶ୍ରୀରାମ ଆଶ୍ଚର୍ଯ୍ୟ ପ୍ରକଟ କଲେ । ସେ ଲକ୍ଷ୍ମଣଙ୍କୁ ଡାକିଲେ । ସଭାରେ ଉପସ୍ଥିତ ସାଧୁସଜ୍ଜନ ଏବଂ ପରିଷଦବର୍ଗଙ୍କ ସମ୍ମୁଖରେ ଲକ୍ଷ୍ମଣଙ୍କୁ ୧୪ ବର୍ଷ ଉପବାସ ଏବଂ ଅନିଦ୍ରା ସମ୍ପର୍କରେ ପଚାରିଲେ । ଲକ୍ଷ୍ମଣ କହିଲେ ଜ୍ଯେଷ୍ଠ ଭ୍ରାତା । ଆପଣଙ୍କର ମନେ ଥିବ । ଲଙ୍କାପତି ରାବଣ ମାତା ସୀତାଙ୍କୁ ହରଣ କରି ଲଙ୍କା ନେଇଯିବା ପରେ ଚିତ୍ରକୂଟ ପର୍ବତରେ ଆମେ ବାନର ରାଜା ସୁଗ୍ରୀବଙ୍କୁ ଭେଟିଥିଲେ । ସେ ଆମକୁ ମାତା ସୀତାଙ୍କ ଅଳଙ୍କାର ଦେଖାଇଲେ । ସେହି ଅଳଙ୍କାର ମଧ୍ଯରୁ ମୁଁ କେବଳ ମାତାଙ୍କ ପାଉଁଜି ଚିହ୍ନିପାରିଥିଲି । ତେଣୁ ବନବାସରେ ମୁଁ ମାତା ସୀତାଙ୍କ ମୁଖ କେବେ ଦେଖିନଥିଲି । ତାଙ୍କ ସମ୍ମୁଖରେ ଆସିବା ସମୟରେ କେବଳ ତାଙ୍କ ପାଦକୁ ଚାହୁଁଥିଲି । ଆପଣ ଏବଂ ମାତା କୁଟୀରରେ ଶୋଉଥିବା ସମୟରେ ମୁଁ ବାହାରେ ଜଗି ରହୁଥିଲି । ମୋତେ ଯେତେବେଳେ ନିଦ ଆସୁଥିଲା ମୁଁ ତୀରରେ ମୋ ଆଖିକୁ କଷ୍ଟ ଦେଉଥିଲି । ସେଥିପାଇଁ ୧୪ ବର୍ଷ ଭିତରେ ମୁଁ କେବେ ଶୋଇନଥିଲି । 
      ଆଉ ତୁମେ କ'ଣ ୧୪ ବର୍ଷ ଭିତରେ କେବେ ବି ଖାଦ୍ଯ ଗ୍ରହଣ କରିନଥିଲ ? ଶ୍ରୀରାମ ପଚାରିଲେ । ଉତ୍ତରରେ ଲକ୍ଷ୍ମଣ କହିଲେ, ନା ପ୍ରଭୁ ! ଜଙ୍ଗଲରୁ ମୁଁ ଫଳ ତୋଳି ଆଣୁଥିଲି । ଆପଣ ସେ ଫଳକୁ ୩ ଭାଗ କରୁଥିଲେ । ଆପଣ ଏବଂ ମାତା ଗୋଟିଏ ଗୋଟିଏ ଭାଗ ଖାଉଥିଲେ , ଅନ୍ଯ ଭାଗଟିକୁ ମୋ ପାଇଁ ଅଲଗା ରଖୁଥିଲେ । ହେଲେ ଆପଣ ମୋତେ କେବେ ବି ଖାଇବାକୁ କହିନଥିଲେ । ଆପଣଙ୍କ ଆଜ୍ଞା ବିନା ମୁଁ କ'ଣ ଖାଦ୍ଯ ଗ୍ରହଣ କରିପାରେ ? ଆପଣ ଚାହିଁଲେ , ମୁଁ ଏବେ ସଵୁତକ ଆହାର ଦେଖାଇପାରିବି । ଏହାପରେ ଲକ୍ଷ୍ମଣ ଯାଇ ୧୪ ବର୍ଷ ବନବାସ କାଳରେ ସଞ୍ଚି ରଖିଥିବା ଫଳସବୁ ଦେଖାଇଲେ । ସେସବୁ ପ୍ରାୟ ସଵୁ ନଷ୍ଟ ହୋଇଯାଇଥିଲା । ଫଳସବୁ ଗଣାଯିବା ପରେ ୭ ଦିନର ଫଳ କମ୍ ପଡିଲା । ସେହି ସାତ ଦିନ ଲକ୍ଷ୍ମଣ କ'ଣ ଖାଦ୍ଯ ଗ୍ରହଣ କରିଥିଲେ ? ସଭାରେ ଉପସ୍ଥିତ ଅନ୍ଯମାନେ ପଚାରିଲେ । ଉତ୍ତରରେ ଲକ୍ଷ୍ମଣ କହିଲେ, ଯେଉଁ ଦିନ ପିତାଙ୍କ ମୃତ୍ୟୁ ହେଲା ସେହି ଖବର ଶୁଣି ଆପଣ ନିରାହାର ରହିଥିଲେ । ସେଦିନ ମୁଁ ଫଳ ଆଣିବାକୁ ଯାଇନଥିଲି । ଏହାପରେ ଆମେ ଆଉ କିଛି ଦିନ ଖାଦ୍ଯ ଗ୍ରହଣ କରିନଥିଲେ । ଯେଉଁ ଦିନ ମୁଁ ଇନ୍ଦ୍ରଜିତଙ୍କ ନାଗଫାଶରେ ବାନ୍ଧି ହୋଇଥିଲି , ସେଦିନ ଫଳ ଆଣିପାରିନଥିଲି । ରାବଣ ଯେଉଁ ଦିନ ମୋତେ ଶକ୍ତିଫାଶ ମାରିଥିଲା ସେଦିନ ମଧ୍ଯ ମୁଁ ଜଙ୍ଗଲରୁ ଫଳ ଆଣିପାରିନଥିଲି । ଯେଉଁ ଦିନ ରାବଣ ମୃତ୍ୟୁ ବରଣ କଲା ,ସେଦିନ ଅପାର ଖୁସି କାରଣରୁ ମୁଁ ଫଳ ଆଣିନଥିଲି କିମ୍ବା କେହି ଖାଇନଥିଲେ । ଏହିପରି ସାତ ଦିନର ଫଳ କମ୍ ପଡିଯାଇଛି । ଭ୍ରାତା ଆପଣଙ୍କର ହୁଏତ ମନେ ନଥିବ,ଋଷି ବିଶ୍ଵାମିତ୍ର ଆମକୁ ଏଭଳି ଏକ ମନ୍ତ୍ର ଶିଖାଇଥିଲେ , ଯାହାଦ୍ବାରା ଅନ୍ନ ଗ୍ରହଣ ନକରି ମଧ୍ଯ ରହିହେବ । ଏହିପରି ଅନ୍ନଜଳ ଗ୍ରହଣ ନକରି ମୁଁ ଇନ୍ଦ୍ରଜିତଙ୍କୁ ମାରିବାରେ ସକ୍ଷମ ହେଲି । ଏସବୁ ଶୁଣି ଭଗବାନ ଶ୍ରୀରାମ ନିଜ ଆଜ୍ଞାକାରୀ ଏବଂ ଅତୁଲ୍ଯ ଅନୁଜଙ୍କୁ କୁଣ୍ଡାଇପକାଇଲେ ।

*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, ମୋ--୯୮୫୩୧୪୨୫୧୦*

0 Comments