କ୍ଷୁଦ୍ରଗଳ୍ପ - ମୁନୁ ଭାଙ୍ଗିଦେଲା ଜାନୁର ମନ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ମୁନୁ ଭାଙ୍ଗିଦେଲା ଜାନୁର ମନ - ନାରାୟଣ ଚନ୍ଦ୍ର ସେନାପତି

✍🏻 *ମୁନୁ ଭାଙ୍ଗିଦେଲା ଜାନୁର ମନ*✍🏻
 ଆଖିରୁ ଟପ୍ ଟପ୍ ଦୁଇ ଧାର ଲୁହ ଗଡି ପଡୁଥିଲା ସମ୍ଭବର ଆଖିରୁ।ଛାତିର ଦାହ ଓ ମନର କୋହକୁ ଯେତେ ଚାପିଲେ ବି ଅନ୍ତ ଦୋହଲାଇ ଦେଉଥିଲା ପ୍ରଶାନ୍ତ ମହାସାଗରର ଉତ୍ତାଳ ତରଙ୍ଗ ପରି।ଆଜି ଗଗନ ପବନ ସତେ ଯେମିତି ସ୍ତବ୍ଧ ଓ ଚକିତ।ସଭିଏଁ ଯେପରି ଦୁଃଖରେ ଜର୍ଜରିତ ସମ୍ଭବର ଏ ଅସମ୍ଭବ କୋହ ଭରା ଲୁହରେ।ସଭିଙ୍କ ମୁହଁରେ ଗୋଟିଏ କଥା,ନେତ୍ର କଣ ନ ଦେଖିଲା,କର୍ଣ୍ଣ କଣ ନ ଶୁଣିଲା?ଯାହାର ବକ୍ଷ ଥିଲା ବଜ୍ର ପରି ଶକ୍ତ,ଯାହାର ମସ୍ତିଷ୍କ ଥିଲା ହିମାଳୟ ପରି ଅଟଳ ଓ ସ୍ଥିତପ୍ରଜ୍ଞ ସେ ଆଜି କଅଁଳ ଶିଶୁପରି କାନ୍ଦୁଛି?କେହି କେହି ପଚାରିବାରୁ ସେ ଆଚାହାଁ ଉତ୍ତର ଦେଉଛି ଯାହାକୁ ଅନ୍ତରଙ୍ଗ ସାଥି ଭାବିଥିଲି ସେ ମୋତେ ଧୋକା ଦେଲା।
    ଯାହାର ବାଇକର ବେଗ ପବନ ପରି କ୍ଷୀପ୍ର ଥିଲା ସେ ଆଜି ଧୀର ମନ୍ଥର ବେଗରେ ଯାଉଛି।ରାସ୍ତାର ଦୁଇ କଡର ବ୍ୟକ୍ତିମାନେ ଯିଏ ସମ୍ଭବକୁ ଦେଖି କହୁଥିଲେ ମସ୍ତ ଗାଡ଼ିରେ ମସ୍ତ ଲୋକ ସେମାନେ ମୁହଁ ଶୁଖେଇ କହୁଛନ୍ତି, କଣ ହୋଇଛି ,,ଏ ବାଇକ ରୋଗାକ୍ରାନ୍ତ ନା ସମ୍ଭବ ଚିନ୍ତାଗ୍ରସ୍ତ।କେହି କେହି ଜାଣି ସମାଲୋଚନା କରିଛନ୍ତି ,ଏ ସାଧାରଣ ଅନ୍ତରଙ୍ଗ ସାଥି ଧୋକା ଦେଲା ବୋଲି ଏ ଅସାଧାରଣ ସମ୍ଭବର ସମ୍ଭାବ୍ୟତା ଆଜି ଶୁନ୍ୟ ହୋଇଯାଇଛି।
  ମନରେ ଅନେକ ଅସମାହିତ ପ୍ରଶ୍ନକୁ ଭାଳି ଭାଳି, ନିଜକୁ ଧିକ୍କାର କରି ଆସୁଆସୁ ଅନ୍ୟମନସ୍କରେ ବାଇକରୁ ଖସି ପଡିଛି ସମ୍ଭବ।ଆହତ ହୋଇ ଘରକୁ ଫେରି କ୍ଷତରେ ମଲମ ଲଗାଇଲେ ବି ହୃଦୟର କ୍ଷତଟା ଯନ୍ତ୍ରଣାରେ ବାରମ୍ବାର କୁହୁଳିବାରେ ଲାଗିଛି।ନୀରବରେ ବସି ଭାବିଛି ସାମାନ୍ୟ ଅତୀତକୁ।
   ଠିକ୍ ସମୟ ମଧ୍ୟାହ୍ନ ବାରଟା।ପ୍ରତିଦିନ ପରି ଆଜିବି ସେ ଅପେକ୍ଷା କରିଥିଲା ତା ଅନ୍ତରଙ୍ଗର ଫୋନ୍ କଲକୁ।ମନରେ ନବ ଉନ୍ମାଦନା।ଶରୀରରେ ଅଫୁରନ୍ତ ପୁଲକ।ତା ମନର ମଣିଷଟା ଦିନେ ବି ତାକୁ କଷ୍ଟ ଦେଇନାହିଁ।ଆଉ ମଧୁର ନରମ ଗଳାରେ ଯେବେ ପଚାରେ, ଏ..... କ'ଣ କରୁଛନ୍ତି ? 
 ସମ୍ଭବ କୁହେ,ଏଇ ତୁମ ମିଠା ସ୍ୱରକୁ ଅପେକ୍ଷା କରିଥିଲି ପରା।ମୋ କଥା ମନେ ପଡୁଛି ତ?
  ସଂଗେ ସଂଗେ କହେ, ମନେ ନ ପଡିଲେ କଲ କେମିତି କରନ୍ତି ଯେ?
 ସେତେବେଳେ ସମ୍ଭବର ଖୁସି କହିଲେ ନ ସରେ।
  କିନ୍ତୁ ଆଜି ବାରଟା ଥିଲା ସମ୍ପୂର୍ଣ୍ଣ ଅଲଗା।ସତେ ଯେମିତି ସବିତାଙ୍କ ପ୍ରଖର ଅଂଶୁଘାତ ଜାଳି ପୋଡି ସିଝେଇ ଦେଉଥିଲା ତା କଅଁଳିଆ ତନୁକୁ।କଲ ନ ଥିଲା,ଆସିଲା ମେସେଜ।ଆନନ୍ଦରେ ପଢିଚାଲିଲା ସେ।"ମୋ ପିଛା ଛାଡ଼ନ୍ତୁ ଆଜ୍ଞା।ମୁଁ ଆଜିଯାଏ ଆପଣ କଣ ଜାଣିବା ପାଇଁ  ଅଭିନୟ କରି ମିଶୁଥିଲି।ମୁଁ ଜାଣିପାରିଲି ଆପଣଙ୍କ ଚରିତ୍ର।ଆପଣଙ୍କୁ ମୁଁ ବହୁତ ସମ୍ମାନ ଦିଏ ଜଣେ ଜ୍ୟେଷ୍ଠ ହିସାବରେ।ହେଲେ ଛି ଛି...ଆପଣ !!!ମୁଁ ଜାଣିପାରିଲି ଆପଣଙ୍କ ଚରିତ୍ର କ'ଣ ।ମୋତେ କେବେ କଲ କରିବେନି କି ମେସେଜ ଦେବେନି।"
  ଏସବୁ ଶୁଣିବା ପରେ ସମ୍ଭବର ଆଶାର ସମ୍ଭାବନା ଧୂଳିସାତ୍ ହୋଇଗଲା।ତା ଛାତିରୁ କଲିଜାଟା ସତେ ଯେମିତି କିଏ ତାଡି ଆଣିଲା।ତା ପାଦତଳୁ ଭରସାର ଅତଡାଟା ଖସିପିଡ଼ିଲା।ତା ଏତେଦିନର ବାୟାବସାଟା ଅଦିନିଆ ଛଳନା ଝଡରେ ଭରସା ହରେଇ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା।ଚତୁର୍ଦ୍ଦିଗକୁ ଅନ୍ଧାରର କଳା ବାଦଲ ଶତ୍ରୁ ବିମାନ ପରିକ୍ରମଣ କଲାପରି ଚକାଭଉଁରୀ ଖେଳିଲା।ତା ମୁଣ୍ଡ କାମ କଲା ନାହିଁ।ତା ପ୍ରେମ ପ୍ରଣୟର ଗଣିତ ଗୁଡାକ ସବୁ ଭୁଲ ଭାଲ ହୋଇଗଲା।ତା ଆଖି ଆଗରେ ଖେଳିଗଲା ତା ସ୍ୱପ୍ନର ଉତ୍ଫୁଲ୍ଲିତ ଅତୀତ।ତା ଅନ୍ତରଙ୍ଗର ଗୋଲାପି ଓଠର ସୁନେଲି ହସ ତାକୁ ଖଳନାୟିକାର  ଅଟ୍ଟହାସ୍ୟ ପରି ଲାଗିଲା।ତା ପୁରୁଣା କୋକିଳ କଣ୍ଠର ସୁମଧୁର ତାନଟା କାଉର କର୍କଶ କଣ୍ଠସ୍ୱରରେ ସତେ ଯେମିତି ରୂପାନ୍ତରିତ ହୋଇ କର୍ଣ୍ଣରେ ପ୍ରତିଧ୍ବନିତ କରୁଥିଲା। କି ମାୟା...କି ଛଳନା...ପୁଣି ତା ନିଷ୍କଳଙ୍କ ନିଷ୍ପାପ ଓ ସରଳ ହୃଦୟରେ?ଏସବୁକୁ ଭାଳି ହୃଦୟକୁ ଦୁର୍ବଳ କରି ନିଜ ଭାରସାମ୍ୟ ହରାଇ ପଡିଗଲା ବୋଧହୁଏ,ଚିନ୍ତା କଲା ସେ।

    ତାର ଦୋଷ କଣ?ପ୍ରେମ କଣ ପାପ?ସେ ତ ବଳାତ୍କାର କରିନି କାହାକୁ,ସେ କାହା ଚରିତ୍ର ବି ସଂହାର କରିନି,ଅନ୍ତରଙ୍ଗକୁ ସ୍ନେହ,ଶ୍ରଦ୍ଧା,ସମ୍ମାନ,ଇଜ୍ଜତ ସବୁ ଦେଇଛି,ତାକୁ ପ୍ରତାରଣା କି ପ୍ରବଞ୍ଚନା,ମିଥ୍ୟା ପ୍ରତିଶ୍ରୁତି ଆଦୌ ଦେଇନି।ତେବେ ସେ ଏମିତି କହିଲେ କାହିଁକି?ଏ କଣ ତାଙ୍କ ହୃଦୟର କଥା।ସରଳ ନିଷ୍କପଟ ହୃଦୟରେ ସେ ଛଳନା କଣ ଜାଣି ନ ଥିଲା,ହେଲେ ଆଜି ତା ବିଶ୍ୱାସରେ ବିଷ ମିଶାଇଦେଲା ତା ବିଶ୍ୱାସୀ ବନ୍ଧୁ।
   କାଲିପରି ଲାଗୁଛି,ସେ ପ୍ରଥମେ ଫୋନ କଲା,ମଧୁର କଥା ହେଲା,ଯେଉଁ କଥାରେ ସ୍ୱାଗତ କରିଥିଲା ତା ଭଲପାଇବାକୁ ଆଉ ଆଦରରେ କରିଥିଲା ପ୍ରେମ ନିବେଦନ।ତା ସହ ସମ୍ବନ୍ଧିତ ଗଳ୍ପପଢି ସେ ଜଣାଇଥିଲା ସମ୍ମତି।ଆଉ ଲେଖିଥିଲା,"ଆଇ ଲଭ ୟୁ,ଜାନୁ"।ରିଏଲି ଆଇ ଆମ ହାପି।ତାପରେ ପ୍ରେମର ସୂଚନା ପାଇ ସେ ଆଗେଇଥିଲା କିଛି କହିବାକୁ,ତା ଅନ୍ତରର ସଦ୍ୟ ସାଇତା କେଇପଦ କଥା।ସେଇଠୁ ବଢିଥିଲା ତାଙ୍କ ପ୍ରେମର ନିଛକ କାହାଣୀ।ଆଉ ଖୁସିରେ ବିଭୋର ହୋଇଥିଲା କହିବାକୁ ସେଇ ପ୍ରେମର କେତେପଦ ମଧୁର କଥା,"ଆଇ ଲଭ ୟୁ ମୁନୁ।"
   ଜାନୁ ଓ ମୁନୁର ପ୍ରେମ କାହାଣୀ ଲାଗୁଥିଲା ସତେ ଯେମିତି କେଦାର ଗୌରୀର ପ୍ରେମ କାହାଣୀ।ଦିନ ହେଉ ବା ରାତି ହେଉ ଦୁହିଁଙ୍କ ଆକର୍ଷଣର ଚୁମ୍ବକତ୍ୱ ଲାଗୁଥିଲା ଏ ପ୍ରେମ କାହାଣୀ ହେବ ଅନନ୍ୟ,ଅକାଟ୍ୟ ଓ ଅତୁଲ୍ୟ।ହେଲେ କେଉଁ ଅଦିନ ମେଘରେ ଭାଙ୍ଗିଗଲା ତାଙ୍କ ଅମର ପ୍ରେମର କାଚଘରଟି।ଆଶାର ବତୀଘରଟି ବି ଭୁଷୁଡି ପଡିଲା ଲାଗୁଥିଲା ମୁନୁ କେଉଁ ଦୃଷ୍ଟ ଶକ୍ତିର ପ୍ରରୋଚନାରେ ଏ ମନ୍ତବ୍ୟ ଦେଇଛି।ଏସବୁ  କଣ ତା ପରି ସୁଶୀଳାର ଉଚିତ ପଦକ୍ଷେପ।ତାର ଭାବିବାର ଥିଲା,ସମ୍ପର୍କ ଏକ ମାଟିଗୁଲିର ଖେଳ ନୁହଁ ଯେତେବେଳେ ଇଚ୍ଛା ଗଢ଼ିଦେବା ଯେତେବେଳେ ଇଚ୍ଛା ଭାଙ୍ଗିଦେବା।ଏ ପରା ଦୁଇଟି ଆତ୍ମାର ସ୍ୱତଃସ୍ଫୁର୍ତ୍ତ ଅପୂର୍ବ ମିଳନ।ଛଳନାରେ ବାଲିଘର କେବେ ବି ତିଆରି ହୁଏନା,ଏମିତି କଲେ ଜୀବନର ମାନେ କେବଳ ଛଳନା,ପ୍ରବଞ୍ଚନା,ନିଷ୍ଠୁରତା ଛଡା ଆଉ କଣ?ମୋ ମୁନୁ ଏମିତି ହୋଇ ନ ପାରେ?
    ପୁଣି ମନେ ପକାଇଲା ତା ମୁନୁ ସହ ପହିଲି ଦେଖା,ପରେ ଭିନ୍ନ ଭିନ୍ନ ମୁହୂର୍ତ୍ତମାନ।ସେଦିନ ତା ହସ,ତା କୁହୁକୀ କଥା,ତା ସଂସ୍କାରୀ ଆଚରଣ,ଆଃ... ବାସ୍ତବରେ ଥିଲା କି ମନଲୋଭା ! ତା ଚୋରା ଚାହାଣୀ,ପ୍ରେମର ଠାଣିରେ ସତେ ଯେମିତି ଝରୁଥିଲା ପ୍ରୀତି ମନ୍ଦାକିନୀ।ତା ଘରେ ତାର ଅଭ୍ୟର୍ଥନା, ଦୁହିଁଙ୍କ ଭାବବିନିମୟର ମୁହୂର୍ତ୍ତ,ପ୍ରତିଦିନ ଶାନ୍ତିଦୁତ କପୋତକୁ ପଚାରୁଥିବା ଜାନୁର ଭଲମନ୍ଦ ଏ କଣ ଥିଲା ଛଳନା?ସବୁଠୁ ଅଭୁଲା ଓ ମର୍ମସ୍ପର୍ଶୀ ମୁହୂର୍ତ୍ତ ଥିଲା,ତା ମୁଣ୍ଡବ୍ୟଥାରେ ଆଗ୍ରହରେ ଲେପିଦେଇଥିବା ପ୍ରେମର ଅମୃତାଞ୍ଜନ।କଣ ଏଥିରେ ଥିଲା ଛଳନା?ନାଁ ତା ମୁନୁ କେବେବି ଅମଣିଷ,ସ୍ୱାର୍ଥପର, ଅବିବେକୀ କି ହୃଦୟହୀନା ହୋଇ ନ ପାରେ।
   ସମ୍ଭବ(ଜାନୁ) କେବେବି ଖରାପ ଭାବିନାହିଁ ମୁନୁକୁ।କେମିତି ବା ଭାବିବ?ଯିଏ ତା ମନ,ଜୀବନ,ହୃତ ସ୍ପନ୍ଦନ ସେ କେମିତି ବା ତାକୁ କଷ୍ଟ ଦେଇ ନିଜକୁ ଧକ୍କା ଦେବ,ନିଜ ପ୍ରାଣକୁ ବିଦୀର୍ଣ୍ଣ କରିବ।ଦୀର୍ଘଶ୍ଵାସଟାଏ ପକାଇ ମେସେଜ ଦେବାକୁ ଭୁଲିଲା ନାହିଁ। ଆରେ ମୁନୁ,ଛଳନାର ସଜ୍ଞା ମୁଁ ଜାଣେନା,ମୁଁ କେବଳ ଜାଣେ ସ୍ନେହ,ଶ୍ରଦ୍ଧା,ଭଲପାଇବା ନିଷ୍ପାପ,ସ୍ବର୍ଗୀୟ।ତୁମ ପରି ଚାରିତ୍ରବତୀକୁ ପାଇ ମୁଁ ସତରେ ଧନ୍ୟ।ତୁମେ ଯେମିତି ହସୁଥିଲା ସଦା ହସୁଥାଅ, ସୁଖ ଶାନ୍ତି କେବେବି ତୁମ ପାଖ ନ ଛାଡୁ।ତୁମେ ଶାନ୍ତିରେ ରହିଲେ ମୋ ଅନ୍ତର ପରା ପୁଲକିତ ହୋଇଯିବ।ଜୀବନରେ କେବେ ବି କଣ୍ଟା ନ ମାଡ଼,ଭଗବାନଙ୍କୁ ମୋର ଏତିକି ପ୍ରାର୍ଥନା।ବରଂ ମୋ ସୁଖ ସବୁ ନେଇ ଯାଅ,ହେଲେ ଦୁଃଖ ତୁମ ଜୀବିତ ଜୀବନରେ ସାକ୍ଷାତ ନ କରୁ।ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଯଦି ତୁମ ପାଖରେ ଭୁଲ କରିଥାଏ,ତେବେ ତୁମ ବିଚାରରେ ଏ ଚରିତ୍ରହୀନକୁ ହୃଦୟରେ ନ ହେଉ ପଛେ ହେଲେ ତୁମ ଶ୍ରୀପଦ ତଳେ ସ୍ଥାନ ଦେବ ବୋଲି ମୋ ଆଶା।
  ପୁଣି ସମ୍ଭବର ଆଖିରୁ ଟପ ଟପ ଲୁହ ଝରି ପଡୁଥାଏ ଅମାନିଆ କୋହଭରା ଅଶ୍ରୁ।ନେପଥ୍ୟରେ ଶୁଭୁଥାଏ ମୁନୁର ଅଟ୍ଟହାସ୍ୟ।ଆଉ ପରିବେଶ,ପରିବେଷ୍ଟନୀ ଦୁଃଖରେ କହୁଥାନ୍ତି, ଆଃ ବିଚରାଟା କୁ ଏ ନିଷ୍ଠୁର ହୃଦୟହୀନା କ'ଣ କଲା!ଆଉ ସଭିଙ୍କ ମୁହଁରୁ ନିସୃତ ହେଉଥାଏ ଗୋଟିଏ କଥା,"ମୁନୁ ଭାଙ୍ଗିଦେଲା ଜାନୁର ମନ।"ସେହିଦିନଠୁ ଆଶାବାଦୀ ହୋଇ ନିଜ ସଚ୍ଚା ନିଷ୍କଳଙ୍କ ପ୍ରେମ ଉପରେ ଭରସା ରଖି ଜାନୁ ଚାହିଁ ରହିଛି ମୁନୁର ସେଇ ପୂର୍ବ ନିଷ୍କପଟ ପ୍ରେମର ପ୍ରୀତିଭରା କୋମଳ ଛୁଆଁକୁ।

   *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର*

0 Comments