ପ୍ରବନ୍ଧ - ତସ୍ମୈଶ୍ରୀ ଗୁରବେ ନମଃ - ନିବେଦିତା ମହାପାତ୍ର

ପ୍ରବନ୍ଧ - ତସ୍ମୈଶ୍ରୀ ଗୁରବେ ନମଃ - ନିବେଦିତା ମହାପାତ୍ର

"ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନଞ୍ଜନା ଶଳାକାୟ
ଚକ୍ଷୁରୁନ୍ମିଳିତଂ ଯେନ ତସ୍ମୈଶ୍ରୀ ଗୁରବେ ନମଃ॥"
ଭାରତୀୟ ସଭ୍ୟତାର ପାଞ୍ଚୋଟି ମୁଖ୍ୟ ସ୍ତମ୍ଭ ହେଉଛି ଗୋ,ଗଙ୍ଗା,ଗୁରୁ,ଗୀତା,ଗାୟତ୍ରୀ।ଯାହାକୁ ଆଧାର କରି ବହୁ ପ୍ରାଚୀନ କାଳରୁ ଏହି ସଭ୍ୟତା ଅଦ୍ୟାବଧି ସୁଦୃଢ ହୋଇ ଠିଆ ହୋଇଛି।ଗୁରୁ ହେଉଛନ୍ତି ଜ୍ଞାନଦାତା,ବୁଦ୍ଧିଦାତା ଓ ମାର୍ଗଦର୍ଶକ । ଇତିହାସ ଅବା ପୁରାଣ ପୃଷ୍ଠାକୁ ଉନ୍ମୋଚନ କଲେ ଦେଖାଯାଏ ଭଗବାନ ମଧ୍ୟ ନିଜର ଭିନ୍ନ ଭିନ୍ନ ଅବତାର ସମୟରେ ଗୁରୁଙ୍କ ସାନ୍ନିଧ୍ୟ ଲାଭ କରିବାକୁ ଗୁରୁକୁଳ ଶିକ୍ଷାଶ୍ରମରେ ବିଦ୍ୟା ଗ୍ରହଣ କରିଛନ୍ତି।ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ମହର୍ଷି ବିଶ୍ବାମିତ୍ରଙ୍କ ଆଶ୍ରମରୁ ଏବଂ ଶ୍ରୀକୃଷ୍ଣ ମହର୍ଷି ସନ୍ଦିପନୀଙ୍କ ଆଶ୍ରମରୁ ବିଦ୍ୟା ଗ୍ରହଣ କରି ଆଦର୍ଶ ପୁରୁଷ ରୂପେ ପରିଗଣିତ ହୋଇଛନ୍ତି । ଆହାର,ନିଦ୍ରା,ଭୟ ଓ ମୈଥୁନ ଏହି ଚାରୋଟି ପ୍ରବୃତ୍ତି ଉଭୟ ପଶୁ ଓ ମଣିଷଙ୍କ ପାଖରେ ପରିଲକ୍ଷିତ ହୋଇଥିଲେ ମଧ୍ୟ ମଣିଷର ଭଲମନ୍ଦ ବିଚାର କରିବାର ଶକ୍ତି ଥାଏ;କିନ୍ତୁ ପଶୁମାନଙ୍କର ସେ କ୍ଷମତା ନ ଥାଏ।ତେଣୁ ପଶୁ ଠାରୁ ମନୁଷ୍ୟ ଭିନ୍ନ।ବିଭିନ୍ନ ଅନୁଭୂତି ଓ ଅଭିଜ୍ଞତା ମାଧ୍ୟମରେ ମଣିଷ ଏହି ଶକ୍ତି ପ୍ରାପ୍ତ କରିଥାଏ।ଏହି ଶକ୍ତିକୁ କୁହାଯାଏ ବିଦ୍ୟା।ବିଦ୍ୟା ଅର୍ଜନ କଲେ ମଣିଷ ଅଜ୍ଞାନରୁ ମୁକ୍ତ ହୋଇ ଜ୍ଞାନ ପଥରେ ଅଗ୍ରସର ହୋଇଥାଏ।ଏଣୁ କୁହାଯାଏ-"ସା ବିଦ୍ୟା ଯା ବିମୁକ୍ତୟେ"।

ଏହି ବିଦ୍ୟା ଅଧ୍ଯୟନ ପାଇଁ ଅତୀତରେ ଅରଣ୍ଯର ଶାନ୍ତ କମନୀୟ ପରିବେଶରେ ଗଢି ଉଠିଥିଲା ଗୁରୁକୁଳ ଆଶ୍ରମ।ଏହି ଆଶ୍ରମର ମୁଖ୍ୟ ପୁରୋଧା ଥିଲେ ବଶିଷ୍ଠ, ବିଶ୍ବାମିତ୍ର, ପରଶୁରାମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ଧୌମ୍ୟ, ସନ୍ଦିପନୀ ପ୍ରଭୃତିଙ୍କ ଭଳି ସର୍ବବିଦ୍ୟା ବିଶାରଦ ଆଚାର୍ଯ୍ୟ ମାନେ।ବେଦ, ବେଦାନ୍ତ, ଉପନିଷଦ, ସାଂଖ୍ଯ, ଦର୍ଶନ ଇତ୍ୟାଦି ଥିଲା ସେତେବେଳର ପାଠ୍ୟବସ୍ତୁ।ଏହା ସହିତ ଶିଷ୍ୟମାନେ ଗୁରୁଙ୍କୁ ଆଶ୍ରମର ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ସହାୟତା କରୁଥିଲେ।ସେମାନଙ୍କ ମନରେ ଗୁରୁଙ୍କ ପ୍ରତି ଥିଲା ଅହେତୁକ ଶ୍ରଦ୍ଧା ଓ ସମ୍ମାନ।ସେଥିପାଇଁ ଗୁରୁଙ୍କ ଆଦେଶରେ ଆରୁଣୀ ବିଲର ପାଣି ରୋକିବାକୁ ପାଣି ଧାରରେ ଶୋଇ ଯାଇଥିଲେ ଏବଂ ଏକଲବ୍ୟ ନିଜର ବାମ ହସ୍ତ ବୃଦ୍ଧାଙ୍ଗୁଳି ଅର୍ପଣ କରିବାକୁ କୁଣ୍ଠାବୋଧ କରି ନଥିଲା।ଏହିପରି ଅନେକ ଉଦାହରଣ ରହିଛି।ଗୁରୁ ଶଦ୍ଦର ଅର୍ଥ ଗୁ-ଅନ୍ଧାର ଓ ରୁ-ବାହାର କରିବା।ସେ ସମୟର ଗୁରୁ ଅଜ୍ଞାନତାର ଅନ୍ଧାରରୁ ଜୀବକୁ ମୁକ୍ତ କରି ପରମଙ୍କ ସହ ମିଳନର ରାସ୍ତା ଦେଖାଉଥିଲେ।ଏହି ପରିପେକ୍ଷୀରେ କବୀର ଦାସଙ୍କ ଦୋହା ମନେପଡେ -
"ଗୁରୁ ଗୋବିନ୍ଦ ଦୋଉ ଖଡେ କାକେ ଲାଗୁଁ ପାଓ
ବଲିହାରୀ ଗୁରୁ ଅପନେ ଗୋବିନ୍ଦ ଦିଏ ବତାଏ।"
ଗୁରୁ ଗୋବିନ୍ଦଙ୍କ ଠାରୁ ବି ବଡ କାରଣ ଗୋବିନ୍ଦଙ୍କ ସହ ମିଳନର ରାସ୍ତା ଗୁରୁ ହିଁ ଦେଖଇଥାନ୍ତି । ଏହାପରେ ସଭ୍ୟତାର ଆଦିପର୍ବରେ ଦୂରଦର୍ଶୀ ପ୍ରବୀଣ ପଣ୍ତିତଗଣ ସମାଜର ମଙ୍ଗଳ ନିମିତ୍ତ ଯେତେଗୁଡିଏ ଅନୁଷ୍ଠାନର ପରିକଳ୍ପନା କରିଥିଲେ ସେଥିମଧ୍ୟରୁ ବିଦ୍ୟାନୁଷ୍ଠାନ ଅନ୍ୟତମ । ଏଠି ଗୁରୁ ମାନଙ୍କ ସ୍ଥାନ ନେଇଥିଲେ ଶିକ୍ଷକ।ଶିକ୍ଷକ ଶଦ୍ଦର ଅର୍ଥ ଶି-ଶିକ୍ଷା, କ୍ଷ-କ୍ଷମା, କ- କର୍ତ୍ତୃତ୍ବ।ଶିକ୍ଷକ ଆମର ଦୋଷକୁ କ୍ଷମା କରି ଆମ ଉପରେ କର୍ତ୍ତୃତ୍ବ ଜାହିର କରି ଆମକୁ ଶିକ୍ଷା ଦେଇଥାନ୍ତି । ହେଲେ ସେମାନଙ୍କ ମନରେ ବି ଶିକ୍ଷାର୍ଥୀ ମାନଙ୍କ ପାଇଁ ଆଦର ଓ ସ୍ନେହ ରହିଛି।ସେଦିନ ସତ୍ୟବାଦୀର ବକୁଳବନର ଝୁରିଆନା କୁଞ୍ଜରେ ଗଢି ଉଠିଥିଲା ଆଦର୍ଶ ବନ ବିଦ୍ୟାଳୟ।ପଣ୍ତିତ ଗୋପବନ୍ଧୁ, ଆଚାର୍ଯ୍ୟ ହରିହର, ପଣ୍ତିତ ନୀଳକଣ୍ଠ, ପଣ୍ତିତ ଗୋଦାବରୀଶ, ଓ ପଣ୍ତିତ କୃପାସିନ୍ଧୁଙ୍କ ମିଳିତ ଉଦ୍ୟମରେ ଏହାକୁ ମଣିଷ ତିଆରି କାରଖାନା ରୂପେ ଅଭିହିତ କରି ଆରମ୍ଭ କରାଯାଇଥିଲା ଶିକ୍ଷାଦାନ । ଏଠାରୁ ସୃଷ୍ଟି ହୋଇଥିଲେ ସମାଜ ଉପଯୋଗୀ ଅନେକ ରଥୀ ମହାରଥୀ।ଯେଉଁ ମାନଙ୍କ ତ୍ୟାଗର ଗାଥା ଆଜି ବି ଲୋକମୁଖରୁ ଶୁଣିବାକୁ ମିଳେ।ସେ ସମୟରେ ମଧ୍ୟ ଶିକ୍ଷକଙ୍କୁ ନାର୍ଯ୍ୟ ସମ୍ମାନ ମିଳୁଥିଲା । ସେମାନେ ଏକ ଗୌରବମୟ ପଦବୀର ଅଧିକାରୀ ଥିଲେ । ଥରେ ଜଣେ ଦାର୍ଶନିକ ଗ୍ରୀକ୍ ପଣ୍ତିତ ଡାୟୋଜିନିସ୍ ଙ୍କୁ ପ୍ରଶ୍ନ କଲେ ଜ୍ଞାନ ବଡ ନା ଧନ ବଡ । ଡାୟୋଜିନିସ୍ ଉତ୍ତର ଦେଲେ ଜ୍ଞାନ।ଦାର୍ଶନିକ କହିଲେ ଯଦି ଜ୍ଞାନୀ ବଡ ତେବେ ଧନୀ ମାନଙ୍କ ଦ୍ବାରେ ଜ୍ଞାନୀମାନେ କାହିଁକି ଧାଡି ବାନ୍ଧନ୍ତି ? ଧନୀମାନେ ତ ଜ୍ଞାନୀ ମାନଙ୍କ ପାଖକୁ ଦୌଡନ୍ତି ନାହିଁ । ଉତ୍ତରରେ ଡାୟୋଜିନିସ୍ କହିଲେତାର କାରଣ ଜ୍ଞାନୀମାନେ ଧନର ମୂଲ୍ୟ ବୁଝନ୍ତି କିନ୍ତୁ ଧନୀ ମାନେ ଜ୍ଞାନର ମୂଲ୍ୟ ବୁଝନ୍ତି ନା ।
एकमप्यक्षरं यस्तु गुरुः शिष्ये निवेदयेत् ।
पृथिव्यां नास्ति तद् द्रव्यं यद्दत्वा ह्यनृणी भवेत् ॥
ଗୁରୁଙ୍କ ସ୍ଥାନ ଏ ପୃଥିବୀରେ ସବୁଠାରୁ ଉଚ୍ଚରେ।ପୃଥିବୀରେ ଏମିତି କୌଣସି ଦ୍ରବ୍ୟ ନାହିଁ ଯାହାର ବିନିଯୋଗ କରି ଶିଷ୍ୟ ଗୁରୁଙ୍କ ଦ୍ବାରା ପ୍ରଦତ୍ତ ଗୋଟିଏ ଅକ୍ଷରର ଋଣ ବି ସୁଝିବା ପାରିବ।ସମାଜକୁ ସୁସମୃଦ୍ଧ କରିବାରେ ଗୁରୁ ମାନଙ୍କ ଅବଦାନକୁ କେବେ ହେଲେ ଅଣଦେଖା କରାଯାଇ ନ ପାରେ । ଶିକ୍ଷା ହେଉଛି ମନୁଷ୍ୟର ସର୍ବଶ୍ରେଷ୍ଠ ଭୂଷଣ ଓ ପରମ ଆଦରଣୀୟ ସଂପତ୍ତି।ଏହି ସଂପତ୍ତି ପ୍ରଦାନ କରି ଗୁରୁ ହିଁ ଇତର ଜଗତର କୋଟି କୋଟି ପ୍ରାଣୀଙ୍କ ମଧ୍ୟରେ ମନୁଷ୍ୟକୁ ଏକ ସ୍ବତନ୍ତ୍ର ଓ ମର୍ଯ୍ୟଦାବନ୍ତ ଆସନରେ ଅଧିଷ୍ଠିତ କରାଇଛନ୍ତି । ଆଧୁନିକ ସମାଜରେ ଶିକ୍ଷା ଓ ଶିକ୍ଷକଙ୍କ ପଦ ମର୍ଯ୍ୟଦାର ହାନି ଘଟୁଥିବା ବେଳେ ସମସ୍ତେ ଏଥିପ୍ରତି ସଚେତନ ହେବା ସହିତ ଗୁରୁଙ୍କୁ ଉପଯୁକ୍ତ ସମ୍ମାନ ଜଣାଇବା ଆବଶ୍ୟକ।କାରଣ ପୁରାଣ ବି ସାକ୍ଷୀ ରହିଛି ଗୁରୁଙ୍କୁ ହଇରାଣ କରିବାରୁ ସ୍ବୟଂ ମହାବଳୀ ହନୁମାନ ମଧ୍ୟ ନିଜର ଶକ୍ତି ସଂପର୍କିତ ଜ୍ଞାନ ହରାଇଥିଲେ ଏବଂଗୁରୁଙ୍କୁ ନିଜର ପ୍ରକୃତ ପରିଚୟ ଲୁଚାଇବା କାରଣରୁ ଅଭିଶାପ ପାଇ ମହାଦାନୀ କର୍ଣ୍ଣ ମହାଭାରତର ରଣକ୍ଷେତ୍ରରେ ଆବଶ୍ଯକତା ସମୟରେ ହିଁ ନିଜର ବିଦ୍ୟା ଭୁଲିଯାଇଥିଲେ।ତେଣୁ ରାଷ୍ଟ୍ର ନିୟନ୍ତ୍ରା ଗୁରୁଙ୍କୁ ସର୍ବଦା ଉଚିତ୍ ସମ୍ମାନ ପ୍ରଦାନ କରିବା ।
"ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ,ଗୁରୁଦେବ ମହେଶ୍ବର
ଗୁରୁ ସାକ୍ଷାତ ପରମବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ॥"


ରଚନା : ନିବେଦିତା ମହାପାତ୍ର

ଠିକଣା : ମୁକୁନ୍ଦ ମିଶ୍ର ନଗର, ପୁରୀ, ଦୂରଭାଷ :


0 Comments