କ୍ଷୁଦ୍ରଗଳ୍ପ - ଲାଲ ଗୋଲାପ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଲାଲ ଗୋଲାପ - ନାରାୟଣ ଚନ୍ଦ୍ର ସେନାପତି

✍🏻 *ଲାଲ ଗୋଲାପ*✍🏻
**********************
ଛି ଛି.... ଆଉ ଜୀବନରେ କେବେ କୌଣସି ସୁନ୍ଦରୀ ତରୁଣୀ ପଛରେ ପଡିବି ନାହିଁ, କି ଜୀବନକୁ ନଷ୍ଟ କରିବି ନାହିଁ।ବାପ ରେ ବାପ,ଏମାନେ ଏଡ଼େ ଭୟଙ୍କର...ଏଡ଼େ ନିଷ୍ଠୁର।ଜୀବନ ହାରି ଦେବି ପଛେ ଏ ଜୀବନ ଜୀଇଁଥିବା ପର୍ଯ୍ୟନ୍ତ କେବେ ବି ବିବାହ କରିବି ନାହିଁ।ଏଇମିତି ବିକୃତ ମସ୍ତିଷ୍କ ପାଗଳ ପ୍ରାୟ ପ୍ରଳାପ କରୁଥାଏ ଜୀବନ ।ଲୋକମାନେ କହୁଥାନ୍ତି,ଆହାଃ ଜୀବନଟା କେଡେ ଭଲ ପିଲା ଥିଲା।କି ଜ୍ଞାନ...ବିଚକ୍ଷଣ ବୁଦ୍ଧି...ଆମାୟିକ ବ୍ୟବହାର...ନିଃସ୍ୱାର୍ଥପର ସହଯୋଗ...ସବୁକିଛି ଧୂଳିସାତ୍ ହୋଇଗଲା।କେହି କେହି କହୁଥାନ୍ତି,ସବୁକିଛି ଠିକ ଥିଲା...ହେଲେ ଯେଉଁଦିନୁ ସେ ଲାଲ ଗୋଲାପ ପଛରେ ପଡିଲା, ସେଇଦିନୁ ତାର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ସବୁ ଗୋଲ ହୋଇଗଲା।ଅଜଣା ଲୋକମାନେ କହୁଥାନ୍ତି,ଆରେ ଲାଲ ଗୋଲାପଟା କିଏ?ତା ଘର କେଉଁଠି ମ?ନିଧିଆ ଖୀ ଖୀ ହସି କହୁଥାଏ ଆରେ ସେ କେଉଁ ଝିଅ ନୁହଁ ତାହା ଗୋଟିଏ ଲାଲ ଗୋଲାପ ଫୁଲ।

  ସେହି ସମୟର କଥା।କୌଣସି ରାଜ୍ୟରେ ଥିଲା ଏକ ଅପୂର୍ବା ସୁନ୍ଦରୀ ରାଜକୁମାରୀ।ଖାଲି ରୂପରେ ନୁହଁ,ଗୁଣରେ,ବୁଦ୍ଧିରେ ....ସବୁଥିରେ ଯାହାକୁ କଳିବା ବହୁତ କଷ୍ଟକର ବ୍ୟାପାର ଥିଲା।ସବୁ ଥିଲେ କଣ ହେବ,ମନରେ ପୁଳାଏ ଗର୍ବ ଆଉ ଵୋଝେ ଅହଂକାର ବସା ବାନ୍ଧିଥିଲା।ରାଜ କୁମାରୀର  ଗୋଟିଏ ପ୍ରତିଜ୍ଞା ଥିଲା,'ଯିଏ ତାକୁ ଗୋଟିଏ ଲାଲ ଗୋଲାପ ଦେବ,ସେ ତାକୁ ବିବାହ କରିବ।ବହୁ ରାଜା, ମହାରାଜା,ସାମନ୍ତ,ଜମିଦାର ସାତ ଦରିଆ ତେର ନଈ ପାରି ହୋଇ ଶତ ଚେଷ୍ଟା କଲେ ବି ଶେଷରେ ବିଫଳ ହୋଇଥିଲେ।ଜୀବନ ଥିଲା ସାଧା ସିଧା ସାଧାରଣ ସୁନ୍ଦର ଯୁବକ।ହେଲେ ମନରେ ଅମାପ ଭରସା,ଅଶେଷ ବିଶ୍ୱାସ ସେ ନିଶ୍ଚୟ ଲାଲ ଗୋଲାପଟେ ଆଣି ତାକୁ ବିବାହ କରି ଘରକୁ ନେଇଆସିବ।ଚଳାଇଲା ଅଭିଯାନ...ହେଲେ ସଫଳତାର ପାଦକୁ ବି ଛୁଇଁ ପାରିଲା ନାହିଁ।ମନ ମରିଗଲା,କ୍ଳାନ୍ତ ବି ହୋଇଗଲା କିନ୍ତୁ ଦୁଃଖରେ ମ୍ରିୟମାଣ ହୋଇ ଦିନେ ଗୋଟିଏ ବଗିଚାରେ ମନ ଦୁଃଖରେ ବସିଲା।କପୋତଟିଏ ପାଖ ଗଛରେ ବସି ସବୁ ଦେଖୁଥାଏ।ସମସ୍ତେ ଆନନ୍ଦ ବିଭୋର ଆଉ ଏ ଯୁବକ ...ତା'ର କ'ଣ ହୋଇଛି ଯେ,ମନ ମାରି ବସିଛି। ପାଖକୁ ଯାଇ ପଚାରିଲା,ଏ ଭାଇ କ'ଣ ହୋଇଛି ତୁମର ? ଏମିତି ମନକୁ ମାରି ବସିଛ ? ଜୀବନ କହିଲା,କହି ଲାଭ କ'ଣ ? ମୋ ଆଶା ତ ଆଶାରେ ହିଁ ରହିଗଲା।କପୋତର ବହୁତ ଅନୁରୋଧ କ୍ରମେ ଜୀବନ କହିଲା,ମୋତେ କିଏ ଲାଲ ଗୋଲାପଟେ ଦେଇ ପାରିବ?ମୋ ଆଶା ପୁରଣ କରିପାରିବ?କପୋତ କହିଲା,ଏଇ କଥା...ଏ ତ ସାମାନ୍ୟ କଥାଟିଏ।ତୁମେ ନିଶ୍ଚିତ ହୋଇଯାଅ...ଜାଣ ଲାଲଗୋଲାପ ପାଇଲ...ଆଉ ରାଜକୁମାରୀକୁ ବି ନିଶ୍ଚିତ ପାଇଲ।ଜୀବନ ଏଥର ଖୁସି ହୋଇ ଘରକୁ ଆସି ଚାହିଁ ରହିଲା କପୋତର ଲାଲ ଗୋଲାପ ଅଣାକୁ।

  ଦିନ ପରେ ଦିନ,ମାସ ପରେ ମାସ ବିତିଗଲା ହେଲେ କପୋତ କେଉଁଠି ବି ପାଇଲା ନାହିଁ ଲାଲ ଗୋଲାପର ସନ୍ଧାନ।ଗୋଟିଏ ଉଦ୍ୟାନରେ ପହଂଚି ଦେଖିଲା ଅଜସ୍ର ଧଳା ଗୋଲାପ,ହେଲେ ଆଦୌ ଲାଲ ଗୋଲାପ ନାହିଁ।ଜାଣିବାକୁ ଚାହିଁଲା ତାର ରହସ୍ୟ।ଏବେ ଆଉ ଲାଲ ଗୋଲାପ ଫୁଟିବ ନାହିଁ କାହା ଅଭଶାପରୁ।କିନ୍ତୁ ଗୋଟିଏ କାମ କଲେ ଧଳା ବି ହୋଇପାରିବ ଲାଲ।କିନ୍ତୁ ତାହା କଷ୍ଟ ସାଧ୍ୟ।ତାହା କଣ କରିପାରିବ ତୁମେ ଧଳା ଗୋଲାପ କହିଲା।କପୋତ କହିଲା ମୋ ଜୀବନ ପଛେ ଯାଉ,ହେଲେ ମୋ ସାଥୀର ଆନନ୍ଦ ପାଇଁ ମୋ ପ୍ରତିଜ୍ଞା ନିଶ୍ଚୟ ପୂରଣ କରିବି।ଧଳା ଗୋଲାପ କହିଲା,ଛିଡାଅ ମୋ ଦେହର କଣ୍ଟା,ଫୁଟାଅ ତୁମ ଛାତିରେ,ତୁମ ହୃଦୟରେ।ସେଠାରୁ ନିର୍ଗତ ରକ୍ତ ପିଚ୍ ପିଚ୍ ହୋଇ ମୋ ଉପରେ ପଡିଲେ ମୁଁ ଲାଲ ହେବି ଓ ବଗିଚାର ସବୁ ଫୁଲ ଲାଲ ହୋଇଯିବ,ଏଇ ହେଉଛି ଅଭିଶାପ ମୁକ୍ତର ଉପାୟ।ଆଗ୍ରହରେ କଣ୍ଟା ଆଣି ଫୁଟାଇଲା ଖୁବ୍ ଜୋରରେ,କଷ୍ଟକୁ ସାଥୀର ଖୁସି ପାଇଁ ହସି ହସି ସହି ନେଉଥାଏ।ଶେଷରେ ହୃଦୟ/କଲିଜାରେ କଣ୍ଟା ଫୁଟି ଖୁବ୍ ଜୋରରେ ରକ୍ତ ବୋହିଲା ଓ ଧଳା ଗୋଲାପ ଉପରେ ପଡି ଲାଲ ହୋଇଗଲା।ସେଇ ଲାଲ ଗୋଲାପକୁ ସାଥିପାଇଁ ଧରି ଯନ୍ତ୍ରଣାରେ ଛଟ ପଟ ହୋଇ ଘୁଷୁରି ଘୁଷୁରି ଚାଲିଲା ତା ପାଖକୁ।କିନ୍ତୁ ଦୁଃଖର କଥା ଅଜସ୍ର ରକ୍ତସ୍ରାବ ଯୋଗୁଁ ଆଉ ଆଗକୁ ନ ଯାଇ ପାରି ଅଧା ବାଟରେ ପଡି ଜୀବନ ହରାଇଲା।

  ଜୀବନ ହରାଇବା ପୂର୍ବରୁ ଏତିକି ତା ପାଟିରୁ ବାହାରୁଥାଏ,ବନ୍ଧୁ...କଥା ରଖିପାରିଲି ନାହିଁ,ତୁମର ହସ ଖୁସି ଦେଖିପାରିଲି ନାହିଁ,ମୋତେ କ୍ଷମା କରିଦେବ।କପୋତ ସିନା ମରିଗଲା ହେଲେ ଗୋଲାପ ବି ଧକେଇ ହୋଇ କାନ୍ଦୁଥାଏ।ଜୀବନ ଖୋଜି ଖୋଜି ଆସିଲା,ସାଥି ପଡିଥିବାର ଦେଖି ଉଠାଇବାକୁ ଚାହିଁଲା।ଯେତେବେଳେ ଜାଣିଲା ଏସବୁ ବହୁତ ଦୁଃଖ କଲା।ବହୁତ କାନ୍ଦିଲା।ଧନ୍ୟ ସାଙ୍ଗ ଧନ୍ୟ ତୁମ ବଳିଦାନ ବୋଲି କହୁଥାଏ।ଶେଷରେ ସେହି ଲାଲ ଗୋଲାପ ଧରି ଆସିଲା,।ରାଜକୁମାରୀକୁ ବି ଦେଲା।ହେଲେ..ଏ କଣ? ରାଜକୁମାରୀ କହିଲା,ତୁମେ ମୋର ସମକକ୍ଷ ନୁହଁ,ତୁମର ଆଭିଜାତ୍ୟ ନାହିଁ।ମୋତେ ବିବାହ କରି ଶାନ୍ତି ଦେଇପାରିବ କି?ତୁମ ସହ ମୋର ବିବାହ କଦାପି ହୋଇପାରେନା?ତୁମେ ନିଜକୁ ଦେଖ୍,ପରଖ।ବାମନ ହୋଇ ଚାନ୍ଦ ଧରିବାକୁ ଆଶା କରିଛ କେମିତି?

   ଜୀବନର ଜୀବନରୁ ଜୀବନ ଚାଲିଗଲା ପରି ଲାଗିଲା।ସାଥିକୁ ଝୁରିଲା।ଧକେଇ ହୋଇ କାନ୍ଦିଲା।ତା ଖୁସି ପାଇଁ ନିରୀହ ପ୍ରାଣୀଟାର ଜୀବନ ଚାଲିଗଲା,ସେଥିପାଇଁ ନିଜକୁ ଧିକ୍କାର କଲା ସେ।ନିଜକୁ ଧିକ୍କାର କଲା।ଜଣେ ପୁରୁଷ ହୋଇ ସେ ଏତେ ତଳକୁ ଖସିଗଲା।ପୌରୁଷତ୍ୱକୁ ଭୁଲିଗଲା।ଛାର ଏକ ରାଜକୁମାରୀର ସୌନ୍ଦର୍ଯ୍ୟରେ ଜୀବନର ସୌନ୍ଦର୍ଯ୍ୟତାକୁ ନଷ୍ଟ କରିଦେଲା,ପୋଡି ପାଉଁଶ କରିଦେଲା।ଛି ଛି..,କି ନିର୍ବୋଧ ସେ।ନିଜକୁ ବହୁତ ବହୁତ ଧିକ୍କାର କଲା।ସାଥିପାଇଁ ତା ଜୀବନ ତ୍ୟାଗ କରିବାପାଇଁ ନିଷ୍ପତ୍ତି ନେଲା।ସ୍ୱପ୍ନରେ କପୋତାଟି ଆସି କହିଲା,ନାଁ ସାଙ୍ଗ ନାଁ, ତୁମେ ନିଜକୁ ଏତେ ଦୁର୍ବଳ କରନା।ନିଜ ଅମୁଲ୍ୟ ଜୀବନ ହାରନା।ତୁମେ ନିଜକୁ ବୁଝିପାରିଲ,ଅନୁତାପ କଲ ସେଇଟା ସବୁଠୁ ବଡ଼।ମୋ ରାଣ ସାଙ୍ଗ ତୁମେ ଆଜିଠୁ ସତ୍ ଜ୍ଞାନର ଅଧିକାରୀ ହୁଅ,ବୁଝିବିଚାରୀ କାମ କର।ଜୀବନର ନିଦ ଭାଙ୍ଗିଗଲା।ସେ ବାହୁନି କାନ୍ଦିଲା।ଆଉ ପ୍ରତିଜ୍ଞା କଲା,ଆଉ ଜୀବନରେ ବିବାହ କେବେ କରିବ ନାହିଁ କି ସୁନ୍ଦରୀ ନାରୀ ଦେଖି ବିଭୋର ହେବନାହିଁ ବୋଲି ବଜ୍ର ଶପଥ ନେଲା।

  *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*

0 Comments